• About
  • Contact
Tuesday, March 17, 2026
Tuesday, March 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

‘ବନ୍ଦେ ଉତ୍କଳ ଜନନୀ’ ଦେଶର ଶ୍ରେଷ୍ଠ ରାଜ୍ୟ ସଙ୍ଗୀତ

‘ବନ୍ଦେ ଉତ୍କଳ ଜନନୀ’ ଦେଶର ଶ୍ରେଷ୍ଠ ରାଜ୍ୟ ସଙ୍ଗୀତ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୯ ଡିସେମ୍ବର ୨୦୨୫

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ଦେଶାତ୍ମବୋଧକ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ହେଉଛି ଦେଶର ସର୍ବଶ୍ରେଷ୍ଠ ପ୍ରାଦେଶିକ ବା ରାଜ୍ୟ ସଙ୍ଗୀତ। ଏଭଳି ମନ୍ତବ୍ୟ ଦେଇଥିଲେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ପ୍ରଧାନ ବିଚାରପତି ହୁମାୟନ କବୀର୍ । ସୁପ୍ରିମ କୋର୍ଟର ଚିଫ ଜଷ୍ଟିସ ଥିବାବେଳେ ସ୍ବର୍ଗତ କବୀର୍ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେବାଲାଗି ଏକାଧିକ ଥର କଟକ ସହରକୁ ଆଗମନ କରିଥିଲେ। ସେହିସବୁ କାର୍ଯ୍ୟକ୍ରମର ପ୍ରାରମ୍ଭିକ ସଙ୍ଗୀତଭାବେ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କାଳରେ ସେ ଅଭିଭୂତ ହୋଇ ଯାଇଥିଲେ। ସେହି ସଙ୍ଗୀତର ଶ୍ରୁତିମଧୁର ଶବ୍ଦ ବିନ୍ୟାସ, ସୁଲଳିତ ସ୍ଵର, ଉତ୍କଳ ଜନନୀର ମହନୀୟ ବର୍ଣ୍ଣନା ଅତ୍ୟନ୍ତ ଅନନ୍ୟ ଏବଂ ତାହା ଅନ୍ୟ ସମସ୍ତ ପ୍ରାଦେଶିକ ସଙ୍ଗୀତ ଠାରୁ ଯଥେଷ୍ଟ ଉତ୍କୃଷ୍ଟ ବୋଲି ସେ ତାଦନିନ୍ତନ କଟକ ଜିଲ୍ଲାପାଳ ତଥା ବର୍ତ୍ତମାନର ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ଏସ.ଏନ. ଗିରିଶଙ୍କୁ ଜଣାଇଥିଲେ।

ଉତ୍କଳର ଜୟଗାନ ଭିତରେ କାନ୍ତକବିଙ୍କର ଜାତୀୟତା ଭାବ ଉତ୍କୀର୍ଣ୍ଣ ହୋଇଛି। ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତର ହୃଦୟସ୍ପର୍ଶୀ ଭାଷା ବିନ୍ୟାସ ଏବଂ ସ୍ଵଚ୍ଛନ୍ଦ ଭାବ ପ୍ରକାଶ ଉତ୍କଳର ପ୍ରକୃତି, ସାଗର, ନଦୀ, ଗିରିବନ, ମନ୍ଦିର, ଝରଣା, କଳା, ଭାସ୍କର୍ଯ୍ୟ, କୃଷି, ବିଜ୍ଞାନ, ମୁନିଋଷି, କବିକୁଳଙ୍କ ମହିମା ଗାନରେ ମୁଖରିତ।

