• About
  • Contact
Tuesday, August 18, 2026
Tuesday, August 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ବୈଷ୍ଣବ ପାଣି:ଏକ ପରିପୂର୍ଣ୍ଣ ପ୍ରତିଭା

ବୈଷ୍ଣବ ପାଣି:ଏକ ପରିପୂର୍ଣ୍ଣ ପ୍ରତିଭା
Share on FacebookShare on Xshare on Whatsappshare on Linkedin
ଶ୍ରୀ ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ଵର, ୯ ଅକ୍ଟୋବର ୨୦୨୨

‘‘ଶତ ଶତ ବହି ଉତ୍କଳ ଭାଷାରେ
ଲେଖି ନିତି ପଡ଼ି ମରୁଛି ବସାରେ ।”

ଭାଷା ଭିତ୍ତିକ ସ୍ଵତନ୍ତ୍ର ଉତ୍କଳର ନିଜ ଓଡିଆ ଭାଷାରେ ଶତାଧିକ ପୁସ୍ତକ ରଚନା କରି ଉତ୍କଳର ବାଣୀ ଭଣ୍ଡାରକୁ ସମୃଦ୍ଧ କରିଥିବା କବି ବୈଷ୍ଣବ ପାଣିଙ୍କର ଉପରୋକ୍ତ କ୍ଷେଦୋକ୍ତି , ତଦାନିନ୍ତନ ସମୟରେ ଓଡିଆ ଭାଷା ଓ ଦରଦୀ କବି ର ଦୟନୀୟ ପରିସ୍ଥିତିକୁ ସ୍ପଷ୍ଟ ଭାବେ ଅବତାରଣା କରିବାରେ ସମର୍ଥ ହୋଇଛି । ସତ କହିବାକୁ ଗଲେ ବୈଷ୍ଣବ ପାଣି ନିଜ ରଚନାରେ ଓଡ଼ିଆ ଭାଷା ଭିନ୍ନ ଅନ୍ୟ କୌଣସି ପ୍ରାନ୍ତିୟ ଭାରତୀୟ ଭାଷାର ଶବ୍ଦ କିମ୍ବା ବିଦେଶୀ ଶବ୍ଦର ପ୍ରୟୋଗ କରି ନାହାଁନ୍ତି । କେବଳ ହିଁ ସେ ଖାଣ୍ଟି ଓଡ଼ିଆ ସହଜ ସରଳ ଗ୍ରାମୀଣ ଶବ୍ଦ ସମ୍ଭାରରେ ଓଡ଼ିଆ ସାହିତ୍ୟକୁ ପରିପୁଷ୍ଟ କରି ଗଣ ମାନସ ରେ ଅମର ହୋଇ ରହିଯାଇଛନ୍ତି ।

୧୮୮୨ ମସିହା ଶରତ କାଳ କୁମାର ପୂର୍ଣ୍ଣିମା ରେ କଟକ ଜିଲ୍ଲା ମାହଙ୍ଗା ଅଞ୍ଚଳ ରେ କୋଠପଦା ଗାଆଁ ରେ କବିଙ୍କର ଜନ୍ମ ଏକ ଦରିଦ୍ର ବ୍ରାହ୍ମଣ ପରିବାର ରେ । ନାଆଁ ଥିଲା ଶତ୍ରୁଘ୍ନ ପାଣି । ବାଲ୍ୟକାଳରେ ଘୋର ଦାରିଦ୍ର୍ୟର ପୀଡନରେ ତାଙ୍କୁ ଜୀବନ ବିତାଇବାକୁ ପଡ଼ିଛି । କେତେବେଳେ କୋଠପଦାର ମଠ ମହନ୍ତଙ୍କ ଦିଅଁ ପୂଜା ପାଇଁ ଫୁଲତୋଳା, କେତେବଳେ ଅବା ଗୋ ଚାରଣ, ପୁଣି କେବେ ଗାଆଁ ସ୍କୁଲ ଛାତ୍ରାବାସ ରେ ରନ୍ଧନ କାର୍ଯ୍ୟ କରି ଉଦର ପୋଷୁ ଥିଲେ ସେ । ପୁଣି, ଦୁରାରୋଗ୍ୟ ବ୍ୟାଧି ରେ ପୀଡ଼ିତ ହୋଇ ବଡ଼ ଠାକୁରଙ୍କ ବଡ଼ଛତା ତଳେ ଶରଣ ନେଇ ବୈଷ୍ଣବ ସାଜିଲେ ବାଳକ ଶତ୍ରୁଘ୍ନ । ସେହି ଦିନଠାରୁ ବଦଳିଗଲା ନାଆଁ । ବୈଷ୍ଣବ ପାଣି ନାମରେ ପରିଚିତ ହେଲେ । ସମସ୍ତ ପ୍ରତିକୂଳ ପରିସ୍ଥିତିରେ ବିି, ବାଳକ ବୈଷ୍ଣବ କିନ୍ତୁ ବାଣୀ ସେବାରୁ ବିରତ ହୋଇ ନଥିଲେ ।

