• About
  • Contact
Friday, October 16, 2026
Friday, October 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଡଃ ପ୍ରାଣକୃଷ୍ଣ ପରିଜା : ଏକ ସ୍ମରଣୀୟ ବ୍ୟକ୍ତିତ୍ୱ

ଡଃ ପ୍ରାଣକୃଷ୍ଣ ପରିଜା : ଏକ ସ୍ମରଣୀୟ ବ୍ୟକ୍ତିତ୍ୱ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨ ଜୁନ୍ ୨୦୨୩

ଡଃ ପ୍ରାଣକୃଷ୍ଣ ପରିଜାଙ୍କ ନାମ କେବଳ ଓଡିଶା ବା ଭାରତବର୍ଷରେ ନୁହେଁ, ପରନ୍ତୁ ସମଗ୍ର ବିଶ୍ୱରେ ସୁବିଦିତ । ନିଜର ସାଧନା ଓ ପ୍ରତିଭା ବଳରେ ଯେଉଁ ଅଳ୍ପ କେତେଜଣ ଭାରତୀୟ ଆନ୍ତର୍ଜାତିକ ସ୍ତରରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି,ଡଃ ପରିଜା ସେମାନଙ୍କ ମଧ୍ୟରେ ଅନ୍ୟତମ । ସେ ଥିଲେ ପ୍ରଥମ ଓଡ଼ିଆ ବୈଜ୍ଞାନିକ ଯାହାଙ୍କ କୃତିତ୍ୱ ପାଇଁ ଓଡିଶାବାସୀ ସବୁବେଳେ ଗର୍ବ ଅନୁଭବ କରୁଥିବେ। ଜଣେ ସମାଜ ସଂସ୍କାରକ ରୂପେ ସେ ରାଜନୀତିରେ ପ୍ରବେଶ କରିଥିଲେ । ୧୯୫୨ ରୁ ୧୯୫୭ ମସିହା ପର୍ଯ୍ୟନ୍ତ କଟକ ଜିଲ୍ଲାର ବାଲିକୁଦା ଆସନରୁ ଓଡିଶା ବିଧାନସଭାକୁ ପ୍ରତିନିଧିତ୍ୱ କରିଥିଲେ। ସେ ଯେତେବେଳେ ବିଧାନସଭାରେ ଜଣେ ସ୍ୱାଧୀନ ବିଧାୟକ ଭାବେ ବକ୍ତବ୍ୟ ପ୍ରଦାନ କରୁଥିଲେ, ଲବିରେ ବସି ଗପ କରୁଥିବା ଅନ୍ୟ ବିଧାୟକମାନେ ତତ୍‌କ୍ଷଣାତ୍ ନିଜ ନିଜ ଆସନକୁ ଫେରି ଆସୁଥିଲେ ଏବଂ ଧ୍ୟାନର ସହିତ ଡଃ ପରିଜାଙ୍କ ଅଭିଭାଷଣ ଶୁଣୁଥିଲେ । କେବଳ ସେତିକି ନୁହେଁ, ଡଃ ପରିଜା ତାଙ୍କ ବକ୍ତବ୍ୟ ମାଧ୍ୟମରେ ଯେଉଁ ପରାମର୍ଶ ସରକାରଙ୍କୁ ପ୍ରଦାନ କରୁଥିଲେ, ରାଜ୍ୟ ପ୍ରଶାସନ ମଧ୍ୟ ତାହା ଯତ୍‌ପରୋନାସ୍ତି କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରୁଥିଲେ । ସର୍ବୋପରି ଜଣେ ବ୍ୟବସ୍ଥାପକ, ସମାଜ ସେବକ, ପ୍ରଶାସକ, ବୈଜ୍ଞାନିକ ଆଦି ଭାବରେ ଡଃ ପରିଜା ଯେଉଁ ଉଚ୍ଚ ଆଦର୍ଶ ସୃଷ୍ଟି କରିବା ସହିତ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି, ସେଥିପାଇଁ ଓଡିଆ ଜାତି ସବୁଦିନ ଗର୍ବ ଅନୁଭବ କରୁଥିବ ବୋଲି ତାଙ୍କ ତିରୋଧାନରେ ଓଡିଶା ବିଧାନସଭା ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଛି ।

