ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୧ ଅପ୍ରେଲ ୨୦୨୪
ସ୍ୱାଧୀନତା ସଂଗ୍ରାମୀ କୃପାସିନ୍ଧୁ ଦାଶ ଆଜୀବନ ବିପ୍ଲବୀ ଥିଲେ । ବୈପ୍ଲବିକ ଚିନ୍ତାଧାରାର ଝଲକ ତାଙ୍କ ଠାରେ ପିଲାଦିନରୁ ହିଁ ପରିଲକ୍ଷିତ ହୋଇଥିଲା । ଜୀବଦ୍ଦଶାରେ ସେ ଏଭଳି କେତେକ ପଦକ୍ଷେପ ଗ୍ରହଣ କରିଥିଲେ, ଯାହାକି ତାଙ୍କୁ ନିଜ ସମୟର ଜଣେ ଅଗ୍ରଣୀ ସତ୍ୟାଗ୍ରହୀର ସମ୍ମାନ ଦେଇଥିଲା । ତେବେ ତାଙ୍କର ସେହି ଦୂରଦୃଷ୍ଟି ସଂପନ୍ନ ପ୍ରଗତିଶୀଳ ବୈପ୍ଲବିକ ଚିନ୍ତାଧାରାକୁ ତଦାନୀନ୍ତନ ସମାଜ ଏବଂ ପରିବାରବର୍ଗ ବୁଝିବା ପାଇଁ ସମର୍ଥ ହୋଇନଥିଲେ । ସେଥିଯୋଗୁଁ ସେ ଜୀବଦ୍ଦଶାରେ ଅନେକ ଭୁଲ ବୁଝାମଣାର ଶୀକାର ହୋଇ ଅକଥନୀୟ ଦୁର୍ଦ୍ଦଶାକୁ ସାମ୍ନା କରିଥିଲେ । ଏହା ସତ୍ତ୍ଵେ ଦୃଢ ମନା କୃପାସିନ୍ଧୁ “ଏକଲା ଚଲୋ” ନୀତି ଆପଣେଇ ଜୀବନର ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ନିଜ ସିଦ୍ଧାନ୍ତରେ ଅଟଳ ରହିଥିଲେ ।
ଓଡିଶାର ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର କୃପାସିନ୍ଧୁ ଥିଲେ ଅନ୍ୟତମ ଧର୍ମ ପୁତ୍ର (ଧରମ ପୁଅ) । କାନ୍ତକବିଙ୍କ ଗାଁ ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ତାଳପଦା ଗ୍ରାମର ଏକ କୁଳୀନ ବ୍ରାହ୍ମଣ ପରିବାରରେ କୃପାସିନ୍ଧୁ ଜନ୍ମ ଗ୍ରହଣ କରିଥିଲେ । ପିଲାଟିଦିନରୁ ହିଁ ସେ କାନ୍ତକବିଙ୍କ ଦ୍ୱାରା ପ୍ରତିଷ୍ଠିତ ଓ ପରିଚାଳିତ ‘ଗୋପୀନାଥ ସଂଗୀତ ସମାଜ’ ଥିଏଟର ପାର୍ଟିର ସଦସ୍ୟ ଥିଲେ । ଗୌର ବର୍ଣ୍ଣ, ସୁନ୍ଦର ଚେହେରା ସହିତ ନୃତ୍ୟ, ସଂଗୀତ ଓ ଅଭିନୟରେ ବିଶେଷ ଆଗ୍ରହ ରଖିଥିବା ଯୋଗୁଁ ସେ କାନ୍ତକବିଙ୍କ ରଚିତ ପୌରାଣିକ ନାଟକଗୁଡିକରେ ‘ରାଧା’ ଭୂମିକାରେ ଅବତୀର୍ଣ୍ଣ ହେଉଥିଲେ । ଏପରିକି ସେହି ଥିଏଟର ପାର୍ଟିର ସଦସ୍ୟ ଭାବରେ ସେ କାନ୍ତକବିଙ୍କ ସହିତ ଆରଡି (ଆଖଣ୍ଡଳମଣି ଧାମ), ପୁରୀ (ଜଗନ୍ନାଥ ଧାମ), ନୀଳଗିରି ପ୍ରଭୃତି ଅଞ୍ଚଳ ଗସ୍ତ କରିଥିଲେ । ଉକ୍ତ ଥିଏଟର ପାର୍ଟିରେ ସାମିଲ ହୋଇଥିବା ଅନ୍ୟ ପିଲାଙ୍କ ଭଳି କୃପାସିନ୍ଧୁ ମଧ୍ୟ କାନ୍ତକବି ଓ ତାଙ୍କ ପତ୍ନୀ ଲବଙ୍ଗଲତାଙ୍କୁ ଯଥାକ୍ରମେ ବାବା ଏବଂ ବୋଉ ବୋଲି ସମ୍ବୋଧନ କରୁଥିଲେ । ଅର୍ଥାତ୍ ପିଲାଟି ଦିନରୁ ହିଁ କୃପାସିନ୍ଧୁ କାନ୍ତକବିଙ୍କ ପରିବାର ସହିତ ଯୋଡ଼ି ହୋଇ ଯାଇଥିଲେ ।
ସ୍ୱାସ୍ଥ୍ୟଗତ କାରଣରୁ କାନ୍ତକବି ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଆନ୍ଦୋଳନ ଏବଂ ସ୍ୱାଧୀନତା ସଂଗ୍ରାମରେ ନିଜେ ସକ୍ରିୟ ଭାବେ ଅଂଶଗ୍ରହଣ କରି ପାରିନଥିଲେ । ମାତ୍ର ନିଜର ଜ୍ୱାଳାମୟୀ ଆଲେଖ୍ୟ ମାଧ୍ୟମରେ ଲୋକଙ୍କ ମନରେ ଉଗ୍ର ଜାତୀୟତା ମନୋଭାବ ଉଦ୍ରେକ କରି ସେ ଉପରୋକ୍ତ ଦୁଇଟି ଯାକ ଆନ୍ଦୋଳନକୁ ବେଶ୍ ତେଜୀୟାନ କରିଥିଲେ । କାନ୍ତକବିଙ୍କ ଉଗ୍ର ଦେଶପ୍ରୀତି କିଶୋର କୃପାସିନ୍ଧୁଙ୍କ ଜୀବନକୁ ଯଥେଷ୍ଟ ପରିମାଣରେ ଆନ୍ଦୋଳିତ କରିଥିଲା । ଫଳରେ କୃପାସିନ୍ଧୁ କିଶୋର ଅବସ୍ଥାରୁ ହିଁ ଜାତୀୟ ଆନ୍ଦୋଳନ ବା ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇ ଯାଇଥିଲେ ।
ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ କୃପାସିନ୍ଧୁ ଲବଣ ସତ୍ୟାଗ୍ରହରେ ଝାସ ଦେଇଥିଲେ । ଆଇନ ଅମାନ୍ୟ ଅଭିଯୋଗରେ ବ୍ରିଟିଶ ସରକାର ତାଙ୍କୁ ବାଲେଶ୍ୱର ଜେଲରେ ବନ୍ଦୀ କରି ରଖିଥିଲେ । ସେହିପରି ଭାରତଛାଡ ଆନ୍ଦୋଳନ ସମୟରେ ସେ ବାନର ସେନା ସଭ୍ୟ ରୂପେ ଅଟକ ବନ୍ଦୀ ହୋଇ ରହିଥିଲେ । ପିଲା ଦିନେ କୃପାସିନ୍ଧୁ ନାମୀଦାମୀ ସଂଗ୍ରାମୀଙ୍କୁ ସୁରକ୍ଷା ଦେବା ପାଇଁ ସେମାନଙ୍କୁ ନିଜ ଘରେ ଲୁଚାଇ ରଖିଥିଲେ । ସେଥି ନିମନ୍ତେ ସେ ନିଜର ଇଷ୍ଟ ଦେବତା ଶ୍ରୀ ଶ୍ରୀ ଗୋପାଳ ଜୀଉଙ୍କୁ ମଧ୍ୟ ସ୍ଥାନାନ୍ତର କରି ଦେଇଥିଲେ । ସନ୍ଥ ବିନୋବା ଭାବେଙ୍କ ଆଦର୍ଶର ଛାପ ମଧ୍ୟ କୃପାସିନ୍ଧୁଙ୍କ ଜୀବନରେ ପରିଲକ୍ଷିତ ହୋଇଥିଲା । ଭୂଦାନ ଆନ୍ଦୋଳନରେ ନିଜକୁ ସାମିଲ କରି ସେ ପରିବାରବର୍ଗଙ୍କ ଇଚ୍ଛା ବିରୁଦ୍ଧରେ ପୈତୃକ ଭୂସମ୍ପତ୍ତିର କିଛି ଭାଗ ହରିଜନମାନଙ୍କୁ ଦାନ କରି ଦେଇଥିଲେ ।
ସ୍ୱାଧୀନତା ସଂଗ୍ରାମ କାଳରେ କୃପାସିନ୍ଧୁ ବିପ୍ଲବୀ ଭୂମିକା ନିର୍ବାହ କରି ଗାନ୍ଧିଜୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମ ଗୁଡିକରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଅସୃଶ୍ୟତା ନିବାରଣ, ନିଶାମୁକ୍ତି ଅଭିଯାନ, ଯୌତୁକ ନିରୋଧ, ଖଦୀର ପ୍ରସାର, ସର୍ବୋଦୟ କାର୍ଯ୍ୟକଳାପ ଭଳି ରଚନାତ୍ମକ କାର୍ଯ୍ୟରେ ସେ ନିଜକୁ ବ୍ୟାପୃତ ରଖିଥିଲେ । ତେବେ ପରିବାର ପ୍ରତିପୋଷଣ ପାଇଁ କୃପାସିନ୍ଧୁ ଧାନ ଚାଷ, ଗୋପାଳନ, ମହୁମାଛି ଚାଷ, ତେଜରାତି ଦୋକାନ ଭଳି କାର୍ଯ୍ୟପନ୍ଥାକୁ ଆପଣେଇ ନେଇଥିଲେ । ଏସବୁ ସତ୍ତ୍ଵେ ସଂଗୀତ ପାଇଁ ତାଙ୍କ ମନରେ ଅହେତୁକ ଦୁର୍ବଳତା ଥିଲା । ତେଣୁ ପରିଣତ ବୟସରେ ମଧ୍ୟ ସେ ହାରମୋନିୟମ ବଜାଇ କାନ୍ତ ସଂଗୀତ ଗାନ କରୁଥିଲେ । ତାଳପଦା ଗ୍ରାମର ଉଭୟ ବାଳକ ଓ ବାଳିକା ବିଦ୍ୟାଳୟରେ ସେ ବହୁ ବର୍ଷ ଧରି ଅବୈତନିକ ସଂଗୀତ ଶିକ୍ଷକ ଭାବରେ କାର୍ଯ୍ୟ ସଂପାଦନ କରିଥିଲେ ।
