• About
  • Contact
Tuesday, August 25, 2026
Tuesday, August 25, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଗଡିଆ ଗଙ୍ଗା

ଗଡିଆ ଗଙ୍ଗା
Share on FacebookShare on Xshare on Whatsappshare on Linkedin
ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୧୮ ଫେବୃଆରୀ ୨୦୨୫

ସନାତନ ହିନ୍ଦୁ ସଂସ୍କୃତିରେ ହିମାଳୟ ପର୍ବତ ପ୍ରଦେଶରୁ ପ୍ରବାହିତ ଗଙ୍ଗା ନଦୀ ର ଜଳକୁ ପବିତ୍ର ତୀର୍ଥ ଜଳ ବୋଲି ମାନ୍ୟତା ମିଳିଛି । ପୁରାଣ କାଳରୁ ସ୍ବର୍ଗ ରୁ ଗଙ୍ଗା ଙ୍କୁ ସଗର ବଂଶର ଶ୍ରେଷ୍ଠ ସନ୍ତାନ ଧରାବତରଣ କରାଇ ମର୍ତ୍ତ୍ୟ ଲୋକରେ ପ୍ଲାବିତ କରାଇଥିଲେ ବୋଲି ଆମ ଶାସ୍ତ୍ରରେ ବର୍ଣ୍ଣନା ରହିଛି । ଗଙ୍ଗାଜଳ ଅତ୍ୟନ୍ତ ଶୁଦ୍ଧ ଓ ପବିତ୍ର ବୋଲି ସ୍ଵୀକାର କରାଯାଏ ।

ପୌରାଣିକ ତଥ୍ୟ ଆଧାରିତ ବିଶ୍ୱାସ ଅନୁଯାୟୀ ଦେବ ପ୍ରୟାଗ ଠାରୁ ଗଙ୍ଗା ନଦୀର ଅନ୍ୟ ବିଚ୍ଛିନ୍ନ ରୂପ ଗୁଡ଼ିକ ପ୍ଲାବିତ ହୋଇ ବିଭିନ୍ନ ନାମରେ ବିଦିତ ହୋଇଛନ୍ତି । ଭିନ୍ନ ମତରେ ଏସବୁ ଯଥା: ଭାଗିରଥି, ମନ୍ଦାକିନୀ, ଅଳକାନନ୍ଦା ଏବଂ ଧଉଳିଗଙ୍ଗା ଆଦି ଗଙ୍ଗା ନଦୀର ଅନ୍ୟ ନାମ ଅଟନ୍ତି । ତଥାପି ଦେବପ୍ରୟାଗ ଆମର ଶ୍ରେଷ୍ଠ ତୀର୍ଥ ରୂପେ ପରିଗଣିତ ହୋଇ ଆସିଛି କେଉଁ ଅନନ୍ତ କାଳରୁ । ତେଣୁ, ତୀର୍ଥରାଜ ପ୍ରୟଗରେ ମନୁଷ୍ୟ ନିର୍ଦ୍ଦିଷ୍ଟ ତିଥିରେ ଅବଗାହନ କଲେ ସକଳ ପାପ ନାଶ ଯାଇ ମହା ପୁଣ୍ୟ ଅର୍ଜନ ହୁଏ ବୋଲି ବିଶ୍ବାସ ରଖି କୋଟି କୋଟି ଶ୍ରଦ୍ଧାଳୁ ଏଠାକୁ ଛୁଟି ଆସନ୍ତି ।

