• About
  • Contact
Tuesday, August 11, 2026
Tuesday, August 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଅସାମାନ୍ୟ ଅବଦାନ
କାନ୍ତକବିଙ୍କ ପରିବାରର

ଅସାମାନ୍ୟ ଅବଦାନ କାନ୍ତକବିଙ୍କ ପରିବାରର
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୪ ଫେବୃଆରୀ ୨୦୨୪

ଓଡ଼ିଶା ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ର ସ୍ରଷ୍ଟା ଲକ୍ଷ୍ମୀକାନ୍ତ ମହାପାତ୍ର ସମଗ୍ର ଓଡ଼ିଶାରେ କାନ୍ତକବି ନାମରେ ଖ୍ୟାତ । ତେବେ ତାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଅଦ୍ୟାବଧି ବିଭିନ୍ନ କାରଣରୁ ଉପଯୁକ୍ତ ମୂଲ୍ୟାୟନ ହୋଇପାରି ନାହିଁ । ସେଥିଯୋଗୁଁ କାନ୍ତକବିଙ୍କ ମହାନ ବ୍ୟକ୍ତିତ୍ୱର ଚମତ୍କାରିତା ସମ୍ପର୍କରେ ବର୍ତ୍ତମାନର ପିଢ଼ି ବିଶେଷ ଭାବରେ ଅବଗତ ହୋଇ ପାରୁନାହାନ୍ତି । ତେଣୁ କାନ୍ତକବିଙ୍କ ପ୍ରତିଭାର ବିଭିନ୍ନ ଦିଗକୁ ଯଥାର୍ଥ ଭାବରେ ଉନ୍ମୋଚନ କରିବା ଲାଗି ବିଭିନ୍ନ ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର ଚେୟାର ପ୍ରତିଷ୍ଠା ମାଧ୍ୟମରେ ଗବେଷଣା ଚାଲୁ ରଖିବାର ଆବଶ୍ୟକତା ଉପଲବ୍ଧ ହୋଇଛି ।

ଅନ୍ୟପକ୍ଷରେ ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରକୁ କାନ୍ତକବି ଓ ତାଙ୍କ ପରିବାରର ଅନନ୍ୟ ଅବଦାନ ଲାଗି ତାଙ୍କୁ ଭାରତବର୍ଷର “ସର୍ବଶ୍ରେଷ୍ଠ ଦେଶଭକ୍ତ ପରିବାର ସମ୍ମାନ” ଅର୍ପଣ କରାଯିବା ଜରୁରୀ ମନେ ହେଉଛି । କାରଣ କାନ୍ତକବିଙ୍କ ପରିବାରର ଲଗାତାର ତିନୋଟି ପିଢ଼ିର ବିପୁଳ ସଂଖ୍ୟକ ସଭ୍ୟ ଜାତୀୟ ଆନ୍ଦୋଳନରେ ଝାସ ଦେଇ କାରାବରଣ କରିଥିଲେ । ସେଥିମଧ୍ୟରୁ ତିନିଜଣ ପ୍ରଭାବଶାଳୀ ସଦସ୍ୟ ବ୍ରିଟିଶ ସରକାରଙ୍କ ବର୍ବରୋଚିତ ଅମାନବୀୟ ନିର୍ଯାତନାର ଶିକାର ହୋଇ ୨୪ ରୁ ୪୦ ବର୍ଷ ବୟସ ମଧ୍ୟରେ ଅକାଳ ମୃତ୍ୟୁବରଣ କରିଥିଲେ, ଯାହାକି ସମଗ୍ର ଭାରତବର୍ଷର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଅନ୍ୟତ୍ର ପରିଲକ୍ଷିତ ହୁଏ ନାହିଁ ।

