• About
  • Contact
Friday, May 1, 2026
Friday, May 1, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଶ୍ରୀକ୍ଷେତ୍ର ରଥଯାତ୍ରାର ଶ୍ରେଷ୍ଠ ବାର୍ତ୍ତା

ଶ୍ରୀକ୍ଷେତ୍ର ରଥଯାତ୍ରାର ଶ୍ରେଷ୍ଠ ବାର୍ତ୍ତା
Share on FacebookShare on Xshare on Whatsappshare on Linkedin
ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୫ ଜୁଲାଇ ୨୦୨୫

ଶ୍ରୀକ୍ଷେତ୍ର ପୁରୀ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସାରା ଜଗତରେ ଖ୍ୟାତ। ପୁଣି ଶ୍ରୀ ଜଗନ୍ନାଥ ଧାମ ବିଶ୍ଵ ବିଦିତ ତୀର୍ଥ କ୍ଷେତ୍ର ଚତୁର୍ଦ୍ଧାମ ମଧ୍ୟରୁ ସର୍ବ ଶ୍ରେଷ୍ଠ ଧାମ ବୋଲି ବିବେଚିତ । ଏହାର କାରଣ ଯଦିଓ ସମସ୍ତେ ଜାଣନ୍ତି, ବିଭିନ୍ନ ଶାସ୍ତ୍ର ପୁରାଣ ଅଥବା ଧର୍ମଗ୍ରନ୍ଥରେ ପ୍ରାମାଣିକ ତଥ୍ୟ ସହିତ ବର୍ଣ୍ଣିତ ହୋଇଛି, ତଥାପି ଏହାକୁ କେହି ହେଜି ପାରୁନଥିବା ବିଡମ୍ବନା ବୋଲି କୁହାଯାଇପାରେ । ଏଠାକାର ଦିଅଁଙ୍କୁ ବଡ଼ ଠାକୁର, ମନ୍ଦିରକୁ ବଡ ଦେଉଳ, ମନ୍ଦିର ସମ୍ମୁଖ ରାସ୍ତାକୁ ବଡଦାଣ୍ଡ, ଭୋଗ / ପ୍ରସାଦ କୁ ମହାପ୍ରସାଦ, ଦିଅଁଙ୍କୁ ଭୋଗ ଲଗାଉଥିବା ପୂଜକଙ୍କୁ ବଡପଣ୍ଡା ଏବଂ ଦିଅଁଙ୍କ ଶ୍ରେଷ୍ଠ ବେଶ ବିନ୍ୟାସକୁ ବଡସିଂହାର ବେଶ ପ୍ରଭୃତି ନାମରେ ଆଖ୍ୟାୟିତ କରାଯାଇଛି । ପୁଣି, ଏହି ବଡଦେଉଳର ବଡ଼ଠାକୁରଙ୍କ ସେବା ପୂଜାରେ ନିୟୋଜିତ ବଂଶାନୁକ୍ରମିକ ପ୍ରଥମ ସେବକ ଙ୍କୁ ଠାକୁର ରାଜା କୁହଯାଉଥିବା ପୃଥିବୀର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ । ଏଠାରେ ପରମ୍ପରା କ୍ରମେ ବାର ମାସରେ ତେର ପର୍ବ ପାଳିତ ହେଉଥିବା ଦୃଷ୍ଟି କୋଣରୁ ବିଚାର କଲେ ଏଠାକାର ପର୍ବପର୍ବାଣୀ, ଯାନିଯାତ୍ରା ରେ ପ୍ରଚଳିତ ନିତିକାନ୍ତି ପ୍ରାୟତଃ ନିଆରା । ଏମିତିକି ପ୍ରତ୍ୟହ ବଡ଼ ଦେଉଳରେ ଶ୍ରୀ ଜୀୟୁ ମାନଙ୍କ ସେବା ପୂଜାର ରୀତିନୀତି, ଭୋଗରାଗ, ବେଶଭୂଷା ତଥା ପୂଜା ପଦ୍ଧତି ଅନ୍ୟ ସମସ୍ତ ମନ୍ଦିର ରେ ଉପାସିତ ଦେବଦେବୀ ଙ୍କ ଠାରୁ ଭିନ୍ନ ଓ ସ୍ଵତନ୍ତ୍ର ।