କେବଳ ଯେ କୁମ୍ଭ ମେଳା ଅବସର ରେ ତୀର୍ଥ ଜଳରେ ସ୍ନାନ କରି ପୁଣ୍ୟ ଅର୍ଜନ କରିବାର ବିଧି ଅଛି ତାହା ନୁହେଁ । ବରଂ, ବିଭିନ୍ନ ସମୟରେ ଶାସ୍ତ୍ରମତେ ବହୁ ଅଲଭ୍ୟ ସ୍ନାନ ଯୋଗ ସଂଗଠିତ ହେବାର ପରମ୍ପରା ଆମ ସଂସ୍କୃତି ରେ ପ୍ରଚଳିତ ଅଛି । ସେସବୁ ମଧ୍ୟରେ ଗଙ୍ଗା ଦଶହରା ସ୍ନାନ, ସୂର୍ଯ୍ୟ ମହତି ସ୍ନାନ, ଗୋସହସ୍ରି ଗଙ୍ଗା ସ୍ନାନ, କାର୍ତ୍ତିକ ସ୍ନାନ, ସୋମ ମହତି ସ୍ନାନ, ତ୍ରିବେଣୀ ସ୍ନାନ, ଚନ୍ଦ୍ରଭାଗା ସ୍ନାନ, ପାପନାଶିନୀ ଏକାଦଶୀ ସ୍ନାନ, ବାରୁଣୀ ସ୍ନାନ,ଏବଂ ସାମାନ୍ୟ ଗୋବିନ୍ଦ ଦ୍ଵାଦଶୀ ସ୍ନାନ ଆଦି ଅନ୍ୟତମ । ତିଥି ଅନୁଯାୟୀ ଏହି ସବୁ ସ୍ନାନ ଯୋଗରେ ହିନ୍ଦୁ ଧର୍ମାବଲମ୍ବୀ ଶ୍ରଦ୍ଧାଳୁ ଗଣ ପରମ୍ପରା କ୍ରମେ ବିଭିନ୍ନ ନଦୀ ତୀର୍ଥରେ ବୁଡ଼ ପକାଇ ସ୍ନାନ କରନ୍ତି ।

