• About
  • Contact
Saturday, February 14, 2026
Saturday, February 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ବିସ୍ମୃତ ନାରୀନେତ୍ରୀ : ଜାହ୍ନବୀ ଦେବୀ

ବିସ୍ମୃତ ନାରୀନେତ୍ରୀ : ଜାହ୍ନବୀ ଦେବୀ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୫ ଅଗଷ୍ଟ ୨୦୨୩

ସେଦିନ ଇନ୍ଦ୍ର ଭୂମିକାରେ ନିଖୁଣ ଅଭିନୟ କରି ସମଗ୍ର ଭଦ୍ରକ ସହରରେ ପ୍ରଶଂସା ସାଉଁଟିଥିଲା କୋମଳମତି ସ୍କୁଲ ଛାତ୍ରଟିଏ । କିନ୍ତୁ ପାଠ ପଢାରେ ଅମନଯୋଗୀ ହୋଇ ଥିଏଟରରେ ଅଧିକ ସମୟ ବିତାଉ ଥିବାରୁ ସେ ବାପାଙ୍କ ଠାରୁ କଠୋର ଶାସ୍ତି ପାଇଥିଲା । ଦଣ୍ଡ ବିଧାନ ପରେ ସେହି କୋମଳମତି ଛାତ୍ରଟି କାନ୍ଦୁଥିବା ବେଳେ ତା’ର ଅଲିଅଳ ସୁନାନାକି ସାନ ଭଉଣୀ ଆସି ପଚାରିଥିଲା, “ଭାଇ ତୁ ଇନ୍ଦ୍ର ଚରିତ୍ରକୁ ଏଭଳି ଜୀବନ୍ତ ଭାବରେ କିପରି ଫୁଟାଇ ପାରିଲୁ ? ଇନ୍ଦ୍ରଙ୍କ ସଂଳାପ ଗୁଡିକ ଦର୍ଶକଙ୍କ ମନକୁ ଏମିତି ଚହଲାଇ ଦେଲା କିପରି ?” ଏଭଳି ପ୍ରଶ୍ନ ଗୁଡିକର ଉତ୍ତରରେ ଭାଇ ଜଣକ ଜଣାଇଥିଲା, “ଥିଏଟରର ସେହି ଇନ୍ଦ୍ର ଭୂମିକାରେ ଭାଗ ନେଇଥିବା ଅଭିନେତା ଜଣକ କଣ’ ତୋର ଭାଇ ଥିଲା ? ସେ ସାକ୍ଷାତ ଦେବତାମାନଙ୍କର ରାଜା ଇନ୍ଦ୍ର ଥିଲେ । ସ୍ୱର୍ଗରୁ ଧରାପୃଷ୍ଠକୁ ଅବତରଣ କରି ମଣିଷମାନଙ୍କୁ ହିତପୋଦେଶ ଶୁଣାଉଥିଲେ । ମୋହାଚ୍ଛନ୍ନ ହୋଇ ମୁଁ ସେତେବେଳେ ସଂପୂର୍ଣ୍ଣ ଦେବାଧିପତି ଇନ୍ଦ୍ର ପାଲଟି ଯାଇଥିଲି ।”

ସେଦିନ ଇନ୍ଦ୍ର ଚରିତ୍ରରେ ଅବତୀର୍ଣ୍ଣ ହୋଇ ଦର୍ଶକମାନଙ୍କ ମନ ମୋହି ନେଇଥିବା କୋମଳମତି ସ୍କୁଲ ଛାତ୍ର ଜଣକ ପରବର୍ତ୍ତୀ କାଳରେ ଓଡିଶାରେ ରାଜ୍ୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ”ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ନାମରେ ଖ୍ୟାତ ହୋଇଥିଲେ । ସେହିପରି ତାଙ୍କ ଅଭିନୟରେ ଅଭିଭୂତ ହୋଇ କାନ୍ତକବିଙ୍କୁ ପ୍ରଶ୍ନବାଣରେ ଜର୍ଜରିତ କରିଥିବା ସେହି ଅଲିଅଳି ସାନ ଭଉଣୀ ଜଣକ ଉତ୍ତର କାଳରେ ରାଜ୍ୟର ଅନ୍ୟତମ ବିଶିଷ୍ଟ ନାରୀନେତ୍ରୀ ତଥା ସ୍ୱାଧିନତା ସଂଗ୍ରାମୀ ଜାହ୍ନବୀ ଦେବୀ ରୂପେ ଉଭା ହୋଇଥିଲେ ।