ମହନ୍ତ ତପୋନିଧି ରଘୁନାଥପୁରୀ ଗୋସ୍ଵାମୀଙ୍କ ତତ୍ତ୍ଵାବଧାନରେ ଗଠିତ ନାଟ୍ୟ ଦଳରେ ଗୋଟିପୁଅ ଆଉ ନଟ ବେଶରେ ଅବତୀର୍ଣ୍ଣ ହୋଇ ବାଳକ ବୈଷ୍ଣବଙ୍କ ପ୍ରତିଭା ଅଙ୍କୁରିତ ହୋଇ ଉଠିଲା । କବିତ୍ଵର ଉନ୍ମେଷ ଘଟିଲା ଏବଂ ତାଙ୍କଠାରେ ନାଟ୍ୟକଳା – ଅଭିନୟ ବି ଉକୁଟି ଉଠିଲା । ପ୍ରଥମେ ଦାସକାଠିଆ, ପାଲା ପରିବେଷଣ କରୁଥିବା ପାାଣି ମହାଶୟ ପରେ ଯାତ୍ରା , ନାଟକ, ଗୀତିନାଟ୍ୟ ଏବଂ ଗୀତାଭିନୟର ମାହୋଲ ସୃଷ୍ଟି କରିବାକୁ ଲାଗିଲେ । ଭଦ୍ରକର ଲୋକକବି ଜଗନ୍ନାଥ ପାଣିଙ୍କ ଦୁଇ ତିନିଟି ଗୀତ – ନାଟକ କୁ ସମ୍ବଳ କରି ନିଜର ବୃତ୍ତି ଆରମ୍ଭ କରିଥିବା ବୈଷ୍ଣବ ପାଣି ସମାଲୋଚନାର ଶରବ୍ୟ ହୁଅନ୍ତେ, ମାହାଙ୍ଗାର ମହିମାମୟ ଠାକୁର ବିନୋଦ ବିହାରୀଙ୍କୁ ଗୁହାରି କରିଥିଲେ। ପରିଶେଷରେ ଆଜ୍ଞା ପାଇ ରଚନା କରିଥିଲେ ପ୍ରଥମ ଗୀତିନାଟ୍ୟ “ମେଘନାଦ ବଧ” । ମୁକ୍ତ ମଞ୍ଚରେ ଅଭିନୀତ ହୋଇ ତାହା ଦର୍ଶକଙ୍କ ଦ୍ଵାରା ପ୍ରଶଂସିତ ହେବା ସହିତ ବହୁ ଚର୍ଚ୍ଚିତ ହୋଇଥିଲା ସେ ସମୟରେ । ବାଣୀ ଆଶୀଷ ଲାଭ କରି ପାଣି ମହାଶୟ ଆଉ ପଛକୁ ଫେରି ନାହାଁନ୍ତି । ସେବେଠାରୁ ତାଙ୍କ ଜୀବନର ଶେଷ ପର୍ଯ୍ୟନ୍ତ ଅନବରତ ଲେଖନୀ ଚାଳନା କରି ଶତ ଶତ ପୁସ୍ତକ ରଚନା କରିଯାଇଛନ୍ତି, ଯାହା ଗଣମାନସରେ ତାଙ୍କୁ ଚିରକାଳ ଅମର କରି ରଖିବ ।

