ବିଶିଷ୍ଟ ଶିକ୍ଷାବିତ୍ ଡ଼ଃ ପୂର୍ଣ୍ଣିମା ମାଥୁରଙ୍କର ଅଗଷ୍ଟ ୧୪ ତାରିଖରେ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି | ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା |
ଡ଼ଃ ମାଥୁର ପାଟନା ବିଶ୍ୱବିଦ୍ୟାଳୟରୁ ମନସ୍ତତ୍ତ୍ୱରେ ଏମ.ଏ କରିବାପରେ କାନାଡ଼ାର ଆଲବର୍ଟ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି କରିଥିଲେ | ତା’ପରେ ସେ ଦିଲ୍ଲୀ ଆଇ.ଆଇ.ଟି ରେ ପ୍ରଫେସର ଭାବରେ ଯୋଗ ଦେଇଥିଲେ | ୧୯୯୬ ମସିହାରେ ସେ ଶିକ୍ଷା କ୍ଷେତ୍ରରୁ ଅବସର ନେଇଥିଲେ | ଉଚ୍ଚମାନର ଶିକ୍ଷାଦାନ ପାଇଁ ସେ ବହୁ ପ୍ରଶଂସିତ ହୋଇଥିଲେ | ପ୍ରାୟ ୧00ରୁ ଅଧିକ ଛାତ୍ର ଛାତ୍ରୀ ତାଙ୍କ ଅଧିନରେ ପି.ଏଚ.ଡି କରିଥିଲେ | ବିଶ୍ୱର ୫୦୦ ଜଣ ମନସ୍ତତ୍ତ୍ୱବିତଙ୍କ ଭିତରେ ସେ ଥିଲେ ଅନ୍ୟତମ |
ସେ ଜଣେ ଆଦର୍ଶ ଶିକ୍ଷାବିତ ହେବାସହ ସୁ ଗାୟିକା ମଧ୍ୟ ଥିଲେ | ତାଙ୍କର ସ୍ୱାମୀ ଡ଼ଃ ସରତାଜ ସ୍ୱରୂପ ମାଥୁର ସେହି ଦିଲ୍ଲୀ ଆଇ.ଆଇ.ଟି ରୁ ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ଭାବରେ ଅବସର ନେଇଥିଲେ | ତାଙ୍କର ଦୁଇ ସନ୍ତାନ ସବ୍ୟସାଚୀ ଓ ପ୍ରିୟଦର୍ଶୀ ଆମେରିକାରେ ଉଚ୍ଚ ପଦ ପଦବୀରେ ଅବସ୍ଥାପିତ |
ଶ୍ରୀମତୀ ମାଥୁର ବିଶିଷ୍ଟ ପ୍ରଶାସକ ସ୍ୱର୍ଗତ ସଚ୍ଚିଦାନନ୍ଦ ମିଶ୍ର ଙ୍କର କନ୍ୟା ଥିଲେ | ତାଙ୍କପରି ଉଚ୍ଚକୋଟୀ ର ମନସ୍ତତ୍ତ୍ୱବିତ ଙ୍କ ର ବିୟୋଗରେ ଦିଲ୍ଲୀ ଓ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ଘଟିଲା |
ଏଭଳି ଏକ ଦୁଃଖଦ ସମୟରେ ଇଶ୍ୱର ତାଙ୍କ ପରିବାରକୁ ଧୈର୍ଯ୍ୟ ଓ ସାହସ ଦେବାସହ ତାଙ୍କର ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି ତାଙ୍କର ଅଗଣିତ ବନ୍ଧୁ ଓ ଶୁଭେଛୁ ମାନେ କାମନା କରିଛନ୍ତି |
ଅନିମା କର, ଅବସରପ୍ରାପ୍ତ ପ୍ରଫେସର ଏବଂ ସାନ ଭଉଣୀ