• About
  • Contact
Tuesday, August 11, 2026
Tuesday, August 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତର କିୟଦଂଶ

ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତର କିୟଦଂଶ
Share on FacebookShare on Xshare on Whatsappshare on Linkedin
ଜୟନ୍ତ କୁମାର ଦାସ, ଭୁବନେଶ୍ୱର, ୧ ଜାନୁୟାରୀ ୨୦୨୩

ଗାନ୍ଧୀଜୀଙ୍କର ପ୍ରଥମ ଓଡ଼ିଶା ଆଗମନ ୧୯୨୧ ମସିହା ୨୩ ତାରିଖ ବୁଧୁବାର ଦୋଳପୂର୍ଣ୍ଣିମା ଦିନ । ରାତି ପାହି ନଥାଏ, କଟକ ରେଳଷ୍ଟେସନରେ ନାହିଁ ନଥିବା ଭିଡ଼ । ପୁରୀ ଏକ୍ସପ୍ରେସ ପ୍ଲାଟଫର୍ମରେ ପହଞ୍ଚିଲା ମାତ୍ରେ ‘ମହାତ୍ମା ଗାନ୍ଧୀ କି ଜୟ, ଭାରତ ମାତା କି ଜୟ, ବନ୍ଦେ ମାତରମ୍ ଧ୍ଵନିରେ ଗଗନ ପବନ ପ୍ରକମ୍ପିତ ହୋଇପଡ଼ିଲା । ରେଳଷ୍ଟେସନରେ ସମବେତ ଜନତା ଗାନ୍ଧୀ ଦମ୍ପତ୍ତିଙ୍କୁ ପାରମ୍ପରିକ ସ୍ୱାଗତ ଜଣାଇବାପରେ ସଂକୀର୍ତ୍ତନ ଦଳ ଓ ଜନତାଙ୍କ ବିଶାଳ ପଟୁଆରରେ ଗାନ୍ଧିଜୀ ବାଖରାବାଦସ୍ଥିତ ସ୍ୱରାଜ ଆଶ୍ରମ ଅଭିମୁଖେ ଯାତ୍ରା କଲେ ।

ସେହିଦିନ ସନ୍ଧ୍ୟା ୫.୩୦ ମିନିଟ ସମୟ । କଟକସ୍ଥିତ କାଠଯୋଡ଼ି ନଈବାଲିରେ ଏକ ସଭାର ଆଯୋଜନ ହେଲା । ସଭା ଆରମ୍ଭରେ ପଣ୍ଡିତ ଗୋପବନ୍ଧୁ ଦାସ ମହାତ୍ମା ଗାନ୍ଧୀଙ୍କ ସମ୍ବଦ୍ଧରେ ସଂକ୍ଷେପ ସୂଚନା ଦେଲା ପରେ ମହାତ୍ମା ହିନ୍ଦୀ ଭାଷାରେ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଭାଷଣ ଦେଲେ । ବକ୍ତୃତା ଶୁଣିବାକୁ ଯେତିକି ଆଗ୍ରହ ଥାଏ, ଗାନ୍ଧିଜୀଙ୍କୁ ସ୍ଵଚକ୍ଷୁରେ ଦେଖିବା ପାଇଁ ଲୋକଙ୍କ ଭିତରେ ପ୍ରବଳ ଆଗ୍ରହ ଥାଏ । ଓଡ଼ିଆ ଭାଷାଭାଷୀ ଅଂଚଳଗୁଡ଼ିକ ବିଭିନ୍ନ ପ୍ରଦେଶରେ ରହିଥିବାରୁ ଏହାକୁ ମିଶ୍ରଣ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ଗୁରୁତ୍ୱ ଦେବାକୁ ଉପସ୍ଥିତ ଶ୍ରୋତାମାନକୁ ସେ ଆହ୍ୱାନ ଦେଲେ । ଓଡ଼ିଶାର ଦୁର୍ଭିକ୍ଷ ବିଷୟରେ ଆଲୋକପାତ କରି କହିଲେ ଯେଉଁଦିନ ଆମକୁ ସ୍ଵରାଜ୍ୟ ମିଳିଯିବ ଏ ସମସ୍ୟାର ସମାଧାନ ହୋଇଯିବ । ଏଥିପାଇଁ ଅସହଯୋଗ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ ବୋଲି ସମସ୍ତଙ୍କୁ ପରାମର୍ଶ ଦେଲେ । ତିନି ମାସ ମଧ୍ୟରେ ଏକଲକ୍ଷ ଅରଟ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଅନୁରୋଧ କରିବା ସହ ଏଥିରେ ସଫଳ ହେଲେ ସ୍ଵରାଜ୍ୟ ଆପେ ଆପେ ଆସିବ ବୋଲି ଗାନ୍ଧିଜୀ ସଭାସ୍ଥଳରେ ଦୃଢ଼ତାର ସହ ପ୍ରକାଶ କଲେ । ସଭା ସାଙ୍ଗ ପରେ ଗାନ୍ଧିଜୀଙ୍କ ପରାମର୍ଶକ୍ରମେ ତିଳକ ସ୍ଵରାଜ୍ୟ ପାଣ୍ଠି ପାଇଁ ୧୫୦ ଟଙ୍କା ଆଦାୟ ହେଲା ।

