ଜୟନ୍ତ କୁମାର ଦାସ, ୨୫ ଅଗଷ୍ଟ ୨୦୨୨
ଯେତେବେଳେ ଧରାରେ ଅନ୍ୟାୟ, ଅତ୍ୟାଚାର, ଭ୍ରଷ୍ଟାଚାର ଓ ମିଥ୍ୟା କାୟା ଵିସ୍ତାର କରି ଚାଲେ ଓ ଲୋକ ଅତିଷ୍ଠ ହୋଇ ପଡ଼ନ୍ତି, ସେତେବେଳେ ଭଗବାନ ମାନବ ରୂପ ଧାରଣ କରି ଭୂପୃଷ୍ଠରେ ଜନ୍ମଲାଭ କରନ୍ତି । ଜାତିର ପିତା ମହାତ୍ମା ଗାନ୍ଧୀ ହେଉଛନ୍ତି ଏହାର ଜ୍ୱଳନ୍ତ ନିଦର୍ଶନ । ସତ୍ୟ ଓ ଅହିଂସା ନୀତିକୁ ଆଧାର କରି କେବଳ ଭାରତ ବର୍ଷ କାହିଁକି ସମଗ୍ର ବିଶ୍ୱ ବାସୀଙ୍କ ହୃଦୟକୁ ଜୟ କରିବାରେ ସଫଳ ହୋଇଥିଲେ ଏହି ଆଣ୍ଠୁ ଲୁଚୁ ନଥିବା ଧୋତି ପିନ୍ଧା ମଣିଷ ଟି । ତୁଳସୀ ଦୁଇ ପତ୍ର ରୁ ବାସିବା ଭଳି ପିଲା ଦିନୁ ହିଁ ତାଙ୍କ ମହାନତାର ପରିଚୟ ମିଳିଥିଲା ତାଙ୍କ ଆଚରଣ ଓ ଉଚ୍ଚାରଣରେ । ଶ୍ରବଣ କୁମାର ଓ ହରିଶ୍ଚନ୍ଦ୍ର ଙ୍କ ଜୀବନ କାହାଣୀ ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ ଗାନ୍ଧୀଜୀ । ମନରେ ତାଙ୍କର ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିଲା – ସମସ୍ତେ କାହିଁକି ଶ୍ରବଣ କୁମାର ଓ ହରିଶ୍ଚନ୍ଦ୍ର ଙ୍କ ଭଳି ସତ୍ୟବାଦୀ ଓ ନୀତିବାନ ନ ହେବେ ? ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କର ମଙ୍ଗଳ ସାଧନା ଥିଲା ତାଙ୍କର ଲକ୍ଷ୍ୟ ।
ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶ ମୁଖ୍ୟତଃ ସତ୍ୟ ଓ ଅହିଂସା ଉପରେ ପର୍ଯ୍ୟବେସିତ । ଅହିଂସା ତାଙ୍କ ବିଶ୍ୱାସର ଆଦି ଓ ଅନ୍ତିମ ଆଧାର । ସେ ଉପଲବଧି କରିଥିଲେ ହିଂସାରେ ଯିଏ ଲିପ୍ତ ରହେ, ସେ ସତ୍ୟ ଠାରୁ ସେତିକି ଦୂରେଇ ଯାଏ । ତାଙ୍କ ଭାଷାରେ ଅହିଂସା ବିନା ସତ୍ୟକୁ ଖୋଜି ପାଇବା ଦୁରୂହ ବ୍ୟାପାର, ଏହା ପରସ୍ପର ର ପରିପୂରକ । ସତ୍ୟକୁ ଆବିଷ୍କାର କରିବା ପାଇଁ ଅହିଂସା ହିଁ ହେଉଛି ପ୍ରକୃଷ୍ଟ ମାର୍ଗ । ଗାନ୍ଧୀ ଙ୍କ ବିଚାର ରେ ଅହିଂସା ନିଷ୍କ୍ରିୟତା ନୁହେଁ, ଏହା ହେଉଛି ଏକ ସକ୍ରିୟ ଶକ୍ତି, ଏକ ସାମାଜିକ ମୂଲ୍ୟବୋଧ । ଅହିଂସକ ଅସହଯୋଗ ଆନ୍ଦୋଳନ ଚୋୖରୀ ଚଉରା