ଆଧ୍ୟାତ୍ମିକ ଦୃଷ୍ଟିରୁ ଯେଉଁ ମତବାଦ ଭିତ୍ତିରେ ଶ୍ରୀକ୍ଷେତ୍ର ପୁରୀ ବା ଶ୍ରୀ ଜଗନ୍ନାଥ ଧାମର ମହିମା ଯାହା ହୋଇଥାଉନା କାହିଁକି, ଲୌକିକତା ମତେ ଏହି ବଡ଼ ଦେଉଳରେ ଅଧିଷ୍ଠିତ ଦେବତା ବିଶ୍ବବ୍ୟାପୀ ଏକ ମହାନ୍ ସଂସ୍କୃତିର ମୂଳାଧାର ଭାବେ ପରିଗଣିତ, ଏକଥା ସମସ୍ତେ ସ୍ଵୀକାର କରନ୍ତି । କେବଳ ନିତିପ୍ରତି ଦିଅଁ ଙ୍କ ସେବାପୂଜା ନୀତି ନିର୍ଘଣ୍ଟରେ ନୁହେଁ, ବରଂ ବିଭିନ୍ନ ସମୟରେ ଯାନିଯାତ୍ରା ମାଧ୍ୟମରେ ମାନବ ସମାଜକୁ ସାର୍ଥକ ଜୀବନର ଉପଲବ୍ଧି ଦେବାପାଇଁ ଅନେକ ପରମ୍ପରା ପ୍ରଚଳିତ ହୋଇ ଆସୁଛି ।

ଏହି ପରିପ୍ରେକ୍ଷୀରେ ଶ୍ରୀକ୍ଷେତ୍ର ଜଗନ୍ନାଥ ଧାମରେ ଅନୁଷ୍ଠିତ ପବିତ୍ର ରଥଯାତ୍ରାର ମହାନ୍ ସଂସ୍କୃତି ବିଶେଷ ବାର୍ତ୍ତା ବହନ କରୁଥିବା ବିଷୟ ଏହି ଆଲୋଚନାର ପ୍ରସଙ୍ଗ ହୋଇପାରେ । ଏଥିରେ ନିହିତ ଆଧ୍ୟାତ୍ମିକ ତତ୍ତ୍ଵର ନିଗୂଢ଼ ରହସ୍ୟ ଉପରେ ଅନେକ ସାଧୁ, ସନ୍ଥ, ବିଦ୍ୱାନ, ପଣ୍ଡିତ ଏବଂ ଧର୍ମଯାଜକ ମାନେ ବହୁ ଭାବରେ ଆଲୋଚନା ସମୀକ୍ଷା ପୂର୍ବଜ ବିବରଣୀ ପ୍ରଦାନ କରିଥାନ୍ତି । ଦିଅଁ ଙ୍କ ରଥକୁ ପ୍ରାଣୀର ଶରୀର ତତ୍ତ୍ଵ ସହିତ ତୁଳନା କରାଯାଏ । ଏହାର ଚକ, ଅଖ,ସିଂହାସନ, ଶିଖର ଚୂଳ, ଓଲଟ ଶୁକ ପକ୍ଷୀ, ବ୍ୟବହୃତ କାଠ ସଂଖ୍ୟା ଦୃଷ୍ଟିରୁ ଅଥବା ନିର୍ମାଣ ଶୈଳୀ ଦୃଷ୍ଟିରୁ ସବୁ କିଛି ପ୍ରାଣୀର ଜୀବନ ଦର୍ଶନ ସହିତ ସମ୍ପର୍କିତ । ଏଥିର ବିଚାର ବିଶ୍ଳେଷଣ ମାନବ କୁ ଜୀବ ପରମ ର ତଥ୍ୟ ଓ ତତ୍ତ୍ଵ ପ୍ରଦାନ କରେ ବୋଲି ବିଶିଷ୍ଟ ବିଦ୍ୱାନ ଗବେଷକ ମାନେ ମତ ଦିଅନ୍ତି । ତେବେ ଲୌକିକ ବିଚାରରେ ମଧ୍ୟ ଅନେକ ମହତ୍ତର ସନ୍ଦେଶ ଦେଇ ଆସୁଛି ଶ୍ରୀକ୍ଷେତ୍ରର ଏହି ପବିତ୍ର ରଥଯାତ୍ରା । ବଡ ଦେଉଳରେ ସ୍ନାନ ଯାତ୍ରାଠାରୁ, ଅନବସର, ନବଯୌବନ, ନବଦିନ ଘୋଷଯାତ୍ରା କିମ୍ବା ରଥଯାତ୍ରା, ହେରାପଞ୍ଚମୀ, ବାହୁଡା଼ ଯାତ୍ରା, ଅଧର ପଣା, ସୁନାବେଶ ଏବଂ ନିଳାଦ୍ରୀ ବିଜେ ଆଦି ସମସ୍ତ ପାରଂପରିକ ନୀତିକାନ୍ତି ଲୌକିକ ଆଚାର ଉପଚାରରେ ସମ୍ପାଦିତ ହେଲାବେଳେ ତତ୍ ନିହିତ ବାର୍ତ୍ତା ମାନବ ସମାଜ ର ସୁବିଚାର ତଥା ମାର୍ଗ ଦର୍ଶନ ନିମନ୍ତେ ଉଦ୍ଦିଷ୍ଟ, ଏଥିରେ ସନ୍ଦେହ ନାହିଁ । ଆମ ଜଗନ୍ନାଥ ସଂସ୍କୃତି ର ମହାନତା ସମ୍ପର୍କରେ ବ୍ୟାଖ୍ୟା କରିବା ଏଇ ଲେଖକର ଉଦ୍ଦେଶ୍ୟ ନୁହେଁ, ବରଂ ପ୍ରତ୍ୟେକ ସଂସ୍କୃତି ପ୍ରେମୀ ପାଠକଙ୍କୁ ପୁନଃ ସ୍ମରଣ କରାଉଥିବା ଏହି ସୁବର୍ତ୍ତାର ସଦୁପଯୋଗ ସହିତ ମାନବ ଜୀବନରେ ପ୍ରତିଫଳିତ ହେବା ବାଞ୍ଛନୀୟ ।

