• About
  • Contact
Saturday, March 14, 2026
Saturday, March 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଗାନ୍ଧିଜୀ ଓ ମହିଳା ସଶକ୍ତିକରଣ

ଗାନ୍ଧିଜୀ ଓ ମହିଳା ସଶକ୍ତିକରଣ
Share on FacebookShare on Xshare on Whatsappshare on Linkedin
ଜୟନ୍ତ କୁମାର ଦାସ, ଭୁବନେଶ୍ୱର, ୧୫ ଡିସେମ୍ବର ୨୦୨୨

ଇତିହାସ ପୃଷ୍ଠାକୁ ନିରେଖି ଦେଖିଲେ ବହୁତ ଘଟଣା ଲୋକଲୋଚନ କୁ ଆସିଥାଏ । ସ୍ୱାଧୀନତା ସଂଗ୍ରାମ ସମୟର କଥା । ମହାତ୍ମାଗାନ୍ଧୀଙ୍କ ସତ୍ୟ ଓ ଅହିଂସା ନୀତିକୁ ପାଥେୟ କରି ପୁରୁଷ ଓ ମହିଳା ସଂଗ୍ରାମୀ ଶକ୍ତିଶାଳୀ ଇଂରେଜ ଜାତିକୁ ଏ ଭୁଖଣ୍ଡରୁ ହଟାଇବାକୁ ସମର୍ଥ ହୋଇପାରିଥିଲେ ୧୯୪୭ ମସିହାରେ। ଗାନ୍ଧିଜୀଙ୍କ ସ୍ୱପ୍ନର ଭାରତ ଥିଲା – ଯେଉଁଠି ଗରିବରୁ ଗରିବତମ ଲୋକ ଅନୁଭବ କରିବ ଯେ ଏ ଦେଶ ତାଙ୍କର ଦେଶ, ଯେଉଁଠି ଉଚ୍ଚ ନୀଚ ଭେଦଭାବ ନଥିବ, ଯେଉଁଠି ମହିଳାମାନେ ପୁରୁଷମାନଙ୍କ ପରି ସମାନ ଅଧିକାର ପାଇବେ ଓ ସମସ୍ତେ ଶାନ୍ତିରେ ସହାବସ୍ଥାନ କରିବେ । ଏହାହିଁ ଥିଲା ଗାନ୍ଧିଜୀଙ୍କର ପରିକଳ୍ପିତ ରାମରାଜ୍ୟ।