୧୯୪୮ରେ ଗାନ୍ଧିଜୀଙ୍କ ମହାପ୍ରୟାଣ ପରେ , ଡଃ ହରେକୃଷ୍ଣ ମହତାବଙ୍କ ଓଡ଼ିଶା ପ୍ରଦେଶ ର ପ୍ରଧାନମନ୍ତ୍ରୀତ୍ଵ କାଳରେ ବୈଷ୍ଣବ ପାଣି ରଚନା କରିଥିଲେ- “ଉତ୍କଳ ମାତା ର ଶୋକ” ଓ “ଭାରତ ମାତା ର ଶୋକ”, ଯାହାର ମୁଦ୍ରଣ ଓ ପ୍ରକାଶନ ଖର୍ଚ୍ଚ ତତକାଳୀନ ରାଜ୍ୟ ସରକାର ବହନ କରିଥିଲେ ।

ସେହି ସମୟରେ କବି ପାଣି ମହାଶୟଙ୍କୁ ସୁଯୋଗ ମିଳିଥିଲା ତଃ ମହତାବଙ୍କୁ ଭେଟିବା ପାଇଁ । କଟକ ସହର ଗଣେଶ ଘାଟସ୍ଥିତ ତାଙ୍କ ବଙ୍ଗଳାରେ ମାହାଙ୍ଗା ଅଂଚଳର କୁମୁଡା ଜୟପୁର ନିବାସୀ ଚନ୍ଦ୍ରମଣି ନାୟକ ଓ ନବ କିଶୋର ପଣ୍ଡା ଉଭୟ ଯଥାକ୍ରମେ ଡଃ ମହତାବଙ୍କ ଗାଡ଼ି ଚାଳକ ଓ ପାଚକ ଭାବେ କାର୍ଯ୍ୟରତ ଥିଲେ । ନିଜ ଗାଁ ନିକଟସ୍ଥ ଏହି ଦୁଇ ସହୃଦୟ ଲୋକଙ୍କ ସହାୟତା କ୍ରମେ ପାଣି ମହାଶୟ ସାକ୍ଷାତ କରିଥିଲେ ଓଡ଼ିଶାର ତତ୍ କାଳୀନ ପ୍ରଧାନ ମନ୍ତ୍ରୀ ମହତାବଙ୍କୁ । ସେଇଠି ପାଛୋଟି ନେବା ଆଳରେ ମହତାବ ନିଜ ଚୌକି ରୁ ଉଠି ପଡି ଏହି ପ୍ରତିଭାପନ୍ନ କବି ବୈଷ୍ଣବ ପାଣିଙ୍କୁ ପାଖରେ ପଡ଼ିଥିବା ଅନ୍ୟ ଏକ ଚୌକିରେ ବସିବାକୁ କହିଥିଲେ । ଚତୁର କବି ବୈଷ୍ଣବ ପାଣି ସଂକୋଚ ପ୍ରକାଶ କରିଥିଲେ ଉତ୍କଳ କେଶରୀ ମହତାବ୍ ଙ୍କ ସମ୍ମୁଖ ରେ ଆସନ ଗ୍ରହଣ କରିବା ପାଇଁ। ତେଣୁ , ସେ ନିରୁତ୍ତର ଦଣ୍ଡାୟମାନ ରହିବାରୁ ତଃ ମହତାବ୍ କହିଥିଲେ – “ଏଠାରେ କାହିଁକି ଜଣକ ଚୌକିରେ ବସିବ ? ସମଗ୍ର ଓଡ଼ିଶା ତୁମ ପାଇଁ ମାସ୍ ଚୌକି ଦାନ କରି ସାରିଛି ।” ମହତାବ ଙ୍କ ଏଇ କଥା ପଦକ ତଡ଼ିତ ବେଗରେ ପ୍ରଚ଼ାରିତ ହୋଇଗଲା ।କାରଣ : ସେତେ ବେଳକୁ ଓଡ଼ିଶାର ଗଣ ହୃଦୟ ସିଂହାସନ ରେ କବି ବୈଷ୍ଣବ ପାଣି ବିରାଜିତ ହୋଇଯାଇଥିଲେ , ତାଙ୍କ ଆଶୁ କବିତ୍ୱ ପାଇଁ … ପ୍ରଚଣ୍ଡ ପ୍ରତ୍ୟୁତ୍ପନ୍ନ ମତିତା ପାଇଁ … ଯାତ୍ରା, ସୁଆଙ୍ଗ, ଗୀତାଭିନୟ ପାଇଁ । ସେଦିନ ସେଇ ଅନ୍ତରଙ୍ଗ ଆଳାପ ଭିତରେ ଡ଼ଃ ମହତାବ୍ କବି ବୈଷ୍ଣବପାଣିଙ୍କ ଠାରୁ ତାଙ୍କ ରଚିତ ପୁସ୍ତକ ର ପରିମାଣ କେତେ ବୋଲି ପଚାରି ବୁଝିଥିଲେ ।

ଇଂରାଜୀ ଭାଷା ଜାଣି ନଥିବା ମାତ୍ର ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା, ମଠରେ ଫୁଲ ତୋଳୁ ଥିବା, ଗୋରୁ ଚରାଉଥିବା ନଟ ବାଳକ, ଗାଁ ବିଦ୍ୟାଳୟ ଛାତ୍ରାବାସ ରେ ଥିବା ପାଚକର ଶୁଦ୍ଧ ଓ ମୁଗ୍ଧକର ସାହିତ୍ୟ ସଂରଚନା ଆଉ ସୁଲଳିତ ସୁମଧୁର କଣ୍ଠର ସଂଗୀତ ମୂର୍ଚ୍ଛନା ସହିତ ନିଖୁଣ ଯାତ୍ରା ନାଟକ ଗୀତାଭିନୟରେ ବିଭୋର କରାଇ ପାରୁଥିବା କବି ବୈଷ୍ଣବ ପାଣି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେ ନିଜେ ଦେଖିଥିଲେ ତାଙ୍କ ନିଜ ଗୀତ-ନାଟକର ଚରମ ସଫଳତା … ସାଉଁଟି ଥିଲେ ପ୍ରଚୁର ପ୍ରଶଂସା … ଆଉ ଅଜସ୍ର ଅଭିନନ୍ଦନ … ।

ଏକାଧାରରେ ସେଥିଲେ ରଚୟିତା , କବି, ନାଟ୍ୟକାର, ଗାୟକ, ବାଦକ, ସ୍ୱରକାର, ନିର୍ଦ୍ଦେଶକ, ଅଭିନେତା …. ଏପରିକି ତାଙ୍କ ନାଟ୍ୟ ଦଳର ସଂଚାଳକ, ପାଳକ – ପୋଷକ… ସବୁକିଛି । ସାଂପ୍ରତିକ ଯାତ୍ରା ନାଟକରେ ଅନେକ ସଂସ୍କାର ଆଣି ଓଡିଆ ଯାତ୍ରା ନାଟକକୁ ସେ ଦେଇଥିଲେ ନୂତନ ଦିଶା । ଆଜି ଯେଉଁ ସଂଗୀତ ଓ ଅଭିନୟର ଯୁଗଳ ବନ୍ଦୀ ରେ ନିର୍ମିତ ଆଲବମ୍ ସବୁ ଏତେ ଆଦୃତି ଲଭିଛି, ତାହାର ଜନ୍ମଦାତା ଯେ ବୈଷ୍ଣବ ପାଣି, ଏ କଥା ଅନସ୍ବୀକାର୍ଯ୍ୟ | ପ୍ରକୃତରେ ବୈଷ୍ଣବ ପାଣି ଥିଲେ ଥିଲେ ବାଣୀ ପୁତ୍ର …ବାକ୍ ଦେବୀ ବୀଣାବାଦିନୀ ମାତା ସରସ୍ଵତୀଙ୍କ ଅମୃତ ସନ୍ତାନ । ସେଥିପାଇଁ ବୋଧହୁଏ ସେ ଏକାଧାରରେ ଏତେ ଗୁଡ଼ାଏ ମହାର୍ଘ ଗୁଣର ଅଧିକାରୀ ହୋଇପାରିଥିଲେ ।