ଗଙ୍ଗା ସମେତ ପ୍ରାୟ ସବୁ ନଦୀକୁ ଦେବୀମାତା ରୂପେ ଉପାସନା କରିବାର ବିଧି ଆମ ସମାଜରେ ପ୍ରଚଳିତ ଅଛି । ବିଶେଷ କରି ଭାରତ ଭୂମିରେ ପ୍ଲାବିତ ନଦୀ ମାନଙ୍କ ମଧ୍ୟରେ ଗଙ୍ଗା, ଯମୁନା, ସରସ୍ଵତୀ, ନର୍ମଦା, ସିନ୍ଧୁ, କାବେରୀ ଓ ଗୋଦାବରୀ ଆଦି ସପ୍ତନଦୀକୁ ପୁଣ୍ୟ ତୀର୍ଥ ରୂପେ ଗ୍ରହଣ କରାଯାଇଛି । ସରସ୍ଵତୀ ନଦୀ ଧାରାର ପ୍ଲାବନ ଅଦୃଶ୍ୟ ଅଛି ବୋଲି ବିଶ୍ୱାସ କରାଯାଏ । ଏ ସଂକ୍ରାନ୍ତରେ ପୌରାଣିକ କିମ୍ବଦନ୍ତୀ ରହିଛି । ସେ ଯାହା ହେଉନା କାହିଁକି, “ଗଙ୍ଗା, ଯମୁନା ଓ ସରସ୍ଵତୀ”ର ତ୍ରିବେଣୀ ସଙ୍ଗମ ତୀର୍ଥରାଜ ପ୍ରୟାଗ ସ୍ଥଳରେ ସ୍ନାନ କରିବା ପାଇଁ ମଣିଷ ମନରେ ଯେଉଁ ଆଧ୍ୟାତ୍ମିକ ଭାବ ଜାଗ୍ରତ କରୁଥିବା ପରମ୍ପରାକୁ ବିଧିବଦ୍ଧ ପାଳନ କରିବା ଅଭିପ୍ରାୟରେ ଚଳିତ ମହାକୁଂଭ ମେଳାରେ ହିନ୍ଦୁବାଦୀ ସନାତନ ସମ୍ପ୍ରଦାୟ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଏହି ପରିପ୍ରେକ୍ଷୀରେ ଜଣାଯାଏ ଯେ, କୁମ୍ଭ ମେଳା ତିନି ଭାଗରେ ବିଭକ୍ତ । ଅର୍ଦ୍ଧ କୁମ୍ଭ, ପୂର୍ଣ୍ଣ କୁମ୍ଭ ଏବଂ ମହା କୁମ୍ଭ ମେଳା ହିନ୍ଦୁ ଧର୍ମାବଲମ୍ବୀ ମାନଙ୍କ ମଧ୍ୟରେ ସଦଭାବନା ତଥା ଐକ୍ୟ ପ୍ରତିଷ୍ଠା ପାଇଁ ପାଳିତ ହୋଇ ଆସୁଛି । ପ୍ରତି ଛଅ ବର୍ଷ ରେ ଅର୍ଦ୍ଧ କୁମ୍ଭ, ପ୍ରତି ବାର ବର୍ଷରେ ପୂର୍ଣ୍ଣ କୁମ୍ଭ ଏବଂ ଦ୍ଵାଦଶ ପୂର୍ଣ୍ଣ କୁମ୍ଭ ଶେଷରେ ଅର୍ଥାତ୍ ୧୪୪ ବର୍ଷ ଅନ୍ତରରେ ମହା କୁମ୍ଭ ମେଳା ଅନୁଷ୍ଠିତ ହୋଇଥାଏ । କୁମ୍ଭ ସ୍ନାନ ଅବସରରେ ଶ୍ରୀ ଗଣେଶ, ଶ୍ରୀ ବିଷ୍ଣୁ, ଶିବ, ଆଦିମାତା ଅମ୍ବିକା ଏବଂ ସୂର୍ଯ୍ୟ ଦେବ (ପଞ୍ଚଦେବତା) ଙ୍କୁ ପୂଜା ଉପାସନାର ପରମ୍ପରା ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା ପ୍ରଚଳନ କରାଯାଇଥିଲା । ଯେଉଁଥିରେ, ଗାଣପତ୍ୟ ( ଗଣେଶ ଉପାସକ), ବୈଷ୍ଣବ (ବିଷ୍ଣୁ ଉପାସକ), ଶୈବ (ଶିବ ଉପାସକ), ଶାକ୍ତ (ଶକ୍ତି ଉପାସକ) ଏବଂ ସୌର ( ସୂର୍ଯ୍ୟ ଉପାସକ) ଆଦି ସାଧୁସନ୍ଥଙ୍କ ସମାଗମ ହୋଇ ମହାମିଳନ ସଂଗଠିତ ହୋଇ ଆସୁଛି । ବିଭିନ୍ନ ଧର୍ମ ସମ୍ପ୍ରଦାୟ ତଥା ସେମାନଙ୍କ ଉପ ସମ୍ପ୍ରଦାୟର ସାଧୁ ସନ୍ୟାସୀମାନେ ସ୍ଵକୀୟ ସାଧନାର ପରାକାଷ୍ଠା ପ୍ରଦର୍ଶନ କରିବାର ପରମ୍ପରା ମଧ୍ୟ ଚଳି ଆସିଛି । ତେବେ ବହୁ କାଳରୁ ଏହି ପ୍ରୟାଗ ସ୍ଥଳରେ ସ୍ନାନକରି କୋଟି ଜନ୍ମର ପୁଣ୍ୟଫଳ ପ୍ରାପ୍ତିର ଆଶା ମଣିଷ ମନରେ ସଞ୍ଚାରିତ ହେବାରେ ଲାଗିଛି ।

