ଶୈଳବାଳା ମହାପାତ୍ର, ପୁରୀ, ୨୨ ଅକ୍ଟୋବର ୨୦୨୨
କଥା ଥିଲା କବିତା ଓ ମୁଁ ତମାମ୍ ଜୀବନ ଚାଲିବୁ ଏକାଠି । ପାଖାପାଖି । ହାତ ଧରି । ଚାଲିଲୁ ବି । ହଁ, ଏମିତି ହୋଇଛି, କେବେ କବିତା ମୋଠୁଁ ଟିକିଏ ଆଗରେ ତ କେବେ ମୁଁ କବିତାଠୁଁ ଦୁଇପାଦ ଆଗରେ । ଆମେ ଚାଲୁଥିଲୁ ଏମିତି – ପାଖାପାଖି । ଆଗପଛ ହେଇ । କିନ୍ତୁ ଥିଲୁ ଏକାଠି ।
ଏବେ ସାତ ଆଠ ବର୍ଷ ହୋଇଗଲା ହୁଏତ ତା’ଠୁଁ ବି ଅଧିକ ହୋଇପାରେ କବିତା ଆସେ ଖୁବ୍ କମ୍, ଗୁମ୍ସୁମ୍ ହେଇ । ବେଶି କଥା ନାଇଁ । ବାର୍ତ୍ତା ନାଇଁ । ଆସେ ଓ ଫେରିଯାଏ ତୁରନ୍ତ । ଅଥଚ ଆମେ ଅନେକ ଦିନ ବିତାଇଛୁ ଏକାଠି । ସକାଳ ସଜଫୁଲ ହେଇ ଫୁଟିଚି କବିତା ସହ । ଦି’ପହର ବିତିଯାଇଚି ଅନ୍ତରଙ୍ଗ ଆଳାପରେ । ରାତିରେ ବାଣ୍ଟିଚୁ ପରସ୍ପର ସୁଖ ଦୁଃଖ ବ୍ୟଥା ବେଦନା ହର୍ଷ ଉଲ୍ଲାସ ।
ଖୁବ୍ ପିଲାବେଳୁ ମତେ ସାହିତ୍ୟ ବହିର ଗପ ଗୀତ ପଢ଼ିବାକୁ ଭଲ ଲାଗୁଥିଲା । ସାହିତ୍ୟ ବହିର ପଦ୍ୟ ସବୁ ଆପେ ଆପେ ମୁଖସ୍ଥ ହୋଇଯାଇଥାଏ । ସେ ଗୀତ ସବୁ ମୁଁ ସୁର୍ କରି ଗାଏ । ଥରେ ଗାଁକୁ ବସ୍ରେ ଗଲାବେଳେ ଝରକା ପାଖରେ ଠିଆହୋଇ ମୁଁ “କାତ ଧରି ଧୀରେ ନାଉରୀ ନାଆ ଦେଇଚି ମେଲି…” ପଦ୍ୟଟି ଗାଉଥାଏ । କିଛି ସମୟ ପରେ ଶୁଣିଲି ଜଣେ ମହିଳା ବାପାଙ୍କୁ କହିଲେ, “ଏ ଝିଅଟିକୁ ଆପଣ ଗୀତ ଶିଖାନ୍ତୁ । ଭଲ ଗାଉଛି !”
ମୁଁ ଗୀତ ଗାଇବା ଶିଖି ପାରିଲିନି । ମୋ ଛାତିର ସୁର୍ ଶବ୍ଦହେଇ ଝରିପଡ଼ିଲା ମୋ କଲମ ଦେଇ !