ତେବେ ଉପଯୁକ୍ତ ତଥ୍ୟ ଓ ଆବଶ୍ୟକ ଦସ୍ତାବିଜ ଉପସ୍ଥାପନ ଅଭାବରୁ ଆମେ ପାଇକ ବିଦ୍ରୋହକୁ ଇଂରେଜ ଶାସନ ବିରୁଦ୍ଧରେ ଦେଶର ପ୍ରଥମ ସଶସ୍ତ୍ର ଯୁଦ୍ଧ ବୋଲି ଅଦ୍ୟାବଧି ପ୍ରତିପାଦିତ କରିପାରିନାହୁଁ । ସେହି ଭଳି ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରକୁ କାନ୍ତକବି ଏବଂ ତାଙ୍କ ପରିବାରର ଅସାମାନ୍ୟ, ଅତୁଳନୀୟ, ଅନବଦ୍ୟ ଅବଦାନକୁ ସମଗ୍ର ଭାରତବର୍ଷରେ ଦେଶ ଭକ୍ତିର ଶ୍ରେଷ୍ଠ ନିଦର୍ଶନ ବୋଲି ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରମାଣିତ କରି ପାରିନାହୁଁ ।

ଓଡ଼ିଶାର ସାହିତ୍ୟ, ସଂଗୀତ, ସଂସ୍କୃତି, ସମାଜ-ସଂସ୍କାର, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ, ସ୍ୱାଧୀନତା ସଂଗ୍ରାମ ଆଦି କ୍ଷେତ୍ରକୁ କାନ୍ତକବି ଏବଂ ତାଙ୍କ ପରିବାରର ଉଲ୍ଲେଖନୀୟ ଅବଦାନ ରହିଛି । କିନ୍ତୁ ବିଭିନ୍ନ କାରଣରୁ ସେ ସମ୍ପର୍କିତ ସବିଶେଷ ତଥ୍ୟ ଅଦ୍ୟାବଧି ଲୋକଲୋଚନକୁ ଆସି ପାରିନାହିଁ ।

ଓଡ଼ିଆ ସାହିତ୍ୟର ପ୍ରତ୍ୟେକ ବିଭାଗରେ ଶାଣିତ ଲେଖନୀ ଚାଳନା କରି କାନ୍ତକବି ତାଙ୍କ ପାରଦର୍ଶିତା ପ୍ରତିପାଦନ କରିଛନ୍ତି, ଯାହାର ଉପଯୁକ୍ତ ମୂଲ୍ୟାଙ୍କନ ଏପର୍ଯ୍ୟନ୍ତ ହୋଇ ପାରିନାହିଁ । ଅପରପକ୍ଷେ ଗାନ୍ଧର୍ବ ବିଦ୍ୟାରେ ଧୂରୀଣ କାନ୍ତକବିଙ୍କ ସାଙ୍ଗୀତିକ ବ୍ୟୁତ୍ପତ୍ତି ସମ୍ପର୍କରେ ମଧ୍ୟ ଅଦ୍ୟାବଧି ସାମାନ୍ୟତମ ଆଲୋଚନା ହୋଇନାହିଁ । ତେଣୁ କାନ୍ତକବିଙ୍କ ବ୍ୟକ୍ତିତ୍ୱର ଏହି ଦିଗଟି ଏବେ ସୁଦ୍ଧା ଅନୁଦଘାଟିତ ହୋଇ ରହିଛି । ଏତିକି କହିଲେ ଯଥେଷ୍ଟ ହେବ ଯେ, କାନ୍ତକବି ତାଙ୍କର ପ୍ରତ୍ୟେକ କାବ୍ୟର ସ୍ୱର ସଂରଚନା କରିଥିବାବେଳେ ସେଗୁଡିକର ସଂଗୀତ ନିର୍ଦ୍ଦେଶନା ମଧ୍ୟ ନିଜେ ଦେଇଥିଲେ । କାରଣ ପ୍ରତ୍ୟେକ ବାଦ୍ୟଯନ୍ତ୍ର ଉପରେ ତାଙ୍କର ପ୍ରଚଣ୍ଡ ଦଖଲ ଥିଲା । ସେହିପରି ମହାନ ଉତ୍କଳୀୟ ସଂସ୍କୃତିକୁ ଉପଜୀବ୍ୟ କରି ରଖିବା ଲାଗି ସେ ତାଙ୍କ ଅଧୁନାତନ ସାହିତ୍ୟରେ ଯତପରୋନାସ୍ତି ଉଦ୍ୟମ କରିଛନ୍ତି । ନାରୀ ଶିକ୍ଷାର ପ୍ରସାର, ଯୌତୁକ ନିରୋଧ, ନିଶା ନିବାରଣ, ଅସ୍ପୃଶ୍ୟତା ଦୂରୀକରଣ, ମନ୍ଦିରରେ ହରିଜନ ପ୍ରବେଶ ଭଳି ସମାଜ ସଂସ୍କାର ମୂଳକ କାର୍ଯ୍ୟକ୍ରମ ଗୁଡିକରେ କାନ୍ତକବି ଓ ତାଙ୍କ ପରିବାରବର୍ଗ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ।