ସର୍ବୋପରି ତୀର୍ଥ ସ୍ଥଳରେ ପୁଣ୍ୟତୋୟା ନଦୀରେ ଶୁଦ୍ଧସ୍ନାନ ଏକ ପବିତ୍ର ପରମ୍ପରା ବୋଲି ତିଥିବାର, ନକ୍ଷତ୍ର ଧାର୍ଯ୍ୟ କରାଯାଇ ବିଭିନ୍ନ ସ୍ନାନ ଯୋଗ ବ୍ୟବସ୍ଥା ଜୀବନର ଏକ ଚରମ ଆକାଂକ୍ଷିତ ଉପାସନା ବୋଲି ହିନ୍ଦୁ ସନାତନୀ ମାନଙ୍କର ବିଶ୍ବାସ ରହି ଆସିଛି । ତେବେ ସପ୍ତନଦୀ ମାନଙ୍କ ମଧ୍ୟରୁ ଗଙ୍ଗା ନଦୀର ପବିତ୍ର ଜଳରାଶି ସମସ୍ତ ତୀର୍ଥଜଳ ଠାରୁ ଉର୍ଦ୍ଧ୍ବରେ ବୋଲି ସାଧାରଣତଃ ଏକ ସାର୍ବଜନୀନ ଧାରଣା ରହିଛି । ଏମିତିକି, କୌଣସି ଶୁଭ କର୍ମରେ, ପିଣ୍ଡ ଦାନରେ, ପୂଜା ଉପାସନାରେ ତୀର୍ଥଜଳ ଅଲଭ୍ୟ ହେଲେ ଯେ କୌଣସି କୂପ, ପୁଷ୍କରିଣୀ ଅଥବା ନଦୀ ଜଳକୁ ପବିତ୍ର ସପ୍ତନଦୀ ନାମ ଉଚ୍ଚାରଣ ସହିତ ଅଭିମନ୍ତ୍ରିତ କରାଯାଏ । “ଗଙ୍ଗେଚ ଯମୁନେ ଚୈବ ଗୋଦାବରୀ ସରସ୍ୱତୀ…. ନର୍ମଦେ ସିନ୍ଧୁ କାବେରୀ ଜଳେସ୍ମିନ ସଂନିଧିଂ କୁରୁ ।” ଏହି ଉପାୟରେ ଜଳକୁ ଅନୁରୂପ ପୂତ ପୟୋଧି ଭାବେ ରୂପାନ୍ତରିତ କରାଯାଇ କର୍ମ କର୍ମାଣୀରେ ବ୍ୟବହାର ପାଇଁ ଆମ ଶାସ୍ତ୍ର ପୁରାଣ ସ୍ଵୀକୃତି ଦେଇଛି ।

ଏହି ବିଧି ବ୍ୟବସ୍ଥା ସୂଚନା ଦିଏ କି, ତନୁମନକୁ ଶୁଦ୍ଧକରି, ହୃଦୟକୁ ସ୍ଥିର କରି, ପବିତ୍ର ଭାବରେ ଯେ କୌଣସି ଜଳକୁ ତୀର୍ଥଜଳ ରୂପେ ବ୍ୟବହାର କରିହେବ ଏବଂ ଅନୁରୂପ ପୁଣ୍ୟ ଫଳ ପ୍ରାପ୍ତି ହୋଇପାରିବ । ସେଥିପାଇଁ ବୋଧହୁଏ ଆମର ପୌରାଣିକ / ଐତିହାସିକ କିମ୍ବଦନ୍ତୀ ତଥା ଲୋକୋକ୍ତିରେ ଗୋଟିଏ ପ୍ରବାଦ ଅଛି : “ମନ ପବିତ୍ର ଥିଲେ ଗଡ଼ିଆ ଗଙ୍ଗା।” ଏହା ଏକ ଲୋକକଥା ହେଲେହେଁ, ବହୁକାଳ ଧରି ଏହି ପ୍ରବାଦଟି ଆମକୁ ଆଧ୍ୟାତ୍ମିକ ପବିତ୍ର ଭାବନାରେ ଦ୍ରବିଭୂତ କରି ଆସିଛି ଏବଂ ଶୁଦ୍ଧ ଆଚରଣ ତଥା ସତ୍ କର୍ମ କରିବାର ପ୍ରେରଣା ଦେଇ ଆସିଛି ।

ଏହି କ୍ରମରେ ପ୍ରଚଳିତ କିମ୍ବଦନ୍ତୀର ବିଭିନ୍ନ କାହାଣୀ ମଧ୍ୟରୁ ଗୋଟିଏ / ଦୁଇଟି ଉଦାହରଣ ଏଠାରେ ଆଲୋଚନା କରିବା ପ୍ରାସଙ୍ଗିକ ମନେହୁଏ ।

