• About
  • Contact
Tuesday, August 11, 2026
Tuesday, August 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମ ଗଣତନ୍ତ୍ର ଓ ଏହାର ସ୍ତମ୍ଭମାନେ…

ଆମ ଗଣତନ୍ତ୍ର ଓ ଏହାର ସ୍ତମ୍ଭମାନେ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୭ ଜାନୁଆରୀ ୨୦୨୩

ଆମେ ସମସ୍ତେ ପାଳିଲେ ୭୪ତମ ଗଣତନ୍ତ୍ର ଦିବସ । ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନଟିକୁ ସମସ୍ତେ ମନେ ରଖିବା ପାଇଁ ପ୍ରତିବର୍ଷ ଜାନୁଆରୀ ୨୬ ତାରିଖକୁ ଆମେ ଗଣତନ୍ତ୍ର ଦିବସ ଭାବେ ପାଳିଥାଉ । ଆମ ସମ୍ବିଧାନର ପ୍ରମୁଖ ୩ଟି ସ୍ତମ୍ଭ ହେଲେ, ବ୍ୟବସ୍ଥାପିକା, କାର୍ଯ୍ୟ ପାଳିକା ଓ ନ୍ୟାୟ ପାଳିକା । ଏହି ୩ଟି ସ୍ତମ୍ଭ ଦ୍ୱାରା ଭାରତର ଗଣତନ୍ତ୍ର ଶାସନ ବ୍ୟବସ୍ଥା ଚାଲିଛି । ତେବେ ଦେଶ ଯେତେବେଳେ ୭୪ତମ ଗଣତନ୍ତ୍ର ଦିବସ ପାଳନ କରୁଛି ସେତେବେଳେ ଲୋକ ପଚାରୁଛନ୍ତି ଦେଶର ଏହି ୩ଟି ସ୍ତମ୍ଭ କେଉଁ ସ୍ଥିତିରେ ଅଛନ୍ତି ? ସମସ୍ତେ ନିଜ ନିଜ କାର୍ଯ୍ୟ ସମ୍ପାଦନ କରୁଛନ୍ତି ତ ? ଆମର ସମ୍ବିଧାନ ଦ୍ୱାରା ସବୁକିଛି ଠିକଣା ଭାବରେ ନିୟନ୍ତ୍ରିତ ହେଉଛି ତ ? ଆମ ଗଣତନ୍ତ୍ର ଦିନକୁ ଦିନ ଶକ୍ତିଶାଳୀ ହେଉଛି ନା ଦୁର୍ବଳ ହେଉଛି ? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ।