ଝରଣାଟିଏ, ଚଢ଼େଇଟିଏ, ନଈଟିଏ, ଫୁଲଟିଏ ବା ଜଗନ୍ନାଥଙ୍କ ଆଖି ଦୁଇଟା ଏଇଭଳି କିଛି ଚିତ୍ର କରି ତା ତଳେ ଦୁଇଧାଡ଼ି ପଦ ପକେଇ ଲେଖିବା ଖୁବ୍ ପିଲାବେଳୁ ଥିଲା । ଷଷ୍ଠ କି ସପ୍ତମ ଶ୍ରେଣୀ ହେବ ବୋଧହୁଏ । ଆର୍ତ୍ତସାର୍ କହିଲେ, “ତୁ କବିତା ଲେଖୁନୁ ! ଏଇ ଗୀତ ମ ! ଛୋଟ ଛୋଟ ଧାଡ଼ି ପଦ ପକେଇ ଲେଖ୍ ।” ମୋ ଭିତରେ କ’ଣ ଦେଖି ସେ ଏତକ କହିଥିଲେ, ତା’ କହିପାରିବିନି । ତେବେ ସାର୍ଙ୍କ କଥା ପରେ ମୋର ଦୁଇଧାଡ଼ି କବିତାର ପରିଧି ବଢ଼ିଗଲା । ଏମିତି ଦିନେ ଓଡ଼ିଆ ସିନେମାର ନାଁ ସବୁକୁ ନେଇ କବିତାଟିଏ ଲେଖିଲି ଓ ଚିତ୍ରପୁରୀକୁ ପଠେଇଦେଲି । ସେତେବେଳକୁ ମୋର ଏକାଦଶ ଶ୍ରେଣୀ । କବିତାଟି ପ୍ରକାଶିତ ହେଲା । ନିଜଲେଖା କବିତା ଛପା ଅକ୍ଷରରେ ନିଜ ନାଁ ସହ ଦେଖି ଖୁବ୍ ଖୁସି ହୋଇଥିଲି ସେତେବେଳେ ।
ସେଇ ଖୁସି ମୋର ପ୍ରେରଣା ପାଲଟିଗଲା । ଅବଶ୍ୟ ମୋର ଏଇ ଲେଖିବା ପଢ଼ିବା ସାହିତ୍ୟ କରିବା ଇତ୍ୟାଦିରେ ବୋଉର ଅବଦାନ ଯଥେଷ୍ଟ ଥିଲା । ଯଥେଷ୍ଟ ଥିଲା ଭାଇ ଭଉଣୀଙ୍କ ସହଯୋଗ । ପରବର୍ତ୍ତୀ ସମୟରେ ସ୍ୱାମୀ ଓ ପିଲାମାନେ ଖୁବ୍ ସଖ୍ୟ ଦେଇଥିଲେ । ଶାଶୁଘରେ ବି ଥିଲା ଗୋଟେ ସାହିତ୍ୟିକ ପରିବେଶ । ତେଣୁ ମୋର ଲେଖିବାର ସ୍ରୋତଟି ଆଗକୁ ଆଗକୁ ବହି ଚାଲିଥିଲା ।
ସତ କହିବାକୁ ଗଲେ କାହାଣୀ ହିଁ ଥିଲା ମୋର ପ୍ରଥମ ପ୍ରେମ । ଗପ କହିବାକୁ ଓ ପଢ଼ିବାକୁ ମତେ ଭାରି ଭଲ ଲାଗୁଥିଲା । ପଢ଼ାବହି ଭିତରେ ଗପ ବହି ରଖି ପଢ଼ିବାରେ ମୁଁ ଥିଲି ପ୍ରବୀଣା । ସେଇ କାହାଣୀର ପ୍ରେମ ଦିନେ କବିତାର ନିମନ୍ତ୍ରଣ ନେଇ ପହଂଚିଲା । ସେଇଦିନଠୁଁ ମୁଁ ଓ କବିତା ଛଂଦାଛଂଦି ଜୀବନ ପୃଷ୍ଠାରେ !