ଲୋକାଚାର ରେ ଉପାସିତ ଏହି ବଡ ଦିଅଁଙ୍କ ମାନବୀୟ ଲୀଳା ବାସ୍ତବିକ୍ ବିରଳ । ଯେମିତିକି, ମନୁଷ୍ୟ କୂଅ ପାଣିରେ ନିତ୍ୟ ସ୍ନାନ କରିଥାଏ, ସେମିତି ଏହି ଠାକୁରଙ୍କୁ ଶ୍ରୀମନ୍ଦିର ସ୍ଥିତ ସୁନାକୂଅରୁ ୧୦୮ ଗରା ଜଳ ଆଣି ସ୍ନାନବେଦୀରେ ସ୍ନାନ ବିଧି କରାଯାଏ । ଋତୁ ପରିବର୍ତ୍ତନ ସମୟରେ ମନୁଷ୍ୟ ଶରୀର ରୋଗଗ୍ରସ୍ତ ହେଲାପରି ଦିଅଁ ମଧ୍ୟ ରୋଗରେ ପୀଡ଼ିତ ହୁଅନ୍ତି । ସବୁଠାରୁ ତତ୍ପର୍ଯ୍ୟପୂର୍ଣ୍ଣ କଥାଟି ହେଲା ଯେ, ଦିଅଁ ପୀଡ଼ିତ ହୋଇ ଆଉ ସର୍ବ ସମକ୍ଷରେ ସେବିତ ପୂଜିତ ହୁଅନ୍ତି ନାହିଁ । ବରଂ ରୁଦ୍ଧ କୋଠରୀରେ ସଙ୍ଗରୋଧ ଉପଚାରରେ ରହି ଚିକିତ୍ସିତ ହେବାର ପ୍ରକ୍ରିୟା ମାନବ ଜାତିକୁ ରୋଗ ସଂକ୍ରମଣ ନହେବାର ପଦ୍ଧତି ଅବଲମ୍ବନ କରିବାର ଶିକ୍ଷା ଦେଇ ଆସୁଛି। ଯେମିତିକି, କରୋନା (ଥଣ୍ଡା ଜ୍ବର, ଶର୍ଦ୍ଦି, କାଶ, ଛିଙ୍କ) ଆଦି ମହାମାରୀ ସଂକ୍ରମଣ ସମୟରେ କଟକଣା ସ୍ବରୂପ ପୀଡ଼ିତକୁ ସଂଗରୋଧ କରି ରଖିବା ଅନିର୍ବାର୍ଯ୍ୟ ଥିଲା । ଏହି ସମୟରେ ଖାଦ୍ୟପେୟ ସମ୍ପର୍କିତ କଟକଣା ମଧ୍ୟ ତଦୋପରି । ଅବଢ଼ା ମହାପ୍ରସାଦ ଯଦିଓ ବହୁଜନ ମେଳରେ ଏକତ୍ର ସେବନ କରିବାର ବିଧି ପରମ୍ପରା କ୍ରମେ ଚଳି ଆସିଛି (ଯାହା ଭାଇଚାରା ଅଥବା ବସୁଧୈବ କୁଟୁମ୍ବକମ୍ ର ସୂଚନା ଦିଏ), କିନ୍ତୁ ବଡ଼ ଦିଅଁଙ୍କ ପୀଡ଼ିତ ଅବସ୍ଥାରେ ଅବଢ଼ା ମହାପ୍ରସାଦ ଉପଲବ୍ଧ ହୁଏନାହିଁ । ଏହି ସମୟରେ ଏକତ୍ର ଭୋଜନ ନିଷିଦ୍ଧ ଥାଏ । ଏହି ସବୁ ପ୍ରଚଳିତ କଟକଣା ବିଧି ମାନବ ସମାଜକୁ ସୁସ୍ଥ ଜୀବନର ସନ୍ଦେଶ ଦେଉ ନାହିଁ କି ?