ଠାରେ ହିଂସାର ରୂପ ଧାରଣ କରିବାରୁ ହଠାତ୍ ଗାନ୍ଧିଜୀ ଏହି ଆନ୍ଦୋଳନ ସ୍ଥଗିତ ରଖିଥିଲେ । ଯାହାକି ଅନେକ ଲୋକଙ୍କୁ ଏହି ନିଷ୍ପତ୍ତି ସେତେବେଳେ ବିସ୍ମିତ କରିଦେଇଥିଲା । କିନ୍ତୁ ସେ ଥିଲେ ତାଙ୍କ ନିଷ୍ପତ୍ତି ରେ ଦୃଢ଼ ଓ ଅଟଳ । ଗାନ୍ଧିଜୀ ନିଜ ପ୍ରତି ଅତ୍ୟନ୍ତ କଠୋର ଥିଲେ, ତାଙ୍କ ମତରେ ବିପ୍ଳବ ନିଜ ଘରୁହିଁ ଆରମ୍ଭ ହୁଏ । ତାଙ୍କ କାର୍ଯ୍ୟଶୈଳୀକୁ ଲକ୍ଷ୍ୟକରି ତାଙ୍କ ବ୍ୟକ୍ତିଗତ ସଚିବ ମହାଦେବ ଦେଶାଇ ତାଙ୍କୁ ଜୀବନ୍ତ ଆଗ୍ନେୟଗିରି ସହ ତୁଳନା କରିବାକୁ ପଛାଉନଥିଲେ |
ଦେଶକୁ ପରାଧୀନତାର ଗ୍ଲାନିରୁ ମୁକ୍ତ କରିବା ପାଇଁ ଗାନ୍ଧୀଜୀଙ୍କର ପ୍ରମୁଖ ଅସ୍ତ୍ର ଥିଲା – ସତ୍ୟ ଓ ଅହିଂସା । ସତ୍ୟ ହିଁ ଇଶ୍ୱର ଥିଲା ତାଙ୍କ ବାଣୀ । ସତ୍ୟ ଓ ଅହିଂସା କିଛି ନୂଆ ନୁହେଁ, ଏହା ପାହାଡ଼ ପର୍ବତ ଭଳି ପୁରୁଣା ବୋଲି ସେ ସବୁବେଳେ ପ୍ରକାଶ କରୁଥିଲେ । ସବୁ କ୍ଷେତ୍ରରେ ଏହାକୁ ପ୍ରୟୋଗ କରିବା ଥିଲା ତାଙ୍କ ମୌଳିକତା ଓ ବୈଶିଷ୍ଟ୍ୟତା । ଅହିଂସା ଉପରେ ବିଶ୍ୱାସ ରଖିଲେ ସବୁ ସମସ୍ୟା ଅଚିରେ ସମାଧାନ ହୋଇଯିବ ବୋଲି ଥିଲା ତାଙ୍କର ଥିଲା ଅଗାଧ ବିଶ୍ୱାସ ।
ସତ୍ୟ ଶବ୍ଦରୁ ହିଁ ସତ୍ୟାଗ୍ରହର ଜନ୍ମ । ସତ୍ୟ ହେଉଛି ଆତ୍ମା । ଯେତେ କଷ୍ଟ ଓ ବିପଦ ଆସୁ ନା କାହିଁକି ସତ୍ୟ ମାର୍ଗରେ ଅଟଳ ରହିବାହିଁ ହେଉଛି ଏହାର ଧର୍ମ । ଆତ୍ମ ଶୃଙ୍ଖଳା, ଆତ୍ମ ସଂଯମ ଓ ଆତ୍ମ ଶୁଦ୍ଧି ଉପାଦାନ ଉପରେ ଏହା ପରିବେଷ୍ଟିତ । ସବୁପ୍ରକାର ଭୟରୁ ଦୂରେଇ ରହିବାହିଁ ସତ୍ୟାଗ୍ରହୀର ଗୁଣ । ଗାନ୍ଧିଜୀଙ୍କ ଭାଷାରେ ହଇଜା, ମ୍ୟାଲେରିଆ , ବସନ୍ତ ଭଳି ମହାମାରୀ ଠାରୁ ବି ଅଧିକ ମାରାତ୍ମକ ହେଉଛି ଭୟ, ରୋଗ ଶରୀରକୁ କ୍ଷୀଣ କରେ, ମାତ୍ର ଭୟ ଆତ୍ମ ଶକ୍ତିକୁ ନଷ୍ଟ କରିଦିଏ ତେଣୁ ନିର୍ଭୀକ ଆଚରଣ ହିଁ ମନୁଷ୍ୟତ୍ୱ । ଗାନ୍ଧି ଆଦର୍ଶର ସତ୍ୟାଗ୍ରହ ଦ୍ଵାରା ନିଜର ମଙ୍ଗଳ ସାଧନ ହେବା ସହ ସମାଜ ତଥା ଦେଶର ମଙ୍ଗଳ ସାଧନ ସମ୍ଭବ । ଗାନ୍ଧିଜୀଙ୍କର ସ୍ୱପ୍ନର ରାମରାଜ୍ୟ ହେଉଛି ଅନ୍ୟାୟ, ଅନୀତି, ହିଂସା, ମିଥ୍ୟା