• About
  • Contact
Thursday, October 15, 2026
Thursday, October 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ହରେକୃଷ୍ଣ ମହତାବ : ଆଧୁନିକ ଓଡ଼ିଶାର ନିର୍ମାତା

ହରେକୃଷ୍ଣ ମହତାବ : ଆଧୁନିକ ଓଡ଼ିଶାର ନିର୍ମାତା
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨ ଜାନୁୟାରୀ ୨୦୨୩

ଡଃ ହରେକୃଷ୍ଣ ମହତାବ ଆଧୁନିକ ଓଡ଼ିଶାର ନିର୍ମାତା ଥିଲେ । ହୀରାକୁଦ ନଦୀବନ୍ଧ, ଭୁବନେଶ୍ୱରରେ ରାଜଧାନୀ ନିର୍ମାଣ, ଚୌଦ୍ୱାରରେ ଲୁଗାକଳ ସ୍ଥାପନ ଭଳି ମୁଖ୍ୟ କାର୍ଯ୍ୟକ୍ରମ ଗୁଡ଼ିକରେ ତାଙ୍କର ଅତୁଳନୀୟ ଅବଦାନ ଥିଲା । ସମାଜ ସଂସ୍କାରକ ଭାବରେ ସେ ସେତେବେଳେ ସମାଜରେ ପ୍ରଚଳିତ ପଶୁ ବଳି ପ୍ରଥା ବନ୍ଦ କରିବା ସହିତ ମନ୍ଦିରରେ ହରିଜନ ପ୍ରବେଶ କରାଇଥିଲେ । ସ୍ୱାଧୀନତା ସଂଗ୍ରାମର ଏହି ମହାରଥୀ ଜଣକ ଜାତୀୟ ଆନ୍ଦୋଳନର ପ୍ରତ୍ୟେକ ପର୍ଯ୍ୟାୟରେ ଭାଗ ନେଇ ବାରମ୍ବାର କାରାବରଣ କରିଥିଲେ । ୧୯୨୧ ମସିହାରେ ଅସହଯୋଗ ଆନ୍ଦୋଳନ, ୧୯୩୦ରେ ଲବଣ ସତ୍ୟାଗ୍ରହ ଓ ୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରି ଡଃ ମହତାବ ବ୍ରିଟିଶ ସରକାର ଦ୍ୱାରା ବହୁ ବର୍ଷ ଧରି ଜେଲ ଦଣ୍ଡ ଭୋଗ କରିଥିଲେ ।

ମୋଟ ପାଞ୍ଚ ଥର ବିଧାନସଭାକୁ ପ୍ରତିନିଧିତ୍ୱ କରିଥିବା ଡଃ ହରେକୃଷ୍ଣ ମହତାବ ୧୯୪୬ ରୁ ୧୯୫୦ ଏବଂ ୧୯୫୬ ରୁ ୧୯୬୧ମସିହା ପର୍ଯ୍ୟନ୍ତ ସମୁଦାୟ ଦୁଇ ଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ । ଅନ୍ୟ ପକ୍ଷରେ ୧୯୫୨ ରୁ ୧୯୫୪ ପର୍ଯ୍ୟନ୍ତ ସେ କେନ୍ଦ୍ର ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ ସମ୍ପାଦନ କରିଥିଲେ । ସାମ୍ବାଦିକତା କ୍ଷେତ୍ରକୁ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା । ଓଡ଼ିଶାରେ ପ୍ରଥମ ଇଂରାଜୀ ଦୈନିକ ପ୍ରକାଶନ କରିଥିବା ଡଃ ମହତାବ “ପ୍ରଜାତନ୍ତ୍ର” ଏବଂ “ଝଂକାର” ପ୍ରଚଳନ କରି ଉଭୟ ସମ୍ବାଦ ଓ ସାହିତ୍ୟ କ୍ଷେତ୍ରରେ ଆଲୋଡ଼ନ ସୃଷ୍ଟି କରିଥିଲେ । ଲୋକଙ୍କ ଭାଷାରେ ଏକ ଉନ୍ନତ ଶୈଳୀରେ “ଗାଁ ମଜଲିସ” ଲେଖୁଥିବା ଡଃ ମହତାବ କେବଳ ଶାସନଗତ ସମସ୍ୟାର ସମାଧାନ ନୁହେଁ ବରଂ ଲୋକମତ ଗଠନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ସେହିପରି ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ଲାଗି ଆରମ୍ଭ କରିଥିବା “ବିଷୁବ ମିଳନ” ସଂଗଠନ ଲାଗି ଡଃ ମହତାବ ଓଡ଼ିଶାରେ ଅମର ହୋଇ ରହିବେ । ତେବେ ଗଡ଼ଜାତ ମିଶ୍ରଣ ଜରିଆରେ ବୃହତ୍ତର ଭାରତ ବର୍ଷ ଗଠନ ହେଉଛି, ଡଃ ମହତାବଙ୍କ ରାଜନୈତିକ ଜୀବନର ସର୍ବଶ୍ରେଷ୍ଠ ଅବଦାନ ବୋଲି ବିଧାନସଭାରେ ସଭ୍ୟମାନେ ମତ ବ୍ୟକ୍ତ କରିଛନ୍ତି ।