ସବୁଠାରୁ ଗୁରୁତ୍ୱପୂର୍ଣ ବିଷୟ ହେଉଛି, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନରେ କାନ୍ତକବିଙ୍କ ସମେତ ତାଙ୍କ ପରିବାରର ଉଲ୍ଲେଖନୀୟ ଭୂମିକା ରହିଥିବାବେଳେ ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରକୁ ସେମାନଙ୍କ ଅନବଦ୍ୟ ଅବଦାନ ସମଗ୍ର ଭାରତବର୍ଷରେ ସର୍ବୋତ୍କୃଷ୍ଟ । କିନ୍ତୁ ପରିତାପର ବିଷୟ ହେଉଛି, ଆମ ଇତିହାସକାରମାନେ ସେଥିନେଇ ସବିଶେଷ ତଥ୍ୟ ଉପଯୁକ୍ତ ଭାବରେ ଉପସ୍ଥାପନ କରିପାରି ନଥିବାରୁ କାନ୍ତକବିଙ୍କ ପରିବାର ଦେଶର “ସର୍ବଶ୍ରେଷ୍ଠ ଦେଶଭକ୍ତ ପରିବାର ସମ୍ମାନ” ମାନ୍ୟତା ପ୍ରାପ୍ତିରୁ ବଂଚିତ ହୋଇଛି ।

କାନ୍ତକବି ଆଦ୍ୟ ଯୌବନରେ ମହାବ୍ୟାଧିର ଶିକାର ହୋଇ ଚଳତଶକ୍ତିହୀନ ହୋଇ ପଡ଼ିଥିଲେ । ତେଣୁ ତାଙ୍କର ସମଗ୍ର ଜୀବନ ବିଛଣା ଉପରେ ହିଁ ବିତିଥିଲା । ଏଭଳି ପ୍ରତିକୂଳତା ଭିତରେ ଥାଇ ସୁଦ୍ଧା କାନ୍ତକବି ଶାଣିତ ଲେଖନୀ ଚାଳନା କରି ଯେଭଳି କାଳଜୟୀ ଦେଶାତ୍ମବୋଧକ ଆଲେଖ୍ୟ ରଚନା କରିଥିଲେ, ତାହା ସମଗ୍ର ଓଡ଼ିଶା ଭୂଖଣ୍ଡରେ ଉଗ୍ର ଜାତୀୟତାବୋଧ ଜାଗ୍ରତ କରିଥିଲା । ସେଥିପାଇଁ ତାଙ୍କୁ ଜାତୀୟ ଆନ୍ଦୋଳନ ବା ସ୍ୱାଧୀନତା ସଂଗ୍ରାମର ‘ଆତ୍ମା’ ବୋଲି ବିବେଚନା କରାଯାଏ ।

କାନ୍ତକବିଙ୍କ ପିତା ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଜଣେ ବିଶିଷ୍ଟ ଆଇନଜୀବୀ ଓ ବିହାର-ଓଡ଼ିଶା ବିଧାନ ପରିଷଦର ପ୍ରଥମ ଓଡ଼ିଆ ଉପ-ବାଚସ୍ପତି (ଡେପୁଟି-ପ୍ରେସିଡେଣ୍ଟ) ଥିଲେ । ତେବେ ବ୍ରିଟିଶ ସରକାରଙ୍କ ଅନ୍ୟାୟ ଓ ଅନୀତି ବିରୁଦ୍ଧରେ ପ୍ରତିବାଦ ଜଣାଇ ସେ ବିଧାନ ପରିଷଦର ସଭ୍ୟ ପଦରୁ ଇସ୍ତଫା ଦେଇ ଲବଣ ସତ୍ୟାଗ୍ରହରେ ସାମିଲ ହୋଇଥଲେ । ସ୍ୱାସ୍ଥ୍ୟଗତ କାରଣରୁ କାନ୍ତକବି ନିଜେ ସଶରୀରେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇ ପାରିନଥିଲେ ମଧ୍ୟ ତାଙ୍କ ପ୍ରୋତ୍ସାହନ ଏବଂ ପରାମର୍ଶକ୍ରମେ ସାନଭାଇ, ସାନଭଉଣୀ, ପୁଅ, ପୁତୁରା, ଭିଣୋଇ, ଭଣଜା, ମାମୁଁପୁଅ ଭାଇ ପ୍ରଭୃତି ଜାତୀୟ ଆନ୍ଦୋଳନରେ ଝାସ ଦେଇଥଲେ ।

