• About
  • Contact
Wednesday, March 18, 2026
Wednesday, March 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

“ଏଇ ଲାଲ ପତାକାର ତଳେ” ସଂଗୀତର ସ୍ରଷ୍ଟା ନିତ୍ୟାନନ୍ଦ

“ଏଇ ଲାଲ ପତାକାର ତଳେ” ସଂଗୀତର ସ୍ରଷ୍ଟା ନିତ୍ୟାନନ୍ଦ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୦ ଜୁନ୍ ୨୦୨୩

ପ୍ରଥିତଯଶା ସାହିତ୍ୟିକ, ସ୍ୱାଧୀନତା ସଂଗ୍ରାମୀ ଏବଂ ରାଜନୈତିଜ୍ଞ ନିତ୍ୟାନନ୍ଦ ମହାପାତ୍ରଙ୍କ ସଂପର୍କରେ ଦେହାନ୍ତ ଘଟିବାର କିଛିଦିନ ପୂର୍ବରୁ ବିଶିଷ୍ଟ କମ୍ୟୁନିଷ୍ଟ ନେତା ଲୋକନାଥ ଚୌଧୁରୀ ଏଭଳି ପ୍ରଶସ୍ତି କରିଥିଲେ । ଲୋକନାଥବାବୁ କହିଥିଲେ, “ଆଜି ମୁଁ ମୋ ସହିତ ଯେଉଁ ମୁଖ୍ୟ ଅତିଥିଙ୍କୁ ଏହି ସଭାକୁ ଘେନି ଆସିଛି, ତାଙ୍କର ପରିଚୟ ଦେବାର ବିଶେଷ ଆବଶ୍ୟକତା ନାହିଁ । କାରଣ ସମଗ୍ର ଓଡିଶାରେ ସେ ବେଶ୍ ଜଣାଶୁଣା । ଓଡିଶାର ସାହିତ୍ୟ, ସଂସ୍କୃତି, ସମାଜସେବା, ସ୍ୱାଧୀନତା ସଂଗ୍ରାମ ଆଦି କ୍ଷେତ୍ରକୁ ତାଙ୍କର ଅତୁଳନୀୟ ଅବଦାନ ରହିଛ । ଅନ୍ୟପକ୍ଷରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ମଧ୍ୟ ସେ ହେଉଛନ୍ତି ସୁଯୋଗ୍ୟ ଦାୟଦ । ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ନିତ୍ୟାନନ୍ଦ ମହାପାତ୍ର । ତେବେ ତାଙ୍କର ମଧ୍ୟ ଅନ୍ୟ ଏକ ବିଶେଷ ପରିଚୟ ଅଛି, ଯାହା ସଂପର୍କରେ ଖୁବ୍ କମ୍ ଲୋକ ଜାଣିଛନ୍ତି । ସେହି ପରିଚୟ ବିଷୟରେ ମୁଁ ଏଠାରେ ଅବତାରଣା କରିବାକୁ ଚାହୁଁଛି । ନିତ୍ୟାନନ୍ଦବାବୁ ହେଉଛନ୍ତି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଓଡିଶା ଶାଖା ପତାକା ସଂଗୀତ “ଏହି ଲାଲ ପତାକାର ତଳେ”ର ରଚୟିତା । ଏହି ପତାକା ସଂଗୀତ ଲେଖିବା ପାଇଁ ପ୍ରଥମେ ବିଶିଷ୍ଟ ବାମପନ୍ଥୀ କବି ମନମୋହନ ମିଶ୍ରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ସେତେବେଳେ ମନମୋହନବାବୁ ବ୍ରହ୍ମପୁର ଜେଲରେ ବନ୍ଦୀ ଥାଆନ୍ତି । ନିତ୍ୟାନନ୍ଦବାବୁ ମଧ୍ୟ ସେତେବେଳେ ବ୍ରହ୍ମପୁର ଜେଲରେ ମନମୋହନବାବୁଙ୍କ ସହବନ୍ଦୀ ଭାବେ ସଜା କାଟୁ ଥାଆନ୍ତି । ତେଣୁ ମନମୋହନବାବୁ କହିଲେ, କାନ୍ତକବିଙ୍କ ସୁଯୋଗ୍ୟ ଦାୟଦ ନିତ୍ୟାନନ୍ଦବାବୁ ଏଠାରେ ଉପସ୍ଥିତ ଥାଉଁଥାଉଁ ଅନ୍ୟ କେହି ପତାକା ସଂଗୀତ ରଚନା କରିବା ସମିଚୀନ ହେବନାହିଁ । ଫଳରେ ନିତ୍ୟାନନ୍ଦବାବୁଙ୍କ ଉପରେ ପତାକା ସଂଗୀତ ଲେଖିବାର ଦାୟିତ୍ୱ ପଡିଲା । ତେଣୁ ଆମେ ଏବେ ଯେଉଁ ପତାକା ସଂଗୀତ ଗାନ କରୁଛନ୍ତି ତା’ର ରଚୟିତା ହେଉଛନ୍ତି ଆଜି ସମ୍ବର୍ଦ୍ଧନା ସଭାର ମୁଖ୍ୟ ଅତିଥି ଆସନ ଅଳଙ୍କୃତ କରିଥିବା ନିତ୍ୟାନନ୍ଦବାବୁ ।”

