ଜୟଶ୍ରୀ ଦାସ, ବାଲେଶ୍ଵର, ୧୯ ଅପ୍ରେଲ ୨୦୨୩
ସୁବର୍ଣ୍ଣରେଖାର ସ୍ଵର୍ଣ୍ଣରେଣୁରେ
ସ୍ମୃତି କେତେ ଅତୀତର
ପିପିଲି ବନ୍ଦର ଶ୍ରେଷ୍ଟ ନୌବାଣିଜ୍ୟ
ଥିଲା ଦିନେ ଏସିଆର ।୦।
ପର୍ତୁଗୀଜ୍ ଜାତି ଏହିଠାକୁ ଆସି
ପ୍ରଥମେ ଥାପିଲେ କୋଠି
ପରେ ଓଲନ୍ଦାଜ, ତା’ପରେ ଇଂରେଜ
ପହଁଚିଲେ ଗୋଟି ଗୋଟି
କେତେ ଶ’ବରଷ ବ୍ୟତୀତ ହେଲାଣି
ଛାତିରେ ଅଲିଭା ଗାର ।୧।
ଆମ ସାଧବ ତ ଯାଇଥିଲେ ଦିନେ
ସୁମାତ୍ରା ବୋର୍ନିଓକୁ
ଅଳେଇଚ ଆଉ ଲବଙ୍ଗ ଦ୍ୱୀପରେ
ମେଲିଥିଲେ ଜାହାଜକୁ
ହୀରା, ନୀଳା ଆଉ ମୋତିର ବେପାର
ଆମ ଗର୍ବ ଗୌରବର ।୨।
କାହିଁ ଗଲା ଆମ ଅତୀତ ଗୌରବ
କାହିଁ ସେ ସାଧବ ପୁଅ
ସେଦିନର କଥା ସୁବର୍ଣରେଖାର
ଆଖିରେ ଭରଇ ଲୁହ
କର୍ପୂର ଯାଇଛି କନା ବି ଯାଇଛି
ଚିରା ଫଟା ଭାଗ୍ୟ ତା’ର ।୩।