ସନ୍ଧ୍ୟା ୮ଟା ବେଳେ ସ୍ୱରାଜ୍ୟ ଆଶ୍ରମରେ ମାରୱାଡ଼ି, ଗୁଜରାଟି ଓ ଅନ୍ୟାନ୍ୟ ବ୍ୟବସାୟୀ ଭାଇମାନେ ଏକତ୍ରିତ ହୋଇ ଗାନ୍ଧିଜୀଙ୍କ ସାମ୍ମନାର୍ଥେ ଗୋଟିଏ ସଭାର ଆୟୋଜନ କଲେ । ଏହି ସଭାରେ ମହାତ୍ମା ସ୍ଵରାଜ୍ୟ ପାଇଁ ସେମାନଙ୍କ ଦାୟିତ୍ୱ ବିଷୟରେ ସୂଚନା ଦେବା ସହିତ ଓଡ଼ିଶାର କରାଳ ରୂପକୁ ସ୍ୱଚକ୍ଷୁରେ ଦେଖି ସେମାନଙ୍କୁ ଚାନ୍ଦା ଆଦାୟ କରି ପ୍ରଦେଶ ପାଣ୍ଠିକୁ ମୁକ୍ତ ହସ୍ତରେ ଦାନ କରିବା ପାଇଁ ପରାମର୍ଶ ଦେଲେ ଓ ଅରଟକୁ ଲୋକପ୍ରିୟ କରିବା ପାଇଁ ଆହ୍ୱାନ ଦେଲେ ।

ତହିଁ ଆରଦିନ ଅର୍ଥାତ୍ ୨୪ ତାରିଖ ସକାଳେ କଟକ ପ୍ରସିଦ୍ଧ କଦମରସୁଲ ମସଜିଦ୍ ପ୍ରାଙ୍ଗଣରେ ଖିଲାଫତ ସମ୍ବନ୍ଧରେ ଗାନ୍ଧିଜୀ ବକ୍ତୃତା ଦେଲେ । ଏହି ଭାଷଣ ଶୁଣି ମୁସଲମାନ ଭାଇମାନେ ଉତ୍ସାହିତ ହୋଇପଡ଼ିଲେ । ମହାତ୍ମାଙ୍କ ଭାଷଣର ସାରମର୍ମ ଥିଲା ଯେପର୍ଯ୍ୟନ୍ତ ଜେରୁଜେଲମ୍ ମୁକ୍ତି ନହୋଇଛି ସେ ପର୍ଯ୍ୟନ୍ତ ଖିଲାଫତ ସମସ୍ୟାର ସମାଧାନ ଅସମ୍ଭବ, ତେଣୁ ସମସ୍ତଙ୍କୁ ଖିଲାଫତ ଓ ସ୍ଵରାଜ୍ୟ ଉଭୟ ବିଷୟରେ ଯତ୍ନଶୀଳ ହେବାକୁ ପଡ଼ିବ । ସମବେତ ହିନ୍ଦୁ ମୁସଲମାନ ଭାଇ ମାନଙ୍କୁ ଏକତା ଓ ସଦଭାବନା ବଜାଇ ରଖିବାକୁ ନିବେଦନ କରି ଗାନ୍ଧିଜୀ କହିଲେ – ଏହା ହେଉଛି ସ୍ଵରାଜ୍ୟର ପ୍ରଥମ ସର୍ତ୍ତ, ଅହିଂସା ଏହାର ଅସ୍ତ୍ର । ହିନ୍ଦୁ ଧର୍ମ, ଇସଲାମ ଧର୍ମ ଓ ଭାରତ ମାତାର ସମ୍ମାନରେ ଆଞ୍ଚ ନଆଣିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଲେ । କଥା ପ୍ରସଙ୍ଗରେ ଗାନ୍ଧିଜୀ କହିଥିଲେ ଆତ୍ମଯଜ୍ଞ, ଆତ୍ମଶୁଦ୍ଧି ଓ ସ୍ୱାର୍ଥ ତ୍ୟାଗର ଆବଶ୍ୟକତା ଆମର ରହିଛି । ଆତ୍ମଶୁଦ୍ଧି ଦ୍ୱାରା ହିଁ ଭାରତ ମାତାର ଜୟ ହେବ ବୋଲି ସେ ଆଶାପୋଷଣ କରିଥିଲେ। ଅସହଯୋଗ ଏକ ଧର୍ମ ଯୁଦ୍ଧ ବୋଲି ଅଭିହିତ କରିବା ସହ ଏହା ପ୍ରତ୍ୟେକ ଭାରତବାସୀଙ୍କ ଧର୍ମ ଓ ସ୍ୱରାଜ ଅର୍ଥ ମୁକ୍ତି ବୋଲି ପ୍ରକାଶ କରିଥିଲେ । ଗୋରା ସରକାରଙ୍କ ଦମନଲୀଳା ଓ ଅନ୍ୟାୟ ଅତ୍ୟାଚାରକୁ ଶାନ୍ତିପୂର୍ଣ୍ଣ ଅସହଯୋଗ ମାଧ୍ୟମରେ ପ୍ରତିହତ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ କହିବା ସହ ସବୁ ପ୍ରକାର ସରକାରୀ ସମ୍ପର୍କ ତୁଟାଇବାକୁ ଗାନ୍ଧିଜୀ ଲୋକମାନଙ୍କୁ ପରାମର୍ଶ ଦେଲେ । ବିଦେଶ ଦ୍ରବ୍ୟ ବର୍ଜନ କରି ଖଦି ବସ୍ତ୍ର ପରିଧାନ କରିବାକୁ ସଭାରେ ଆହ୍ୱାନ ଦେଲେ ।