୧୮୯୧ ଏପ୍ରିଲ ପହିଲାରେ ଜନ୍ମିତ ଡଃ ପ୍ରାଣକୃଷ୍ଣ ପରିଜାଙ୍କର ୮୮ବର୍ଷ ବୟସରେ ୧୯୭୮ ଜୁନ୍ ୨ ତାରିଖରେ ଦେହାନ୍ତ ଘଟିଥିଲା । ଏହାର ତିନି ମାସ ଭିତରେ ଅର୍ଥାତ୍ ସେହି ବର୍ଷ ଅଗଷ୍ଟ ୨୮ ତାରିଖରେ ଓଡିଶା ବିଧାନସଭା ପକ୍ଷରୁ ତାଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା । ତଦାନିନ୍ତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ଏହି ଶୋକ ପ୍ରସ୍ତାବ ଆଗତ କରି ଦର୍ଶାଇଥିଲେଯେ, ଓଡିଶାରେ ବୈଜ୍ଞାନିକ ଗବେଷଣାର ପ୍ରସାର ଦିଗରେ ଡଃ ପରିଜାଙ୍କ ଉଦ୍ୟମ ଉଲ୍ଲେଖଯୋଗ୍ୟ । ଅନ୍ୟପକ୍ଷରେ ଜଣେ ଉଚ୍ଚ କୋଟିର ଶିକ୍ଷାବିତ୍ ଓ ସମାଜସେବୀ ହିସାବରେ ମଧ୍ୟ ତାଙ୍କର ବହୁ ମୂଲ୍ୟବାନ ଅବଦାନ ରହିଛି । ମୋର ଛାତ୍ରାବସ୍ଥାରେ ସେ ମୋର ଶିକ୍ଷକ ଥିଲେ । ଏହା ମୋ ପାଇଁ ଅତ୍ୟନ୍ତ ଗୌରବର ବିଷୟ । ତାଙ୍କ ଭଳି ଜଣେ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ଉଜ୍ୱଳ ପ୍ରତିଭାର ଅବସାନ, ଉଭୟ ରାଜ୍ୟ ତଥା ଦେଶ ପାଇଁ ଏକ ଦାରୁଣ ଆଘାତ ।

ବିରୋଧୀଦଳ ନେତା ବୃନ୍ଦାବନ ନାୟକ ଉଲ୍ଲେଖ କରିଥିଲେ । ଜଣେ ଉଚ୍ଚ କୋଟିର ଶିକ୍ଷକ, ଶିକ୍ଷାବିତ୍ ଓ ବୈଜ୍ଞାନିକ ହିସାବରେ ଡଃ ପରିଜା ସାରା ବିଶ୍ୱରେ ସୁନାମ ଅର୍ଜନ କରିଥିଲେ । ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ପାଠ ପଢିବା ସମୟରେ ହିଁ ସେ ନିଜକୁ ଜଣେ ପ୍ରତିଭାବାନ ଛାତ୍ର ହିସାବରେ ପ୍ରତିଷ୍ଠିତ କରିଥିଲେ। କଟକ ରେଭେନ୍‌ସା କଲେଜିଏଟ୍ ସ୍କୁଲ, କଲିକତା ପ୍ରେସିଡେନ୍‌ସି କଲେଜ, ଲଣ୍ଡନସ୍ଥିତ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ପଢ଼ିବା ବେଳେ ନିଜର ମେଧା ପାଇଁ ସେ ଅଧ୍ୟାପକ ଓ ଛାତ୍ର ମହଲର ପ୍ରିୟଭାଜନ ହୋଇଥିଲେ । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କାଳରେ ସେ ବିଶିଷ୍ଟ ବୈଜ୍ଞାନିକ ବ୍ଲାକମେନ୍‌ଙ୍କ ତତ୍ତ୍ୱାବଧାନରେ ଗବେଷଣା କରିଥିଲେ । ରେଭେନ୍ସା କଲେଜରେ ଅଧ୍ୟାପକ ହିସାବରେ ଚାକିରୀ ଜୀବନ ଆରମ୍ଭ କରିଥିବା ଡଃ ପରିଜା ପରବର୍ତ୍ତୀ କାଳରେ ରେଭେନ୍ସା କଲେଜର ଅଧ୍ୟକ୍ଷ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି, ବନାରସ ହିନ୍ଦୁ ୟୁନିଭରସିଟିର ପ୍ରୋ – ଭାଇସ – ଚାନସଲର, ଓଡିଶା କୃଷି ବିଭାଗର ନିର୍ଦ୍ଦେଶକ, ଭାରତୀୟ ବିଜ୍ଞାନ କଂଗ୍ରେସର ସଭାପତି ହିସାବରେ ଦକ୍ଷତାର ସହିତ କାର୍ଯ୍ୟ ସଂପାଦନ କରି ଯଥେଷ୍ଟ ସୁନାମ ଅର୍ଜନ କରିଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କ୍ଷେତ୍ରରେ ମଧ୍ୟ ତାଙ୍କର ବିଶେଷ ଅବଦାନ ଥିଲା । ତାଙ୍କ ପରାମର୍ଶକ୍ରମେ ଖଲିକୋଟ, ହିଞ୍ଜିଳିରେ କଲେଜ ସ୍ଥାପନ ସହିତ ବ୍ରହ୍ମପୁରରେ ଆଇନ କଲେଜ ପ୍ରତିଷ୍ଠା ପ୍ରକ୍ରିୟା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ଥାପନ କାର୍ଯ୍ୟକ୍ରମକୁ ସୁଗମ କରିଥିଲା ।