ଜାହ୍ନବୀ ଦେବୀ ହେଉଛନ୍ତି ପ୍ରାକ-ସ୍ୱାଧୀନତା କାଳର ଓଡିଶାର ଅନ୍ୟତମ ପ୍ରଖ୍ୟାତ ନାରୀନେତ୍ରୀ, ଯିଏକି ଜାତୀୟ ଆନ୍ଦୋଳନର ବିଭିନ୍ନ ପର୍ଯ୍ୟାୟରେ ସାମିଲ ହୋଇ ବହୁବାର କାରବରଣ କରିଥିଲେ । ନିଜର ସାଂଗଠନିକ ଦକ୍ଷତା ଓ ନେତୃତ୍ୱକୁ ପ୍ରତିପାଦିତ କରିଥିବା ଏହି ମହିୟସୀ ମହିଳା ଜଣକ ପୁରୀ ଠାରେ ଅନୁଷ୍ଠିତ ସର୍ବଭାରତୀୟ ମହିଳା ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ । ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷା ଭାବରେ ୧୯୩୧ ଅଗଷ୍ଟ ୨ ଓ ୩ ତାରିଖ ଦୁଇଦିନ ଦରି ବାଲେଶ୍ୱର ସହରରେ ସର୍ବଭାରତୀୟ ମହିଳା ସମ୍ମିଳନୀର ଆୟୋଜନ ମଧ୍ୟ କରିଥିଲେ । କୁନ୍ତଳା କୁମାରୀ ସାବତ ସଭାପତିତ୍ୱ କରିଥିବା ସେହି ସମ୍ମିଳନୀରେ ଏକ ହଜାରରୁ ଅଧିକ ମହିଳା ଯୋଗ ଦେଇଥିଲେ । ନିଜର ସାଙ୍ଗଠନିକ ସାମର୍ଥ୍ୟ ବଳରେ ଜାହ୍ନବୀ ଦେବୀ ସେତେବେଳେ ଘରର ଏରୁଣ୍ଡି ବନ୍ଧ ଡେଉଁ ନଥିବା ମହିଳାମାନଙ୍କୁ ଏତେ ସଂଖ୍ୟାରେ ଏକତ୍ରିତ କରି ସମ୍ମିଳନୀ ମଞ୍ଚ ନିକଟରେ ପହଞ୍ଚାଇ ଥିବାରୁ ସମସ୍ତେ ତାଙ୍କର ଭୁରିଭୁରି ପ୍ରଶଂସା କରିଥିଲେ ।

ଜାହ୍ନବୀ ଦେବୀଙ୍କ ଦକ୍ଷତା ବା ସାମର୍ଥ୍ୟ କେବଳ ସମ୍ମିଳନୀର ଆୟୋଜନ ମଧ୍ୟରେ ସୀମିତ ନଥିଲା । ବରଂ ଲବଣ ସତ୍ୟାଗ୍ରହ ସମୟରେ ଇଞ୍ଚୁଡି ଠାରେ ସମୁଦ୍ର ତଟରେ ଲୁଣ ମାରିବା, ମଦ ଓ ଅଫିମ ଦୋକାନ ସାମ୍ନାରେ ପିକେଟିଂ କରିବା, ଅସହାୟ ମହିଳାମାନଙ୍କୁ ସୂତା କଟା କାମରେ ନିୟୋଜିତ ଜରିଆରେ ଖଦୀର ପ୍ରସାର କରିବା ଭଳି କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥିଲା ।