ଭାରତର ଅନ୍ୟତମ ବରପୁତ୍ର ତଥା ଓଡ଼ିଶାର ପୂର୍ବତନ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ ଡଃ ହରେକୃଷ୍ଣ ମହତାବଙ୍କର ୮୮ବର୍ଷ ବୟସରେ ୧୯୮୭ ଜାନୁୟାରୀ ୨ ତାରିଖ ଦିନ ଦେହାନ୍ତ ଘଟିଥିଲା । ଜାତୀୟ ଆନ୍ଦୋଳନର ଏହି ଅସାଧାରଣ ସଂଗ୍ରାମୀଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ନିବେଦନ ପାଇଁ ଓଡ଼ିଶା ବିଧାନସଭାରେ ଏକ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ସେହି ଶୋକ ପ୍ରସ୍ତାବ ଆଗତ କରି ସେତେବେଳେର ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଦର୍ଶାଇଥିଲେ ଯେ, ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଡଃ ମହତାବ ସ୍ୱାଧୀନତା ସଂଗ୍ରାମ କାଳରେ ଅହମଦ ନଗର ଜେଲରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଭଳି ଭାରତର ଶ୍ରେଷ୍ଠ ସନ୍ତାନମାନଙ୍କ ସହିତ ବହୁ ବର୍ଷ ଧରି ବନ୍ଦୀ ଜୀବନ ବିତାଇଥିଲେ । ସେହି ଅହମଦ ନଗର ଜେଲରୁ ହିଁ ସେ ପ୍ରଥମେ ବୈଜ୍ଞାନିକ ପ୍ରଣାଳୀରେ ଓଡ଼ିଶାର ଇତିହାସ ଲେଖିବା ଆରମ୍ଭ କରିଥିଲେ । ଓଡ଼ିଶାରେ ଗଡ଼ଜାତ ମିଶ୍ରଣ କରିବାରେ ସେ ଥିଲେ ପ୍ରଚଣ୍ଡ ପ୍ରବକ୍ତା । ତାଙ୍କ ଯୋଗୁଁ ହିଁ ସର୍ଦ୍ଦାର ପଟେଲଙ୍କ ସମୟରେ ଗଡ଼ଜାତ ମିଶ୍ରଣ ସାଧିତ ହୋଇଥିଲା । ଭାରତବର୍ଷର ପାଞ୍ଚ ଶହରୁ ଉର୍ଦ୍ଧ୍ଵ ଗଡ଼ଜାତ ମିଶ୍ରଣ ସମ୍ଭବପର ହେଲା । ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଡଃ ମହତାବ କର୍ମମୟ ଜୀବନ ଯାପନ କରିଥିଲେ । ସାମାଜିକ କ୍ଷେତ୍ରରେ ମଧ୍ୟ ସେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଯାଇଛନ୍ତି । ନିଜ ଗ୍ରାମ ଓ ଗୃହ ମନ୍ଦିର ସମେତ ଜଗନ୍ନାଥ ମନ୍ଦିରରେ ଡଃ ମହତାବ ହରିଜନ ପ୍ରବେଶ କରାଇଥିଲେ । ସେତେବେଳେ ପ୍ରଚଳିତ ପଶୁ ବଳି ପ୍ରଥା ବନ୍ଦ କରିଥିଲେ ।

