• About
  • Contact
Monday, March 2, 2026
Monday, March 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଶ୍ରୀକୃଷ୍ଣ ପ୍ରେସ୍ ର କୃଷ୍ଣ ମଉସା (ଭାଗ ୪୨)

ଶ୍ରୀକୃଷ୍ଣ ପ୍ରେସ୍ ର କୃଷ୍ଣ ମଉସା (ଭାଗ ୪୨)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୨ ସେପ୍ଟେମ୍ବର ୨୦୨୫

ଶ୍ରୀକୃଷ୍ଣ ପ୍ରେସ୍ ର କୃଷ୍ଣ ମଉସା ଏବେ ନାହାନ୍ତି।

ମୋର କୃଷ୍ଣ ମଉସାଙ୍କ ସହ ଦେଖାହେଲା ଅତି ଆକସ୍ମିକ ଭାବେ। ୧୯୭୬ରେ ମାଟ୍ରିକ୍ ପରୀକ୍ଷା ପର ଛୁଟିରେ ଆମ ପାଖଆଖର ସାଙ୍ଗସାଥିମାନେ ମିଶି ନାଟକଟିଏ ମଂଚସ୍ଥ କରିବାକୁ ଠିକ୍ କଲୁ। ବହୁ ନାଟକ ଦେଖିଲା ପରେ ଠିକ୍ ହେଲା, ଗୋପାଳ ଛୋଟରାୟଙ୍କ ଗୀତିନାଟ୍ୟ ‘ଶ୍ରୀ ଗଣେଶ’ କରିବୁ।

ନାଟକ ତ ଠିକ୍ ହୋଇଗଲା- ହେଲେ, ସେଥିପାଇଁ ମଞ୍ଚ, ଲାଇଟ୍, ମାଇକ୍ ଆଦି ପାଇଁ ଟଙ୍କା କେଉଁଠୁ ଆସିବ? ଚାନ୍ଦା ମାଗିବା ଲାଗି ଚାନ୍ଦା ବହି ଦରକାର। ଜଣେ କହିଲେ, “ଏଥିପାଇଁ ଅନୁଷ୍ଠାନଟିଏ ଦରକାର। ସେଇଠୁ ଠିକ୍ ହେଲା ‘ନୀଳାଚଳ ଯୁବ ସଂସଦ’ ନାମରେ ଅନୁଷ୍ଠାନଟିଏ ଗଢିବୁ ଓ ଚାନ୍ଦା ବହି ଛାପିବୁ।

ଅନୁଷ୍ଠାନ ଗଢ଼ା ହୋଇଗଲା। ଚାନ୍ଦା ବହି ଛପାଗଲା। ନାଟକ ମଂଚସ୍ଥ ହେଇଗଲା। ସମସ୍ତେ ଯେଝା ବାଟରେ ଚାଲିଗଲେ।

ମୋ ଛାତି ଭିତରେ କିନ୍ତୁ ସେଇ ଅନୁଷ୍ଠାନ ଓ ନାଟକର କଥା ଗୁଣୁଗୁଣୁ ହେଉଥାନ୍ତି। ଧୀରେ ଧୀରେ ମୁଁ ମାଟ୍ରିକ୍ ପାସ୍ କରି କଲେଜରେ ପହଞ୍ଚିଲି। କଲେଜରୁ ବେଳେବେଳେ ସ୍କୁଲ ବେଳର ସାଂଗ ସୀତାରାମ ଅଗ୍ରୱାଲାର ଘର ଦୋଳମଣ୍ଡପ ସାହିରେ “ମଡର୍ଣ୍ଣ ରେଡ଼ିଓ ସାଉଣ୍ଡ” ଆଡ଼େ ମୁଁ ବୁଲିବାକୁ ଯାଏ। ସେଇଠୁ “ବିଦ୍ୟା ଭବନ ଓ ”ଭାରତୀ ଭବନ” ଦେଇ ମନ୍ଦିର ସାମ୍ନାରେ ପତିତପାବନ ଦର୍ଶନ କରି ମରିଚିକୋଟ ଦେଇ ଜେନାରି ଛକ ଆସେ ଓ ସେଇ ଛକରେ ଦେବଦତ୍ତ ଭାଇଙ୍କ ସହ ଦେଖାହୋଇଯାଏ। ସେ ସେତେବେଳେ କଲେଜରେ ବି.ଏ. ଲାଷ୍ଟ ଇୟରରେ।