ଇଂରେଜ ଶାସନ ବିରୁଦ୍ଧରେ ଅଗ୍ନିବର୍ଷୀ ଭାଷଣ ଓ ଜ୍ୱାଳାମୁଖୀ ଲେଖା ପାଇଁ ବ୍ରିଟିଶ ସରକାର କାନ୍ତକବିଙ୍କ ସାନଭାଇ କମଳାକାନ୍ତଙ୍କୁ ହଜାରିବାଗ ଜେଲରେ ଟି.ବି.(ରାଜ ଯକ୍ଷ୍ମା) ଇଞ୍ଜେକ୍ସନ ଦେଇ ମାତ୍ର ୨୪ ବର୍ଷ ବୟସରେ ହତ୍ୟା କରିଥିବାବେଳେ କମଳାକାନ୍ତଙ୍କ ସେବା ଶୁଶ୍ରୁଷାରେ ଯକ୍ଷ୍ମା ସଂକ୍ରମିତ ହୋଇ କାନ୍ତକବିଙ୍କ ସାନଭାଇ ଓ ଭଉଣୀ ସୀତାକାନ୍ତ ଏବଂ କୋକିଳାଦେବୀ ମାତ୍ର ୪୦ ବର୍ଷ ବୟସରେ ପରଲୋକ ଗମନ କରିଥଲେ । ମୃତ୍ୟୁ ବେଳକୁ କମଳାକାନ୍ତ ବାଲେଶ୍ୱରରୁ ହରେକୃଷ୍ଣ ମହତାବଙ୍କ ଦ୍ୱାରା ପ୍ରତିଷ୍ଠିତ ‘ପ୍ରଜାତନ୍ତ୍ର’ ର ସଂପାଦକ ଥିବାବେଳେ ସୀତାକାନ୍ତ କାଉନସିଲର ଅଫ ଷ୍ଟେଟସ (ବର୍ତ୍ତମାନର ରାଜ୍ୟସଭା) ସଦସ୍ୟ ଓ କୋକିଳା ଦେବୀ ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଥିତଯଶା ସାହିତ୍ୟିକା ଥିଲେ । କୋକିଳା ଦେବୀଙ୍କ ବ୍ୟତିରକେ କାନ୍ତକବିଙ୍କ ଅନ୍ୟ ଦୁଇ ସାନ ଭଉଣୀ ଜାହ୍ନବୀ ଦେବୀ ଏବଂ ନିର୍ମଳା ଦେବୀ ମଧ୍ୟ ଜାତୀୟ ଆନ୍ଦୋଳନରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ । ଜାହ୍ନବୀ ଦେବୀ (ଓଡ଼ିଶା ବିଧାନ ସଭାର ପ୍ରଥମ ବାଚସ୍ପତି ମୁକୁନ୍ଦ ପ୍ରସାଦ ଦାସଙ୍କ ସହଧର୍ମିଣୀ) ତାଙ୍କ ସମୟରେ ନିଖିଳ ଉତ୍କଳ ମହିଳା ସମ୍ମିଳନୀର ନେତୃତ୍ୱ ନେଉଥିବା ବେଳେ ଜାତିର ପିତା ମହାତ୍ମାଗାନ୍ଧୀ, ନେତାଜୀ ସୁବାଷ ବୋଷ, ଜୟପ୍ରକାଶ ନାରାୟଣଙ୍କ ଭଳି ଜାତୀୟ ସ୍ତରର ନେତୃତ୍ୱବୃନ୍ଦଙ୍କୁ ତାଙ୍କ ବାଲେଶ୍ୱର ଷ୍ଟେସନ ପାର୍ଶ୍ଵବର୍ତ୍ତୀ ବାସଭାବନରେ ଅତିଥେୟତା ପ୍ରଦାନ କରୁଥିଲେ । ମୁକୁନ୍ଦ ପ୍ରସାଦଙ୍କ ସାନଭାଇ ଗଜେନ୍ଦ୍ର ପ୍ରସାଦ ଦାସ ପାଟନା ହାଇକୋର୍ଟରେ ବିଶିଷ୍ଟ ଆଇନଜୀବୀ ଥଲେ ଏବଂ ସେ ମଧ୍ୟ କାନ୍ତକବିଙ୍କ ଅନ୍ୟତମ ଅନୁଜା ବା ସାନଭଉଣୀ ନିର୍ମଳା ଦେବୀଙ୍କୁ ବିବାହ କରିଥିଲେ । ସ୍ୱାଧୀନତା ସଂଗ୍ରାମ କାଳରେ ଓଡ଼ିଶାର ସତ୍ୟାଗ୍ରହୀ ମାନଙ୍କୁ ଗିରଫ କରାଯାଇ ବିହାରସ୍ଥିତ ପାଟନା କ୍ୟାମ୍ପ ଜେଲକୁ ପଠାଯାଉଥିଲା । ସେଠାରେ ଉଭୟ ଗଜେନ୍ଦ୍ର ପ୍ରସାଦ ଓ ତାଙ୍କ ପତ୍ନୀ ନିର୍ମଳା ଦେବୀ ବନ୍ଦୀ ସତ୍ୟାଗ୍ରହୀ ମାନଙ୍କ ଖାଦ୍ୟ ପାନୀୟ କଥା ବୁଝିବା ସହିତ ଏପରିକି ଗସ୍ତ ଖର୍ଚ୍ଚ ଦେଇ ସେମାନଙ୍କୁ ଟ୍ରେନରେ ବାଲେଶ୍ଵର ପର୍ଯ୍ୟନ୍ତ ପଠାଉ ଥିଲେ । ବାଲେଶ୍ଵରରେ ନିର୍ମଳା ଦେବୀଙ୍କ ବଡ଼ ଭଉଣୀ ଜାହ୍ନବୀ ଦେବୀ ଖଲାସ ସତ୍ୟାଗ୍ରହୀ ମାନଙ୍କୁ ଅତିଥେୟତା ପ୍ରଦାନ କରି ସେମାନଙ୍କ ଘରକୁ ପଠାଉ ଥିଲେ ।