ତଦାନିନ୍ତନ ବିରୋଧୀଦଳ ନେତା ବିଜୁ ପଟ୍ଟନାୟକ ଡଃ ମହତାବଙ୍କ ସହିତ ତାଙ୍କର ଘନିଷ୍ଠ ସମ୍ପର୍କ ବିଷୟରେ ଅବତାରଣା କରି ଉଲ୍ଲେଖ କରିଥିଲେ ଯେ, ଗଡ଼ଜାତ ମିଶ୍ରଣ ସହିତ ରାଜ୍ୟର ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିଥିବା ଏହି ବରପୁତ୍ର ବାସ୍ତବରେ ଆଧୁନିକ ଓଡ଼ିଶାର ନିର୍ମାତା ଥିଲେ । ଜୀବନର ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ସାଧାରଣ ମଣିଷର ଅଧିକାର ପାଇଁ ଲଢ଼େଇ ଜାରି ରଖିଥିଲେ ଓ ଅନ୍ୟାୟ, ବ୍ୟଭିଚାରର ମୂଳୋତ୍ପାଟନ ପାଇଁ ଜୋରଦାର ପ୍ରତିବାଦ ଚଳାଇଥିଲେ । ଡଃ ମହତାବ ତାଙ୍କର “ରାଜନୈତିକ ଗୁରୁ” ବୋଲି ବର୍ଣ୍ଣନା କରି ବିଜୁ ବାବୁ କହିଲେ, ତାଙ୍କ ବହୁମୁଖୀ ପ୍ରତିଭାର ପ୍ରଶଂସା ପାଇଁ ସାରା ରାତି ପାହିଗଲେ ମଧ୍ୟ ଶବ୍ଦର ଅଭାବ ପଡ଼ିବ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀ ଦର୍ଶାଇଥିଲେ ଯେ, ସକ୍ରିୟ ରାଜନୀତିରୁ ଡଃ ମହତାବ ଦୂରେଇ ରହିଥିଲେ ସୁଦ୍ଧା ଓଡ଼ିଶାର ସାଧାରଣ ଜୀବନ ବିଶେଷତଃ ରାଜନୈତିକ ଜୀବନକୁ ସେ ଶେଷ ପର୍ଯ୍ୟନ୍ତ ବିଭିନ୍ନ ଭାବରେ ଆନ୍ଦୋଳିତ କରି ଚାଲିଥିଲେ । ସେହିପରି ପରିଣତ ବୟସରେ ତାଙ୍କର ଦେହାନ୍ତ ହୋଇଥିଲେ ମଧ୍ୟ ସେ ଓଡ଼ିଶାର ଜନନୀବନ ତଥା ରାଜନୀତିକୁ ଗଭୀର ଭାବରେ ପ୍ରଭାବିତ କରିଥିଲେ ।

ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନ ଡଃ ମହତାବଙ୍କୁ ଗୋଟିଏ ମୁଖ୍ୟମନ୍ତ୍ରୀ ତିଆରି ଶିଳ୍ପସଂସ୍ଥା (ଚିଫ୍ ମିନିଷ୍ଟର୍ସ ମ୍ୟାନୁ ଫ୍ୟାକଚରିଂ ଇଣ୍ଡଷ୍ଟ୍ରି) ବୋଲି ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ, ଆଜିର ବିରୋଧୀ ଦଳ ନେତା ବିଜୁ ପଟ୍ଟନାୟକ ଓ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଉଭୟ ଡଃ ମହତାବଙ୍କ ପ୍ରଡକ୍ଟ । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ର ଓ ନୀଳମଣି ରାଉତରାୟଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ମହତାବ ବାବୁ ତିଆରି କରି ଯାଇଛନ୍ତି ।

ବିଧାୟକ ତ୍ରିଲୋଚନ କାନୁନଗୋ ଜଣାଇଥିଲେ ଯେ, ମହତାବ ବାବୁଙ୍କ କୌଶଳ ଯୋଗୁଁ ଦେଶୀୟ ରାଜ୍ୟ ଗୁଡ଼ିକ ଜାତୀୟ ମହାସ୍ରୋତରେ ସମ୍ପୁର୍ଣ୍ଣ ଭାବରେ ସାମିଲ ହୋଇ ପାରିଲେ । ସର୍ଦ୍ଦାର ପଟେଲ ଯେଉଁ ଦିଗରେ ଗତି କରୁଥିଲେ, ତାହା ଦ୍ୱାରା ରାଜ ପରିବାର ମାନଙ୍କ ପୂର୍ବ ମର୍ଯ୍ୟାଦା ଅତୁଟ ରହିବା ସହିତ ଦେଶୀୟ ରାଜ୍ୟ ବା ଗଡ଼ଜାତ ଗୁଡ଼ିକ ସବୁଦିନ ପାଇଁ ଜାତୀୟ ମହାସ୍ରୋତରୁ ବିଛିନ୍ନ ହୋଇ ରହି ଯାଇଥାଆନ୍ତେ । ତେବେ ଗଡ଼ଜାତ ମିଶ୍ରଣ ପ୍ରକ୍ରିୟାରେ ମହତାବଙ୍କ କୌଶଳରେ ଖୋଦ ସର୍ଦ୍ଦାର ପଟେଲ ଆଶ୍ଚର୍ଯ୍ୟ ଓ ହତବମ୍ବ ହୋଇଯାଇଥିଲେ । ଭି. ପି. ମେନନ ତାଙ୍କର “ଏଣ୍ଟିଗ୍ରେସନ ଅଫ୍ ଷ୍ଟେର୍ଟସ୍” ପୁସ୍ତକରେ ଏହା ଉଲ୍ଲେଖ କରିଛନ୍ତି । ତେଣୁ ବୃହତ୍ତର ଭାରତବର୍ଷ ଗଠନ କରିବାରେ ଡଃ ମହତାବ ପ୍ରଥମ ବ୍ୟକ୍ତି ଥିଲେ, ଯାହାଙ୍କ ଯୋଗୁଁ ଗଡ଼ଜାତ ବା ଦେଶୀୟ ରାଜ୍ୟ ମିଶ୍ରଣ ସମ୍ଭବ ହୋଇପାରିଲା ।