୧୯୩୦ ମସିହାରେ ମହାତ୍ମା ଗାନ୍ଧୀ ଲବଣ ସତ୍ୟାଗ୍ରହ ଡାକରା ଦେଇଥିଲେ । ଫଳରେ ବାଲେଶ୍ୱର ଜିଲ୍ଲାର ଇଞ୍ଚୁଡି ଏବଂ କଟକ ଜିଲ୍ଲାର କୁଜଙ୍ଗ ଠାରେ ବେଳାଭୂମିରୁ ଲୁଣ ମାରିବା ପାଇଁ ସ୍ଥିରୀକୃତ ହୋଇଥିଲା । ଏପ୍ରିଲ ୨୦ ତାରିଖରେ ଇଞ୍ଚୁଡି ଠାରେ ଲୁଣ ମାରିବା ପାଇଁ ଜାହ୍ନବୀ ଦେବୀ ମହିଳା ସତ୍ୟାଗ୍ରହୀ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳର ନାରୀମାନଙ୍କ ସମେତ ଦେଢ ହଜାରରୁ ଉର୍ଦ୍ଧ୍ୱ ମହିଳା ସତ୍ୟାଗ୍ରହୀ ଅଂଶଗ୍ରହଣ କରିଥିଲେ । ଜାହ୍ନବୀଙ୍କ ସାନ ଭଉଣୀ କୋକିଳା ଦେବୀ ଦେଶାତ୍ମବୋଧକ ସଂଗୀତ ଗାନ କରି ମହିଳା ସତ୍ୟାଗ୍ରହୀମାନଙ୍କୁ ଉଦ୍‌ବୁଦ୍ଧ କରିଥିବା ବେଳେ ଖୋଦ ଜାହ୍ନବୀ ଦେବୀ ଲୁଣ ମରା କାର୍ଯ୍ୟର ନେତୃତ୍ୱ ନେଇ ଗିରଫ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ମାଳତୀ ଚୌଧୁରୀ, ଜାହ୍ନବୀଙ୍କ ସ୍ୱାମୀ ମୁକୁନ୍ଦ ପ୍ରସାଦ ଦାସ (ଓଡିଶା ବିଧାନସଭାର ପ୍ରଥମ ବାଚସ୍ପତି) ଏହି ଲୁଣ ମରା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଜାହ୍ନବୀ ଦେଵୀ ଅତି ସରଳ ଜୀବନ ବିତାଇବା ସହିତ ଖଦୀ ଶାଢି ପରିଧାନ କରୁଥିଲେ । ତାଙ୍କ ତତ୍ୱାବଧାନରେ ବାଲେଶ୍ୱର ସହରର ଗୋପାଳଗାଁ ଠାରେ ଗୋଟିଏ ନାରୀ ଆଶ୍ରମ ଖୋଲା ଯାଇଥିଲା । ସେଠାରେ ନିରାଶ୍ରୟ ମହିଳାମାନଙ୍କୁ ସୂତାକଟା ସହିତ ଅନ୍ୟାନ୍ୟ ଧନ୍ଦାମୂଳକ ଶିକ୍ଷା ଦିଆ ଯାଉଥିଲା । ଆଶ୍ରମର ନାରୀ କର୍ମୀମାନେ ମଦ ଓ ଅଫିମ ଦୋକାନ ଗୁଡିକ ସମ୍ମୁଖରେ ପିକେଟିଂ କରୁଥିଲେ । ଜାହ୍ନଵୀ ଦେବୀଙ୍କ ସହିତ ତାଙ୍କ ସାନ ଭଉଣୀ କୋକିଳା ଦେଵୀ, କୁମୁଦିନୀ ଦେଇ ଓ ଗୌରି ଦେବୀଙ୍କ ଭଲି ଅନ୍ୟାନ୍ୟ ନାରୀନେତ୍ରୀମାନେ ଘର ଘର ବୁଲି ମହିଳାମାନଙ୍କ ମଧ୍ୟରେ କଂଗ୍ରେସର ବାର୍ତ୍ତା ପ୍ରଚାର କରୁଥିଲେ ।

ଥରେ ବାଲେଶ୍ୱର ସହରର ବାଗ ବୃନ୍ଦାବନ ପଡିଆରେ ଗୋଟିଏ ସଭାର ଆୟୋଜନ ହୋଇଥିଲା । ସେଥିରେ ଜାହ୍ନବୀ ଦେବୀ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା । ସେଥିନିମନ୍ତେ ଏକ ବିରାଟ ସଂକୀର୍ତ୍ତନ ଶୋଭାଯାତ୍ରା ନିମକାଳୀ ମନ୍ଦିରରୁ ବାହାରି ସଭାସ୍ଥଳରେ ପହଞ୍ଚିବା ପୂର୍ବରୁ ବ୍ରିଟିଶ ପୋଲିସ ଏହାର ନେତୃତ୍ୱ ନେଉଥିବା ଜାହ୍ନବୀ ଦେବୀଙ୍କୁ ଗିରଫ କରି ନେଇଥିଲା । ଜାତୀୟ ଆନ୍ଦୋଳନ ସମୟରେ ଏଭଳି ଅନେକ ଥର ଜାହ୍ନବୀ ଦେବୀ କାରାବରଣ କରିଥିଲେ ।