(୧) କାହାଣୀ ଟି ଏହିପରି :
ଥରେ ଭଗବାନ ବୁଦ୍ଧ ନିଜ ଶିଷ୍ୟ ମାନଙ୍କ ଗହଣରେ ତୀର୍ଥ ପର୍ଯ୍ୟଟନରେ ଥିବା ସମୟରେ ଜଣେ ଶିଷ୍ୟ ମନରେ ଅନ୍ୟ ମାନଙ୍କ ପ୍ରତି ଘୃଣା / ଅସୂୟା ଭାବ ଲକ୍ଷ୍ୟ କଲେ । ସେ ନିଜର ତୃଷା ନିବାରଣ ପାଇଁ ଉକ୍ତ ଶିଷ୍ୟ ଜଣକୁ ପଥ ପାର୍ଶ୍ଵସ୍ଥ ପୁଷ୍କରିଣୀରୁ କିଛି ଜଳ ଆଣିବାକୁ କହିଲେ । ଆଜ୍ଞାବାହୀ ଶିଷ୍ୟ ତତକ୍ଷଣାତ୍ ସେହି ପୁଷ୍କରିଣୀ ଜଳ ଆଣିଲେ ସତ, କିନ୍ତୁ ତାହା ଅପରିଷ୍କୃତ ଥିବାରୁ ପାନୀୟ ରୂପେ ବ୍ୟବହାର ନକରିବାକୁ ବୁଦ୍ଧଦେବଙ୍କୁ ଅନୁନୟ କଲେ । ବୁଦ୍ଧଦେବ ଏକ ସ୍ଥିରପାତ୍ରରେ ସେହି ଜଳ କିଛି ସମୟ ରଖିଦେବାରୁ ତାହା ସ୍ୱଚ୍ଛ ଓ ପରିଷ୍କାର ହୋଇଗଲା । ବୁଦ୍ଧ ତାହା ପାନୀୟ ରୂପେ ଗ୍ରହଣ କରିସାରି କହିଲେ : “ମନ ସ୍ଥିର କଲେ ଗଡିଆ ଗଙ୍ଗା”

ସ୍ଥିର ପାତ୍ରକୁ ମନ ସହିତ ତୁଳନା କରି ବୁଦ୍ଧଦେବ କହିଲେ – ମନ ସ୍ଥିର / ଅବିଚଳିତ ରହିଲେ ତନ୍ମଧ୍ୟରୁ ଆବିଳତା ଦୂର ହୋଇ ଯାଏ । ମନକୁ ଶୁଦ୍ଧ-ପୂତ ଜଳରେ ଆପ୍ଲୁତ କରି ରଖିବାର ଉପଦେଶ ଥିଲା ଭଗବାନ ବୁଦ୍ଧଦେବଙ୍କ ଏହି ଦିବ୍ୟ ବାଣୀରେ । ଯାହାକି, କାଳକ୍ରମେ ଲୋକକ୍ତିରେ ଚଳି ଆସିଛି ଆଜି ପର୍ଯ୍ୟନ୍ତ ।