୨୦୦୩ ମେ’ ୧୨ ତାରିଖ ଦିନ ପ୍ରଖ୍ୟାତ କମ୍ୟୁନିଷ୍ଟ ନେତା ଲୋକନାଥ ଚୌଧୁରୀଙ୍କର ଦେହାନ୍ତ ଘଟିଥିଲା । ତା’ର କିଛି ମାସ ପୂର୍ବରୁ ସେ ଅସୁସ୍ଥ ହୋଇ ପଡିଥିଲେ । ତେବେ ନିଜ ଅଞ୍ଚଳବାସୀଙ୍କ ଅନୁରୋଧକୁ ଏଡାଇ ନପାରି ଲୋକନାଥବାବୁ ଅସୁସ୍ଥତା ସତ୍ତ୍ୱେ କୁଜଙ୍ଗଗଡରେ ତାଙ୍କ ପାଇଁ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ । ଖୋଦ୍ ଲୋକନାଥବାବୁଙ୍କ ପ୍ରସ୍ତାବକ୍ରମେ ନିତ୍ୟାନନ୍ଦ ମହାପାତ୍ର ଉକ୍ତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ରୂପେ ଅଂଶ ଗ୍ରହଣ କରିଥିଲେ, ଯେଉଁଥିରେକି ଶ୍ରୀ ଚୌଧୁରୀ ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିଥିଲେ ।

ଆଜିକୁ ୧୧୧ ବର୍ଷ ତଳେ ୧୯୧୨ ମସିହା ପବିତ୍ର ରଥଯାତ୍ରା ଦିନ ବିଶିଷ୍ଟ ସାହିତ୍ୟିକ ତଥା ପୂର୍ବତନ ମନ୍ତ୍ରୀ ନିତ୍ୟାନନ୍ଦ ମହାପାତ୍ର ଜନ୍ମଗ୍ରହଣ କରିଥିଲେ । ସେହି ବର୍ଷ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନବକଳେବର ହୋଇଥିଲା । ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ପିଲାଟି ଦିନରୁହିଁ ନିତ୍ୟାନନ୍ଦଙ୍କ ଅନନ୍ୟ ପ୍ରତିଭା ସଂପର୍କରେ ସୂଚନା ମିଳିଥିଲା । ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ସ୍କୁଲ ପାଠ ପଢା ଛାଡି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ଫଳରେ ମେଟ୍ରିକ ପରୀକ୍ଷା ଦେବାରୁ ସେ ବଞ୍ଚିତ ହୋଇଥିଲେ । ତେବେ ଅଧ୍ୟୟନ ଓ ଲେଖାଲେଖି ପ୍ରତି ଥିବା ଅହେତୁକ ଦୁର୍ବଳତା ଯୋଗୁଁ ସେ ଜେଲ ଜୀବନରେ ପ୍ରଚୁର ପଢା ଲେଖା କରିଥିଲେ । ଏପରିକି ଛାତ୍ର ଜୀବନରୁହିଁ ସେ ନିଜକୁ ଜଣେ ଅସାମାନ୍ୟ ବାଗ୍ମୀ ଓ ସାହିତ୍ୟିକ ଭାବେ ପ୍ରତିପାଦିତ କରି ପାରିଥିଲେ । ସେଥିଯୋଗୁଁ ସେ ନିଜେ ମେଟ୍ରିକ ପାଶ୍ କରିନଥିଲେ ସୁଦ୍ଧା ତାଙ୍କର ସାହିତ୍ୟିକ ସୃଷ୍ଟି ସମ୍ଭାର ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ସ୍ଥାନ ପାଇଥିଲା ।