କୃପାସିନ୍ଧୁ ମୋ ବାପା (କାନ୍ତକବିଙ୍କ କନିଷ୍ଠ ପୁତ୍ର ଗୌରଚନ୍ଦ୍ର)ଙ୍କ ଠାରୁ ବୟସରେ ବଡ ଥିଲେ । ତେଣୁ ଆମେ ସବୁ ଭାଇ ଭଉଣୀ ତାଙ୍କୁ ‘କୃପା ବଡବା’ ବୋଲି ସମ୍ବୋଧନ କରୁଥିଲୁ । ପିଲାଦିନେ ମୁଁ ଭୁବନେଶ୍ୱରରେ ପାଠ ପଢୁଥିଲି ଓ ଖରାଦିନ ଛୁଟିରେ ଗାଁକୁ ଯାଉଥିଲି । ସେତେବେଳେ ପ୍ରତ୍ୟେକ ସଂଧ୍ୟାରେ ଆମ ଘରେ କାନ୍ତ ସଂଗୀତ ଆସର ଅନୁଷ୍ଠିତ ହେଉଥିଲା । ସଂଧ୍ୟା ସମୟରେ କୃପା ବଡବା ଆମ ଘରେ ପହଞ୍ଚି ଯାଉଥିଲେ ଓ ଆମେ ଭାଇଭଉଣୀମାନେ କାନ୍ତକବିଙ୍କ ରଚିତ ଗୀତ ବା କାନ୍ତ ସଂଗୀତ ସବୁ ଗାନ କରୁଥିଲୁ । କୃପା ବଡବା ହାରମୋନିୟମରେ ସ୍ୱର ଦେଇ ପ୍ରଥମେ ଗୀତର ଗୋଟିଏ ପଦ ବୋଲିବା ପରେ ଆମେମାନେ ତା’ର ପାଳି ଧରୁଥିଲୁ । ଆମେ ଗୀତ ବୋଲିବାରେ ସାମାନ୍ୟ ଭୁଲ୍ କଲେ, ତାହା ସଠିକ୍ ନହେବା ପର୍ଯ୍ୟନ୍ତ ସେ ସଂଶୋଧନ କରି ଚାଲୁଥିଲେ । ଏଥିରେ କେବେହେଲେ ତାଙ୍କର ଧୈର୍ଯ୍ୟଚ୍ୟୁତି ଘଟୁନଥିଲା ବରଂ କାନ୍ତ ସଂଗୀତ ପରିବେଷଣ କାଳରେ ସେ ଗଭୀର ଭାବରେ ତନ୍ମୟ ହୋଇ ଯାଉଥିଲେ । ସଂଗୀତ ଆସରର ମଧ୍ୟାନ୍ତର ବା ବିରତି ସମୟରେ କୃପା ବଡବା ତାଙ୍କ ସଂଗ୍ରାମୀ ଜୀବନର ଅନେକ ଅଙ୍ଗେନିଭା କଥା ଆମମାନଙ୍କୁ ଶୁଣାଉଥିଲେ । ଥରେ ସେ କହିଥିଲେ – ଜାତୀୟ ଆନ୍ଦୋଳନ ସମୟରେ କଂଗ୍ରେସ ବାର୍ତ୍ତା ପ୍ରଚାର ପାଇଁ ଗୋପବନ୍ଧୁ ଚୌଧୁରୀ, ରମା ଦେବୀ ଓ ହରେକୃଷ୍ଣ ମହାତାବ ବାବା (କାନ୍ତକବି)ଙ୍କୁ ସାକ୍ଷାତ କରିବା ଲାଗି ତାଳପଦା ଗ୍ରାମକୁ ଆସିଥିଲେ । ସେହି ପରିପ୍ରେକ୍ଷୀରେ ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ଲାଗି କାନ୍ତକବି ଗାଁରେ ଗୋଟିଏ ସଭାର ଆୟୋଜନ କରିଥିଲେ । ଉକ୍ତ ସମ୍ବର୍ଦ୍ଧନା ସଭାଟି ଏକ ପ୍ରାରମ୍ଭିକ ସଂଗୀତରୁ ହିଁ ଆରମ୍ଭ ହୋଇଥିଲା, ଯାହାକୁ କାନ୍ତକବି ତତ୍କ୍ଷଣାତ୍ ଲେଖି ସ୍ୱର ସଂଯୋଜନା କରିଥିଲେ । କାନ୍ତକବିଙ୍କ ଗ୍ରନ୍ଥାବଳୀ “କାନ୍ତ ସାହିତ୍ୟମାଳା”ରେ ତାଙ୍କର ଅନେକ ଲେଖା ସ୍ଥାନ ପାଇନଥିବା ଭଳି ସେହି ପ୍ରାରମ୍ଭିକ ସଂଗୀତଟି ମଧ୍ୟ ସ୍ଥାନିତ ହୋଇପରିନାହିଁ । ତେବେ ମୋର ସାନ ଭାଇ ଗୋପୀକଲ୍ୟାଣ ଉକ୍ତ ସଂଗୀତ ଓ ତା’ର ସ୍ୱରକୁ ଏବେବି ମନେ ରଖିଛି । ଏହି ଅବସରରେ ଗୋଟିଏ କୌତୁକପ୍ରଦ ଘଟଣା ଘଟିଥିଲା, ଯାହାକୁ କୃପା ବଡବା ଆମକୁ ଅନେକ ଥର କହିଥିଲେ । ତାହା ହେଉଛି ରମା ଦେବୀଙ୍କୁ କେହି ଜଣେ ପ୍ରଶ୍ନ ପଚାରିଥିଲେ ‘ଆପଣ ଗାନ୍ଧିଜୀ ଓ ସ୍ୱାମୀ ଗୋପବନ୍ଧୁ ଚୌଧୁରୀଙ୍କ ମଧ୍ୟରୁ କାହାକୁ ବେଶୀ ଭଲ ପାଆନ୍ତି?’ ଭୁଆଶୁଣୀ ଅର୍ଥାତ୍ ସଦ୍ୟ ବିବାହିତା ରମା ଦେବୀ ଏହି ଜଟିଳ ପ୍ରଶ୍ନର ସଂକ୍ଷିପ୍ତ ସରଳ ଉତ୍ତରଟିଏ ଦେଇଥିଲେ । ଗୋପବନ୍ଧୁ ଚୌଧୁରୀଙ୍କ ପିଠିରେ ସେ ‘ସେବା’ ବୋଲି ନିଜ ହାତରେ ଲେଖି ଦେଇଥିଲେ । ଏହାର ଅର୍ଥ ହେଉଛି, ‘ସେବା’କୁ ହିଁ ସେ ସବୁଠାରୁ ଅଧିକ ଭଲ ପାଆନ୍ତି ।
ସେହିପରି ପୁରୀ ଠାରେ ସଂଘଟିତ ଅନ୍ୟ ଏକ ମଜା ଘଟଣା ସଂପର୍କରେ ମଧ୍ୟ କୃପା ବଡବା ଅବତାରଣା କରୁଥିଲେ । ସେହି ଘଟଣାଟି ଏହିପରି – କାନ୍ତକବିଙ୍କ ଥିଏଟର ପାର୍ଟି ଏକଦା ପୁରୀ ଠାରେ ନାଟକ ପରିବେଷଣ କରୁଥିଲା । ପୁରୀ ଅବସ୍ଥାନ କାଳରେ କାନ୍ତକବି ଲକ୍ଷ୍ୟ କରିଥିଲେଯେ, ପୁରୀରେ ପହଞ୍ଚୁଥିବା ତୀର୍ଥ ଯାତ୍ରୀମାନେ ମଶା, ମୂଷା, ମହନ୍ତ ଓ ପଣ୍ଡା ପ୍ରଭୃତିଙ୍କ ଦ୍ୱାରା ଅକଥନୀୟ ଶୋଷଣର ଶିକାର ହେଉଛନ୍ତି । ତେଣୁ ବ୍ୟଙ୍ଗୋକ୍ତି ଛଳରେ କାନ୍ତକବି ‘ଅଜବ ସହର ପୁରୀରେ ଭାଇ, ଅଜବ ସହର ପୁରୀ’ ସଂଗୀତଟି ସେଠାରେ ରଚନା କରି ନାଟକରେ ପରିବେଷଣ କରିଥିଲେ । ଫଳରେ ପୁରୀ ସହରବାସୀଙ୍କ ମନରେ ସେଥିନେଇ ତୀବ୍ର ପ୍ରତିକ୍ରୟା ସୃଷ୍ଟି ହୋଇଥିଲା । ଏହିପରି ଅନେକ ଅଙ୍ଗେନିଭା ଘଟଣାର ଅବତାରଣା କରି କୃପା ବଡବା ଆମମାନଙ୍କର ମନ ମୋହି ନେଉଥିଲେ ।