ବାରିପଦା ସଭ୍ୟ ପ୍ରସନ୍ନ କୁମାର ଦାଶ ଜଣାଇଥିଲେଯେ, ଡଃ ପରିଜାଙ୍କ ଭଳି ଜଣେ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ବ୍ୟକ୍ତି, ବିଧାୟକ ରହିବା ଘଟଣା ଓଡିଶା ବିଧାନସଭା ପାଇଁ ଅତ୍ୟନ୍ତ ଗର୍ବର ବିଷୟ । ତାଙ୍କର ମହାନ ବ୍ୟକ୍ତିତ୍ୱ ଏବଂ ତାଙ୍କର ଆନ୍ତର୍ଜାତିକ ଖ୍ୟାତି ଆମ ପକ୍ଷରେ ଚିରସ୍ମରଣୀୟ ହୋଇ ରହିବ ।

ରଣପୁର ବିଧାୟକ ରମେଶ ଚନ୍ଦ୍ର ପଣ୍ଡା ଦର୍ଶାଇଥିଲେଯେ, ସରଳ ଓ ନିରାଡ଼ମ୍ବର ଜୀବନ ଯାପନ କରି ଡଃ ପରିଜା ଯେଉଁ ଆଦର୍ଶ ସୃଷ୍ଟି କରି ଯାଇଛନ୍ତି, ତାହା ଆମ ସମସ୍ତଙ୍କ ପାଇଁ ଅନୁକରଣୀୟ । ଦେଶରେ ଜରୁରୀକାଳିନ ପରିସ୍ଥିତି ଜାରି କାଳରେ ତା’ ବିରୁଦ୍ଧରେ ବ୍ୟାପକ ଜନମତ ସୃଷ୍ଟି ହୋଇଥିଲା । ସ୍ୱାଧୀନ ମତବ୍ୟକ୍ତ କରି କିଭଳି ବଞ୍ଚି ରହିବାକୁ ହେବ, ସେଥିପାଇଁ ନାଗରିକ ଅଧିକାର ସୁରକ୍ଷା କମିଟି ଗଠିତ ହୋଇଥିଲା । ସେତେବେଳେ ଡଃ ପରିଜା ଜୀବନରେ ସାୟହ୍ନରେ ଉପନୀତ ହୋଇଥିଲେ ସୁଦ୍ଧା ସଂଗ୍ରାମକୁ ଆଗେଇ ନେବାଲାଗି ଆବଶ୍ୟକ ପରାମର୍ଶ ଓ ସହାୟତା ଯୋଗାଇ ଦେଇଥିଲେ ।

ଖଣ୍ଡପଡା ବିଧାୟକ ସତ୍ୟ ସୁନ୍ଦର ମିଶ୍ର କହିଥିଲେ, ନିଜକୁ ଓଡ଼ିଆ ହିସାବରେ ପରିଚୟ ଦେବାରେ ଡଃ ପରିଜା ଗର୍ବ ଅନୁଭବ କରୁଥିଲେ । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କାଳରେ ଏକଦା ଗୋଟିଏ ଘଟଣାରେ ସେ ନିଜକୁ ଓଡ଼ିଆ ବୋଲି ପ୍ରକାଶ୍ୟରେ ପରିଚୟ ଦେଇ ଗୌରବାନ୍ୱିତ ମନେ କରିଥିଲେ । ଛତ୍ରପୁରର ବିଧାୟକ ବିଶ୍ୱନାଥ ସାହୁ ଶୋକବ୍ୟକ୍ତ କରି ଜଣାଇଥିଲେଯେ, ଡଃ ପରିଜାଙ୍କ ଦେହାନ୍ତରେ ଓଡିଶା ତଥା ଭାରତର ଅପୂରଣୀୟ କ୍ଷତି ଘଟିଛି । ସେ ଯେଉଁ ଆଦର୍ଶରେ ମଣିଷ ତିଆରି କରୁଥିଲେ ସେଥିପାଇଁ ଓଡିଶା ଗର୍ବ ଅନୁଭବ କରୁଥିଲା ।