ପୁରୁଷଙ୍କ ଭଳି ବହୁ ଭାରତୀୟ ନାରୀ ଗାନ୍ଧିଜୀଙ୍କ ଆହ୍ୱାନରେ ସ୍ୱାଧୀନତା ସଂଗ୍ରାମରେ ନିଜର ପରାକାଷ୍ଠା ଓ ସାହସିକତା ପ୍ରତିପାଦନ କରି ଏହି ଦେଶ ପାଇଁ ଗୌରବ ଆଣିବାରେ ସକ୍ଷମ ହୋଇ ପାରିଥିଲେ । ତତ୍କାଳୀନ ସମାଜରେ ଯେତେବେଳେ ନାରୀମାନେ ପର୍ଦ୍ଦାପ୍ରଥାକୁ ବାଧ୍ୟବାଧକତାରେ ଗ୍ରହଣ କରିଥିଲେ ଓ ପୁରୁଷ ପ୍ରାଧାନ୍ୟ ସମାଜରେ ଏରୁଣ୍ଡିବନ୍ଧ ଡେଇଁବାକୁ ବାରଣ ଥିଲା ସେହି ସମୟରେ ଗାନ୍ଧିଜୀଙ୍କ ଡ଼ାକରାରେ ସାମାଜିକ ବନ୍ଧନ ଓ କଟକଣାକୁ ଏଡ଼ାଇ ପୁରୁଷମାନଙ୍କ ସହିତ ତାଳ ଦେଇ ମହିଳାମାନେ ସ୍ୱାଧୀନତା ସଂଗ୍ରାମରେ ସ୍ୱଇଚ୍ଛାରେ ଯୋଗ ଦାନ କରିବା କଥା ଆଲୋଚ୍ୟ ବିଷୟ ହୋଇପଡିଥିଲା । ଅସହଯୋଗ ଆନ୍ଦୋଳନ ଠାରୁ ଆରମ୍ଭ କରି ଲବଣ ସତ୍ୟାଗ୍ରହ, ଭାରତଛାଡ଼ ଆନ୍ଦୋଳନ, ରଚନାତ୍ମକ କାର୍ଯ୍ୟକ୍ରମ ବିଶେଷ କରି “ଛୁଆଁ ଅଛୁଆଁ” ଭେଦଭାବ ବିରୁଦ୍ଧରେ, ଖଦୀର ପ୍ରସାର ଓ ପ୍ରଚାର ଆଦି କ୍ଷେତ୍ରରେ ନାରୀମାନେ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଉଲ୍ଲେଖଯୋଗ୍ୟ ଗାନ୍ଧିଜୀଙ୍କୁ ମହାତ୍ମା କରିବା ପଛରେ ନିଜ ଧର୍ମପତ୍ନୀ କସ୍ତୁରବାଙ୍କ ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍ୱାମୀଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରତ୍ୟେକ କାର୍ଯ୍ୟରେ ଗାନ୍ଧିଜୀଙ୍କର ଅନୁଗାମୀ ହୋଇ ରହିଥିଲେ ଓ ସେଥିପାଇଁ ବହୁତ ତ୍ୟାଗ ନିଷ୍ଠା ଓ କଷ୍ଟ ସ୍ୱୀକାର କରିବାକୁ ପଡିଥିଲା କସ୍ତୁରବାଙ୍କୁ । ଗାନ୍ଧିଜୀଙ୍କ ବିଚାରରେ ପୁରୁଷ ଓ ମହିଳା ପରସ୍ପରର ପରିପୂରକ । ଏହି ଦୁଇ ରଥ ଏକ ସଂଗେ ନ ଚାଲିଲେ ସମାଜର ପ୍ରଗତି ଅସମ୍ଭବ ବୋଲି ଗାନ୍ଧିଜୀ ହୃଦୟଙ୍ଗମ କରିଥିଲେ । ଘର ଓ ପରିବାର ଦାୟିତ୍ୱ ସହିତ ଦେଶମାତୃକାର ପାଇଁ ସେବା କରିବାକୁ ପଡ଼ିବ ବୋଲି ମହିଳା ମାନଙ୍କୁ ପରାମର୍ଶ ଦେବା ସହ ଗାନ୍ଧିଜୀ ପ୍ରକାଶ୍ୟରେ କହୁଥିଲେ ‘ଘରକେ କାମ୍ କେ ସାଥ୍ ବାହାର କା କାମକା ମେଲ ବିଠାନା ହୋଗା’ । ଗାନ୍ଧିଜୀ ଚାହୁଁଥିଲେ ସ୍ୱାଧୀନଚେତା ନାରୀମାନେ ପୁରୁଷ ମାନଙ୍କ ସହିତ ସମକକ୍ଷ ହୋଇ ଏ ଦେଶରୁ ପରାଧୀନତାର ଅନ୍ଧକାରକୁ ଦୁରେଇ ଅହିଂସା ଓ ସତ୍ୟ ଉପରେ ପର୍ଯ୍ୟବେସିତ ନୂତନ ଦିଗଦର୍ଶନ ଦ୍ୱାରା ଦେଶକୁ ସ୍ୱାଧୀନତାର ସ୍ୱାଦ ଚଖେଇବେ ଓ ସାରା ଦେଶରେ ନୂତନ ସ୍ପନ୍ଦନ ସୃଷ୍ଟି କରିବାରେ ସହାୟକ ହେବେ । ସେ ଜାଣିଥିଲେ ନାରୀମାନେ ଆତ୍ମତ୍ୟାଗ, ସାହସୀକତାରେ ପୁରୁଷ ମାନଙ୍କ ଠାରୁ ସବୁବେଳେ ଅଗ୍ରଣୀ । ବାଲ୍ୟ ବିବାହ ଓ ଯୌତୁକ ପ୍ରଥାକୁ ବିରୋଧ କରିବା ଓ ବିଧବା ବିବାହକୁ ପ୍ରୋତ୍ସାହନ ଦେବା, ନାରୀ ଶିକ୍ଷା ଓ ନାରୀ ଜାଗରଣ ଉପରେ ଗୁରୁତ୍ୱ ଦେବା ଓ ନାରୀମାନଙ୍କ ଭୋଟ ଦେବା ଅଧିକାର ସାବ୍ୟସ୍ତ କରିବା ଉପରେ ଗାନ୍ଧିଜୀ ସ୍ୱର ଉତ୍ତୋଳନ କରୁଥିଲେ । ଗାନ୍ଧିଜୀଙ୍କ ଭାଷାରେ ପୁରୁଷ ଓ ନାରୀ ଶାରୀରିକ ଦୃଷ୍ଟିରୁ ଯଦିଓ ଭିନ୍ନ ଭିନ୍ନ କିନ୍ତୁ ସେମାନଙ୍କ ଭିତରେ ଥିବା ଆତ୍ମା ଏକ ଏବଂ ଅଭିନ୍ନ । ୧୯୧୮ ମସିହାରେ ଏକ ମହିଳା ସମ୍ମିଳନୀରେ ଭାଷଣ ମାଧ୍ୟମରେ ସେ କହିଥିଲେ ନାରୀ ପୁରୁଷର ସହଗାମିନୀ ଓ ସେମାନଙ୍କର ମାନସିକ ଦକ୍ଷତା ପୁରୁଷ ମାନଙ୍କ ସହ ସମାନ । ପୁରୁଷର ପ୍ରତ୍ୟେକ କାର୍ଯ୍ୟରେ ନାରୀମାନେ ଭାଗ ନେବା ହକ୍ ଦାର ଏବଂ ସ୍ୱାଧୀନତା ଓ ମୁକ୍ତି ପାଇଁ ପୁରୁଷ ମାନଙ୍କ ପରି ସେମାନଙ୍କର ବି ସମାନ ଅଧିକାର ରହିଛି ।

ନାରୀମାନେ ଶାରୀରିକ ଶୃଙ୍ଗାର ଉପରେ ଗୁରୁତ୍ୱ ନଦେବାକୁ ଗାନ୍ଧିଜୀ ପରାମର୍ଶ ଦେଉଥିଲେ ଏବଂ ଏହା ଦାସତ୍ଵର ଚିହ୍ନ ବୋଲି କହୁଥିଲେ । ୧୯୨୧ ମସିହା ମାର୍ଚ୍ଚ ମାସରେ ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ସମୟରେ କଟକ ବିନୋଦ ବିହାରୀ ପ୍ରାଙ୍ଗଣରେ ମହିଳା ମାନଙ୍କର ଏକ ସଭାରେ ମହିଳା ମାନଙ୍କୁ ସୁନା ଗହଣା ଦାନ କରିବା ପାଇଁ ଗାନ୍ଧିଜୀ ପରାମର୍ଶ ଦେଇଥିଲେ, ଏହାକୁ ସମ୍ମାନ ଜଣାଇ କିଛି ମହିଳା ତିଲକ ସ୍ୱରାଜ ପାଣ୍ଠିକୁ ମୁକ୍ତହସ୍ତରେ ଦାନ କରିଥିଲେ ଓ ରମାଦେବୀ ନିଜେ ବୁଣିଥିବା ସୂତା ମୋଡ଼ା ଏହି ସମୟରେ ଗାନ୍ଧିଜୀଙ୍କୁ ଅର୍ପଣ କରିଥିଲେ। ୧୯୨୭ ଡିସେମ୍ବର ୪ ତାରିଖ ଦିନ ବ୍ରହ୍ମପୁର ରେ ଅନୁଷ୍ଠିତ ମହିଳା ମାନଙ୍କ ସଭାରେ ଗାନ୍ଧିଜୀ କହିଥିଲେ – ସମସ୍ତେ ବିଦେଶୀ ଲୁଗା ପିନ୍ଧିବା ଛାଡ଼ନ୍ତୁ ଓ ଖଦୀର ବ୍ୟବହାର କରନ୍ତୁ । ସୁନ୍ଦର ଶାଢ଼ୀ ଓ ଅଳଙ୍କାର ପିନ୍ଧିବାର ଆବଶ୍ୟକତା ନାହିଁ । ଖଦୀ ପାଣ୍ଠିକୁ ଯେଉଁମାନେ କିଛି ଦାନ କରିନାହାନ୍ତି, ସେମାନଙ୍କୁ ଚାନ୍ଦା ସ୍ୱରୂପ ଅର୍ଥ କିମ୍ବା ଗହଣା ଦାନ କରିବାକୁ ପରାମର୍ଶ ଦେଇଥିଲେ । ବୋଲଗଡ଼ରେ ଏକ ସାଧାରଣ ସଭାରେ ଭୟକୁ ଦୂର କରିବା ପାଇଁ ଆହ୍ୱାନ ଦେଇ ଗାନ୍ଧିଜୀ କହିଥିଲେ ଭୟ ହଇଜା, ବସନ୍ତ ବା ମ୍ୟାଲେରିଆ ଠାରୁ ଅଧିକ ମାରାତ୍ମକ । ରୋଗ ଶରୀରକୁ କ୍ଷୀଣ କରେ ମାତ୍ର ଭୟ ଆତ୍ମଶକ୍ତି କୁ ନଷ୍ଟ କରିଦିଏ । ଗାନ୍ଧୀଜୀଙ୍କର ଏହି ବାଣୀ ଟି ସମସ୍ତଙ୍କ ମନକୁ ଛୁଇଁଥିଲା ।