୨ୟ କାହାଣୀ ଟି ମଧ୍ୟ ତଦୋପରି ।
ଜଣେ ସମ୍ଭ୍ରାନ୍ତ ବଂଶୀୟ ଜମିଦାରଙ୍କ ତିନି ପୁତ୍ର ଥିଲେ । ଏକଦା ତିନିପୁତ୍ରଙ୍କୁ ଡକାଇ ପିତା କହିଲେ – “ମୃତ୍ୟୁ ପରେ ମୋର ଅସ୍ଥି ନେଇ ଗଙ୍ଗା ନଦୀରେ ବିସର୍ଜନ କରିବ ।” କିଛି ଦିନ ଉତ୍ତାରୁ ତାଙ୍କର ଦେହାନ୍ତ ହୋଇଗଲା । ଜ୍ୟେଷ୍ଠ ପୁତ୍ର ଅପୁତ୍ରିକ ଥିଲେ ଏବଂ ପୁତ୍ର ସନ୍ତାନ ପ୍ରାପ୍ତି ଆଶାରେ ସାଂସାରିକ ବନ୍ଧନରେ ରହି ପିତୃକର୍ମକୁ ପାଶୋରି ଦେଲେ । ମଧ୍ୟମ ପୁତ୍ର ଯଦିଓ କୌଳିକ ଜମିଦାରୀ ବୃତ୍ତିରେ ନିମଜ୍ଜିତ ଥିଲେ ଏବଂ ସହରରେ ନିଜ ପରିବାର ସହ ସ୍ୱଚ୍ଛଳ ଜୀବନ ନିର୍ବାହ କରୁଥିଲେ, ଅବହେଳା ବଶତଃ ନିଜ ପିତାଙ୍କ ଅସ୍ଥି ବିସର୍ଜନ ପାଇଁ ବହୁ ବିଳମ୍ବ ହୋଇଗଲା । ସେତେବେଳକୁ କନିଷ୍ଠ ପୁତ୍ର ନିଜ ପୈତୃକ ଗ୍ରାମରେ ବାସ କରୁଥିଲେ । କିନ୍ତୁ ପିତାଙ୍କ ଅଭିଳାଷ ତାଙ୍କର ମନେ ଥିଲା । ସମ୍ବଳ ଅଭାବ ଥିଲା, ଏତେ ବାଟ ଯାଇ ଗଙ୍ଗାରେ ଅସ୍ଥି ବିସର୍ଜନ କରିବା ପାଇଁ । ତଥାପି ମନକୁ ଦୃଢ଼ କରି ଏହି ପିତୃକର୍ଯ୍ୟଟି ସମ୍ପନ୍ନ କରିବାକୁ ସ୍ଥିର କଲେ : ଯେମିତି ହେଉ ନିଶ୍ଚୟ ପ୍ରୟାଗ ଯାଇ ଗଙ୍ଗା ନଦୀରେ ଅସ୍ଥି ବିସର୍ଜନ କରି ପିତାଙ୍କ ଇଚ୍ଛା ପୂରଣ କରିବେ । ରାତିରେ ଭାବି ଭାବି ସେ କେତେବେଳେ ଶୋଇ ପଡିଛନ୍ତି, ଜଣା ନାହିଁ । ସ୍ବପ୍ନରେ ଦେଖିଲେ ଗଙ୍ଗା କୂଳେ କୂଳେ ଚାଲିଛନ୍ତି ସେ । ହାତରେ କନା ପୂଟୁଳାରେ ବନ୍ଧା ହୋଇଥିବା ପିତାଙ୍କ ଅସ୍ଥି । ବାଟ ଚାଲୁ ଚାଲୁ ଏମିତି ଏକ ସ୍ଥାନରେ ପହଞ୍ଚିଲେ, ଯେଉଁଠି ଥିଲା ତାଙ୍କ ନିଜ ଗାଁ ଗୋହିରି ପାଖରେ ଥିବା ଛୋଟିଆ ଗଡିଆ । ପଙ୍କିଳ, କର୍ଦ୍ଦମାକ୍ତ … ଅପରିଷ୍କାର… ଅପରିଚ୍ଛନ୍ନ । ଟିକେ ଅଟକି ଚାହିଁ ଦେଖନ୍ତି ତ, ସ୍ଵୟଂ ଗଙ୍ଗାମାତା ଯେମିତି ତାଙ୍କୁ କହୁଛନ୍ତି – “ଏଇଠି ବୁଡ ପକା, ଆଉ ପିତାଙ୍କ ଅସ୍ଥି ବିସର୍ଜନ କର ।” ଚମକି ଉଠି ପଡିଲେ ସେ । ତହିଁ ପରଦିନ ସେ ସତରେ ସେଇ ଗ୍ରାମ୍ୟ ଗଡିଆରେ ବୁଡ ପକାଇ, ପୁରୋହିତଙ୍କୁ ଡାକି ପିତାଙ୍କ ଅସ୍ଥି ବିସର୍ଜନ କରିଦେଲେ । ସବୁଠାରୁ ଆଶ୍ଚର୍ଯ୍ୟ କଥାଟି ହେଲା ସ୍ଵୟଂ ଗଙ୍ଗାମାତା ସେଇ ଗଡ଼ିଆରେ ଆବିର୍ଭୂତ ହୋଇଥିଲେ ବୋଲି ବହୁଦିନ ଧରି ସେଥିର ଜଳ ପବିତ୍ର ଗଙ୍ଗାଜଳ ପରି ସ୍ୱଚ୍ଛ ରହିଲା । ସେଇଦିନ ଠାରୁ ଲୋକେ କହିବାକୁ ଲାଗିଲେ – “ମନ ପବିତ୍ର ଥିଲେ ଗଡ଼ିଆ ଗଙ୍ଗା ।”