ନିଃ

କାନ୍ତକବିଙ୍କ ଦୁଇ ପୁତ୍ର ନିତ୍ୟାନନ୍ଦ, ଗୌରଚନ୍ଦ୍ର ଓ ଭଣଜା (ମୁକୁନ୍ଦ ପ୍ରସାଦ ଦାସ ଓ ଜାହ୍ନବୀ ଦେବୀଙ୍କ ଜ୍ୟେଷ୍ଠ ପୁତ୍ର ଗୌର ଗୋପାଳ ଦାସ) ମଧ୍ୟ ଛାତ୍ରାବସ୍ଥାରେ ଜାତୀୟ ଆନ୍ଦୋଳନରେ ଲମ୍ଫ ପ୍ରଦାନ କରି ବାରମ୍ବାର କାରାବରଣ କରିଥିଲେ । କାନ୍ତକବି ଆଜୀବନ ଶଯ୍ୟାଶାୟୀ ଥିଲେ ସୁଦ୍ଧା ନିଜର ଦୁଇ ପୁତ୍ରଙ୍କୁ ଦେଶ ମାତୃକାର ସେବା ପାଇଁ ପ୍ରୋତ୍ସାହିତ କରିଥିଲେ ଏବଂ ପରିଣତ ବୟସରେ ନିଃସଙ୍ଗ ଦୁର୍ବିସହ ଜୀବନ ବିତାଇଥିଲେ । ସେତେବେଳେ ରାଜା, ମହାରାଜା ଓ ଜମିଦାରମାନେ ସେମାନଙ୍କ ଧନ ଓ ମାନର ସୁରକ୍ଷା ଲାଗି ବ୍ରିଟିଶ ସରକାରଙ୍କୁ ସମର୍ଥନ କରୁଥିଲେ । କିନ୍ତୁ କାନ୍ତକବି ସଂଭ୍ରାନ୍ତ ଭୁମ୍ୟାଧିକାରି ବା ଜମିଦାର ପରିବାରର ବଂଶଜ ହୋଇଥିଲେ ସୁଦ୍ଧା ଇଂରେଜ ଶାସନର ଅନ୍ୟାୟ ବିରୁଦ୍ଧରେ ଦୃଢ଼ ସ୍ୱର ଉତ୍ତାଳନ କରିଥିଲେ । ସେଥିପାଇଁ ତାଙ୍କୁ ବ୍ରିଟିଶ ସରକାରର କୋପର ଶିକାର ହୋଇ ଅକଥନୀୟ ଦୁର୍ଦଶା ଭୋଗିବାକୁ ପଡ଼ିଥିଲା । ଏପରିକି ବ୍ରିଟିଶ ସରକାର ସମାଜରେ କାନ୍ତକବିଙ୍କ ସମ୍ମାନକୁ ଭୂଲୁଣ୍ଠିତ କରିବା ପାଇଁ ପବିତ୍ର ଦୁର୍ଗାପୂଜା ଅବସରରେ ତାଳପଦା ଗ୍ରମସ୍ଥିତ ବାସଭବନରୁ ତାଙ୍କ ସାନ ପୁଅ ଗୌରଚନ୍ଦ୍ରଙ୍କୁ ଅଣ୍ଟାରେ ବେଡ଼ି ଓ ହାତରେ କଡ଼ି ପକାଇ ଚଲାଇ ଚଲାଇ ୧୦ ମାଇଲ ଦୂର ଭଦ୍ରକ ଜେଲଖାନା ପର୍ଯ୍ୟନ୍ତ ନେଇଥିଲେ । ଭଣ୍ଡାରିପୋଖରୀ ଥାନା ପୋଡ଼ି, ରେଳ ଲାଇନ ଓ ଟେଲିଗ୍ରାଫ ତାର ଉଡାଇ ଦେବା ଭଳି ମିଥ୍ୟା ମୋକଦମାରେ ଗୌରଚନ୍ଦ୍ରଙ୍କୁ ଗିରଫ କରାଯାଇଥିଲା, ଯାହାକି ପରବର୍ତ୍ତୀ ସମୟରେ ଅସତ୍ୟ ପ୍ରମାଣିତ ହୋଇଥିଲା ।

ସେତେବେଳେ ଭଣ୍ଡାରୀପୋଖରୀ ଥାନା ପୋଡ଼ି, ଲୁଣିଆ ଗୁଳିକାଣ୍ଡ ଘଟଣା ବ୍ରିଟିଶ ସରକାରର ଦମ୍ଭ ଦୋହଲାଇ ଦେଇଥିଲା । ଏହି ଦୁଇଟି ଗୁରୁତର ଘଟଣାର ନେତୃତ୍ୱ ବୈତରଣୀ ନଦୀ ତଟସ୍ଥ କଣ୍ଟାପାରି ଗ୍ରାମର ଜମିଦାର ଜଗନ୍ନାଥ ଦାସ ଓ ଦ୍ୱାରିକାନାଥ ଦାସ ନେଇଥିଲେ । ଜଗନ୍ନାଥ ଓ ଦ୍ୱାରିକା ନାଥ କାନ୍ତକବିଙ୍କ ମାମୁଁପୁଅ ସାନଭାଇ ଥିଲେ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଜଗନ୍ନାଥ ଦାସ ଓ ଦ୍ୱାରିକା ନାଥ ଦାସ ପରବର୍ତ୍ତୀ କାଳରେ ଯଥାକ୍ରମେ ପାର୍ଲାମେଣ୍ଟ ଏବଂ ଓଡ଼ିଶା ବିଧାନସଭାର ସଦସ୍ୟ ଥିଲେ । ଜଗନ୍ନାଥ ଦାସ ପ୍ରଥମେ ବିହାର-ଓଡ଼ିଶା ବିଧାନ ପରିଷଦ ଏବଂ ତା’ପରେ ପାର୍ଲାମେଣ୍ଟର ସଭ୍ୟ ହୋଇଥିବା ବେଳେ ଦ୍ୱାରିକାନାଥ ଦାସ ଯାଜପୁର ନିର୍ବାଚନମଣ୍ଡଳୀର ପ୍ରଥମ ପନ୍ଦର ବର୍ଷ ପାଇଁ ବିଧାୟକ ହୋଇଥିଲେ ।

