• About
  • Contact
Tuesday, August 11, 2026
Tuesday, August 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

କାନ୍ତକବିଙ୍କ ଭଳି ପ୍ରତିଭା, ଭାରତରେ ବିରଳ

କାନ୍ତକବିଙ୍କ ଭଳି ପ୍ରତିଭା, ଭାରତରେ ବିରଳ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୯ ଡିସେମ୍ବର ୨୦୨୪

ଆବଶ୍ୟକ ଚର୍ଚ୍ଚା ଓ ତଥ୍ୟ ଅଭାବରୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ମହାନ ବ୍ୟକ୍ତିତ୍ୱ ସଂପର୍କରେ ଆଜିର ପିଢ଼ି ବିଶେଷ ଭାବରେ ଅବଗତ ହୋଇପାରି ନାହାଁନ୍ତି। ତେବେ ତାଙ୍କ ବିୟୋଗରେ ସମଗ୍ର ରାଜ୍ୟରେ ପ୍ରକାଶ ପାଇଥିବା ଶୋକଛ୍ୱାସରୁ ହିଁ କାନ୍ତକବିଙ୍କ ମହନୀୟ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ବିଷୟରେ ସାମାନ୍ୟ ଝଲକ ମିଳିଥାଏ। ସେଥିପାଇଁ ତାଙ୍କ ଦେହାନ୍ତ ସମୟରେ ପ୍ରକାଶ ପାଇଥିବା କିଛି ବ୍ୟକ୍ତି ବିଶେଷଙ୍କ ଶୋକାଞ୍ଜଳି ହିଁ କାନ୍ତକବିଙ୍କ ବହୁମୁଖୀ ପ୍ରତିଭାକୁ ପ୍ରତିପାଦିତ କରିବ ବୋଲି ବିବେଚନା କରାଯାଏ। ଏହି ଆଲେଖ୍ୟଟି ସେ ଦିଗରେ ଏକ କ୍ଷୁଦ୍ର ପ୍ରୟାସ ମାତ୍ର।