ଏହା କିମ୍ବଦନ୍ତୀର କାହାଣୀ ହେଉ କି, ଜନଶ୍ରୁତିରେ ପ୍ରଚଳିତ ପ୍ରବାଦ – ଶୁଦ୍ଧ ଚିତ୍ତ, ପବିତ୍ର ମନରେ ତର୍ପଣ କରାଗଲେ, ଗଙ୍ଗା ସ୍ନାନର ପୁଣ୍ୟ ଅର୍ଜନ କରି ହେବ ।

ସେମିତି ସୂର୍ଯ୍ୟଦେବଙ୍କ ଆବିର୍ଭାବ ତିଥି ମାଘ ଶୁକ୍ଳ ସପ୍ତମୀରେ ନିରାମୟ ଜୀବନ ଧାରଣ ପାଇଁ ଚନ୍ଦ୍ରଭାଗା ସ୍ନାନ କରାଯାଏ । ଓଡ଼ିଶାରେ ଥିବା ଏହି ନଦୀ ଏବେ ଏକ କ୍ଷୁଦ୍ର ପୁଷ୍କରିଣୀର ପରି ପ୍ରତୀତ ହେଉଛି । ତଥାପି ପୂର୍ବ ପୁଣ୍ୟ ଗୌରବମୟ ପ୍ରଥା ଅନୁସାରେ ଲୋକେ ମାଘ ସପ୍ତମୀରେ ସେଠାକାର (ଚନ୍ଦ୍ରଭାଗା ନଦୀ ନଥାଇ) ଗଡ଼ିଆରେ ହିଁ ଲକ୍ଷ ଲକ୍ଷ ସଂଖ୍ୟାରେ ପବିତ୍ର ମନରେ ବୁଡ଼ ପକାଉଛନ୍ତି।

ସମଗ୍ର ଭାରତ ବର୍ଷରେ ଗଙ୍ଗାନଦୀ ହିଁ ସବୁଠାରୁ ପବିତ୍ର ବୋଲି ଲୋକଙ୍କ ମନରେ ଯେଉଁ ବଦ୍ଧମୂଳ ଧାରଣା ରହି ଆସିଛି ତାର ପଟ୍ଟାନ୍ତର ନାହିଁ । ଏମିତିକି, ଆମରଜ୍ୟର ବିଭିନ୍ନ ସ୍ଥାନରେ ରହିଥିବା ଜଳଧାରକୁ “ଗୁପ୍ତ ଗଙ୍ଗା” ନାମରେ ନାମିତ କରାଯାଇଛି । ଯାଜପୁର ସ୍ଥିତ ବୈତରଣୀ ନଦୀର ମାନସରୋବରକୁ ଗୁପ୍ତଗଙ୍ଗା ର ମାନ୍ୟତା ଦିଆ ଯାଇଛି । ଏମିତିବି କିଛି ଦେବ ପୀଠ ଅଛି, ଯେଉଁଠି ଜଳାଶୟ – ସରୋବର – ପୁଷ୍କରିଣୀ ମଧ୍ୟରେ ଗୁପ୍ତଗଙ୍ଗା ଙ୍କ ଆବିର୍ଭାବ ହୋଇଥିବାର ବିଶ୍ବାସ କରାଯାଏ । ଏଥିର ଜଳରାଶି ପୁଣ୍ୟତୋୟା ଗଙ୍ଗା ନଦୀର ଜଳ ଭଳି ଅନୁରୂପ ପୁଣ୍ୟଫଳ ପ୍ରଦାନକାରୀ ବୋଲି ବିବେଚିତ ହୋଇଆସୁଛି । ସବୁରି ମୂଳରେ ରହିଛି ସାଧାରଣ ଲୋକଙ୍କ ମନର ଅତୁଟ ବିଶ୍ବାସ ।

