ଭକ୍ତ ଚରଣ ସାହୁ, ଯାଜପୁର, ୯ ଅକ୍ଟୋବର ୨୦୨୨
ଗଣ କବି ତୁମେ ଗଣ ହୃଦୟର କବି
ଜୟନ୍ତୀ ଦିବସେ ଘେନହେ କୁସୁମାଞ୍ଜଳି ।
କୋଟି ହୃଦୟରେ ରହିଗଲା ତୁମ ଛବି
ପ୍ରତିଭା ତୁମର କିଏବା ପାରିବ କଳି ?
ମାହାଙ୍ଗା ମାଟିର କୋଠପଦା ବୋଲି ଗାଆଁ
ସେଇଠେଇଁ ତୁମେ ଜନମ ଲଭିଲ ଯେବେ ।
ରଚିଗଲ କେତେ ଗୀତ ଗୀତିନାଟ୍ୟ ଛାଆଁ
ସେଇଥି ପାଇଁ ଗୋ ପୂଜା ପାଉଅଛ ଏବେ ।।
ଦୁଃଖ ଦାରିଦ୍ରର କଷା ଘାତରେ ସଢି
ସୁଖ ବୋଲି କିଛି ଜାଣିତ ନଥିଲ ତୁମେ ।
ଶେଷ ବେଳେ ତୁମେ ଦୂରା ରୋଗରେ ପଡ଼ି
ମାଟିର ଶରୀର ପଡି ରହିଗଲା ଭୂମେ ।।
ସେତେବେଳେ ଯିଏ ତୁମକୁ ଯେଉଁଠି ଦେଖି
ନ ଚିହ୍ନି ପାରିଗୋ ଦୂର ଦୂର ଖାଲି କଲେ ।
ଜାତି ଇତିହାସ ତୁମକୁ ରଖିଲା ଲେଖି
ହେଲେ ସେବେଳର ନିନ୍ଦୁକ କୁଆଡେ ଗଲେ ?
ପଛକୁ ନ ଚାହିଁ ଶୁଣିନ କାହାରି କଥା
ବାଣୀ ଆରାଧନେ ଦେଇଛ ସମୟ ସବୁ ।
ରାଜା ପରି ସଦା ଉପରକୁ ଟେକି ମଥା
ସାହିତ୍ୟ ସାଧନେ କରିଲ ସଭିଙ୍କୁ କାବୁ ।।
ସେତେବେଳେ ଯାହା ଘଟୁଥିଲା ସବୁ ଦେଖି
ସମାଜର ପରିବର୍ତ୍ତନ ଆଣିବା ପାଇଁ ।
ତୁମ ସାହିତ୍ୟରେ ଦେଉଥିଲ ତାହା ଲେଖି
ସେଭଳି ଲେଖାତ ଆଜିବି ଗୋଟିଏ ନାହିଁ ।।
ମାହାଙ୍ଗା ମାଟିରୁ ସାରା ରାଇଜରେ ଆଜି
ତୁମ କଥା ପଡେ ସାହି ସାହି ଘରେ ଘରେ ।
ଗୀତିନାଟ୍ୟ ଦେଖି ନିଦ ଆମ ଯାଏ ଭାଜି
ତୁମ ଗୀତ ରସେ କିଏ ଗୋ ହଜିନି ଥରେ ।।
ତୁମ ଭଳି ଜଣେ ଯୋଗ୍ୟ କବିଙ୍କୁ ପାଇ
ମାହାଙ୍ଗାର ମାଟି ଗରବେ ଫୁଲାଏ ଛାତି ।
ଥିବା ଯାଏ ଧରା ତୁମ ନାମ ଥିବୁ ଗାଇ
ଧନ୍ୟ ହୋଇଲା ଆମ ଏ ଓଡ଼ିଆ ଜାତି ।।