୧୯୪୧ ମସିହାର କଥା । ସେତେବେଳେ “ଭାରତଛାଡ” ଆନ୍ଦୋଳନ ଚାଲିଥାଏ । ସେହି ଆନ୍ଦୋଳନ ସମୟରେ ଦେଶର ବଡ ବଡ ନେତାମାନେ ଗିରଫ ହୋଇ ଜେଲ ଦଣ୍ଡ ଭୋଗ କରୁଥିଲେ । ତାର ପ୍ରଭାବ ଓଡିଶାରେ ମଧ୍ୟ ଉପଲବ୍‌ଧ ହୋଇଥିଲା । ବିଶିଷ୍ଟ ପ୍ରଜା ସୋସାଲିଷ୍ଟ ପାର୍ଟି (ପି.ଏସ.ପି) ନେତା ରବୀନ୍ଦ୍ର ମୋହନ ଦାସ ବାଲେଶ୍ୱରରେ ମୁକୁନ୍ଦ ପ୍ରସାଦଙ୍କୁ ଏହି ଆନ୍ଦୋଳନର ନେତୃତ୍ୱ ନେବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ମୁକୁନ୍ଦ ପ୍ରସାଦ ସେଥିନିମନ୍ତେ ପତ୍ନୀ ଜାହ୍ନବୀ ଦେବୀଙ୍କୁ ପ୍ରବର୍ତ୍ତାଇଥିଲେ । ଫଳରେ ଜାହ୍ନବୀ ଦେବୀ ସ୍ୱାମୀଙ୍କ ପରାମର୍ଶକୁ ଗ୍ରହଣ କରି ଆଇନ ଅମାନ୍ୟ ଆନ୍ଦୋଳନରେ ଝାସ ଦେଇଥିଲେ ।

ଜାତୀୟ କଂଗ୍ରେସ ମହିଳା ଶାଖାର ଅଧିବେଶନ ପ୍ରାୟତଃ ମୁକୁନ୍ଦ ପ୍ରସାଦଙ୍କ ବାଲେଶ୍ୱର ସହରସ୍ଥିତ ବାସଭବନରେହିଁ ଅନୁଷ୍ଠିତ ହେଉଥିଲା । କାରଣ ତାଙ୍କ ସହଧର୍ମିଣୀ ଜାହ୍ନବୀ ଦେବୀ ଥିଲେ ମହିଳା କଂଗ୍ରେସର ଜଣେ ପ୍ରମୁଖ ନେତ୍ରୀ । ସେହିସବୁ ଅଧିବେଶନରେ ରମାଦେବୀ, ସରଳା ଦେବୀ, କୋକିଳା ଦେବୀ, ଗୋଦାବରୀ ଦେବୀ ପ୍ରଭୃତି ବିଶିଷ୍ଟ ନାରୀନେତ୍ରୀମାନେ ନିୟମିତ ଯୋଗ ଦେଉଥିଲେ । ସେଥିରେ ବ୍ରିଟିଶ ସରକାର ବିରୁଦ୍ଧରେ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମର ଖସଡା ପ୍ରସ୍ତୁତ କରାଯାଉଥିଲା ।

୧୯୨୭ ଡିସେମ୍ବର ୧୪ ତାରିଖରେ ଗାନ୍ଧିଜୀ ବାଲେଶ୍ୱରରେ ପହଞ୍ଚି ମୁକୁନ୍ଦ ପ୍ରସାଦଙ୍କ ସହର ସ୍ଥିତ ବାସଭବନରେ ହିଁ ଅବସ୍ଥାନ କରିଥିଲେ । ଏହି ଅବସରରେ ଗାନ୍ଧିଜୀ ବାଲେଶ୍ୱରରେ ଆୟୋଜିତ ବିଭିନ୍ନ ସଭାରେ ଭାଷଣ ଦେଇଥିଲେ । ସେଥିମଧ୍ୟରେ ମୁକୁନ୍ଦ ପ୍ରସାଦ ବାଲେଶ୍ୱର ରେଳ ଷ୍ଟେସନ ପଡିଆ ଠାରେ ମଧ୍ୟ ଗୋଟିଏ ବିରାଟ ସଭାର ଆୟୋଜନ କରିଥିଲେ, ଯେଉଁଥିରେ ଜାହ୍ନବୀ ଦେବୀ, ସୁଭଦ୍ରା ମହତାବ, ନନ୍ଦ କିଶୋର ଦାସ, ନିଳାମ୍ବର ଦାସଙ୍କ ସମତେ ଅନେକ ବିଶିଷ୍ଟ କଂଗ୍ରେସ ନେତା ଯୋଗ ଦେଇଥିଲେ ।