ଚଳିତ ବର୍ଷ ପ୍ରୟାଗ ତୀର୍ଥରେ ସ୍ନାନ କରି ପାରମ୍ପରିକ ମହାକୁମ୍ଭ ମେଳାରେ ପୁଣ୍ୟ ଅର୍ଜନ କରିବାର ଅଭିପ୍ସା ନେଇ ଆସିଥିବା ପ୍ରାୟ ୪୫ କୋଟି ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି ହେଲା କାହିଁକି ? ଆପଣା ଶରୀର ଓ ମନକୁ ସ୍ଥିର, ଶୁଦ୍ଧ ଓ ପବିତ୍ର ରଖିବାର ଲକ୍ଷ୍ୟ ହଠାତ୍ ବିଚଳିତ – ବୋଧ ହେବାର କାରଣ କଣ ? କୋଟି କୋଟି ଶ୍ରଦ୍ଧାଳୁଙ୍କ ଭିଡ଼ ଭିତରେ ଦଳା ଚକଟାରେ ମୃତାହତ ହେବା ଘଟଣା ମଧ୍ୟ କିଛି ପରିମାଣରେ ଧର୍ମୀୟ ଧାରଣା ତଥା ପବିତ୍ର ପରମ୍ପରା ଉପରେ ଭାବାନ୍ତର ସୃଷ୍ଟି କରୁ ନାହିଁକି ? ପୂର୍ବରୁ ମଧ୍ୟ ୧୯୫୪ ମସିହାରେ ଅନୁଷ୍ଠିତ କୁମ୍ଭ ମେଳାରେ ଏହିପରି ଦଳାଚକଟା ଜନିତ ଅଘଟଣ ଯୋଗୁ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ମୃତାହତ ହୋଇଥିବା କୁହାଯାଏ । … ଗଡିଆ ଗଙ୍ଗାର ଶୁଦ୍ଧ ସଂସ୍କାର ମନରେ ଜାଗ୍ରତ ହେଲେ ଏପରି ସମ୍ଭାବ୍ୟ ଅଘଟଣକୁ ଏଡାଇ ଦେଇ ହୁଅନ୍ତା ।

ଅବନୀ ଚନ୍ଦ୍ର ଦାସ

ଅବନୀ ଚନ୍ଦ୍ର ଦାସ

(ସାହିତ୍ୟିକ, ସ୍ତମ୍ଭକାର, ଗବେଷକ, ସୁସଂଗଠକ)
ସଂପାଦକ, ନିର୍ଭିକ
ସଂପାଦକ, ମାହାଙ୍ଗା ମୈତ୍ରୀ ମଞ୍ଚ
ସଂପାଦକ, ଉତ୍କଳୀୟ ସାହିତ୍ୟ ସଂସ୍କୃତି ପରିଷଦ
ପ୍ରଶାନ୍ତି ବିହାର, ଭୁବନେଶ୍ବର-୨୪
ଫୋନ୍ ନଂ. ୯୯୩୭୫୩୭୯୭୪

Related Posts

Vipul’s Voice:What is Spirituality?
More

Vipul’s Voice:
What is Spirituality?

by Vipul Agarwal
August 19, 2026

Vipul Agarwal, Delhi, 19 August 2026 The five elements, Prithvi, Jal, Agni, Vayu, and Aakash, are the fundamental components of the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.