ସେହିଦିନ ଅପରାହ୍ନ ୨ଟା ସମୟରେ ମହିଳାମାନଙ୍କର କଟକ ବିନୋଦବିହାରୀ ମନ୍ଦିର ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ ହେଲା ଯେଉଁଥିରେ ପ୍ରାୟ ୪୦ଜଣ ମହିଳା ଯୋଗ ଦେଇଥିଲେ । ଏହି ସଭାରେ ମହାତ୍ମା ଗାନ୍ଧୀ ଓ କସ୍ତୁରବା ଭାରତୀୟ ନାରୀମାନଙ୍କର କର୍ତ୍ତବ୍ୟ ଓ ଭୂମିକା ଉପରେ ଆଲୋକପାତ କରିଥିଲେ । ବିଦେଶୀ ଜିନିଷ ବର୍ଜନ କରିବା ସହିତ ଘରେ ଘରେ ଅରଟ, ଚରଖା ରଖି ସୁତା କାଟିବାକୁ ମହିଳାମାନଙ୍କୁ ପରାମର୍ଶ ଦେଇଥିଲେ । ସଭା ଶେଷରେ ମହାତ୍ମା ତିଳକ ସ୍ଵରାଜ୍ୟ ପାଣ୍ଠି ପାଇଁ ମୁକ୍ତ ହସ୍ତରେ ଦାନକରିବାକୁ ନିବେଦନ କରିବାରୁ ଉପସ୍ଥିତ ମହିଳାମାନେ ୧୬୦ ଟଙ୍କା ସହ ପିନ୍ଧିଥିବା ସୁନା, ରୂପା ଅଳଙ୍କାର ଦାନ କରିଥିଲେ ।

ସନ୍ଧ୍ୟା ୬ଟାରେ କାଠଯୋଡ଼ି ବାଲିରେ ପୁଣି ଏକ ସଭାର ଆୟୋଜନ ହେଲା । ଗାନ୍ଧିଜୀ ଭାଷଣ ମାଧ୍ୟମରେ ଛାତ୍ର ଓ ଅଭିଭାବକଙ୍କୁ ଲକ୍ଷ୍ୟ କରି କହିଲେ ଯେ, ବର୍ତ୍ତମାନ ପରିସ୍ଥିତିରେ ସରକାରୀ ବିଦ୍ୟାଳୟରେ ପାଠ ପଢ଼ିବା ଦେଶ ପାଇଁ ମହାପାପ ଓ ବିଦ୍ୟାଳୟ ଛାଡ଼ିଲେ କେବଳ ହିଁ ଏ ପାପରୁ ମୁକ୍ତି ମିଳିବ । ସ୍ଵରାଜ୍ୟ ମୁକ୍ତି ପାଇଁ ଛାତ୍ରମାନଙ୍କୁ ଦୈନିକ ଆଠଘଣ୍ଟା ଅରଟ ଚଳାଇବା ପାଇଁ ପରାମର୍ଶ ଦେଇଥିଲେ ।