ତଃ ମହତାବ ଙ୍କୁ ନିଜ ରଚିତ ଅନେକ ସଂଗୀତ ମଧ୍ୟରୁ କିଛି ଜାତୀୟତା ବୋଧକ କବିତାର ପଙକ୍ତି ଶୁଣାଇଥିଲେ ବୈଷ୍ଣବ ପାଣି । ଯାହାର ମର୍ମସ୍ପର୍ଶୀ ବାର୍ତ୍ତା ଆଜିବି, ସାଂପ୍ରତିକ ପରିସ୍ଥିତିରେ ବିଶେଷ ଗୁରୁତ୍ଵ ବହନ କରେ ।

“ଭାରତ ବୀରେ ବିରତ ନୁହଁ
ତୁରିତେ ଭିଡ଼ ଅଣ୍ଟା,
ଚିରତ’ ନୁହଁ କାହାର ଏ ଦେହ
ବଜାଅ ବିଜୟ ଘଣ୍ଟା ।
xx. xx. xx
ସୁପ୍ତ କେଶରୀ ଜାଗ୍ରତ ଆଜି
ଲୁପ୍ତ କୀର୍ତ୍ତି ଉଦ୍ଧାରେ
ଗୁପ୍ତେ ହରଇ ବିଭବ ପ୍ରାଣ
ଦେଖ କେସନ ସ୍ପର୍ଦ୍ଧାରେ ।

କୃପଣ ନୋହି ତର୍ପଣ କରେ
ବୈରୀ ଶୋଣିତ ସାଗରେ
ତେତ୍ରିଶ କୋଟି ଭାରତ ବୀରେ
ଜାଗ ଜାଗ ଜାଗରେ ।”

ଏ ଲେଖାଟି ଛାପାହୋଇପାରି ନଥିଲା । ଏମିତି ଅନେକ କବିତା ପୁସ୍ତକ, ଶୁଦ୍ଧ ଓଡ଼ିଆ ସାହିତ୍ୟ ସୃଷ୍ଟି ସମ୍ଭାର ଗଣକବି ପାଣିଙ୍କ ଅବିସ୍ମରଣୀୟ ସ୍ମୃତିକୁ ପାଥେୟ କରି ଏପର୍ଯ୍ୟନ୍ତ ଅପ୍ରକାଶିତ ହୋଇ ରହିଛି । ତାଙ୍କର ବହୁ ଅନବଦ୍ୟ ଭଜନ, ଜଣାଣ , ଚଉତିଶା, ଫାର୍ଶ, ବଚନିକା ସମେତ “ରାଣୀ ଦୁର୍ଗାବତୀ”, “ଛତିଆ ବଟ ମହାତ୍ମ୍ୟ” ଭଳି କାବ୍ୟ ମାନ ପ୍ରକାଶିତ ହୋଇପାରି ନଥିବା ଆମ ପାଇଁ ବିଡମ୍ବନା ନିଶ୍ଚୟ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ତଥାପି, କଟକ ଜିଲ୍ଲା ପ୍ରଶାସନ ତରଫରୁ କିଛି ଦିନ ତଳେ ଏ ଦିଗରେ କରାଯାଇଥିବା ସାଧୁ ଉଦ୍ୟମ ନିଶ୍ଚିତ ଭାବେ ସ୍ବାଗତ ଯୋଗ୍ୟ ଏବଂ ଏଥିରେ ସହଯୋଗ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଧନ୍ୟବାଦର ପାତ୍ର ଏଣୁ, ରାଜ୍ୟ ସରକାର, ଓଡ଼ିଆ ଭାଷା-ସାହିତ୍ୟ-ସଂସ୍କୃତି ବିଭାଗ, ଗଣକବି ବୈଷ୍ଣବ ପାଣିଙ୍କ ଆତ୍ମୀୟ ସ୍ୱଜନ ଏବଂ ସାହିତ୍ୟ ଅନୁରାଗୀ ବ୍ୟକ୍ତିବିଶେଷ ତଥା ସାଂସ୍କୃତିକ ଅନୁଷ୍ଠାନ ମାନେ ଓଡ଼ିଶାର ଜନସାଧାରଣ ଙ୍କ ଲାଗି ଉଦ୍ଦିଷ୍ଟ ଏବଂ ଉତ୍ସର୍ଗୀକୃତ ଗଣକବି ସ୍ୱର୍ଗତଃ ପାଣିଙ୍କ ଅନବଦ୍ୟ ଅବଦାନ ସ୍ୱରୂପ ଛାଡ଼ିଯାଇଥିବା ଅପ୍ରକାଶିତ ଅଥବା ଉପଲବ୍ଧ ହେଉ ନଥିବା କାଳଜୟୀ ସୃଷ୍ଟି ସମ୍ଭାରକୁ ଲୋକଲୋଚନକୁ ଆଣିବା ଲାଗି ଉଦ୍ୟମ କରିବା ସର୍ବାଦୌ ବାଞ୍ଛନୀୟ ।