ଆଉ ମଧ୍ୟ ରଥଯାତ୍ରା ର ରହସ୍ୟ ମାନବୀୟ ଲୀଳାର ସ୍ୱଚ୍ଛ ଚିତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ । ପୂର୍ବରୁ ମଣିଷ ଯୌଥ ପରିବାରରେ ବାସ କରୁଥିଲା । ଜନ୍ମସ୍ଥାନ ସହିତ ସମ୍ପର୍କିତ ହେବା ଏବଂ ପରିବାରଜନଙ୍କ ସହିତ ମିଳିତ ଭାବେ ଜୀବନ ନିର୍ବାହ କରିବାକୁ ପସନ୍ଦ କରୁଥିଲା । ତାହା ଏହି ଶ୍ରୀକ୍ଷେତ୍ର ରଥଯାତ୍ରାରୁ ସ୍ପଷ୍ଟ ପ୍ରମାଣିତ । ସହୋଦର ଭାଇ ଭଉଣୀଙ୍କୁ ସାଥିରେ ନେଇ କର୍ମସ୍ଥଳରୁ ନିଜ ଜନ୍ମସ୍ଥଳକୁ ଯାତ୍ରା କରିବା, ଆତ୍ମୀୟ ସ୍ୱଜନ (ମାଆର ଅନୁରୂପ ମାଉସୀ) ଘରେ ମିଳିତ ହେବା ଏବଂ ମନ ପସନ୍ଦର ଭୋଜନ ତଥା ଆତିଥ୍ୟ ଗ୍ରହଣ କରିବାର ପରମ୍ପରା ରଥଯାତ୍ରା ସହିତ ଜଡିତ । ଏଥିରୁ ମାନବ ଜୀବନର ମହର୍ଘ ଗୁଣବତ୍ତାର ବାର୍ତ୍ତା ପ୍ରସାରିତ ହୋଇଛି । ଜନ୍ମମାଟି ପ୍ରତି ଆକର୍ଷଣ, ଆତ୍ମୀୟ ସ୍ୱଜନ, ବନ୍ଧୁ ପରିଜନଙ୍କ ପ୍ରତି ଆତ୍ମୀୟତା ଏହାର ବିଶେଷତ୍ତ୍ୱ । ସର୍ବ କାଳରେ ଭଉଣୀର ସୁରକ୍ଷା ଭାଇ ହାତରେ ବୋଲି ମଧ୍ୟ ଏଥିରେ ସନ୍ଦେଶ ଦିଆଯାଇଛି । ଯାତ୍ରା ଭ୍ରମଣରେ ଯାଉଥିବା ଭାଇ ମାର୍ଗରେ ଭଉଣୀର ସୁରକ୍ଷା ନିମନ୍ତେ ଆୟୁଧ (ସୁଦର୍ଶନ ଚକ୍ର)ଙ୍କୁ ସାଥିରେ ନେବା ମଧ୍ୟ ଆଉ ଏକ ବିଶେଷ ବାର୍ତ୍ତାର ଜ୍ୱଳନ୍ତ ନମୁନା । ରଥ ଯାତ୍ରାର ରହଣି ମଧ୍ୟରେ ଜନ୍ମ ବେଦୀରେ ବଡ଼ ଦିଅଁ ଅବସ୍ଥାନ କାଳରେ ପତ୍ନୀ (ମହାଲକ୍ଷ୍ମୀ)ଙ୍କ ଅଭିମାନ ହେବା ସ୍ବାଭାବିକ । ଲୋକାଚାର ରେ କୁଳବଧୂ ଘରୁ ବାହାରକୁ ଯିବା ସମୟରେ ଗୃହକର୍ତ୍ତା / କର୍ତ୍ତ୍ରୀ ଙ୍କ ଅନୁମତି ନେଇ ସ୍ଵାମୀଙ୍କ ଅନୁଗାମୀ ହେବା ଏବଂ ପୁଣି ଅତ୍ୟନ୍ତ ସମ୍ଭ୍ରମତା ସହକାରେ ଗମନ ଓ ସ୍ଵକୀୟ ଅଭିମାନ ବ୍ୟକ୍ତ କରିବାର ସନ୍ତକ ଛାଡ଼ି ଆସିବା ଗୋଟିଏ ଗୋଟିଏ ଶିକ୍ଷଣୀୟ ସନ୍ଦେଶ । ସମଗ୍ର ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ସାଂସାରିକ ଲୀଳା ରଚନା କରି ମାନବକୁ ଶୃଙ୍ଖଳିତ କରାଇବାକୁ ଚାହାନ୍ତି । ଅଭିମାନ ଓ କ୍ରୋଧ ଜର୍ଜରିତ ନିଜ ପତ୍ନୀଙ୍କୁ ସନ୍ତୁଷ୍ଟି ଦେବା ପାଇଁ ସହସା ପ୍ରତ୍ୟାବର୍ତ୍ତନ ପ୍ରୟାସ କରନ୍ତି । ରଥ ଦକ୍ଷିଣ ମୋଡ଼ ନେଇ ଫେରିବା ପାଇଁ ପ୍ରସ୍ତୁତ ହୋଇଯାଏ ।