ଗାନ୍ଧିଜୀ ତାଙ୍କ ବକ୍ତବ୍ୟରେ କହିଲେ ‘ଦାସତ୍ଵ ଜୀବନ ଧାରଣ କରିବା ଅପେକ୍ଷା ଭିକ୍ଷା ମାଗି ଦିନ କାଟିବା ଶହେ ଗୁଣ ଭଲ। ଆମେ ସ୍ଵଇଚ୍ଛାରେ ଦାସତ୍ଵ ସ୍ଵୀକାର କରିଛୁ, ଯେଉଁ ମୁହୂର୍ତ୍ତରେ ଆମେ ଏହି ଗୋଲାମି ଛାଡ଼ିବୁ ସେହି କ୍ଷଣି ଆମକୁ ସ୍ଵରାଜ୍ୟ ପ୍ରାପ୍ତି ହେବ । ତେଣୁ ସମସ୍ତେ ନିଜର ସମ୍ମାନ ଓ ମର୍ଯ୍ୟାଦା ବୁଝିବା ଦରକାର । ସମସ୍ତଙ୍କୁ ବିଦେଶୀ ଜିନିଷ ବର୍ଜନ କରିବାକୁ ପରାମର୍ଶ ଦେବା ସହ ନିଜେ ହାତବୁଣା ଲୁଗା ପିନ୍ଧିଲେ ୬୦ କୋଟି ଟଙ୍କା ଏ ଦେଶରେ ଆମେ ରଖିପାରିବୁ ବୋଲି ସେ ପ୍ରକାଶ କରିଥିଲେ।

ଶେଷରେ ଦୁଇଦିନିଆ କଟକ ଗସ୍ତ ଶେଷ କରି ଗାନ୍ଧିଜୀ ମାର୍ଚ୍ଚ ୨୪ତାରିଖ ରାତିରେ ପୁରୀ ପାସେଞ୍ଜର ଟ୍ରେନରେ ଭଦ୍ରଖ ଅଭିମୁଖେ ଯାତ୍ରା କଲେ। ଅସହଯୋଗ ବାର୍ତ୍ତାର ପ୍ରଚାର ଓ ପ୍ରସାର କରାଇବା ଥିଲା ଗାନ୍ଧିଜୀଙ୍କର ଏହି ଗସ୍ତର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଗାନ୍ଧିଜୀଙ୍କ ଗସ୍ତ ଫଳରେ ଖଦୀ ଓ ସୂତାକଟାର ପ୍ରଭାବ ଚାରିଆଡେ ପଡ଼ିଲା। ସ୍ଵଦେଶୀର ଅର୍ଥ ଲୋକମାନେ ହୃଦୟଙ୍ଗମ କରିବାକୁ ଲାଗିଲେ । ସତ୍ୟ ଓ ଅହିଂସା ଉପରେ ବିଶ୍ୱାସ ରଖିଲେ ଅସମ୍ଭବ ବି ସମ୍ଭବ ହେବ ବୋଲି ସାଧାରଣ ଜନତାଙ୍କର ହୃଦବୋଧ ହେଲା ଓ ଫଳ ସ୍ୱରୂପ ଅସହଯୋଗ ଆନ୍ଦୋଳନ ରାଜ୍ୟବ୍ୟାପୀ ଚାଲିଲା ।

ଜୟନ୍ତ କୁମାର ଦାସ

ଜୟନ୍ତ କୁମାର ଦାସ

ସଂପାଦକ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି, କଟକ

Related Posts

Dhanada’s Discourse: The Cloud Has a Thirst – India’s data-centre dilemma
More

Dhanada’s Discourse: 
The Cloud Has a Thirst – India’s data-centre dilemma

by Dhanada K. Mishra
August 10, 2026

Dhanada K Mishra, Hong Kong, 10 August 2026 At first glance, a data centre appears almost unreal. There are no...

Read more
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.