ବାତପୁଟ ରୋଗରେ ଆକ୍ରାନ୍ତ ପାଣି ମହାଶୟ ବହୁ ଘାତ ପ୍ରତିଘାତ ସହ୍ୟ କରି ସମାଜରେ ସୁଧାର ଆଣିବାକୁ ଚେଷ୍ଟା କରିଛନ୍ତି । ତଃ ମହତାବ ଅସବର୍ଣ୍ଣ ବିବାହର ଅଗ୍ରଦୂତ ହେବାକୁ ପରାମର୍ଶ ଦେଇଥିଲେ ଗଣକବି ବୈଷ୍ଣବ ପାଣିଙ୍କୁ । ଉତ୍ତରରେ ପାଣି ମହାଶୟ ଗାନ୍ଧର୍ବ ମତରେ ହାରାମଣି ନାମ୍ନୀ ରଜକିନୀ ର ପାଣିଗ୍ରହଣ କରିଛନ୍ତି ବୋଲି ସ୍ଵୀକାର କରିଥିଲେ । ବାଣୀ ଆଶୀଷ ରେ ବୈଷ୍ଣବ ପାଣିଙ୍କ ମସ୍ତିଷ୍କ ରେ ପୂରି ରହିଥିଲା ପ୍ରଖର ବୁଦ୍ଧିମତ୍ତା; ପ୍ରଚଣ୍ଡ ପ୍ରତ୍ୟୁତ୍ପନ୍ନମତିତା । ଆଶୁ କବିତ୍ଵ ଏବଂ ତତ୍ କ୍ଷଣାତ ଶାଣିତ ଉତ୍ତର ଦେବାର ଦକ୍ଷତା ଦେଖାଇ ସର୍ବସମକ୍ଷରେ ନିଜର ପ୍ରତିଭାକୁ ବିକଶିତ କରିଥିଲେ ବୈଷ୍ଣବ ପାଣି ।

୧୯୫୧ ମସିହାରେ ମାହାଙ୍ଗା ଅଂଚଳକୁ ନିର୍ବାଚନୀ ପ୍ରଚାରରେ ତଃ ମହତାବ୍ ସ୍ୱୟଂ ଗସ୍ତ କରିଥିବା ବେଳେ ପଚାରିଥିଲେ – ପାଣିଏ ; ଏଥର କାହାକୁ ଭୋଟ୍ ଦେବ ? ଅନେକ ଦଳ ମୁଣ୍ଡ ଟେକିଲେଣି । ଏଥିରେ ପାଣି ମହାଶୟ ଉତ୍ତର ଦେଇଥିଲେ – ଆମର ସେଇ ପୁରୁଣା ଘିଅ ଘଡ଼ି । କାରଣ : ପୁରୁଣା ଘଡି ଆଉ ବେଶୀ ଘିଅ ପିଇବ ନାହିଁ । ଅର୍ଥାତ୍ – ପୁରୁଣା ସରକାର ଆସିଲେ ବେଶୀ ଶୋଷଣ କରିବ ନାହିଁ।ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା ପ୍ରତ୍ୟୁତ୍ପନ୍ନମତି କବି ବୈଷ୍ଣବ ପାଣିଙ୍କ ବିଚକ୍ଷଣ ବୁଦ୍ଧିମତ୍ତା।