ସ୍ୱାଧୀନତା ସଂଗ୍ରାମ କ୍ଷେତ୍ର ଭଳି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନକୁ ମଧ୍ୟ କାନ୍ତକବି ଓ ତାଙ୍କ ପରିବାରର ଅସାମାନ୍ୟ ଅବଦାନ ଥିଲା । କେବଳ ଏତିକି କହିଲେ ଯଥେଷ୍ଟ ହେବଯେ, ଆଜି ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଥିବା କାଳଜୟୀ ଦେଶାତ୍ମବୋଧକ ଗୀତ “ବନ୍ଦେ ଉତ୍କଳ ଜନନୀ” ୧୯୧୨ ମସିହାରୁ ହିଁ ଉତ୍କଳ ସମ୍ମିଳନୀର ପ୍ରାରମ୍ଭିକ ବା ଉଦଘାଟନୀ ସଂଗୀତ ହୋଇଥିଲା । ଦୀର୍ଘ ୨୪ବର୍ଷ ଧରି ଏହି ସଂଗୀତ ଓଡ଼ିଶାବାସୀଙ୍କ ହୃଦୟରେ ଉଗ୍ର ଉତ୍କଳୀୟ ଜାତୀୟ ଚେତନା ଜାଗ୍ରତ କରିବା ଫଳରେ ୧୯୩୬ ଏପ୍ରିଲ ପହିଲାରେ ଆମେ ସ୍ୱତନ୍ତ୍ର ରାଜ୍ୟ ହାସଲ କରି ପାରିଥିଲେ ।

ଉଭୟ ଜାତୀୟ ସଂଗ୍ରାମ ଏବଂ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନରେ ଅତୁଳନୀୟ ଅବଦାନ ରଖିଥିବା କାନ୍ତକବି ଓ ତାଙ୍କ ପରିବାରକୁ କେନ୍ଦ୍ର ଓ ରାଜ୍ୟ ସରକାର “ସର୍ବଶ୍ରେଷ୍ଠ ଦେଶଭକ୍ତ ପରିବାର ସମ୍ମାନ” ପ୍ରଦାନ କରିବା ଜରୁରୀ ମନେ ହେଉଛି । କାରଣ ଜନସେବା ପାଇଁ ଏବେ ସାଂସଦ, ବିଧାୟକମାନଙ୍କ ଭଳି ଜନପ୍ରତିନିଧି ହୁଅନ୍ତୁ କିମ୍ବା ଦେଶ ସେବା ପାଇଁ ବୀର ଜବାନ ହୁଅନ୍ତୁ – ସମସ୍ତଙ୍କ ପାଇଁ ବର୍ତ୍ତମାନ ଆର୍ଥିକ ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । କିନ୍ତୁ ବ୍ରିଟିଶ ସରକାର ବିରୁଦ୍ଧରେ ଲଢ଼ୁଥିବା ସଂଗ୍ରାମୀ ବା ସତ୍ୟାଗ୍ରହୀମାନେ ନିଜ ଜୀବନକୁ ବାଜି ଲଗାଇବା ସହିତ ପରିବାର ଭବିଷ୍ୟତକୁ ଅନ୍ଧକାରାଚ୍ଛନ କରି ଆତ୍ମୋତ୍ସର୍ଗ କରୁଥିଲେ । ସେମାନଙ୍କ ତ୍ୟାଗ, ତିତିକ୍ଷା ଓ ବଳିଦାନ ପାଇଁ ଆମର ସମାଜ ଓ ସରକାର ସେମାନଙ୍କୁ କିଭଳି ସମ୍ମାନ ଏବଂ ସ୍ୱୀକୃତି ପ୍ରଦାନ କରୁଛି ତାହା ଦେଖିବାର କଥା ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

Dhanada’s Discourse: The Cloud Has a Thirst – India’s data-centre dilemma
More

Dhanada’s Discourse: 
The Cloud Has a Thirst – India’s data-centre dilemma

by Dhanada K. Mishra
August 10, 2026

Dhanada K Mishra, Hong Kong, 10 August 2026 At first glance, a data centre appears almost unreal. There are no...

Read more
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.