ଦେଶକୁ ପରାଧିନତାରୁ ମୁକ୍ତ କରିବା ଲାଗି ଭାରତବାସୀ ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ କରୁଥିବାବେଳେ ଓଡିଶାବାସୀଙ୍କୁ ସେତେବେଳେ ଏକକାଳୀନ ଦୁଇଟି ଯୁଦ୍ଧ ଲଢ଼ିବାକୁ ପଡ଼ିଥିଲା। ଗୋଟିଏ ଦେଶମାତୃକାର ସ୍ଵାଧୀନତା ପାଇଁ ଉଦ୍ଧିଷ୍ଟ ହୋଇଥିବାବେଳେ ଅନ୍ୟଟି ସ୍ଵତନ୍ତ୍ର ରାଜ୍ୟ ଗଠନ ଲାଗି ଅଭିପ୍ରେତ ଥିଲା। “ଓଡ଼ିଆ ଏକଟା ଭାଷା ନଏଁ” ବୋଲି ପଡୋଶୀ ରାଜ୍ୟରୁ ଯେତେବେଳେ ଜୋରଦାର ଆବାଜ ଉଠିଲା, ସେତେବେଳେ ଓଡ଼ିଆ ଭାଷାର ସୁରକ୍ଷା ତଥା ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଏକତ୍ରିକରଣ ମୁଖ୍ୟ କର୍ତ୍ତବ୍ୟରେ ପରିଣତ ହୋଇଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସ ଉତ୍କଳ ସମ୍ମିଳନୀ ମାଧ୍ୟମରେ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ପ୍ରକ୍ରିୟାକୁ ତ୍ଵରାନିତ କରିଥିଲେ। ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ରାଧାନାଥ ରାୟଙ୍କ ଭଳି ଯଶସ୍ଵୀ ସାରସ୍ଵତ ସାଧକ ଶାଣିତ ଲେଖନୀ ଚାଳନା କରି ଓଡ଼ିଆ ଅସ୍ମିତାକୁ ରକ୍ଷା କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଯେଉଁ ପ୍ରଥିତଯଶା ସାହିତ୍ୟିକ ସେମାନଙ୍କ ବଳିଷ୍ଠ ଲେଖନୀ ଚଳାଇ ଉଗ୍ର ଉତ୍କଳୀୟ ମନୋଭାବ ଜାଗ୍ରତ ମାଧ୍ୟମରେ ସ୍ଵତନ୍ତ୍ର ରାଜ୍ୟ ଗଠନ କାର୍ଯ୍ୟକ୍ରମକୁ ଗତିଶୀଳ କରିଥିଲେ, କାନ୍ତକବି ସେମାନଙ୍କ ଭିତରେ ଅନ୍ୟତମ ଥିଲେ।

କାନ୍ତକବିଙ୍କ ଜାତୀୟତାବୋଧ ସ୍ପନ୍ଦିତ ଆତ୍ମାର କମ୍ପନ ଗଙ୍ଗା ଓ ଯମୁନାର ଧାରାପରି ଉତ୍କଳୀୟତା ଏବଂ ମହାଭାରତୀୟତା ଭାବ ସମ୍ବଳିତ ସଙ୍ଗୀତ ଭିତରେ ଅଭିବ୍ୟକ୍ତି ଲାଭ କରିଛି। ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ୧୯୦୮ ମସିହାରେ ପୁରୀଠାରେ ଉତ୍କଳ ସମ୍ମିଳନୀ ମଞ୍ଚରେ ପ୍ରଥମେ ପରିବେଷଣ ସମୟରେ ତାହା ଶ୍ରୋତାଙ୍କ ପ୍ରାଣରେ ବିପୁଳ ରୋମାଞ୍ଚ ଓ ଉନ୍ମାଦନା ସୃଷ୍ଟି କରିଥିଲା। ସେଥିନେଇ ନିଜର ପ୍ରତିକ୍ରିୟାରେ ଓଡ଼ିଆ ଜାତୀୟ ଜୀବନର ଅନ୍ୟତମ ପୁରୋଧା ସ୍ବାମୀ ବିଚିତ୍ରାନନ୍ଦ ଦାସ କହିଥିଲେ, “ମୋର ହୃଦୟ ସେଦିନ ଭାବ ରସରେ ମୁଗ୍ଧ ହୋଇ ଯାଇଥିଲା। ସମସ୍ତ ହୃଦୟରେ ହୋଇଥିଲା ଅପୂର୍ବ ଭାବ ରସର ସଂଚାର।”

ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ଆନ୍ଦୋଳନ ଏବଂ ସ୍ଵାଧୀନତା ସଂଗ୍ରାମ କ୍ଷେତ୍ରକୁ କାନ୍ତକବି ଓ ତାଙ୍କ ପରିବାରର ଥିଲା ଅତୁଳନୀୟ ଅବଦାନ। ସେତେବେଳେ କାନ୍ତକବିଙ୍କ ଜ୍ୱାଳାମୟୀ ସଙ୍ଗୀତର ଉଦଘୋଷଣା ସାଧାରଣ ଜନତା ପ୍ରାଣରେ ଉତ୍କଳୀୟ ଓ ମହାଭାରତୀୟତାର ଉଦ୍ଦୀପନା ସୃଷ୍ଟି କରିଥିଲା। ତାଙ୍କ ଦେଶାତ୍ମବୋଧକ ସଙ୍ଗୀତ ଗୁଡିକରେ ଜାତୀୟ ଚେତନାର ଗୁରୁଗମ୍ଭୀର ସ୍ୱର ଏତେ ତୀବ୍ର ଥିଲା ଯେ , ଯୁବ ସମାଜ ଜାତୀୟ ସଂଗ୍ରାମର ବହ୍ନି ବଳୟ ମଧ୍ୟକୁ ଲମ୍ଫ ପ୍ରଦାନ କରିଥିଲେ।