“କାନ୍ତକବିଙ୍କୁ ଦେଖିଲେ ମନେ ହୁଏ, ସେ ଯେପରି ଏକ ନିସ୍ତରଂଗ ସମୁଦ୍ର। ଶାନ୍ତ, ସମାହିତ ତାଙ୍କର ମୂର୍ତ୍ତି। ବାହାରୁ ତାଙ୍କର ଚରିତ୍ର ବୁଝି ମଣିଷକୁ ଜାଣିବା ସାଧ୍ୟ କାହାରି ନଥିଲା। ମାତ୍ର ନିକଟ ସଂପର୍କରେ ଆସିଥିବା ଲୋକମାନେ ବୁଝିଥିଲେଯେ, କବିଙ୍କ ନିସ୍ତରଂଗ ଶାନ୍ତ ଜୀବନ ତଳେ ବିପ୍ଲବୀ ପ୍ରାଣର କି ଭୀଷଣ ଓ ପ୍ରଖର ଜୁଆର ଭଟ୍ଟା। କାନ୍ତକବି ଏ ରାଜ୍ୟରେ ଜନ୍ମ ହୋଇନଥିଲେ, ବଡ଼ ସ୍ଥାନ ପାଇଥାଆନ୍ତେ। ଜାତି ତାଙ୍କ ସ୍ମୃତି ରଖି ଧନୀ ହୋଇ ଥାଆନ୍ତା। କଂଗ୍ରେସ ପାଇଁ ସେ ଜିଅନ୍ତା ଶହୀଦ ହୋଇଛନ୍ତି। କିନ୍ତୁ ପ୍ରାଦେଶିକ କଂଗ୍ରେସ ଅନ୍ୟ କର୍ମୀଙ୍କ ଶହୀଦତ୍ବ ସ୍ୱୀକାର କରିଥିଲେ ମଧ୍ୟ କାନ୍ତକବିଙ୍କୁ ସେହି ଶ୍ରେଣୀରେ ପକାଇ ନାହିଁ। ସେ ବଂଶ ଯାକ ସମସ୍ତଙ୍କୁ ଜେଲଖାନା ପଠାଇ ଅର୍ଥାଭାବରୁ କଷ୍ଟ ପାଇଛନ୍ତି, ଇଂରାଜୀ ସରକାରୀ ପ୍ରଚାର ସାହିତ୍ୟ, ଯୁଦ୍ଧ ଗୀତ ଲେଖିବା ପାଇଁ ବିପୁଳ ଅର୍ଥ ପ୍ରଲୋଭନ ଫିଙ୍ଗିଛନ୍ତି, ମାତ୍ର ଜୀବନରେ ମୁଣ୍ଡ କେଉଁଠି ନୂଆଇଁ ନାହାଁନ୍ତି। ଭିକ କେବେ ମାଗି ନାହାଁନ୍ତି। ଏପରି ଜୀବନର ତୁଳନା ଓଡ଼ିଶାରେ କ’ଣ ଭାରତରେ କମ୍ ଅଛି। ସାହିତ୍ୟରେ ଫକୀରମୋହନଙ୍କ ପରେ ତାଙ୍କ ସ୍ଥାନ। ଏ କଥା ଅସ୍ବୀକାର କରିହେବ ନାହିଁ। ସେ ଥିଲେ ଏକାଧାରାରେ ଜଣେ କବି, ନାଟ୍ୟକାର, ଔପନ୍ୟାସିକ, ପରିହାସ ରସିକ, ଗାଳ୍ପିକ, ପ୍ରାବନ୍ଧିକ, ରସ ସାହିତ୍ୟିକ, ଗାୟକ ଓ ସଂଗୀତଜ୍ଞ। ତାଙ୍କ ଭଳି ଏଯୁଗରେ ଆମ ଦେଶରେ ପାଞ୍ଚଦଶ ଜଣ ଦୂରର କଥା, ଜଣକୁ ସୁଦ୍ଧା ଏପରି ସିଦ୍ଧ ସାଧକ, ନିରହଙ୍କାର ସାହିତ୍ୟିକ ଦେଖିବାକୁ ମିଳିବ ନାହିଁ।” ଏହା ହେଉଛି ବିଶିଷ୍ଟ ମହିଳା ସ୍ୱାଧୀନତା ସଂଗ୍ରାମୀ, ପ୍ରଥିତଯଶା ସାହିତ୍ୟିକା ତଥା ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବିଧାୟିକା ସରଳା ଦେବୀଙ୍କ ଶୋକଞ୍ଜଳିର କିୟଦଂଶ।

“କାନ୍ତକବିଙ୍କ ବାସଗୃହ ତତ୍କାଳୀନ କଂଗ୍ରେସର ଗୁପ୍ତ ମନ୍ତ୍ରଣା ସ୍ଥଳ ଥିଲା। ସେ ଭଦ୍ରକରେ କଂଗ୍ରେସର ପ୍ରଧାନ ପୃଷ୍ଠପୋଷାକ ଥିଲେ। ସେ ନଥିଲେ ବୋଧ ହୁଏ, କଂଗ୍ରେସ ଭଦ୍ରକରେ ଏତେ ଉନ୍ନତି କରି ପାରି ନଥାନ୍ତା। ସେ ହାସ୍ୟ ଓ ବ୍ୟଙ୍ଗ ରସର ପ୍ରତିମୂର୍ତ୍ତି ଥିଲେ। ତାଙ୍କର ଲେଖା ମାର୍ଜିତ ହାସ୍ୟ ରସପୂର୍ଣ୍ଣ ଥିଲା। ବ୍ୟଙ୍ଗ ରସର ସୌନ୍ଦର୍ଯ୍ୟକୁ ସେ ନଗ୍ନ ଭାବରେ ପ୍ରକାଶ ନକରି ବସନାବରଣ ଦ୍ୱାରା ରସିକ ଜନୋପଭୋଗ୍ୟ କରାଇଥିଲେ। କାନ୍ତକବି ଯାହାକୁ କଟାକ୍ଷ କରି ଲେଖନ୍ତି, ସେ ଋଷି ହେଲେ ମଧ୍ୟ ଜଟା ଛିଣ୍ଡାଇ ମରିବ। ତାଙ୍କୁ ଥରେ ପଚାରିଲି- ଆପଣ ପତ୍ରିକାର ନାମ ‘ଡ଼ଗର’ ଦେବାର ଉଦେଶ୍ୟ? ସେ କହିଲେ, ‘ଡ଼ଗର’କୁ ଓଲଟା ବା ଡାହାଣ ଦିଗରୁ ପଢ଼ (ରଗଡ଼) ବୁଝି ପାରିବ। ମୁଁ ହସି ହସି କହିଲି ‘ଚମତ୍କାର’।” ଏହି ସ୍ଵଗତୋକ୍ତି ହେଉଛି ସୁସାହିତ୍ୟିକ ଡ଼ଃ ନୀଳାଦ୍ରୀ ଦତ୍ତଙ୍କର, ଯିଏକି କାନ୍ତକବିଙ୍କର ସମସାମୟିକ ଥିଲେ।