ବାଚସ୍ପତି ସତ୍ୟପ୍ରିୟ ମହାନ୍ତି ସ୍ମୃତି ଚାରଣ କରି ଉଲ୍ଲେଖ କରିଥିଲେଯେ, ଡଃ ପରିଜା ବିଦେଶରୁ ଶିକ୍ଷା ସମାପନ କରି ଓଡ଼ିଶା ଫେରିବା ବେଳକୁ ଆମେମାନେ ଛାତ୍ର ଥିଲୁ । ସେ ଆମମାନଙ୍କ ସହିତ ସହଜରେ ମିଶି ଜାତୀୟ ଜୀବନକୁ ନୂତନ ରୂପରେଖ ଦେଖା ପାଇଁ ବିଶେଷ ବ୍ୟାକୁଳତା ପ୍ରଦର୍ଶନ କରିଥିଲେ । ସେ ଖେଦୋକ୍ତି କରି ଜଣାଇଥିଲେ – “ଅନ୍ୟାନ୍ୟ ଜାତି ନିଜର ବିଶେଷତ୍ୱ ବଜାୟ ରଖିବାକୁ ଚାହୁଁଥିବା ବେଳେ ଓଡ଼ିଆ ଜାତି ତାହା ନକରି ଅନ୍ୟାନ୍ୟ ପ୍ରଭାବଶାଳୀ ଜାତିର ସ୍ୱାତନ୍ତ୍ର‌୍ୟ ଯେପରି ଅନାୟସରେ ଗ୍ରହଣ କରି ଯାଉଛି, ତାହା ଏକ ଜାତି ପକ୍ଷରେ ଗୋଟିଏ ମାରାତ୍ମକ ଲକ୍ଷଣ” । ସେ ଗୋଟିଏ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ସୁଧା ଅତି ଅଳ୍ପ ବୟସରୁ ଆତ୍ମ-ପ୍ରତ୍ୟୟ ଓ ଅଧ୍ୟବସାୟ ବଳରେ ଆତ୍ମ ପ୍ରତିଷ୍ଠା ଲାଭ କରିବାକୁ ସମର୍ଥ ହୋଇଥିଲେ । ପ୍ରକୃତିର ଗୂଢ଼ ରହସ୍ୟ ଉଦ୍ଭାବନ କରି ସେ ସମଗ୍ର ବିଶ୍ୱରେ ଯେଭଳି ଜଣେ ପ୍ରଭାବଶାଳୀ ବୈଜ୍ଞାନିକ ଭାବରେ ଖ୍ୟାତି ଅର୍ଜନ କରିଥିଲେ ତାହା ଭାରତବର୍ଷ ପାଇଁ ଆନ୍ତର୍ଜାତିକ କ୍ଷେତ୍ରରେ କୃତିତ୍ୱପୂର୍ଣ୍ଣ ସମ୍ମାନ ଆଣି ଦେଇଥିଲା । ସର୍ବୋପରି ବିଧାନସଭାର ଜଣେ ସଭ୍ୟ ହିସାବରେ ତାଙ୍କର ଅବଦାନ ମଧ୍ୟ ଅତି ଉଚ୍ଚ କୋଟିର ଥିଲା ।

ଏହାପରେ ଡଃ ପରିଜାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ତାଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ନିବେଦନ ଉଦ୍ଦେଶ୍ୟରେ ବିଧାନସଭାର ସମସ୍ତ ସଭ୍ୟ ଦଣ୍ଡାୟମାନ ହୋଇ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ନୀତି, ଆଦର୍ଶ ମୂଲ୍ୟବୋଧର ମୂର୍ତ୍ତିମନ୍ତ ପ୍ରତୀକ ଡଃ ପରିଜାଙ୍କ ଭଳି ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଏକଦା ଓଡ଼ିଶା ବିଧାନସଭାର ଜଣେ ସ୍ୱାଧୀନ ସଭ୍ୟ ଭାବରେ ନିଜର ଦାୟିତ୍ୱ ସଂପନ୍ନ ବ୍ୟବସ୍ଥାପକ ଭୂମିକା ସଂପାଦନ କରିଥିଲେ ବୋଲି ଆଜିର କଳୁଷିତ ରାଜନୀତିରେ ଅବିଶ୍ୱାସ୍ୟ ମନେହୁଏ ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.