ଗଣତନ୍ତ୍ରର ପ୍ରଥମ ସ୍ତମ୍ଭ ବ୍ୟବସ୍ଥାପିକା ଚାଲିଛି କିପରି ତାହା ଉପରେ ନଜର ପକାଇବା । ବ୍ୟବସ୍ଥାପିକାର ମୂଳ ଆଧାର ପାଲଟିଛି ସଂଖ୍ୟା । ଯାହାର ସଂଖ୍ୟା ବିଧାନସଭାରେ ଓ ସଂସଦରେ ଅଧିକ ତାର ସ୍ୱର ହିଁ ଗଣତନ୍ତ୍ରର ସ୍ୱର ବୋଲି ଧରି ନିଆଯାଇଛି । ବିରୋଧୀଙ୍କ ସ୍ୱର ସଂସଦରେ ହେଉ ଅବା ରାଜ୍ୟର ବିଧାନସଭା ଗୁଡ଼ିକରେ କ୍ରମଶଃ ଦୁର୍ବଳ ହୋଇପଡୁଛି । ବିରୋଧୀ ଦଳ ପକ୍ଷରୁ ଅଧିକ ଲୋକପ୍ରତିନିଧି ବିଧାନସଭା ନିର୍ବାଚନରେ ଅବା ଲୋକସଭା ନିର୍ବାଚନରେ ନିର୍ବାଚିତ ହୋଇପାରୁ ନାହାଁନ୍ତି । ଆଜିର ନିର୍ବାଚନ ପରିଚାଳନା ପଦ୍ଧତି କେବଳ ଶାସକ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି। ଓଡ଼ିଶା ଓ ଗୁଜରାଟ ଭଳି ରାଜ୍ୟର ରାଜନୀତିରୁ ଏହା ବେଶ ସ୍ପଷ୍ଟ ହୋଇଛି। ଏହି ଦୁଇ ରାଜ୍ୟର ଶାସନତନ୍ତ୍ର ଓ ଶାସକଦଳର ସଦସ୍ୟଙ୍କ ସଂଖ୍ୟା ମତ ଆଗରେ ବିରୋଧୀ ଦଳ ହାର ମାନିଛନ୍ତି । ଗୋଟିଏ ପରେ ଗୋଟିଏ ନିର୍ବାଚନରେ ବିରୋଧୀଙ୍କ ସଂଖ୍ୟା କମି ଚାଲିଛି । ଏହି ଧାରା ଯଦି ଆଗକୁ ଲାଗିରହେ ତେବେ ଆଗକୁ ବୋଧହୁଏ ଗୁଜରାଟ, ଓଡ଼ିଶା ସମେତ ଅନେକ ରାଜ୍ୟରେ ବିଧାନସଭା ବିରୋଧିଶୂନ୍ୟ ହୋଇପଡ଼ିବ। ଏପରିକି ସଂସଦରେ ମଧ୍ୟ ଏକଦା ଦେଶର ସର୍ଵ ବୃହତ ରାଜନୈତିକ ଦଳ ଥିବା ଜାତୀୟ କଂଗ୍ରେସର ସାଂସଦଙ୍କ ସଂଖ୍ୟା ଯେପରି କମିଚାଲିଛି ହୁଏତ ଆଗାମୀ ନିର୍ବାଚନରେ ସେଥିରେ ଯଦି ଆହୁରି ହ୍ରାସ ଘଟେ ତେବେ ଲୋକସଭାରେ କୌଣସି ମୁଖ୍ୟ ବିରୋଧୀ ଦଳକୁ ଦେଖିବାକୁ ମିଳିନପାରେ । ଅର୍ଥାତ୍ ଆଗାମୀ ଦିନରେ ବିଧାନସଭା ଓ ସଂସଦ ବିନା ବିରୋଧୀ ଦଳରେ ଚାଲିଲେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ ।

ସେହିପରି ୨ୟ ସ୍ତମ୍ଭ ହେଉଛି କାର୍ଯ୍ୟ ପାଳିକା । କାର୍ଯ୍ୟ ପାଳିକାର ଧର୍ମ ହେଉଛି ବ୍ୟବସ୍ଥାପିକା ଦ୍ୱାରା ପ୍ରଣୀତ ଆଇନକୁ କାର୍ଯ୍ୟକାରୀ କରିବା । ମାତ୍ର ଆଜିର ଦିନରେ ଯଦି ସଂସଦର ନିର୍ବାଚିତ ଲୋକପ୍ରତିନିଧି ବା ବିଧାନସଭାର ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କ ଅବସ୍ଥା ଦେଖିବେ ତେବେ ଏହା ସ୍ପଷ୍ଟ ଯେ, କାର୍ଯ୍ୟ ପାଳିକା ପାଖରେ ବ୍ୟବସ୍ଥାପିକା ଆତ୍ମସମର୍ପଣ କଲାଭଳି ମନେହୁଏ । ଆମ ଦେଶର ପ୍ରଧାନମନ୍ତ୍ରୀଙ୍କ ଦପ୍ତର ଓ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର କାର୍ଯ୍ୟ ଶୈଳୀକୁ ଅନୁଶୀଳନ କଲେ ଜଣାପଡ଼େ ପ୍ରକୃତରେ ବ୍ୟବସ୍ଥାପିକାର ଅବସ୍ଥା କେତେ ଦୟନୀୟ ହୋଇ ପଡ଼ିଛି ? ବ୍ୟବସ୍ଥାପିକାର ସମସ୍ତ କ୍ଷମତା କାର୍ଯ୍ୟପାଳିକା ଦ୍ୱାରା ଅପହରଣ ହୋଇଯାଇନି ତ ? ସଚିବ ମାନେ ମନ୍ତ୍ରୀମାନଙ୍କ ଠାରୁ କ୍ଷମତାଶାଳୀ ହୋଇଯାଉନାହାଁନ୍ତି ତ ? ତୃଣମୂଳ ସ୍ତରରେ କାହିଁକି ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ମଧ୍ୟରେ ଲଢ଼େଇ ଚାଲିଛି ଓ ଏ ଲଢ଼େଇର ଶେଷରେ କାର୍ଯ୍ୟପାଳିକା ଆଗରେ ବ୍ୟବସ୍ଥାପିକା ହାର ମାନୁନାହିଁ କି? ଆଜି ଦିନରେ ନିର୍ବାଚିତ ଲୋକପ୍ରତିନିଧିଙ୍କର କ୍ଷମତା କମିଯାଇଛି ବୋଲି କାହିଁକି ନିଜେ ସେମାନେ କହୁଛନ୍ତି ?