“କାନ୍ତକବି ସୁକଣ୍ଠରେ ଲଳିତ ମଧୁର ସ୍ୱରରେ ଗୀତ ଗାଇ ପାରୁଥିଲେ। ରେଭେନ୍ସା କଲେଜରେ ପଢ଼ିବାବେଳେ ଥରେ କାଞ୍ଚି କାବେରୀ ନାଟକର ଅଭିନୟ ହୋଇଥିଲା। ସେଥିରେ ସେ ସନ୍ୟାସିନୀ ଓ ଭିକାରୁଣୀ ବେଶରେ ତାଙ୍କ ସୁଲଳିତ ମଧୁର କଣ୍ଠରେ ଯେଉଁ ଗୀତ ଗୁଡ଼ିକ ବୋଲି ଥିଲେ, ତାହା ଦର୍ଶକମଣ୍ଡଳୀକୁ ମନ୍ତ୍ରମୁଗ୍ଧ କରିଥିଲା। ହୃଦୟର ଆନନ୍ଦ ଧାରା ଓ ନୟନର ଅଶ୍ରୁଧାରା ବୁହାଇ ଦେଇଥିଲା। ସେଥିରୁ ଭାବୀ ସୂଚନା ମିଳିଥିଲା ଯେ, ଲକ୍ଷ୍ମୀକାନ୍ତ ଭବିଷ୍ୟତରେ ଓଡ଼ିଶାର ଜଣେ ପ୍ରସିଦ୍ଧ ଲୋକ ହେବେ।” ରେଭେନ୍ସା କଲେଜରେ କାନ୍ତକବିଙ୍କ ସହପାଠୀ ଅଗଣୀ ଦାସଙ୍କର ଏହା ଥିଲା ସ୍ମୃତିଚାରଣ।

ବିଶିଷ୍ଟ ରାଜନେତା ତଥା ସାହିତ୍ୟିକ ଡ଼ଃ ହରେକୃଷ୍ଣ ମହତାବ ତାଙ୍କ ସ୍ମୃତି ତର୍ପଣରେ ଉଲ୍ଲେଖ କରିଛନ୍ତି ଯେ, “ଅବଶ୍ୟ ଦୁଃଖ ଓ ବାଧାକୁ କବିମାନେ ଅନେକ ସମୟରେ ବରଣ କରିଥାଆନ୍ତି। ମାତ୍ର ସେମାନେ ଲୋଡ଼ିଥାଆନ୍ତି କ୍ଷଣସ୍ଥାୟୀ ଦୁଃଖ। ତୁଳସୀ ଦାସ ପ୍ରଭୃତି ଭକ୍ତ କବିମାନେ ଦୁଃଖ ପାଇଁ ପ୍ରାର୍ଥନା କରିଛନ୍ତି, ମାତ୍ର ସ୍ୱଳ୍ପ ସମୟ ଲାଗି। କ୍ଷଣିକ ବାଧା, ସ୍ରୋତର ଗତିକୁ ପ୍ରଖର କରେ। ସେହିପରି କ୍ଷଣିକ ବାଧା ମନୁଷ୍ୟର ଅନ୍ତର୍ନିହିତ ଶକ୍ତିକୁ ବଢାଇ ଦିଏ। କିନ୍ତୁ ଲକ୍ଷ୍ମୀକାନ୍ତ ସମ୍ମୁଖୀନ ହୋଇଥିଲେ ଜୀବନବ୍ୟାପୀ ବାଧା ଏବଂ କ୍ଳେଶର। ଜୀବନର ସବୁ ଅଭିଳାଷ ଏପରି ଭାବରେ ପ୍ରତିହତ ହେଲାଯେ, ତାଙ୍କର ମନ ବିକାରଗ୍ରସ୍ତ ହେଲା। ସେହି ସମୟରେ ତାଙ୍କର ଅନେକ ଲେଖା ଚିତ୍ତ ବିକାର ପ୍ରସୂତ। ‘ଉତ୍କଳ ସାହିତ୍ୟ’ରେ ପ୍ରକାଶିତ ତାଙ୍କର ‘ଅସହଯୋଗୀର ଆତ୍ମକଥା’ ଠାରୁ ‘ପ୍ରଜାତନ୍ତ୍ର’ରେ ମୁଦ୍ରିତ ‘ପଞ୍ଚାମୃତ’ ପର୍ଯ୍ୟନ୍ତ ତାଙ୍କର ସମସ୍ତ ଲେଖାରେ ଚିତ୍ତବିକାର କିପରି ଗତି କରି କ୍ରମେ ଉଦାତ୍ତ ହୋଇଛି ତାହା ଜଣାପଡ଼େ। ମନସ୍ତତ୍ତ୍ୱବିତ୍ ମାନେ ବିଶ୍ଳେଷଣ କରି ଦର୍ଶାଇଛନ୍ତି ଚିତ୍ତ-ବିକୃତିକୁ ଉଦାତ୍ତ କରିପାରିଲେ, ତାହା ମନୁଷ୍ୟକୁ ଉନ୍ନତ ଅବସ୍ଥାରେ ପହଞ୍ଚାଏ। ଲକ୍ଷ୍ମୀକାନ୍ତଙ୍କର ଚିତ୍ତବିକାର କ୍ରମେ ଉଦାତ୍ତ ହୋଇ ତାଙ୍କୁ ସେହି ଉନ୍ନତ ଅବସ୍ଥାରେ ପହଞ୍ଚାଇଥିଲା, ଯେଉଁଥିରେ ସେ ‘ଜୀବନ ସଂଗୀତ’ ଲେଖିଥିଲେ। ମୃତ୍ୟୁରେ ଯେ କାହାର ଜୀବନ ଶେଷ ହୋଇଯାଏ ତାହା ନୁହେଁ। ଲକ୍ଷ୍ମୀକାନ୍ତଙ୍କ ଜୀବନ ମଧ୍ୟ ଶେଷ ହୋଇନାହିଁ। ନୂତନ ଜୀବନରେ ସେ ସୁବିଧା ପାଇବେ ଅଭିଳାଷ ପୂର୍ତ୍ତି ପାଇଁ।”