ଦିନେ ସେଇ ବାଟରେ ଦେଖିଲି “ଶ୍ରୀ କୃଷ୍ଣ ପ୍ରେସ୍” ନାଁର ବୋର୍ଡ଼ ଗୋଟିଏ ଘର ସାମ୍ନାରେ ଲାଗିଛି। ନାଁଟି ମୋର ପରିଚିତ ଥିଲା। ମୋ ନନା ଶ୍ରୀ ଲକ୍ଷ୍ମୀଧର ମହାପାତ୍ର ଏକଦା ପୁରୀରୁ “ଜନମତ” ନାମକ ସାପ୍ତାହିକ ଖବରକାଗଜ ପ୍ରକାଶ କରୁଥିଲେ। ସେ କାଗଜଟି ସେଇ ପ୍ରେସ୍ ରେ ଛପା ହେଉଥଲା।

ପ୍ରେସ୍ ନାଁ ଦେଖୁ ଦେଖୁ ନୀଳାଚଳ ଯୁବ ସଂସଦର ଗୋଟିଏ ଷ୍ଟାମ୍ପ ତିଆରି କରିବା କଥା ଆସିଗଲା। ପ୍ରେସ୍ ଭିତରକୁ ପଶିଗଲି। ଜଣେ ମଧ୍ଯ ବୟସ୍କ ଧୋତି ପଞ୍ଜାବୀ ପିନ୍ଧା ଭଦ୍ରଲୋକ ଦେଖାଗଲେ। ପଚାରିଲେ, “କୁଆଡ଼େ ଆସିଲ ବାବା?”’

“ଗୋଟିଏ ଷ୍ଟାମ୍ପ କରିବାକୁ କେତେ ଟଙ୍କା ଲାଗିବ?” ମୁଁ ପ୍ରଶ୍ନ କଲି। “ସାଇଜ୍ ଅନୁସାରେ ଦାମ୍- ତଥାପି ପ୍ରାୟ ତିନିଟଙ୍କା ଲାଗିବ।” ସିଏ ଭତ୍ତର ଦେଲେ।

ମୋ’ ଠୁ ସେ ଆବଶ୍ଯକତା କଥା ଶୁଣି କହିଲେ, “ଷ୍ଟାମ୍ପରେ ତ କାମ ହେବନି, ଚିଠିପତ୍ର ଲେଖିବାକୁ ଗୋଟିଏ ଲେଟର ପ୍ୟାଡ଼ ଦରକାର।”

“ଲେଟର ପ୍ୟାଡ଼ କେତେ ପଡ଼ିବ?” ମୁଁ ପଚାରିଲି। “ସାଦା କାଗଜରେ କଲେ ଦୁଇଶହ, ଖାତା ସାଇଜର ପ୍ୟାଡ ଦଶଟଙ୍କା ପଡ଼ିବ। ହେଲେ ତୁମେ ତ ପିଲାଲୋକ, ସାତ ଟଙ୍କାରେ କରିଦେବି” ସେ ଉତ୍ତର ଦେଲେ।

ମୁଁ ଦୁଇଟଙ୍କା ଦେଇ ଆସିଗଲି। ସାତ ଟଙ୍କା ସେତେବେଳେ ବଡ଼ କଥା। ମୋର ଦୈନିକ ଖର୍ଚ୍ଚ ଚାରିଅଣା। ଦୁଇମାସ ବିତିଗଲା। ଦିନେ ମୁଁ ସେଇ ରାସ୍ତା ଦେଇ ଯାଉଛି, ସିଏ ଡାକିଲେ, “ଆସ, ଏତେ ଦିନ କୁଆଡ଼େ ଗଲ?”