ସର୍ବଭାରତୀୟ ସ୍ତରରେ କସ୍ତୁରବା ଙ୍କ ବ୍ୟତୀତ ସରୋଜିନୀ ନାଇଡୁ, ଅରୁଣା ଆସଫ ଅଲ୍ଲୀ, ବିଜୟ ଲକ୍ଷ୍ମୀ ପଣ୍ଡିତ, ଜାନକୀ ଦେବୀ ବଜାଜ,ସୁଚେତା କ୍ରିପାଲିନୀ ପ୍ରମୁଖ ନାରୀ ନେତ୍ରୀ ମାନେ ମୁକ୍ତି ସଂଗ୍ରାମ ରେ ମୁଖ୍ୟ ଭୂମିକା ନିଭେଇଥିଲେ । ସାହିତ୍ୟ ମାଧ୍ୟମରେ କୁନ୍ତଳା କୁମାରୀ ସାବତ ନାରୀମାନଙ୍କ ମଧ୍ୟରେ ନୂତନ ଚେତନା ଉଦ୍ରେକ କରିବାରେ ସଫଳ ହୋଇପାରିଥିଲେ । ଦାଣ୍ଡିରେ ଲୁଣ ମରା ଅଭିଯାନ ସଫଳ ହେବାପରେ ନାରୀମାନଙ୍କୁ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିବା ପାଇଁ ଗାନ୍ଧିଜୀ ପରାମର୍ଶ ଦେଇଥିଲେ । ବିଭିନ୍ନ ପ୍ରଦେଶ ରେ ଲୁଣମରା ଅଭିଯାନ ସହିତ ବିଦେଶୀ ବସ୍ତ୍ର ଦୋକାନ ଓ ମଦ, ଅଫିମ ଓ ଗଂଜେଇ ଦୋକାନ ସାମ୍ନାରେ ପିକେଟିଂ କରିବା ପାଇଁ ନାରୀ ମାନଙ୍କୁ ବିଶେଷ କରି ଆହ୍ୱାନ ଦେଇଥିଲେ । ଶହ ଶହ ସଂଖ୍ୟାରେ ମହିଳା ମାନେ ଏଥିରେ ସାମିଲ ହେବାକୁ ଆଗଭର ହୋଇପଡ଼ିଲେ । ନାରୀମାନଙ୍କ ମଧ୍ୟରେ ଏକ ପ୍ରକାର ନୂତନ ଜାଗରଣ ସୃଷ୍ଟି ହେଲା । କସ୍ତୁରବା ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ନାରୀମାନେ କାରାବରଣ କରିବା ଉପରେ ଗାନ୍ଧିଜୀ କହୁଥିଲେ ଜେଲ ଯିବା ଯଜ୍ଞକର୍ମ ସହିତ ସମାନ ବୋଲି ।