ସେହିପରି ସମକାଳୀନ ସାହିତ୍ୟିକ ଡ଼ଃ ବନବିହାରୀ ପଟ୍ଟନାୟକ ତାଙ୍କ ଶ୍ରଦ୍ଧାଞ୍ଜଳିରେ ଉଲ୍ଲେଖ କରିଛନ୍ତି, “ଲକ୍ଷ୍ମୀକାନ୍ତବାବୁ ସେତେବେଳେ ରେଭେନ୍ସା କଲେଜରେ ବି.ଏ. ପଢ଼ୁଥିଲେ। ସରସ୍ବତୀ ପୂଜା ବାସି ଦିନ ସାମନ୍ତ ହଷ୍ଟେଲର ସମସ୍ତ ଅନ୍ତେବାସୀଙ୍କୁ ଗୋକୁଳାନନ୍ଦବାବୁ (ଗୋପବନ୍ଧୁ ଚୌଧୁରୀଙ୍କ ବାପା, ସେ ସମୟର ପ୍ରସିଦ୍ଧ ଓକିଲ) ତାଙ୍କ ଘରକୁ ନିମନ୍ତ୍ରଣ କରିଥିଲେ। ଆମେ ସବୁ ତାଙ୍କ ଘରେ ଖିଆପିଆ ସାରିବା ପରେ ଗୋକୁଳାନନ୍ଦବାବୁ ଲକ୍ଷ୍ମୀକାନ୍ତଙ୍କୁ ସମ୍ବୋଧନ କରି କହିଲେ,-‘ଲକ୍ଷ୍ମୀ , ମୁଁ ଶୁଣିଚି ତୁମେ କୁଆଡ଼େ ଭଲ କୀର୍ତ୍ତନ ଗାଇପାର। ଗୋଟିଏ ଗାଇଲ ଦେଖି।’ ଲକ୍ଷ୍ମୀକାନ୍ତବାବୁ ଏକତାରା ବଜାଇ ମନରୁ ଗୀତ ବାନ୍ଧି ସଂକୀର୍ତ୍ତନ ଗାଇବା ଆରମ୍ଭ କଲେ। ସଂଧ୍ୟା ଆଠଟାରୁ ରାତି ଗୋଟାଏ ବାଜିଲା। ତଥାପି ସଂକୀର୍ତ୍ତନ ଶେଷ ହେଲା ନାହିଁ। ବରଂ ସମୟ ଯେତିକି ଅତିକ୍ରାନ୍ତ ହେଉଥାଏ, ଉଲ୍ଲାସ ସେତିକି ଘନେଇ ଆସୁଥାଏ। ସମୁଦ୍ରରେ ଢ଼େଉ ଆସିଲା ପରି ପଦ ପରେ ପଦ ଆପେ ଆପେ ବାହାରି ପଡୁଥାଏ। ଭାବ ଓ ସ୍ୱର ସ୍ପନ୍ଦନରେ ସମସ୍ତଙ୍କ ଆଖିରୁ ଲୁହର ଧାର ଗଡ଼ି ଯାଉଥାଏ।”

