ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୮ ଅପ୍ରେଲ ୨୦୨୩
ସବୁ କିଛି ଘଟିଯାଉଥାଏ
ଅଚାନକ
ଅଚାନକ ଫେରିଯାଆନ୍ତି ଦାମ ହୋତା ଓ
ଲତା ଦିଦି ଏକାଠି ଏକା ଗାଡ଼ିରେ ଚୁପଚାପ୍
ଫେରିଯାଏ ମୋର ଗତ ଦୁଇ ଦଶନ୍ଧିର ସାଥୀ
ଜନି: ଯିଏ ରାଗୁଥିଲା ତାକୁ କୁକୁର କହିଲେ
ବ୍ୟାପୁଥିବା କରୋନା ଥମିଯାଏ ଅଚାନକ
ନିର୍ବାଚନ ଇସ୍ତାହାରରେ
ଚିତାଭସ୍ମରେ ସମୁଦ୍ରରେ ବିଲୀନ ଗାନ୍ଧୀ
ଅଚାନକ ଫେରିଆସନ୍ତି ଦେଖିବାକୁ
କାଶ୍ମୀର ଫିଲ୍ମ ସିନେମା ହଲରେ ମ୍ଯାଟିନି ସୋ’ରେ
ସବୁ କିଛି ବି ବଦଳିଯାଏ
ଅଚାନକ ବିନା ଘୋଷଣାରେ
ଅନ୍ଧମାନେ ପାଲଟିଯାଆନ୍ତି ଭକ୍ତ
ରାମ ମନ୍ଦିରରେ
ମୁର୍ଖମାନେ କୁଳପତି ପାଲଟିଯାଆନ୍ତି
ଜାତୀୟ ବିଶ୍ଵବିଦ୍ୟାଳୟରେ
ତୋପ ଓ କମାଣମାନେ ଚରଖାର ଜାଗା
ଦଖଲ କରି ନିଅନ୍ତି ଜାତୀୟ ପତାକାରେ
ମୁର୍ଦ୍ଦାରମାନେ ପହଞ୍ଚନ୍ତି ଶୋଭାଯାତ୍ରା କରି
ଇଣ୍ଡିଆ ଗେଟରେ
ସବୁ କିଛି ଆଜିକାଲି ଘଟେ ଅଚାନକ
ନିରବରେ ।।