ଓଡ଼ିଶାରେ ଆଗଧାଡ଼ିର ମହିଳା ସଂଗ୍ରାମୀଙ୍କ ମଧ୍ୟରେ ଥିଲେ ରମାଦେବୀ, ମାଳତୀ ଚୋୖଧୁରୀ, ସରଳା ଦେବୀ, କିରଣ ବାଳା ସେନ୍, ଗୋଦାବରୀ ଦେବୀ, ମଙ୍ଗଳା ସେନ୍ ଗୁପ୍ତା, ଜାହ୍ନବୀ ଦେବୀ, ଶୋଭାବତୀ ପଣ୍ଡା, ପ୍ରିୟମ୍ବଦା ଦେବୀ, ହେମଲତା ଦେବୀ, ସୁନାମଣି ଦେବୀ, ଅନ୍ନପୂର୍ଣ୍ଣା ମହାରଣା, ପାର୍ବତୀ ଗିରି ପ୍ରମୁଖ । ଆମ ପ୍ରଦେଶରେ ରମାଦେବୀ ଓ ମାଳତୀ ଚୌଧୁରୀ ଙ୍କ ଡାକରାରେ ବହୁସଂଖ୍ୟକ ମହିଳା ସତ୍ୟାଗ୍ରହରେ ଯୋଗ ଦେଇଥିଲେ । ଇଂଚୁଡ଼ି, କୁଜଙ୍ଗ ଅଂଚଳରେ ଲୁଣମରା କାର୍ଯ୍ୟ ଚାଲିଲା । ସରଳା ଦେବୀ ହୁମା ଅଭିମୁଖେ ଲୁଣ ମାରିବା ପାଇଁ ଗଲାବେଳେ ରାସ୍ତାରେ ଗିରଫ ହୋଇ ଛଅ ମାସ ଜେଲ ଦଣ୍ଡ ଭୋଗିଲେ ସୁଦୂର ଭେଲୋର ଜେଲ୍ ରେ । ମହିଳା ମାନେ ଭୋକ ଉପାସରେ ରହି ଓଦା ଲୁଗା ପିନ୍ଧି ନିଜ କର୍ତ୍ତବ୍ୟର ଅଟଳ ଥିଲେ । ମହିଳାମାନଙ୍କ ବୀରତ୍ୱ ଦେଖି ଚାରିଆଡେ ଅଦ୍ଭୁତପୂର୍ବ ବାତାବରଣ ସୃଷ୍ଟି ହୋଇଥିଲା । ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନ ସମୟରେ ରମାଦେବୀ, ମାଳତୀ ଚୌଧୁରୀ, ଅନ୍ନପୂର୍ଣ୍ଣା ମହାରଣା ଙ୍କ ସମେତ ବହୁ ସଂଖ୍ୟକ ମହିଳା କର୍ମୀ ଏଥିରେ ଯୋଗଦାନ କରିଥିଲେ । ବାଲେଶ୍ୱର ଇରମ ଠାରେ ପରିବେୱା ଓ ଗୁରୁବାରୀ ମେହେର ନାମ୍ନୀ ଦୁଇ ମହିଳା ସତ୍ୟାଗ୍ରହୀ ପୋଲିସ ଗୁଳିରେ ସହିଦ ହୋଇଥିଲେ । ଗାନ୍ଧିଜୀଙ୍କ ବାର୍ତ୍ତାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ ମହିଳା ସତ୍ୟାଗ୍ରହୀ ଗଣ – ଅନ୍ୟାୟକୁ ସହିଯିବା ସତ୍ୟାଗ୍ରହୀର କାମ ନୁହେଁ, ସମସ୍ତ ଶକ୍ତି ପ୍ରୟୋଗ କରି ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସତ୍ୟାଗ୍ରହୀର ଧର୍ମ । ୧୯୩୪ ମସିହାରେ ଗାନ୍ଧୀଜୀଙ୍କର ହରିଜନ ଗସ୍ତ ଆରମ୍ଭ ହେଲା । ଛୁଆଁ ଅଛୁଆଁ ଭେଦ ଭାବ ଦୂର କରିବା ଥିଲା ଏହି ଗସ୍ତର ମୂଳ ଲକ୍ଷ୍ୟ।

କଟକ ସହରରେ ମହିଳା ସ୍ବେଚ୍ଛାସେବିକା ମାନେ ହରିଜନ ବସ୍ତି ବୁଲି ଝିଅ ମାନଙ୍କୁ ଅକ୍ଷର ଚିହ୍ନାଇବା ସହିତ ପାଠ ପଢ଼ାଇବା, ଲେଖା ଶିଖାଇବା, ଗଣିତ ଆଦି ବିଷୟରେ ଶିକ୍ଷା ଦେବା ଆଦି କାମରେ ଲାଗିଲେ । ରୋଗଗ୍ରସ୍ତ ଲୋକଙ୍କୁ ଔଷଧ ବଣ୍ଟନ କରିବା ଓ ସେମାନଙ୍କ ଘରଦ୍ୱାର ସଫା କରିବା, ମଲା ପଶୁର ମାଂସ ଭକ୍ଷଣ ନ କରିବା ପାଇଁ ବୁଝେଇବା ଆଦି କାମରେ ମହିଳା ସ୍ବେଚ୍ଛାସେବିକା ମାନେ ନିୟୋଜିତ ରହିଲେ । ରମାଦେବୀ ଓ ତାଙ୍କ କର୍ମୀ ମାନଙ୍କ ନିରବଛିନ୍ନ କାମ ଦେଖି ଗାନ୍ଧିଜୀ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଥିଲେ । ମୌଳିକ ଶିକ୍ଷା କାର୍ଯ୍ୟକ୍ରମରେ ମଧ୍ୟ ମହିଳାମାନେ ନିଜକୁ ସାମିଲ କରିଥିଲେ । ମହର୍ଷି କାର୍ଭେ ଯେ କି ନିଜ ଜୀବନ ନାରୀ ଶିକ୍ଷା ପାଇଁ ଉତ୍ସର୍ଗ କରିଥିଲେ କଥା ପ୍ରସଙ୍ଗରେ କହିଥିଲେ ୩୦ ବର୍ଷ ଧରି ନାରୀ ଜାଗରଣ ପାଇଁ ସେ ଯାହା କରି ପାରି ନଥିଲେ ସାବରମତିର ଏହି ଯାଦୁଗର ଲବଣ ସତ୍ୟାଗ୍ରହ ମାଧ୍ୟମରେ ଏହା କରି ଦେଖାଇଥିଲେ ।