ଗାଁ ମୋର ଅତି ପ୍ରିୟ । ଗାଁର ସକାଳ, ସଞ୍ଜ, ଆମ୍ବତୋଟା ବୁଲା, ଲକା’ମ୍ବ ଖିଆ, ସଢ଼େଇରେ କୟାଁ ଓ କଇଁଥ ଚଟଣୀ ବିଶେଷ କରି “ନନ୍ଦିଆଖାଲ” ପୋଖରୀ ହୁଡ଼ାରେ ଠିଆହୋଇଥିବା ବେଳେ ଶେଷ ସୂର୍ଯ୍ୟର ସେ ଅପୂର୍ବ ଆଭାର ଅନୁଭବ ମତେ କବିତା ସହ ଯୋଡ଼ିଦେଲା ମୋ ଅଜାଣତରେ ।
ଛଅସ୍ତରୀ ମସିହାରୁ ନବେ ମସିହା ଯାଏଁ ଖୁବ୍ ଛପିଲି ପ୍ରଜାତନ୍ତ୍ର, ସ୍ୱରାଜ୍ୟ, ଧରିତ୍ରୀ ଇତ୍ୟାଦିରେ । ପରବର୍ତ୍ତୀ ସମୟରେ ସମ୍ବାଦ, ପ୍ରଗତିବାଦୀ, ଦିନଲିପି ଇତ୍ୟାଦିରେ କବିତା ଓ କାହାଣୀମାନ ପ୍ରକାଶିତ ହେଲା । ଉଣେଇଶିଶହ ଏକାଅଶୀରେ ଛପିଲି ଝଙ୍କାରରେ ।
“ସୁଚରିତା” ପତ୍ରିକା ମୋ ସାହିତ୍ୟିକ ସାଧନାର ଅନ୍ୟତମ ବଳିଷ୍ଠ ପ୍ରେରଣା । ସେଥିରେ ବର୍ଷକୁ ଚାରି ପାଞ୍ଚଟି କବିତା ମୋର ନିଶ୍ଚୟ ଛପୁଥିଲା । ତତ୍କାଳୀନ ପ୍ରାୟ ସମସ୍ତ ପତ୍ରିକାର ସମ୍ପାଦକ କବିତାଟିଏ ପାଇଁ ଚିଠି ଲେଖୁଥିଲେ । ସେ ଚିଠି ମନରେ ଖୁବ୍ ଆନନ୍ଦ ଆଣି ଦେଉଥିଲା । ସେତେବେଳେ ଏ ଫେସ୍ବୁକ୍ ହ୍ୱାଟ୍ସ୍ଆପ୍ ମୋବାଇଲ୍ ଇଣ୍ଟରନେଟ୍ ନଥିଲା । କବିତାଟିଏ ପଢ଼ି ପାଠକଟିଏ ଯେଉଁ ଦୁଇଧାଡ଼ିର ଚିଠିଟିଏ ଲେଖୁଥିଲା, ତାହା ମନରେ ଅପୂର୍ବ ପ୍ରେରଣା ଭରି ଦେଉଥିଲା ।
ସମୟକ୍ରମେ ଯେଉଁ ସବୁ ସୁପ୍ରସିଦ୍ଧ ପ୍ରକାଶକମାନେ ମୋର କବିତା ପାଣ୍ଡୁଲିପି ଆଦରରେ ଗ୍ରହଣ କଲେ, ପ୍ରକାଶ କରିଲେ ଏବଂ ରୟାଲିଟି ଦେଲେ ସେମାନଙ୍କ ନିକଟରେ ମୁଁ ଚିର କୃତଜ୍ଞ । କଟକ ଷ୍ଟୁଡେଣ୍ଟ ଷ୍ଟୋର ଓ ଗ୍ରନ୍ଥ ମନ୍ଦିର ପ୍ରକାଶନ ସଂସ୍ଥା ଏ ଦିଗରେ ମୋର ଶ୍ରେଷ୍ଠ ପ୍ରେରଣା । “ଅଧା ଅଧା ସ୍ୱପ୍ନ ଯେତେ” କବିତା ସଂକଳନର ଉନ୍ମୋଚନ ପର୍ବ ଲାର୍କ ବୁକ୍ସ୍ର ପ୍ରକାଶକ ଶ୍ରୀଯୁକ୍ତ ମହେନ୍ଦ୍ର ମିଶ୍ର ଯେଭଳି ଭବ୍ୟ ଆକାରରେ ୨୦୦୭ ମସିହା ଭୁବନେଶ୍ୱର ପୁସ୍ତକମେଳାରେ କରିଥିଲେ ତାହା ମୋ ପାଇଁ ଚିର ସ୍ମରଣୀୟ ।
କେମିତି କେଉଁ ବାଟଦେଇ ଆସିଥିଲା କବିତା ତା’ କେବେ ପରଖିନି । ପରଖିଛି ତ ତା ସ୍ନେହକୁ ତା ସଂପର୍କକୁ । ଦୀର୍ଘ ଚଉରାଳିଶି ବର୍ଷ ଧରି ପରସ୍ପର ବାଣ୍ଟି ଚାଲିଛୁ ଦୁଃଖ ସୁଖ ସନ୍ତାପ ବ୍ୟଥା ବିଷାଦ । ଏବେ ମୋ ଜଂଜାଳ ପାଇଁ ହେଉ ବା କବିତାର ଅଭିମାନ ! ଜୀବନ ବାଟରେ ତା’ ସହ ଭେଟ କମ୍ ହେଉଛି ତ ହେଉ ! ହେଉଛି ତ ! ସଂପର୍କ ଥାଉ !!