୩ୟ ସ୍ତମ୍ଭ ନ୍ୟାୟପାଳିକାରେ ଅସ୍ତିତ୍ବ ପାଇଁ ଲଢ଼େଇ ମଧ୍ୟ ବେଶ୍ ରୋଚକ ସ୍ଥିତିରେ ରହିଛି। ସୁପ୍ରିମ କୋର୍ଟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ଲଢ଼େଇ ଏ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା କିପରି ଚାଲିଛି ତାହା ସ୍ପଷ୍ଟ କରିଦେଉଛି । ନ୍ୟାୟ ପାଳିକା ଓ ବ୍ୟବସ୍ଥାପିକା ନିଜ ନିଜର ଦାୟିତ୍ୱ କେତେଦୂର ତୁଲାଉଛନ୍ତି ତାହା ଦେଶର ସର୍ବୋଚ୍ଚ ଅଦାଲତ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ହିଁ ସୂଚାଇ ଦେଉଛି । ଏସବୁ ଦେଖିବା ପରେ କେହି ଜୋର ଦେଇ କହିପାରିବ କି ନ୍ୟାୟ ପାଳିକାକୁ ତାର କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇବାକୁ ସୁଯୋଗ ଦିଆ ଯାଉଛି ବୋଲି ? ବ୍ୟବସ୍ଥାପିକା ଏବେ ନ୍ୟାୟ ପାଳିକା ଉପରେ ଅଧିକ ପ୍ରଭାବ ବିସ୍ତାର କରିବାକୁ ଚାହୁଁନି ତ ?

ସେହିପରି ନିଜକୁ ୪ର୍ଥ ସ୍ତମ୍ଭ ବୋଲି ଦାବୀ କରୁଥିବା “ଗଣମାଧ୍ୟମ” ର କାର୍ଯ୍ୟ ମଧ୍ୟ ସମୀକ୍ଷା କରିବା ପାଇଁ ସମସ୍ତଙ୍କୁ ବାଧ୍ୟ କରିଛି । ଆଜିର ଦିନରେ ଉଭୟ ବ୍ୟବସ୍ଥାପିକା ଓ କାର୍ଯ୍ୟ ପାଳିକା ଚାହୁଁଛନ୍ତି ଦେଶର ଗଣମାଧ୍ୟମ ଗୁଡ଼ିକୁ ନିଜ ଅକ୍ତିଆରକୁ ନେବାପାଇଁ । ଆମ ରାଜ୍ୟ ତଥା ଦେଶର ପ୍ରମୁଖ ଗଣମାଧ୍ୟମ ନିଜର କାର୍ଯ୍ୟ ଠିକ୍ ଭାବେ ତୁଲାଇ ପାରୁଛନ୍ତି କି ? ଗଣମାଧ୍ୟମରେ ଗଣଙ୍କ ସ୍ୱର ଶୁଭୁଛି ନା ଜଣଙ୍କର ସ୍ୱର ଶୁଭୁଛି ? ପ୍ରମୁଖ ଗଣମାଧ୍ୟମରେ ଶୁଭୁଥିବା ସ୍ୱର ସାଧାରଣ ଲୋକଙ୍କର ନା ଶାସକ ଦଳ ମାନଙ୍କର ? ସ୍ୱାଧୀନ ଭାବେ ଆମର ଗଣମାଧ୍ୟମ କାମ କରୁଛି ନା ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ଚାପରେ ଅଣନିଶ୍ୱାସୀ ହୋଇପଡ଼ିଛି ?

