ଭକ୍ତ ଚରଣ ସାହୁ, ଯାଜପୁର, ୨୪ ଫେବୃଆରୀ ୨୦୨୩
ଏତେ ବଡ଼ ଏଇ
ଦୁନିଆଁକୁ ପ୍ରଭୁ
ଗଢ଼ିଦେଲ କେଉଁ ବାଗେ ।
ତୁମ ହାତ ଗଢ଼ା
ଯାହା ମୁଁ ଦେଖୁଛି
ସବୁତ ସୁନ୍ଦର ଲାଗେ ।। (୦)
ଆକାଶ ସୁନ୍ଦର
ତାରା ବି ସୁନ୍ଦର
ଆହୁରି ସୁନ୍ଦର ଜହ୍ନ ।
ଗଛ ବି ସୁନ୍ଦର
ଫୁଲ ବି ସୁନ୍ଦର
ସୁନ୍ଦର ସରଳ ମନ ।।
ସୁନ୍ଦର ଲାଗେ
ଇନ୍ଦ୍ରଧନୁଟି
ଝଟକିଲେ ସାତ ରଙ୍ଗେ….
ତୁମ ହାତ ଗଢ଼ା
ଯାହା ମୁଁ ଦେଖୁଛି
ସବୁତ ସୁନ୍ଦର ଲାଗେ ।। (୧)
ସାଗର ସୁନ୍ଦର
ଲହଡ଼ି ସୁନ୍ଦର
ସୁନ୍ଦର ତା ବେଳାଭୂମି ।
ପାହାଡ଼ ସୁନ୍ଦର
ଝରଣା ସୁନ୍ଦର
ମାଟିକୁ ଯାଉଛି ଚୁମି ।।
ନଈ ବି ସୁନ୍ଦର
ପଠା ବି ସୁନ୍ଦର
ଦେଖାଯାଏ ସବୁ ପାଗେ….
ତୁମ ହାତ ଗଢ଼ା
ଯାହା ମୁଁ ଦେଖୁଛି
ସବୁତ ସୁନ୍ଦର ଲାଗେ (୨)
ସକାଳ ସୂରୁଜ
କେତେଯେ ସୁନ୍ଦର
ପୂରୁବ ଦିଗରୁ ଉଏଁ ।
ମେଘ ବି ସୁନ୍ଦର
ବିଜୁଳି ସୁନ୍ଦର
ସବୁରି ହୃଦକୁ ଛୁଏଁ ।।
ତୁମ ନାମେ ଲେଖା
ଭଜନ ସୁନ୍ଦର
ଯିଏ ଗାଉ ଯେଉଁ ରାଗେ….
ତୁମ ହାତ ଗଢ଼ା
ଯାହା ମୁଁ ଦେଖୁଛି
ସବୁତ ସୁନ୍ଦର ଲାଗେ (୩)
ପକ୍ଷୀ ବି ସୁନ୍ଦର
ପ୍ରାଣୀ ବି ସୁନ୍ଦର
ବଣ ବି ସୁନ୍ଦର ଦିଶେ ।
ପରଜାପତିଟି
କେତେଯେ ସୁନ୍ଦର
ଉଡ଼ୁଛି ସୁନ୍ଦର ବେଶେ ।।
ତୁମ ଚକାଆଖି
କେତେଯେ ସୁନ୍ଦର
ଦେଖିଲେ ଭକତି ଜାଗେ….
ତୁମ ହାତ ଗଢ଼ା
ଯାହା ମୁଁ ଦେଖୁଛି
ସବୁତ ସୁନ୍ଦର ଲାଗେ (୪)