ବହୁମୁଖୀ ପ୍ରତିଭାର ଅଧିକାରୀ ନିତ୍ୟାନନ୍ଦ ଜୀବନର ବିଭିନ୍ନ ପର୍ଯ୍ୟାୟରେ ତାଙ୍କ ବ୍ୟକ୍ତିତ୍ୱର ପାରଦର୍ଶିତା ପ୍ରଦର୍ଶନ କରିଥିଲେ । ୧୯୫୭ ମସିହାର ସାଧାରଣ ନିର୍ବାଚନରେ ସେ ପ୍ରଥମ ଥର ଲାଗି ଭଦ୍ରକ ଆସନରୁ ବିଧାନସଭାକୁ ପ୍ରତିନିଧିତ୍ୱ କରିଥିଲେ । ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବରେ ମୁସଲମାନ ସମ୍ପ୍ରଦାୟର ବିଶିଷ୍ଟ ନେତା ତଥା ପୂର୍ବତନ ଉପ-ବାଚସ୍ପତି ମହମ୍ମଦ ହନିଫ୍ କଂଗ୍ରେସ ପ୍ରାର୍ଥୀ ରୂପେ ନିର୍ବଚାନ ଲଢିଥିଲେ । ଭଦ୍ରକ ଗୋଟିଏ ମୁସଲମାନ ବହୁଳ ନିର୍ବାଚନ ମଣ୍ଡଳୀ ହେବା ସାଂଗକୁ ଖୋଦ୍ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ହନିପଂଙ୍କ ପାଇଁ ପ୍ରଚାର ଅଭିଯାନ ଚଳାଇବା ସତ୍ତ୍ୱେ ନିତ୍ୟାନନ୍ଦ ଆଶ୍ଚର୍ଯ୍ୟଜନକ ଭାବେ ସେହି ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହିସାବରେ ବିଜୟୀ ହୋଇଥିଲେ ।

ପରବର୍ତ୍ତୀ ଦୁଇଟି ସାଧାରଣ ନିର୍ବାଚନରେ ଜିତାପଟ ହାସଲ କରିଥିବା ନିତ୍ୟାନନ୍ଦ ୧୯୬୭ ମସିହାରେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ମନ୍ତ୍ରିମଣ୍ଡଳରେ ଖାଦ୍ୟ ଯୋଗାଣ ଓ ସାଂସ୍କୃତିକ ବ୍ୟାପାର ବିଭାଗର କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ । ମନ୍ତ୍ରୀ ପଦରେ ଅଧିଷ୍ଠିତ ହେବା ପରେ ନିତ୍ୟାନନ୍ଦ କିଛି ଦିନ ପାଇଁ ସାଇକେଲ ଚଳାଇ ତାଙ୍କ ସଚିବାଳୟ (ବର୍ତ୍ତମାନର ଲୋକେସବା ଭବନ) ସ୍ଥିତ କାର୍ଯ୍ୟାଳୟକୁ ଯାଇଥିଲେ । ସେତେବେଳେ ଏହି ଘଟଣା ସାରା ଦେଶରେ ଚହଳ ପକାଇଥିଲେ । କାରଣ ଜଣେ ମନ୍ତ୍ରୀ ସାଇକେଲ ଚଳାଇ ନିଜ କାର୍ଯ୍ୟାଳୟକୁ ଗସ୍ତ କରିବା ସେତେବେଳେ ସମଗ୍ର ଦେଶରେ ପ୍ରଥମ ଘଟଣା ଥିଲା ।

ମନ୍ତ୍ରୀତ୍ୱ କାଳରେ ନିତ୍ୟାନନ୍ଦ ରାଜଧାନୀର କେନ୍ଦ୍ରସ୍ଥଳ ରବୀନ୍ଦ୍ର ମଣ୍ଡପ ନିକଟରେ ସଂଗୀତ ମହାବିଦ୍ୟାଳୟ, ଓଡିଶା ଅଭିଲେଖାଗାର ଏବଂ ଖଣ୍ଡଗିରି ନିକଟସ୍ଥ ଇଲାକାରେ ମାପ ଓଜନ ସଂସ୍ଥାର ନୂତନ ଅଟ୍ଟାଳିକା ଲୋକାର୍ପିତ କରିଥିଲେ । କିନ୍ତୁ ସେହି ସରକାରୀ ପ୍ରତିଷ୍ଠାନ ମାନଙ୍କରେ ବିଭାଗୀୟ ମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେବା ସଂପର୍କରେ କୌଣସି ନାମଫଳକ ରଖିନଥିଲେ । କାରଣ ଜନସାଧାରଣଙ୍କ ଅର୍ଥରେ ନିର୍ମିତ ସରକାରୀ ପ୍ରକଳ୍ପଗୁଡିକରେ ଉଦ୍‌ଘାଟକ ହିସାବରେ ମନ୍ତ୍ରୀଙ୍କ ନାମଫଳକ ରହିବା ଉଚିତ ନୁହେଁ ବୋଲି ସେ ନୀତିଗତ ଭାବେ ସିଦ୍ଧାନ୍ତ ନେଇଥିଲେ ।