ତା’ ପରେ ସେ ପଚାରିଲେ, “ତୁମ ବାପାଙ୍କ ନାଁ କ’ଣ?” ମୁଁ ଡରିଗଲି- ଭୟରେ ନନାଙ୍କ ନାଁ କହିଲି। “ଆରେ ତୁ ଲକ୍ଷ୍ମୀଧର ଭାଇନାଙ୍କ ପୁଅ- ସେକଥା କହୁନୁ। ତୋ କକେଇ ମୋ ସାଂଗ”, ସେ କହିଲେ।

ମୁଁ ଆଶ୍ଵସ୍ତ ହେଲି। ଭାବିଥିଲି, ସେ ମତେ ଗାଳିଦେବେ। ସେ କିଂତୁ ପ୍ୟାଡତକ ମତେ ଦେଇ କହିଲେ, “ଯେବେ ସୁବିଧା ହେବ, ପଇସା ଦେଇଦେବୁ। ଏବେ ପ୍ୟାଡ଼ତକ ନେଇଯାଆ। କାମରେ ଲାଗିବ।”

ଏମିତି ଆକସ୍ମିକ ଭାବେ ମୋର ତାଙ୍କ ସହ ପରିଚୟ ହେଲା। ସେ ଥିଲେ ଶ୍ରୀକୃଷ୍ଣ ପ୍ରେସ୍ ର ମାଲିକ କୃଷ୍ଣମୋହନ ମହାନ୍ତି।

ମୋର ଜନ୍ମ ମାର୍କଣ୍ଡେଶ୍ୱର ସାହିରେ ହୋଇଥିଲା। କୃଷ୍ଣମୋହନ ମହାନ୍ତି ବି ଥଲେ ସେହି ସାହିର। ତାଙ୍କ ପୁତୁରା ତପନ ମହାନ୍ତିଙ୍କ ସହ କ୍ରମେ ପରିଚୟ ହେଲା। ତପନ ଭାଇ ମୋ’ ଠୁ ତିନିବର୍ଷ ବଡ଼ ଥିଲେ।

୧୯୮୦ରେ ମୁଁ ବି.ଏ. ପାଶ୍ କଲି। ୧୯୮୧ରେ ଚାକିରୀ ଆରମ୍ଭ କଲି ଜେ.ମହାପାତ୍ର ଆଣ୍ଡ କୋ. ରେ କଟକରେ। ସେଠି କିଛି ଠିକ୍ ଠାକ୍ ଚାଲିଲା ନାହିଁ। ପୁରୀ ଫେରିଆସି ବନ୍ଧୁ ବାଳକୃଷ୍ଣ ପ୍ରତିହାରୀଙ୍କ ପ୍ରେସ୍ କଳିଂଗ ଇଣ୍ଡଷ୍ଟିଜର ମ୍ୟାନେଜର ଓ ‘କୁରୁକ୍ଷେତ୍ର’ ସାପ୍ତାହିକର ପରିଚାଳନା ସଂପାଦକ କାମ କଲି। ପୁରୀରେ ସେତେବେଳେ ହାତଗଣତି ୫/୬ଟି ପ୍ରେସ୍ ଥିଲା। ଶ୍ରୀକୃଷ୍ଣ ପ୍ରେସ୍ ଥିଲା ତହିଁରୁ ଗୋଟିଏ। ତାହା ଡାକ୍ତରଖାନା ଛକକୁ ଉଠି ଆସିଥିଲା। କୃଷ୍ଣ ମଉସା ମଧ୍ଯ ପରିବାର ସହ ଧୀରେ ଧୀରେ ସହରର ଏପଟକୁ ଉଠିଆସିଲେ। ମୁଁ ପୁଣି ଥରେ ‘ଜନମତ’ ଛାପିବାକୁ ଚେଷ୍ଟା କଲି। ଏଥରକ ବି ପ୍ରେସ୍ ରହିଲା ଶ୍ରୀକୃଷ୍ଣ ପ୍ରେସ୍। କୃଷ୍ଣ ମଉସା ବି ଏଥରକ କମ୍ ଖର୍ଜରେ ଛାପିବାର ବ୍ୟବସ୍ଥା କରିଦେଲେ।