ସାମଗ୍ରିକ ସ୍ୱାଧୀନତା ପ୍ରକୃତ ସ୍ୱାଧୀନତା ବୋଲି ଗାନ୍ଧିଜୀ ବିଚାର କରୁଥିଲେ । ସେ କହିଥିଲେ ଯେତେବେଳେ ନିର୍ଭୟରେ ନାରୀଟିଏ ରାତି ଅଧରେ ରାଜରାସ୍ତାରେ ବିନା ଦ୍ବିଧାରେ ଯାତାୟାତ କରିପାରିବ ସେତେବେଳେ ଜାଣିବ ଯେ ପ୍ରକୃତ ସ୍ୱାଧୀନତା ଆସିଲା । କିନ୍ତୁ ତାଙ୍କ ଆବର୍ତ୍ତମାନର ୭୪ ବର୍ଷ ପରେ ନାରୀ ଆଜି ଅତ୍ୟାଚାରିତ ଓ ନିର୍ଯ୍ୟାତିତ । ଗାନ୍ଧିଜୀଙ୍କ ଅମୁଲ୍ୟ ବାଣୀ ଯାହାକି ଖରାପ କଥା କହିବା ନାହିଁ, ଖରାପ କଥା ଦେଖିବା ନାହିଁ, କିମ୍ବା ଖରାପ କଥା ଶୁଣିବା ନାହିଁ ଆଜି ପ୍ରହସନରେ ପରିଣତ ହୋଇଛି ଏ ଆଧୁନିକ ସମାଜରେ । ରାତିକଥା କିଏ ପଚାରେ ଦିନ ଦୁଇ ପହରରେ ମଧ୍ୟ ନାରୀମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ସଂଗ୍ରାମୀ ମାନେ ନିଜ ଜୀବନକୁ ବାଜି ଲଗାଇ ମୁକ୍ତି ସଂଗ୍ରାମରେ ଉତ୍ସାହ ଉଦ୍ଦୀପନା ସହିତ ନିଜକୁ ସାମିଲ କରିଥିଲେ ସେମାନଙ୍କ ସ୍ବପ୍ନ ବାସ୍ତବରେ କେତେ ସଫଳ ହୋଇଛି ତାର ମୂଲ୍ୟାୟନ କରିବା ଆଜିର ସମୟରେ ପ୍ରତ୍ୟେକ ସଚେତନ, ଦାୟିତ୍ୱବୋଧ ନାଗରିକର କର୍ତ୍ତବ୍ୟ ।

ଜୟନ୍ତ କୁମାର ଦାସ

ଜୟନ୍ତ କୁମାର ଦାସ

ସଂପାଦକ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି, କଟକ

Related Posts

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି
More

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

by ପ୍ରଭୁକଲ୍ୟାଣ ମହାପାତ୍ର
March 11, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୧ ମାର୍ଚ୍ଚ ୨୦୨୬ ପୂର୍ବତନ ବିଧାୟକ ପରମାନନ୍ଦ ମହାନ୍ତି ଏଭଳି ଜଣେ ବ୍ୟକ୍ତି ଥିଲେ, ଯାହାଙ୍କୁ ଦଳମତ ନିର୍ବଶେଷରେ ସମସ୍ତେ ଶ୍ରଦ୍ଧା ଓ...

Read more
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
Jay’s Thoughts:Dated Rituals and our unquestioning acceptance of them

Jay’s Thoughts:
Dated Rituals and our unquestioning acceptance of them

February 22, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.