ପରିବର୍ତ୍ତେ ସତ୍ୟ , ଅହିଂସା , ନ୍ୟାୟ, ପ୍ରେମ ଓ ସଦ୍ ଭାବନାର ପ୍ରତିଷ୍ଠା, ଯେଉଁଠି ସାମାଜିକ କ୍ଷେତ୍ର ହେଉ ଅଥବା ଅର୍ଥନୈତିକ କ୍ଷେତ୍ର ହେଉ କୌଣସି ପ୍ରକାର ବାଛ ବିଚାର ନଥିବ । ତାଙ୍କ ବିଚାରରେ ସବୁ ଧର୍ମର ମୂଳତତ୍ତ୍ୱ ଏକ ଏବଂ ପ୍ରତ୍ୟେକ ଧର୍ମର ମୂଳତତ୍ତ୍ୱକୁ ସେ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରୁଥିଲେ । ଗାନ୍ଧୀଜୀ ପ୍ରିୟ ଭଜନ ମାଧ୍ୟମରେ ସମଗ୍ର ମାନବ ସମାଜକୁ ଜଣାଇ ଦେବାକୁ ଚାହୁଁଥିଲେ ଯେ ପ୍ରତ୍ୟେକ ମଣିଷ ଇଶ୍ୱରଙ୍କ ସନ୍ତାନ । ଜାତିଗତ ଓ ଧର୍ମଗତ ଭେଦଭାବର ସେ ଥିଲେ ଘୋର ବିରୋଧୀ ଏବଂ ତାଙ୍କ ଦ୍ୱାରା ପ୍ରତିଷ୍ଠିତ କୋଚରବ ଓ ସାବରମତୀ ଆଶ୍ରମ ଥିଲା ଏହାର ପରୀକ୍ଷାଗାର ସଦୃଶ । ତାଙ୍କ ମତରେ ପ୍ରେମ ଉପରେ ଆଧାରିତ ଶକ୍ତି , ଦଣ୍ଡ ଭୟ ଦ୍ଵାରା ହାସଲ କରାଯାଇଥିବା ଶକ୍ତି ଠାରୁ ଶହେ ଗୁଣ ଅଧିକ ପ୍ରଭାବଶାଳୀ ଓ ସ୍ଥାୟୀ ।
ଅହିଂସା ହେଉଛି ପନ୍ଥା ଓ ସତ୍ୟ ହେଉଛି ଏହାର ଲକ୍ଷ୍ୟ । ଯଦି ଏହାର ସାଧନ ପାଇଁ ମାନବ ସମାଜ ଯତ୍ନଶୀଳ ହେବେ ତାହେଲେ ଶୀଘ୍ର ହେଉ ବା ବିଳମ୍ବରେ ହେଉ ଲକ୍ଷ୍ୟ ହାସଲ କରିବା ସୁନିଶ୍ଚିତ । ୧୯୨୦ ମସିହା ମାର୍ଚ୍ଚ ୧୦ ତାରିଖ “ୟଙ୍ଗ ଇଣ୍ଡିଆ” ପତ୍ରିକାରେ ଗାନ୍ଧିଜୀ ଲେଖିଥିଲେ ‘ସତ୍ୟ ଓ ଅହିଂସାର ସମ୍ମିଳିତ ଶକ୍ତି ଦ୍ୱାରା ବିଶ୍ୱକୁ ଜୟ କରି ପାରିବ’। ଅହିଂସା ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ ଏକ ସୁନ୍ଦର ସମାଜ ଗଠନର ପରିକଳ୍ପନା କରିଥିଲେ ସେ । ଏହି ଅହିଂସା ଓ ସତ୍ୟାଗ୍ରହ ପରିଚାଳିତ ସ୍ୱାଧୀନତା ସଂଗ୍ରାମ ରେ ପ୍ରବଳ ପରାକ୍ରମୀ ଇଂରେଜ ସରକାର ଶେଷରେ ଗାନ୍ଧିଜୀଙ୍କ ନିକଟରେ ମୁଣ୍ଡ ନୁଆଁଇ ବାକୁ ଏକ ପ୍ରକାର ବାଧ୍ୟ ହୋଇଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ । କିନ୍ତୁ ଭାଗ୍ୟର ବିଡମ୍ବନା ଯେ ଏହି ଅହିଂସାର ପୂଜାରୀଙ୍କୁ ଶେଷରେ ହିଂସାର ଶୀକାର ହେବାକୁ ପଡ଼ିଥିଲା ନିଜ ପ୍ରିୟ ଜନ୍ମ ମାଟିରେ ।