କାର୍ଯ୍ୟର ଅନୁରୋଧରେ ଓ ଜୀବନ ସଂଗ୍ରାମର ତାଡ଼ନାରେ ମତେ ସରକାରୀ ଚାକିରି କରିବାକୁ ହେଲା। ମୁଁ ପ୍ରଥମେ ଉମରକୋଟ୍, ପରେ ଲକ୍ଷ୍ମୌ ଓ ପରେ ଦିଲ୍ଲୀ ଗଲି ଓ ନ୍ୟାସନାଲ ବୁକ୍ ଟ୍ରଷ୍ଟରେ ସଂପାଦକ ଭାବେ ଯୋଗଦେଲି। କୃଷ୍ଣ ମଉସାଙ୍କ ପୁଅ ମୁନା ଓ ଟୁନା ଏ ଭିତରେ ଦାୟିତ୍ୱ ନେଇଯାଇଥିଲେ। କିନ୍ତୁ ମଉସା ପ୍ରେସ୍ କୁ ନିୟମିତ ଆସୁଥିଲେ।

୨୦୦୫ରେ ମୁଁ ପୁରୀରେ ପ୍ରଥମ ଥର ପାଇଁ ଜାତୀୟ ପୁସ୍ତକମେଳା ଆୟୋଜନ କଲି। ସେ ମେଳାର ପୋଷ୍ଟର ମୁଁ ପୁରୀରେ ଶ୍ରୀକୃଷ୍ଣ ପ୍ରେସ୍ ରେ ଛାପିଲି।

୨୦୧୬ରୁ ୨୦୧୯ ଯାଏଁ ମୁଁ ଉତ୍ତର ପୂର୍ବାଞ୍ଚଳର ସଂସ୍କୃତି ନିର୍ଦ୍ଦେଶକ ଭାବେ ଶିଲଂରେ ରହିଲି। ଫେରି ଦିଲ୍ଲୀ ହେଇ ପୁରୀରେ ଅବସର ନେଇ ପହଞ୍ଚିଲି ଜୁନ୍ ୨୦୨୦ରେ। ଲକ୍ ଡାଉନ୍ ପ୍ରେସର ଆର୍ଥିକ ଅବସ୍ଥାକୁ ବିପର୍ଯ୍ୟସ୍ତ କରିଦେଇଥିଲା। ଫନି ପରେ ଟୁନା ପ୍ରେସ୍ କୁ ଅକ୍ଲାନ୍ତ ପରିଶ୍ରମ କରି ବାଟକୁ ଆଣିଥିଲେ। କରୋନା ପୁଣି ପଛକୁ ଫେରାଇନେଲା। ପ୍ରେସ୍ ଗଲି। କୃଷ୍ଣ ମଉସାଙ୍କୁ ପାଇଲି ନାହିଁ। “ବାପା ଘରେ ଅଛନ୍ତି”, ଟୁନା କହିଲା।

କୃଷ୍ଣ ମଉସାଙ୍କୁ ସେହିଦିନୁ ଆଉ ମୁଁ ଦେଖା ପାଇନି, ଗଲେ ଯେ ଆଉ ଫେରିଲେ ନାହିଁ। କୁଆଡ଼େ ଗଲେ ଯେ?

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)
Literature

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

by Manas Ranjan Mahapatra
February 24, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୪ ଫେବୃଆରୀ ୨୦୨୬ କୈଳାଶ ଭାଇ ଚାଲିଗଲେ। ମୋଠୁ ଆଠବର୍ଷ ବଡ଼ ହେବେ। ଦେହ ଦୁଇବର୍ଷ ହେଲା ଭଲ ନ ଥିଲା।...

Read more
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
ଅସାମାନ୍ଯ ଯୁଧୂଷ୍ଠିର

ଅସାମାନ୍ଯ ଯୁଧୂଷ୍ଠିର

February 18, 2026
ଓଦା

ଓଦା

February 16, 2026
ଅନୁଭୂତି ପାଠ

ଅନୁଭୂତି ପାଠ

February 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.