ଶ୍ରୀ ଧନେଶ୍ୱର ପ୍ରଧାନ, କଟକ, ୨୦ ସେପ୍ଟେମ୍ବର ୨୦୨୨
ଅସୁମାରୀ ଶ୍ରଦ୍ଧା ଅଞ୍ଜଳି ତୋଳୁଛି-ମାହାଙ୍ଗା ମାଟିର ପୁଅ,
ହେ ଶରତ କର ! ତୁମରି ସ୍ମୃତିରେ ଆଖିରେ-ଆଖିରେ ଲୁହ ।
ତୁମେ ଥିଲ ବୋଲି ମାହାଙ୍ଗା ବାସୀଙ୍କ ମନରେ ସାହସ ଥିଲା,
ତୁମେ ଗଲା ଚାଲି ଝୁରେ ଗୋଡି-ବାଲି, ମାହାଙ୍ଗା ଦୀପ ଲିଭିଲା !
ଅତିଲୋକପ୍ରିୟ ନେତା ତୁମେ ଥିଲ, ତୁମ ହସ-ହସ ମୁହଁ,
ପାଶୋରି ହୁଏନା ଆହେ ବରପୁତ୍ର ! କେମିତି ଭୁଲିବୁ କୁହ ?
ରାଜନୀତି ବିଶାରଦ ତୁମେ ଥିଲ, ସ୍ୱଚ୍ଛ ତବ ରାଜନୀତି,
ଏଲହାବାଦର କୃତୀ ଛାତ୍ର ଥିଲ ନଥିଲାଟି ପ୍ରିୟା-ପ୍ରୀତି !
ଦେଶ ପ୍ରଦେଶରେ ମନ୍ତ୍ରୀ ମହଲରେ ଥିଲା ତ ତୁମରି ଖ୍ୟାତି,
ବିଶେଷରେ ତୁମେ ଥିଲ ଦେଶପ୍ରେମୀ, ଲୋକ ପ୍ରେମୀ ତୁମ ନୀତି ।
ବିଦେଶ ଗସ୍ତରେ କେତେ ଯେ ବୁଲିଛ ଦେଶହିତେ କର୍ମ ବରି,
ସବୁଠି ସ୍ଵାକ୍ଷର ଓଡ଼ିଶାର ହିତେ ପଡୁଛି ସୁନାମ ହୁରି ।
ଯୋଗ ଜନ୍ମା ତୁମେ ମାହାଙ୍ଗା ମାଟିର ଓଡ଼ିଆ ସଂସୃତି ପ୍ରାଣ,
କାବ୍ୟ-କବିତାରେ ଅବା ଭାଷଣରେ ମୋହିନେଲ ଜନ-ମନ ।
ବାଚସ୍ପତି ଥିଲ ବିଧାନ ସଭାର ମର୍ଯ୍ୟାଦାବନ୍ତ ପଦବୀ,
ଶାସନରେ ନୂଆ ନୀତି ନିର୍ଦ୍ଧାରଣ ଜନତା ହୃଦୟ ଦାବି ।
ବିଧାନସଭାରୁ ଲୋକସଭା ଯାଏ ସବୁଠି ଥିଲ ଅଗ୍ରଣୀ,
କିଏ ସେ କଳିବ ତୁମରି ଗାରିମା, କିଏ ବା ପାରିବ ଗୁଣି ?
“ଶରତ” ଆସିଛି କାଶତଣ୍ଡି ଫୁଲେ ଖୋଜୁଛି ତୁମରି ସ୍ମୃତି,
ଝର ଶେଫାଳୀର ମହକ ଉଜାଡ଼ି ପାହିତ ଯାଉଛି ରାତି ।
ଆସିବକି ଥରେ ମାହାଙ୍ଗା ମାଟିରେ ପୁଣି ନବ ଜନ୍ମ ନେଇ,
ତୁମେ ଭୁଲିଗଲେ ଆମେ ନ ଭୁଲିବୁ ମାହାଙ୍ଗା ଭଉଣୀ-ଭାଇ ।
ଆମେ ହତଜ୍ଞାନ, ହେ ବୀର ସନ୍ତାନ ! ମର୍ଯ୍ୟାଦା କିବା ଜାଣିବୁ ?
ତୁମେ ରାଷ୍ଟ୍ରନେତା, ଆମେ ତ ଜନତା ତୁମ ପଥ ଚାହିଁଥିବୁ ।