ସତରେ, ସେ ଥିଲେ, ଆମ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ପରିପୂର୍ଣ୍ଣ ଗନ୍ତାଘର। ଓଡ଼ିଆ ଭାଷା ବ୍ୟବହାରିକ କ୍ଷେତ୍ରରେ ପ୍ରୟୋଗ, ସର୍ବ ଜନଗଣଙ୍କ ଲାଗି ବୋଧଗମ୍ୟ ନିଛକ ସାହିତ୍ୟ (କାବ୍ୟ କବିତା, ଯାତ୍ରା, ଗୀତିନାଟ୍ୟ) ରଚନା ଓ ଅଭିନୟ ମାଧ୍ୟମରେ ଓଡ଼ିଶାର ସମାଜ ଜୀବନ ସହିତ ଜଡିତ ସଂସ୍କୃତି ଓ ପରମ୍ପରାର ମହତ୍ତ୍ଵ ପ୍ରତିପାଦନ କରିବାରେ ବୈଷ୍ଣବ ପାଣି ଗଣ ମାନସରେ ବିଧିବଦ୍ଧ ଭାବରେ ନିଜର ଅନନ୍ୟ ପରିଚୟ ସୃଷ୍ଟି କରି ପାରିଛନ୍ତି। ସେଥିପାଇଁ ବୋଧ ହୁଏ, ସେ ଗଣକବି ।

ଏହି କ୍ରାନ୍ତି ଦ୍ରଷ୍ଟା , ସମାଜ ସୁଧାରକ, କାଳଜୟୀ ସାହିତ୍ୟ ସ୍ରଷ୍ଟାଙ୍କୁ ସ୍ମରଣ କରିବା ଅବକାଶରେ ଆସନ୍ତୁ, ସର୍ବେ ମିଳି ତାଙ୍କର ଗୁଣ କୀର୍ତ୍ତନ କରିବା … ତାଙ୍କର ଅମର ଆତ୍ମା ଉଦ୍ଦେଶ୍ୟରେ ଶ୍ରଦ୍ଧା ସୁମନ ଅର୍ପଣ କରିବା … ଆଉ ତାଙ୍କ ଅପ୍ରକାଶିତ ପାଣ୍ଡୁଲିପି ଗୁଡ଼ିକର ପ୍ରକାଶନ, ପ୍ରଚାର ଓ ପ୍ରସାର ଦିଗରେ ଯତ୍ନଶୀଳ ହେବା … ସେହି ହେବ ବାସ୍ତବରେ ଗଣକବି ବୈଷ୍ଣବ ପାଣିଙ୍କ ପ୍ରତି ଓଡ଼ିଆ ଜାତିର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।

ଶ୍ରୀ ଅବନୀ ଚନ୍ଦ୍ର ଦାସ, ସଂପାଦକ, ଉତ୍କଳୀୟ ସାହିତ୍ୟ-ସଂସ୍କୃତି ପରିଷଦ, ୧୩୭, ପ୍ରଶାନ୍ତି ବିହାର, ଭୁବନେଶ୍ଵର – ୨୪, ଦୂରଭାଷ – ୯୯୩୭୫୩୭୯୭୪
ଅବନୀ ଚନ୍ଦ୍ର ଦାସ

ଅବନୀ ଚନ୍ଦ୍ର ଦାସ

(ସାହିତ୍ୟିକ, ସ୍ତମ୍ଭକାର, ଗବେଷକ, ସୁସଂଗଠକ)
ସଂପାଦକ, ନିର୍ଭିକ
ସଂପାଦକ, ମାହାଙ୍ଗା ମୈତ୍ରୀ ମଞ୍ଚ
ସଂପାଦକ, ଉତ୍କଳୀୟ ସାହିତ୍ୟ ସଂସ୍କୃତି ପରିଷଦ
ପ୍ରଶାନ୍ତି ବିହାର, ଭୁବନେଶ୍ବର-୨୪
ଫୋନ୍ ନଂ. ୯୯୩୭୫୩୭୯୭୪

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୮)

by ଭବେଶ ଚନ୍ଦ୍ର କର
August 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଅଗଷ୍ଟ ୨୦୨୬ ଏହା ଭିତରେ ମୋ ପୁଅ ସୁରଥ କେତେବେଳେ ଦୁଇବର୍ଷ ର ହୋଇଗଲାଣି ଜଣା ପଡ଼ିଲା ନାହିଁ। ଏବେ...

Read more
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.