କୃପାସିନ୍ଧୁଙ୍କ ସଂଗୀତ ଗାନ ଓ ପିଲାମାନଙ୍କୁ ସଂଗୀତ ଶିକ୍ଷାଦାନ ନିଶା କେତେ ପ୍ରଖର ଥିଲା, ତାହା ନିମ୍ନଲିଖିତ ଘଟଣାର ଅବତାରଣାରୁ ହିଁ ସ୍ପଷ୍ଟ ପ୍ରତୀୟମାନ ହୁଏ । କାନ୍ତ ସଂଗୀତର ପ୍ରଚାର ପ୍ରସାର ପାଇଁ ମୋ ବାପା ମଝିରେ ମଝିରେ ଆମ ଗାଁ ତାଳପଦା ପାଶ୍ୱବର୍ତ୍ତୀ ଗ୍ରାମମାନଙ୍କରେ ସଂଗୀତ ଆସରର ଆୟୋଜନ କରୁଥିଲେ । ମାସରେ ଥରେ ଦୁଇଥର ସଂଧ୍ୟା ସମୟରେ ହିଁ ସେହି ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ସେଥିପାଇଁ ପ୍ରାୟ ସପ୍ତାହେ ପୂର୍ବରୁ ସଂପୃକ୍ତ ଗ୍ରାମର ମୁରବୀମାନଙ୍କୁ ଖବର ଦିଆଯାଉଥିଲା ଏବଂ ସେମାନେ ସ୍ଥାନ, ସମୟ ପ୍ରଭୃତି ନିରୂପଣ କରୁଥିଲେ । ଆମ ଘରୁ ହାରମୋନିୟମ, ଡୋଗି/ତବଲା, ମୃଦଙ୍ଗ ପ୍ରଭୃତି ବାଦ୍ୟଯନ୍ତ୍ର ସଂପୃକ୍ତ ସ୍ଥାନକୁ ବୁହାହୋଇ ଯାଉଥିଲା । କୃପା ବଡବା, ମୋ ସାନଭାଇ ମାନଙ୍କ ସହିତ ସଂଗୀତରେ ରୁଚି ରଖିଥିବା ଆମ ଗାଁର ଆଉ କିଛି ଯୁବକମାନଙ୍କୁ ଧରି ସମ୍ପୃକ୍ତ ଗ୍ରାମକୁ ଯାଉଥିଲେ ଏବଂ ରାତ୍ରୀର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ସଂଗୀତ ପରିବେଷଣ କରୁଥିଲେ । ଏହିସବୁ ସଂଗୀତ ଆସର କାର୍ଯ୍ୟକ୍ରମରେ କୃପା ବଡବା ହିଁ ମୁଖ୍ୟ ଭୂମିକା ନିର୍ବାହ କରୁଥିଲେ । କାରଣ କୃପା ବଡବା ହାରମୋନିୟମ ବଜାଇ ପ୍ରଥମେ କାନ୍ତ ସଂଗୀତ ଆରମ୍ଭ କରିବା ପରେ ପିଲାମାନେ ସେହି ସ୍ୱରରେ ପାଳି ଧରି ତା’ର ପୁନରାବୃତ୍ତି କରୁଥିଲେ । ଏହି ସଂଗୀତ କାର୍ଯ୍ୟକ୍ରମ ପାଇଁ ପରିଣତ ବୟସରେ ମଧ୍ୟ କୃପା ବଡବାଙ୍କ ଯୁବ ସୁଲଭ ଉଦ୍ଧମତା ଯିଏ ଦେଖିଛି, ସିଏ ହିଁ କେବଳ ଅନୁଭବ କରିପାରିବ ସଂଗୀତ ପ୍ରତି ତାଙ୍କର ନିଷ୍ଠା । କାରଣ ରାତ୍ରୀର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ସଂଗୀତ ଆସର ଚାଲିଥିଲେ ମଧ୍ୟ ସେ କ୍ଳାନ୍ତ ହେଉନଥିଲେ ଏବଂ ଭୋକ, ଶୋଷ ମଧ୍ୟ ଭୁଲି ଯାଉଥିଲେ ।