କାନ୍ତକବିଙ୍କ ଅଦମ୍ୟ ଜାତୀୟତା ପ୍ରୀତିକୁ ସମ୍ମାନ ଜଣାଇ ଓଡ଼ିଶାର ଅନ୍ୟତମ ଜନନାୟକ ଡଃ ହରେକୃଷ୍ଣ ମହତାବ ସମ୍ବର୍ଦ୍ଧନା ଉପଲକ୍ଷେ ତାଙ୍କ ଅଭିନନ୍ଦନ ପତ୍ରରେ ଉଲ୍ଲେଖ କରିଥିଲେ, “ଆପଣଙ୍କ ଚିନ୍ତା, ଆପଣଙ୍କ ଜାତୀୟତା,ଆପଣଙ୍କ ଲେଖାବଳୀ ଆମ୍ଭମାନଙ୍କୁ ନିରାଶାରେ ଆଶା ଦେଇଛି……. ଶତ ଶତ ଦେଶବାସୀଙ୍କ ସହ ମୁଁ ମଧ୍ୟ ଆପଣଙ୍କୁ ଶ୍ରଦ୍ଧା ଓ ଭକ୍ତି କରେ। ଆପଣଙ୍କ ଜାତୀୟ ସଙ୍ଗୀତ ମୋ ପରି ବହୁ ତରୁଣ ହୃଦୟରେ ସ୍ପନ୍ଦନ ଆଣି ଦେଇଛି।”

ବାଲେଶ୍ବରରେ ୧୯୧୨ ମସିହାରେ ଉତ୍କଳ ସମ୍ମିଳନୀର ସ୍ଵତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ସେଥିରେ ସମ୍ମିଳନୀର ଆବହନୀ ସଙ୍ଗୀତ ରୂପେ “ବନ୍ଦେ ଉତ୍କଳ ଜନନୀ”କୁ ଗ୍ରହଣ କରାଯାଇଥିଲା। ଏଭଳି ଉଚ୍ଚକୋଟିର ଦେଶାତ୍ମବୋଧକ ସଙ୍ଗୀତ ରଚନା ପାଇଁ ସେଥିରେ ଉପସ୍ଥିତ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସ କାନ୍ତକବିଙ୍କୁ “ଛେଲେର ମତନ ଛେଲେ” ବୋଲି କହି ଆଶୀର୍ବାଦ ପ୍ରଦାନ କରିଥିଲେ ।

୧୯୨୧ ମସିହାର ଭଦ୍ରକ ସହରର କୁଆଁସ ପଡ଼ିଆରେ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏବଂ କାନ୍ତ କବିଙ୍କ ରଚିତ ‘ଉଡ଼ାଇ ନିଶାଣ ବଜାଇ ଭେରି – ଜଗାଇ ବିଗୁଲ ପୁଲକ୍ କମ୍ପ, ମନ୍ତ୍ରପୂତ ଅନଳ ଭେଦି – ଏ ଜାତି ଯେଦିନ ଦେଲାରେ ଲମ୍ଫ’ ଗୀତ ତାର ଅବହାନି ସଙ୍ଗୀତ ରୂପେ ଗାନ କରାଯାଇଥିଲା। ଉପସ୍ଥିତ ଶ୍ରୋତା ସେହି ସଙ୍ଗୀତରେ ଏଭଳି ଉଦବୁଦ୍ଧ ହୋଇଥିଲେ ଯେ, ସେମାନେ ବିପ୍ଳବ ବହ୍ନିରେ ଝାସ ଦେବେ ବୋଲି ଆଗ୍ନେୟ ଶପଥ ନେଇଥିଲେ। ସଭାରେ ଅଧ୍ୟକ୍ଷତା କରୁଥିବା ଦାସେ ଆପଣେ ଉତ୍କଳମଣି ଗୋପବନ୍ଧୁ ଦାସ “କି ଗୀତ ଲେଖୁଛୁରେ ନଖି (ଲକ୍ଷ୍ମୀକାନ୍ତଙ୍କ ଡାକ ନାମ) ବୋଲି କହି କାନ୍ତକବିଙ୍କୁ କୁଣ୍ଢାଇ ପକାଇଥିଲେ।

ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟ, ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଯୁଧିଷ୍ଠିର ଦାସ ଓ ଶରତ କୁମାର କର କାନ୍ତକବିଙ୍କ ସ୍ମୃତି ଚାରଣ କରି ‘ବନ୍ଦେ ଉତ୍କଳ ଜନନୀ’ ଏବଂ ‘ସବୁଥିରୁ ବଞ୍ଚିତ କରି’ ସେମାନଙ୍କ ପ୍ରାଣର ସଙ୍ଗୀତ ବୋଲି ଉଲ୍ଲେଖ କରିଥିଲେ। ସେହିପରି କାନ୍ତକବିଙ୍କ ବିୟୋଗରେ ସ୍ଵଗତୋକ୍ତି କରି ସେତେବେଳର ଉଦ୍ଦୀୟମାନ ଯୁବ ସାହିତ୍ୟିକ କାଳିନ୍ଦୀ ଚାରଣ ପାଣିଗ୍ରାହୀ ଦର୍ଶାଇଥିଲେ, ‘ବନ୍ଦେ ଉତ୍କଳ ଜନନୀ’ ହେଉଛି ଓଡ଼ିଶାର ସର୍ବଶ୍ରେଷ୍ଠ ଜାତୀୟ ସଙ୍ଗୀତ।

କାନ୍ତକବିଙ୍କ ପରିବାରର ଅନ୍ୟ ଏକ ବୈଶିଷ୍ଟ୍ୟ ହେଉଛି, ତାଙ୍କ ପ୍ରୋରଚନାରେ ପରିବାରର ତିନି ପିଢ଼ିର ବିପୁଳ ସଂଖ୍ୟକ ସଦସ୍ୟ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇ କାରାବରଣ କରିଥିଲେ। ଇଂରେଜ ଶାସକଙ୍କ ବର୍ବରୋଚିତ ଅତ୍ୟାଚାରର ଶିକାର ହୋଇ କାନ୍ତକବିଙ୍କ ଦୁଇ ସାନ ଭାଇ ଓ ଜଣେ ସାନ ଭଉଣୀ ଅସମୟରେ ଅତି ଅଳ୍ପ ବୟସରେ ମୃତ୍ୟୁବରଣ କରିଥିଲେ।

ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ କାନ୍ତକବି ଆଦ୍ୟ ଯୌବନରୁ ହିଁ ଶଯ୍ୟାଶାୟୀ ହୋଇ ପଡ଼ିଥିଲେ। ତେବେ ତାଙ୍କ ଜ୍ଵଳାମୟୀ ଲେଖନୀ ଚାଳନା ସାଧାରଣ ଜନତାଙ୍କୁ ସଦା ସର୍ବଦା ଗଭୀର ଭାବରେ ଉଦବୁଦ୍ଧ କରିଥିଲା। କେତକ ସମୟରେ ସ୍ରଷ୍ଟା ଠାରୁ ସୃଷ୍ଟି ଅଧିକ ଦୀପ୍ତିମାନ ହୋଇଥାଏ। କାନ୍ତକବିଙ୍କ କ୍ଷେତ୍ରରେ ମଧ୍ୟ ତାହା ସଂଗଠିତ ହୋଇଛି। ତାଙ୍କର ଅମ୍ଳାନ ସୃଷ୍ଟି “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ପ୍ରତ୍ୟେକ ଓଡ଼ିଆ ପ୍ରାଣରେ ଜାତୀୟତାର ସ୍ପନ୍ଦନ ସୃଷ୍ଟି କରି କାନ୍ତକବିଙ୍କୁ ଅମର କରି ରଖିଛି ଓ ରଖିବ ମଧ୍ୟ। ଜନ୍ମ ଜୟନ୍ତୀ ଅବସରରେ ସେହି ମହାନ୍ ଦେଶଭକ୍ତ କାନ୍ତକବିଙ୍କୁ ହୃଦୟର ଗଭୀରତମ ପ୍ରଦେଶରୁ ପ୍ରଣାମ ଜଣାଉଛି।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡୀ ଭୂୟାଁ (ଭାଗ ୭୩)

by ଭବେଶ ଚନ୍ଦ୍ର କର
March 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ମାର୍ଚ୍ଚ ୨୦୨୬ ସନ୍ଧ୍ୟା ହେଲା କିନ୍ତୁ ମନ୍ମଥ ଜଙ୍ଗଲରୁ ନ ଫେରିବାରୁ ମନରେ ମୋର ଛନକା ପଶିଲା। କୁଆଡେ ଗଲା...

Read more
ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

March 11, 2026
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
Jay’s Thoughts:Dated Rituals and our unquestioning acceptance of them

Jay’s Thoughts:
Dated Rituals and our unquestioning acceptance of them

February 22, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.