ବିଧାୟକ ଭାଗବତ ବେହେରା କହିଥିଲେ ଯେ, ନିର୍ଭୀକ ହେବା ଓ ଅନ୍ୟାୟ ବିରୁଦ୍ଧରେ ଲଢ଼େଇ କରିବା ଗୁଣ ଆମ୍ଭେ ମାନେ ମହତାବଙ୍କ ଠାରୁ ଶିଖିବା ଉଚିତ । ଥରେ ସେ “ଗାଁ ମଜଲିସ” ରେ ଲେଖିଥିଲେ, ଦେଶର ସର୍ବୋଚ୍ଚ କର୍ତ୍ତା ଯଦି ଅନ୍ୟାୟ କରନ୍ତି, ତାହାଲେ ତାଙ୍କ ବିରୁଦ୍ଧରେ ମଧ୍ୟ ଲଢ଼େଇ କରିବାକୁ ହେବ, ଯେଉଁଟାକି ବର୍ତ୍ତମାନର ସମାଜରେ ଘୋର ଅଭାବ ରହିଛି ।

ବିଧାୟକ ପ୍ରସନ୍ନ କୁମାର ପଣ୍ଡା ଦର୍ଶାଇଥିଲେ ଯେ, ଡଃ ମହତାବଙ୍କର ବୈଶିଷ୍ଟ୍ୟ ହେଉଛି ସେ ଯେଉଁ କାମରେ ମନୋନିବେଶ କରୁଥିଲେ, ତହିଁରେ ନିରବଛିନ୍ନ ଭାବରେ ଲାଗି ରହୁଥିଲେ । ରାଜନୀତି ଏବଂ ଦେଶ ସ୍ୱାଧୀନ କାର୍ଯ୍ୟରେ ସେ ଜୀବନ ବ୍ୟାପୀ ବ୍ୟାପୃତ ରହିବା ଏହାର ନିଦର୍ଶନ । ବିଧାୟକ ପ୍ରସନ୍ନ ପଟ୍ଟନାୟକ ଡଃ ହରେକୃଷ୍ଣ ମହତାବ ଜଣେ ସମାଜ ସଂସ୍କାରକ ଭାବେ ଆମ ନିକଟରେ ଆଦର୍ଶ ହୋଇ ରହିବେ ବୋଲି ଜଣାଇଥିବା ବେଳେ ବିଧାୟକ ପ୍ରସନ୍ନ କୁମାର ପାଟ୍ଟଶାଣୀ ତାଙ୍କ ଯଶ କାଳାତୀତ ବୋଲି ବର୍ଣ୍ଣନା କରିଥିଲେ । ବାଚସ୍ପତି ପ୍ରସନ୍ନ କୁମାର ଦାଶ କହିଥିଲେ ଯେ, ଜାତୀୟ ମୁକ୍ତି ଆନ୍ଦୋଳନକୁ ମହତାବଙ୍କ ଦାନ ଅତି ମୂଲ୍ୟବାନ । ଉତ୍କଳମଣିଙ୍କ ପରେ ମହତାବ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏକି ନିଜର ବ୍ୟକ୍ତିତ୍ୱ ବଳରେ ବହୁ ଲୋକଙ୍କୁ ଜାତୀୟ ଆନ୍ଦୋଳନରେ ସାମିଲ କରିଥିଲେ ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.