୧୯୦୮ ମସିହା ରାକ୍ଷୀ ପୂର୍ଣ୍ଣିମା ଦିନ ଜୟକୃଷ୍ଣ ଦାଶ ଓ ସାବିତ୍ରୀ ଦେବୀଙ୍କ କୋଳମଣ୍ଡନ କରିଥିଲେ କୃପାସିନ୍ଧୁ । ତେବେ ପିଲାଟି ଦିନରୁ ସେ ତାଙ୍କର ପିତା ଜୟକୃଷ୍ଣଙ୍କୁ ହରାଇଥିଲେ । କାରଣ ଜୟକୃଷ୍ଣ କଳାବସନ୍ତ ରୋଗରେ ସଂକ୍ରମିତ ହୋଇ ଆକସ୍ମିକ ମୃତ୍ୟୁବରଣ କରିଥିଲେ । ତେଣୁ ଜେଜେ ବାପା ବନମାଳୀ ଓ ବିଧବା ନିଃସନ୍ତାନ ପିଉସୀ ମୂଷୀନାନୀଙ୍କ ତତ୍ତ୍ୱାବଧାନରେ ହିଁ କୃପାସିନ୍ଧୁ ପ୍ରତିପାଳିତ ହୋଇଥିଲେ । ଅଠର ବର୍ଷ ବୟସରେ ସେ ମଉଦା ଗ୍ରାମନିବାସୀ ଶ୍ରୀକୃଷ୍ଣ ଦାଶଙ୍କ ଜେଷ୍ଠା କନ୍ୟା ସୁଲୋଚନାଙ୍କୁ ବିବାହ କରିଥିଲେ । କନ୍ୟା ଶାନ୍ତିଲତା ପତିଙ୍କ ଦୋଳସାହିସ୍ଥିତ ବାସଭବନରେ ଅବସ୍ଥାନ କାଳରେ ସେ ୧୯୯୭ ମସିହାରେ ପ୍ରାଣତ୍ୟାଗ କରିଥିଲେ । ତାଙ୍କର ପାର୍ଥିବ ଶରୀରକୁ ମୋର ସାନ ଭାଇ ବାଣୀକଲ୍ୟାଣ ଆତ୍ମୀୟ ସ୍ୱଜନ ଓ ଗ୍ରାମାବାସୀଙ୍କ ସହଯୋଗରେ ଆମ ଗ୍ରାମ ତାଳପଦାକୁ ଆଣି ସମ୍ମାନର ସହିତ ସଂସ୍କାର କରିଥିଲେ ।
ଦେଶର ସ୍ୱାଧୀନତା, ସମାଜ ସଂସ୍କାର ଏବଂ ସଂଗୀତ ଲାଗି ସମଗ୍ର ଜୀବନ ଉତ୍ସର୍ଗ କରିଥିବା ଏହି ବିପ୍ଳବୀ ଆଜି ବିସ୍ମୃତି ଗର୍ଭରେ ଲୀନ ହୋଇ ଯାଇଛନ୍ତି । କାରଣ ଅନେକ ବରପୁତ୍ରଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀ କୃପାସିନ୍ଧୁ ଦାଶଙ୍କ ସ୍ମୃତି ରକ୍ଷା ଲାଗି ଅଦ୍ୟାବଧି ଯଥୋଚିତ ଉଦ୍ୟମ ହୋଇନାହିଁ । ସେହି ପୁଣ୍ୟାତ୍ମାଙ୍କ ସ୍ମୃତି ପ୍ରତି ହୃଦୟର ଗଭୀରତମ ପ୍ରଦେଶରୁ ଶ୍ରଦ୍ଧାଞ୍ଜଳି ଜଣାଉଛି ।