ଓଡିଆ ବ୍ୟତୀତ ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ, ଇଂରାଜୀ ଭଳି ଅନେକ ଭାଷାରେ ନିତ୍ୟାନନ୍ଦଙ୍କର ଅଗାଧ ପାଣ୍ଡିତ୍ୟ ଥିଲା । ସେ ରାଜ୍ୟର ମନ୍ତ୍ରୀ ଥିବା ବେଳେ (୧୯୬୭-୭୧) ବମ୍ବେ (ବର୍ତ୍ତମାନ ମୁମ୍ବାଇ) ସହରରେ ସର୍ବଭାରତୀୟ ଉର୍ଦ୍ଦୁ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ତଦାନିନ୍ତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଉଦ୍‌ଘାଟନ କରିଥିବା ଉକ୍ତ ସମ୍ମିଳନୀରେ ନିତ୍ୟାନନ୍ଦ ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ସେଠାରେ ନିତ୍ୟାନନ୍ଦଙ୍କର ଓଜସ୍ୱିନୀ ଭାଷଣ ଶୁଣି ଇନ୍ଦିରା ଗାନ୍ଧୀ ଅଭିଭୂତ ହୋଇ ଯାଇଥିଲେ ଏବଂ ରାଜନୀତିରେ ଏଭଳି ଯଶସ୍ୱୀ ବ୍ୟକ୍ତି ଥିବାରୁ ଆନନ୍ଦ ପ୍ରକଟ କରିଥିଲେ । କେବଳ ସେତିକି ନୁହେଁ, ଏପରିକି ନିତ୍ୟାନନ୍ଦ କଂଗ୍ରେସ ଦଳରେ ଯୋଗ ଦେବା ପାଇଁ ସେ ବ୍ୟକ୍ତିଗତ ଭାବେ ପ୍ରସ୍ତାବ ବାଢିଥିଲେ । କିନ୍ତୁ ଇନ୍ଦିରା ଗାନ୍ଧୀଙ୍କର ସେହି ପ୍ରସ୍ତାବକୁ ନିତ୍ୟାନନ୍ଦ ବିନମ୍ରତାର ସହିତ ଆଗ୍ରହ୍ୟ କରି ଦେଇଥିଲେ ।

ଜ୍ଞାନପୀଠ ପୁରସ୍କାର ଆଜି ମଧ୍ୟ ଭାରତୀୟ ସାହିତ୍ୟ ଜଗତରେ ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ରୂପେ ବିବେଚିତ ହେଉଛି । ତେବେ ନିତ୍ୟାନନ୍ଦଙ୍କ ଦ୍ୱାରା ଲିଖିତ ପ୍ରସିଦ୍ଧ ଉପନ୍ୟାସ “ଘରଡିହ” ବିଗତ ଷାଠିଏ ଦଶକରେ ସେହି ମର୍ଯ୍ୟାଦାଜନକ ପୁରସ୍କାର ପାଇଁ ଯୋଗ୍ୟତା ହାସଲ କରିଥିଲା ବୋଲି ପ୍ରାୟ କେହି ଜାଣି ନାହାନ୍ତି । ଜ୍ଞାନପୀଠ ପୁରସ୍କାର ଚୟନ କମିଟିର ଜଣେ ସଦସ୍ୟ (ଯିଏକି ଅନ୍ୟ ଭାରତୀୟ ଭାଷାର ଜନୈକ ପ୍ରଥିତଯଶା ସାହିତ୍ୟିକ) ଫୋନ୍ କରି ନିତ୍ୟାନନ୍ଦଙ୍କୁ ଅଗ୍ରୀମ ଅଭିନନ୍ଦନ ଜଣାଇଥିଲେ ଏବଂ ତାଙ୍କର ଉପନ୍ୟାସ “ଘରଡିହ” ପୁରସ୍କାର ପାଇଁ ମନୋନୀତ ହୋଇଛି ବୋଲି ସ୍ପଷ୍ଟ କରି ଦେଇଥିଲେ । ତେବେ ଆନୁଷ୍ଠାନିକ ଭାବରେ ପୁରସ୍କାର ଘୋଷଣା ନହେବା ପର୍ଯ୍ୟନ୍ତ ସେ ବିଷୟ ସଂପୂର୍ଣ୍ଣ ଗୋପନ ରଖିବାକୁ ସେ ନିବେଦନ କରିଥିଲେ ।