ମୁକୁନ୍ଦ ପ୍ରସାଦଙ୍କ ବାଲେଶ୍ୱର ସହରସ୍ଥିତ ବାସଭବନକୁ କେବଳ ମହାତ୍ମା ଗାନ୍ଧୀ ନୁହଁନ୍ତି ପରନ୍ତୁ ସୁବାଷ ବୋଷ, ଜୟ ପ୍ରକାଶ ନାରାୟଣଙ୍କ ଭଳି ଅନେକ ଜାତୀୟତାବାଦୀ ବଡ ବଡ ନେତା ଅତିଥି ହୋଇ ଆସୁଥିଲେ । ସେହି ଅତିଥି ମାନଙ୍କ ଉପଯୁକ୍ତ ଚର୍ଚ୍ଚା କରିବା ଦାୟିତ୍ୱ ଜାହ୍ନବୀ ଦେବୀଙ୍କ ଉପରେ ନ୍ୟସ୍ତ ହେଉଥିଲା । ଏତଦ୍‌ଭିନ୍ନ ଓଡିଶାର ଯେଉଁ ସଂଗ୍ରାମୀମାନେ ଜାତୀୟ ଆନ୍ଦୋଳନ କାଳରେ ବିହାରର ହଜାରିବାଗ ଜେଲରୁ ଖଲାସ ହୋଇ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରୁଥିଲେ, ସେମାନେ ପ୍ରଥମେ ବାଲେଶ୍ୱରରେ ଓହ୍ଲାଇ ମୁକୁନ୍ଦ ପ୍ରସାଦଙ୍କୁ ସାକ୍ଷାତ କରୁଥିଲେ । ଅନ୍ୟପକ୍ଷରେ ଜାହ୍ନବୀ ଦେବୀ ସେମାନଙ୍କ ରହିବା ଓ ଖାଇବାର ଆବଶ୍ୟକ ବ୍ୟବସ୍ଥା କରୁଥିଲେ । ତା’ପରେ ସଂଗ୍ରାମୀମାନେ ନିଜ ନିଜ ଘରକୁ ବାହୁଡୁଥିଲେ । ଏଭଳି କାର୍ଯ୍ୟକ୍ରମ ଥିଲା ଜାହ୍ନବୀ ଦେବୀଙ୍କ ସମର୍ପିତ ଦେଶ ସେବାର ଜ୍ୱଳନ୍ତ ନିଦର୍ଶନ ।

ତେବେ ପରିତାପର ବିଷୟ ହେଉଛି, ଏଭଳି ବିଶିଷ୍ଟ ନାରୀନେତ୍ରୀଙ୍କ ଉଲ୍ଲେଖଯୋଗ୍ୟ ଦେଶ ସେବା ସଂପର୍କରେ ଆମ ଇତିହାସ ଉପଯୁକ୍ତ ଭାବେ ଲିପିବଦ୍ଧ କରିନାହିଁ । ଅନ୍ୟପକ୍ଷରେ ‘ଆଜାଦିକା ଅମୃତ ମହୋତ୍ସବ” ପାଳନ ସମୟରେ ମଧ୍ୟ ତାଙ୍କର ଅମୂଲ୍ୟ ଅବଦାନ ଗୁଡିକୁ ଉଜାଗର କରିବା ଲାଗି ସାମାନ୍ୟତମ ପ୍ରୟାସ କରାଯାଇନାହିଁ ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

Fifty-five Years of Unspoken & Emotional Journey of a Journalist’s Wife
More

Fifty-five Years of Unspoken & Emotional Journey of a Journalist’s Wife

by Ambika Prasad Kanungo
February 9, 2026

Ambika Prasad Kanungo, Bhubaneswar, 9 February 2026 If one were to wander through an old Odia neighbour hood—those sun-soaked lanes...

Read more
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୧)

January 14, 2026
Dhanada’s Discourse: Hong Kong Help Group: When WhatsApp Becomes a Lifeline

Dhanada’s Discourse:
Hong Kong Help Group: When WhatsApp Becomes a Lifeline

January 8, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୦)

December 29, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.