ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୧ ଅପ୍ରେଲ ୨୦୨୪
କେତେ ପୁଣ୍ୟବଳେ ଜନମ ଲଭିଛି
ଉତ୍କଳ ଭୂଖଣ୍ଡ ଠାରେ ।
ନୀଳାଚଳ ଧାମ ଆରାଧ୍ୟ ଠାକୁର
ଉତ୍କଳର ଘରେ ଘରେ ।।
ସୁଦୀର୍ଘ ଏହାର ବେଳାଭୂମି ସବୁ
ସୌନ୍ଦର୍ଯ୍ୟ ବଢାଇ ଥାଏ ।
ଚିଲିକାର ପକ୍ଷୀ ବଢ଼ାଉଛି ଶୋଭା
ପର୍ଯ୍ୟଟକ ମନ ମୋହେ ।।
ଦୁଇଶହ ଏକଷଠୀ ଚିଲିକା ବୁକୁରେ
କେତେ ଯେ ବଣିକ ଯୁଦ୍ଧ ।
ହୋଇଯାଇ ଅଛି ଇତିହାସ ସାକ୍ଷୀ
ସାଧବ ପୁଅଙ୍କ ମଧ୍ୟ ।।
ମଗଧ ସହିତ କଳିଙ୍ଗର ଯୁଦ୍ଧ
ଶୁଣିଲେ ରୋମ ଟାଙ୍କୁରେ ।
ଧଉଳି ପାହାଡ ରହିଅଛି ସାକ୍ଷୀ
ସେ ଦୟା ନଦୀର ତୀରେ ।।
କଳିଙ୍ଗ ପୁଅଙ୍କ କଟିଗଲା ମଥା
ନୁଆଇଁ ନ ଥିଲେ ଶିର ।
ରକ୍ତ ରଞ୍ଜିତ ହୋଇଗଲା ସିନା
ଦୟା ନଦୀର ନୀର ।।
ଚେଦୀ ବଂଶର ଐରଖାରବେଳ
ନେଲେ ଦିନେ ପ୍ରତିଶୋଧ ।
ଉତ୍କଳ ଜନତା ଖୁସି ହୋଇଥିଲେ
ତାଙ୍କ ପାଇଁ କରି ଗର୍ବ ।।
ରାଣୀଗୁମ୍ଫା ଆଉ ହାତୀଗୁମ୍ଫା ଦେଖି
ତାଙ୍କ ସ୍ମୃତି ମନେ ପଡେ ।
ଆମ କଳାକୃତି ବିଶ୍ଵ ଦରବାରେ
ପ୍ରଶଂସିତ ହୁଏ ଦୃଢେ ।।
କେତେ ଯେ ସଂଗ୍ରାମ କରିଛନ୍ତି ଆମ
ପୂର୍ବ ପୁରୁଷମାନେ ।
କେତେ ବିଦେଶୀଙ୍କ ଦ୍ଵାରା ଲୁଣ୍ଠିତ
ମନେ ପଡେ ଆଜି ଦିନେ ।।
ବଙ୍ଗର ଶାସକ ସେନାପତି ଥିଲେ
କଳାପାହାଡ଼ ଯା’ ନାମ ।
କେତେ ଯେ ମନ୍ଦିର ତୀର୍ଥ କ୍ଷେତ୍ର ସବୁ
ଧ୍ଵଂସ କଲା ନରାଧମ ।।
ମୁକୁନ୍ଦ ଦେବଙ୍କୁ ପରାସ୍ତ କରି
ଉତ୍କଳର କିଛି ଅଂଶ ।
ବଙ୍ଗଳାରେ ଆଜି ଲୀନ ହୋଇଅଛି
ଆମରି ପୂର୍ବ ପୁରୁଷ ।।
ଆଫଗାନ, ଫରାସୀ, ମରହଟ୍ଟା –
ଇଂରେଜ ମାନେ ଆସି ।
ଲୁଣ୍ଠନ କରି ନେଇ ଯାଇଛନ୍ତି
କୋଣାର୍କ ଯାର ସାକ୍ଷୀ ।।
ଦେଶ ମାତୃକାକୁ ରକ୍ଷା କରିବାକୁ
ପାଇକ ବିଦ୍ରୋହ ହୁଏ ।
ବଳି ପଡ଼ିଥିଲେ ବକ୍ସି ଜଗବନ୍ଧୁ,
ବୀର ସୁରେନ୍ଦ୍ର ସାଏ ।।
ଶ୍ରୀ ମଧୁସୂଦନ, ଫକୀର ମୋହନ
ଗୌରୀଶଙ୍କର ରାୟ ।
କୃଷ୍ଣଚନ୍ଦ୍ର ଦେବ ସଂଗ୍ରାମ କରି
ସ୍ଵତନ୍ତ୍ର ଉତ୍କଳ ହୁଏ ।।
ସନ ଉଣେଇଶ ଛତିଶ ମସିହା
ଏପ୍ରିଲ ତାରିଖ ଏକ ।
ସୃଷ୍ଟି ହେଲା ଆମ ଗୌରବମୟ
ନୂତନ ଉତ୍କଳ ଦେଶ ।।
ମହାପୁରୁଷଙ୍କ ନୀତି ଆଦର୍ଶର
ଉତ୍କଳ ଏହି ଧାମ ।
କାଳିଆ ଠାକୁର ସାହା ହେଇଥନ୍ତୁ
ଖୁସିରେ ଯାଉ ଦିନ ।।