ବିଶିଷ୍ଟ ସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀ ‘କୃତିତ୍ୱ-କୌଶଳ’ ନାମକ ତାଙ୍କ ଶୋକାଞ୍ଜଳିରେ ଜଣାଇଛନ୍ତି, “ସଂଗୀତ ରଚନାରେ ଲକ୍ଷ୍ମୀକାନ୍ତଙ୍କ ସିଦ୍ଧି ଅପରିମିତ। ଭକ୍ତକବି ମଧୁସୂଦନଙ୍କ ପରେ ଆଧୁନିକ କବିମାନଙ୍କ ମଧ୍ୟରୁ ଆଉ କେହି ସଂଗୀତ ରଚନାରେ ଲକ୍ଷ୍ମୀକାନ୍ତଙ୍କ ସ୍ଥାନ ଅଧିକାର କରିବା ଜଣା ପଡ଼େ ନାହିଁ। ପୁଣି ଜାତୀୟ ସଂଗୀତ ରୂପେ ‘ବନ୍ଦେ ଉତ୍କଳ ଜନନୀ’ ଆଜି ସୁଦ୍ଧା ଅପ୍ରତିଦ୍ଵନ୍ଦୀ ହୋଇ ରହିଛି। ଲାଳିକାରେ ସେ ମଧ୍ୟ ଓଡ଼ିଆ ସାହିତ୍ୟରେ ଅବିସସ୍ବାଦୀ ଅଦ୍ୱିତୀୟ ସ୍ରଷ୍ଟା। ସେ ଯେପରି ରସାଗ୍ରହୀ ଭାବୁକ ଥିଲେ, ସେଭଳି ଶକ୍ତିଶାଳୀ ସମାଲୋଚକ ମଧ୍ୟ। ‘ଉତ୍କଳ ସାହିତ୍ୟ’ରେ ପ୍ରକାଶିତ ତାଙ୍କର ‘ଅସହଯୋଗୀର ଆତ୍ମକଥା’ ଶୀର୍ଷକ ରାଜନୈତିକ ସମାଲୋଚନା ସେତେବେଳେ ପାଠକ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ତାଙ୍କର ଅକପଟ ଚରିତ୍ର ଯେପରି ଅନ୍ୟକୁ ବିହ୍ଵଳ କରି ପକାଏ, ରଚନାବଳୀରେ ମଧ୍ୟ ସେଇ ଭାବ ଅବିକଳ ପ୍ରତିବିମ୍ବିତ। ତାଙ୍କର କବି ଜୀବନ ଓ ବ୍ୟକ୍ତିଗତ ଜୀବନ ଭିତରେ ରହିଥିବା ସବୁ ତଫାତ୍ ଯେମିତି ଲିଭିଯାଇ ଗୋଟିଏ ହୋଇ ପଡ଼ିଛି। ଏହାହିଁ ବୋଧହୁଏ ଲକ୍ଷ୍ମୀକାନ୍ତଙ୍କ କୃତିତ୍ୱର ପ୍ରଧାନ କୌଶଳ। ଏହି କୌଶଳ ହାସଲ ପାଇଁ ଯେଉଁ ସାଧନା ଲୋଡ଼ା, କବି ଥିଲେ ସେହି ସାଧନା ପଥର ପଥିକ। ସେ ହସିଲା ବେଳେ ଦୁନିଆଁର ପେଟ ଫଟାଇ ହସାଇଛନ୍ତି। କାନ୍ଦିଲା ବେଳେ ସେମିତି କାନ୍ଦି କାନ୍ଦି ଚିତ୍କାର କରିଛି ତାଙ୍କ ଦେହ, ପ୍ରାଣ ଓ ଗୋଟାଯାକ ସଂସାର। ସମାଲୋଚନାର ପରଶୁ ଧରି ସେ ପୃଥିବୀକୁ କରିଛନ୍ତି ନିକ୍ଷତ୍ରୀୟ। ଆଉ ଜାତିପ୍ରାଣର ଦାବାଗ୍ନି ଜଳିଲା ବେଳେ ତାଙ୍କ ଲେଖନୀ ପ୍ରଚଣ୍ଡ ଉତ୍ତପ୍ତ ହୋଇ ଉଠିଛି। ଲକ୍ଷ୍ମୀକାନ୍ତଙ୍କର କୃତିତ୍ୱର କୌଶଳ ଆବିଷ୍କାର କରିବା ଯେତିକି ସହଜ, ତାହା ହାସଲ କରିବା ସେତିକି କଠିନ। ହାସ୍ୟରସର ପ୍ରାଧାନ୍ୟ ଭିତରେ ତାଙ୍କ ଲାଳିକା ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧ-ଭାଷା ଏବଂ ଭାବରେ ବଳିଷ୍ଠ ଓ ଶକ୍ତିଶାଳୀ। ‘ଜୀବନ ସଂଗୀତ’ ଭଳି କରୁଣ ରସର ପରିବେଷଣରେ ମଧ୍ୟ ସେ ସିଦ୍ଧହସ୍ତ। ହାସ୍ୟରସ ପ୍ରଧାନ ତାଙ୍କ ରଚନାବଳୀକୁ ପାଠ କଲେ ପାଠକ ନହସି ରହି ପାରିବେନି। ପୁଣି ‘ଜୀବନ ସଂଗୀତ’ ଶୁଣିଲା ବେଳେ ଶୁଷ୍କ ଚକ୍ଷୁ ମଧ୍ୟ ସଜଳ ହୋଇଉଠେ। ତାଙ୍କ ଦେଶାତ୍ମବୋଧକ ସଂଗୀତ ଜାତିପ୍ରେମର ଉନ୍ମାଦନା ସୃଷ୍ଟି କରେ। ଭାଷା-ଶିଳ୍ପୀ ଓ କଳାକାର ରୂପେ ଲକ୍ଷ୍ମୀକାନ୍ତଙ୍କର ବହୁମୁଖୀ ପ୍ରତିଭା ଓଡ଼ିଆ ସାହିତ୍ୟକୁ ଯେତିକି ଦାନ କରି ଯାଇଛି, ତାହା ଅମୁଲ୍ୟ ଓ ଅନନ୍ୟ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

Dhanada’s Discourse: The Cloud Has a Thirst – India’s data-centre dilemma
More

Dhanada’s Discourse: 
The Cloud Has a Thirst – India’s data-centre dilemma

by Dhanada K. Mishra
August 10, 2026

Dhanada K Mishra, Hong Kong, 10 August 2026 At first glance, a data centre appears almost unreal. There are no...

Read more
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.