ଏହାର କିଛି ଦିନ ପରେ ଜ୍ଞାନପୀଠ ପୁରସ୍କାର ଆନୁଷ୍ଠାନିକ ଭାବରେ ଘୋଷିତ ହୋଇଥିଲା ଏବଂ ତାରାଶଙ୍କର ବନ୍ଦୋପାଧ୍ୟାୟଙ୍କ ରଚିତ ବଙ୍ଗଳା ଉପନ୍ୟାସ “ଗଣ ଦେବତା” ସେଥିନିମନ୍ତେ ଚୟନ ହୋଇଛି ବୋଲି କୁହାଗଲା । ଫଳରେ ନିତ୍ୟାନନ୍ଦ ଗଭୀର ଭାବରେ ମର୍ମାହତ ହୋଇଥିଲେ । ତେବେ ପୁରସ୍କାର ଚୟନ କମିଟିର ସେହି ସଦସ୍ୟ ଜଣକ ନିତ୍ୟନନ୍ଦଙ୍କୁ ଫୋନ୍ କରି ସାନ୍ତ୍ୱନା ଦେଇଥିଲେ । ଜାତୀୟ ସ୍ତରରେ ଓଡିଆ ସାହିତ୍ୟର କୌଣସି “ଗଡ୍ ଫାଦର” ନଥିବାରୁ ଅନ୍ତିମ ମୁହୂର୍ତ୍ତରେ “ଘରଡିହ” କାଟ ଖାଇ ପୁରସ୍କାର ନିମନ୍ତେ “ଗଣ ଦେବତା” ମନୋନୀତ ହେଲା ବୋଲି ସେ ସୂଚନା ଦେଇଥିଲେ । ଅବଶ୍ୟ ପରବର୍ତ୍ତୀ କାଳରେ ସେହି “ଘରଡିହ” ଉପନ୍ୟାସ ପାଇଁ ନିତ୍ୟାନନ୍ଦଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ଏତଦଭିନ୍ନ ନିତ୍ୟାନନ୍ଦ ମଧ୍ୟ ପରବର୍ତ୍ତୀକାଳରେ ଓଡିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ “ଅତିବଡ଼ି ଜଗନ୍ନାଥ ଦାସ” ପରସ୍କାର ପ୍ରାପ୍ତ ହୋଇଥିଲେ ।

ଏଗାର ବର୍ଷ ପୂର୍ବେ ୨୦୧୨ ଏପ୍ରିଲ ୧୩ ତାରିଖ ଦିନ ନିତ୍ୟାନନ୍ଦଙ୍କର ଶହେ ବର୍ଷ ବୟସରେ ପରଲୋକ ଘଟିଥିଲା । ସେହି ଶତାୟୁ ସାରସ୍ୱତ ସାଧକଙ୍କ ଜନ୍ମ ଦିବସ ପବିତ୍ର ରଥଯାତ୍ରା ଅବସରରେ ତାଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ନିବେଦନ କରୁଛି ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡୀ ଭୂୟାଁ (ଭାଗ ୭୩)

by ଭବେଶ ଚନ୍ଦ୍ର କର
March 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ମାର୍ଚ୍ଚ ୨୦୨୬ ସନ୍ଧ୍ୟା ହେଲା କିନ୍ତୁ ମନ୍ମଥ ଜଙ୍ଗଲରୁ ନ ଫେରିବାରୁ ମନରେ ମୋର ଛନକା ପଶିଲା। କୁଆଡେ ଗଲା...

Read more
ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

March 11, 2026
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
Jay’s Thoughts:Dated Rituals and our unquestioning acceptance of them

Jay’s Thoughts:
Dated Rituals and our unquestioning acceptance of them

February 22, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.