ଆଉମଧ୍ୟ ରଥ ଯାତ୍ରାରେ, ବାହୁଡା଼ ଯାତ୍ରାରେ ଭକ୍ତଜନଙ୍କୁ ଏକତ୍ର କରନ୍ତି ମହାପ୍ରଭୁ । ଏକାକାର ହୋଇଯିବାକୁ ଆହ୍ବାନ ଦିଅନ୍ତି । ସର୍ବ ଧର୍ମଂ ପରିତ୍ୟେଜ୍ୟ ମାମେକଂ ଶରଣଂ ବ୍ରଜଃ। ଅର୍ଥାତ୍ – ସବୁ ଧର୍ମ ଛାଡ଼ି ମୋତେ ହିଁ କେବଳ ଅନୁସରଣ କର । ମୁଁ ଯେପରି ଧର୍ମ ପାଳନ କରୁଛି, ସେପରି ସାଂସାରିକ ଜୀବନ ନିର୍ବାହ କର । ପତ୍ନୀଙ୍କ ମାନ ଭଞ୍ଜନ ପାଇଁ ରସଗୋଲା ମିଠା ଖୁଆଇବା ମଧ୍ୟ ମହାପ୍ରଭୁଙ୍କ ଏକ ମାନବୀୟ ଲୀଳା । ସୁଖୀ ଦାମ୍ପତ୍ୟ ଜୀବନର ପରିପ୍ରକାଶ । ପୁନଃ ପ୍ରତ୍ୟାବର୍ତ୍ତନ କରି ସ୍ଵସ୍ଥାନ ନିଳାଦ୍ରୀ ବିଜେ କରି ପାରିବାରିକ ମେଳରେ ଭାଇ,ଭଉଣୀ, ପତ୍ନୀ ତଥା ଅନ୍ୟ ଆତ୍ମୀୟ ମାନଙ୍କ ସହ ସହାବସ୍ଥାନର ବାର୍ତ୍ତା ବହନ କରି ମାନବ ସମାଜକୁ ଶ୍ରେଷ୍ଠ ସାଂସାରିକ ଧର୍ମ ପାଳନ କରିବାକୁ ଶିକ୍ଷା ଦିଏ ଶ୍ରୀକ୍ଷେତ୍ରର ଏହି ରଥଯାତ୍ରା । ଆସନ୍ତୁ, ଆମେ ଏହି ବାର୍ତ୍ତାକୁ ଆମ ଧର୍ମଗ୍ରନ୍ଥରେ ଅବା ଧାରା ବିବରଣୀରେ ସୀମିତ ନରଖି ଆମ ଦୈନନ୍ଦିନ ଜୀବନରେ ଅନୁପାଳନ କରିବାପାଇଁ ଉଦ୍ୟମ କରିବା ।

ଅବନୀ ଚନ୍ଦ୍ର ଦାସ

ଅବନୀ ଚନ୍ଦ୍ର ଦାସ

(ସାହିତ୍ୟିକ, ସ୍ତମ୍ଭକାର, ଗବେଷକ, ସୁସଂଗଠକ)
ସଂପାଦକ, ନିର୍ଭିକ
ସଂପାଦକ, ମାହାଙ୍ଗା ମୈତ୍ରୀ ମଞ୍ଚ
ସଂପାଦକ, ଉତ୍କଳୀୟ ସାହିତ୍ୟ ସଂସ୍କୃତି ପରିଷଦ
ପ୍ରଶାନ୍ତି ବିହାର, ଭୁବନେଶ୍ବର-୨୪
ଫୋନ୍ ନଂ. ୯୯୩୭୫୩୭୯୭୪

Related Posts

ମଧୁବାବୁ
Literature

ମଧୁବାବୁ

by ପ୍ରଭୁକଲ୍ୟାଣ ମହାପାତ୍ର
April 29, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୯ ଏପ୍ରିଲ, ୨୦୨୬ ମଧୁବାବୁ ନାମେ ତୁମେ ରାଜ୍ୟେ ପରିଚିତ ଏମ.ଏସ.ଦାସ ଭାବେ ଦେଶରେ ବିଦିତ ପ୍ରକୃତରେ ତୁମେ ସାରା ପୃଥିବୀ ବିଖ୍ୟାତ...

Read more
ଉତ୍କଳ ର ଗୌରବ

ଉତ୍କଳ ର ଗୌରବ

April 28, 2026
What You Call Right

What You Call Right

April 18, 2026
ମହା ବିଷୁବ ସଂକ୍ରାନ୍ତି

ମହା ବିଷୁବ ସଂକ୍ରାନ୍ତି

April 14, 2026
ଗାଆଁର ବିକାଶ, କରୁଛି ହତାଶ

ଗାଆଁର ବିକାଶ, କରୁଛି ହତାଶ

April 11, 2026
A Dying Ember

A Dying Ember

April 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.