ଏବେ ଅନୁଶୀଳନ କରିବାର ବେଳ ଆସିଯାଇଛି ଯେ, ଏକ ସମୃଦ୍ଧ ତଥା ଶକ୍ତିଶାଳୀ ଗଣତାନ୍ତ୍ରିକ ରାଷ୍ଟ୍ରରେ ଯଦି ସମ୍ବିଧାନ ଦ୍ୱାରା ପରିଚାଳିତ ୩ଟି ସ୍ତମ୍ଭ ନିଜର କାର୍ଯ୍ୟକୁ ଠିକଣା ଭାବେ ନ ତୁଲାଇ ପାରନ୍ତି, ତେବେ ଗଣତନ୍ତ୍ରର ଭବିଷ୍ୟତ କ’ଣ ହେବ ? ସଂଖ୍ୟାର ଅହଂକାରରେ ଯଦି ଶାସକ ଦଳ ମାନେ ବିରୋଧୀ ଦଳକୁ ଅଣଦେଖା କରନ୍ତି ତେବେ ଗଣତନ୍ତ୍ର ତିଷ୍ଠିବ କିପରି ? ଅମଲାତନ୍ତ୍ର ଯଦି ନିଜକୁ ବ୍ୟବସ୍ଥାପିକା ଠାରୁ ଅଧିକ କ୍ଷମତା ଶାଳୀ ବୋଲି ପ୍ରତିପାଦିତ କରେ ତେବେ ସମ୍ବିଧାନର ପ୍ରଥମ ସ୍ତମ୍ଭଟି ଅସହାୟ ହୋଇଯିବନି ତ ? ନିଜକୁ ୪ର୍ଥ ସ୍ତମ୍ଭ ବୋଲି ଦାବୀ କରୁଥିବା ଗଣମାଧ୍ୟମ ଯଦି ନିର୍ଦ୍ଦିଷ୍ଟ ଏକ ରାଜନୈତିକ ଦଳ ବା ସରକାରର ଇଶାରାରେ ପରିଚାଳିତ ହେବ ଓ ଲୋକଙ୍କ ସ୍ୱର ନହୋଇ ସରକାରୀ ମୁଖପାତ୍ର ଭାବେ କାର୍ଯ୍ୟ କରିବ ତେବେ ସମ୍ବିଧାନର ୩ଟି ସ୍ତମ୍ଭ ଉପରେ କିଏ ନଜର ରଖିବ ? ପରିଶେଷରେ ସମ୍ବିଧାନର ୩ଟି ସ୍ତମ୍ଭର ଆଜିର ଅବସ୍ଥା ଓ ଆତ୍ମଘୋଷିତ ୪ର୍ଥ ସ୍ତମ୍ଭର କାର୍ଯ୍ୟଶୈଳୀ ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରର କେଉଁ ଛବିଟିକୁ ପ୍ରଦର୍ଶିତ କରୁଛି ଥରେ ଭାବନ୍ତୁ ତ ?

Nirvik Bureau

Nirvik Bureau

Related Posts

Dhanada’s Discourse: The Cloud Has a Thirst – India’s data-centre dilemma
More

Dhanada’s Discourse: 
The Cloud Has a Thirst – India’s data-centre dilemma

by Dhanada K. Mishra
August 10, 2026

Dhanada K Mishra, Hong Kong, 10 August 2026 At first glance, a data centre appears almost unreal. There are no...

Read more
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.