ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୨୬ ଫେବୃଆରୀ ୨୦୨୫
ହେ ଧୃଜଟି ପ୍ରଭୁ ଶଶାଙ୍କଶେଖର
ବୃଷଭ ବାହାନେ ଚଢ଼ି।
ମର୍ତ୍ତ୍ୟଲୋକେ ଆସି ହୋଇଅଛ ଉଭା
ଭକ୍ତେ ରହିଛନ୍ତି ବେଢ଼ି।।
ମହା ଶିବରାତ୍ରୀ ସଭିଏଁ କୁହନ୍ତି
ଭକତ ହୋଇଛି ଭୋଳା।
ରହି ଉଜାଗର ଘିଅ ଦୀପ ଜାଳେ
ପାଳନ୍ତି ଜାଗର ମେଳା।।
କାଳଙ୍କ ଉପରେ ମହାକାଳ ତୁମେ
ମହୀଚାରି ବିଶ୍ୱେଶ୍ୱର।
ମନ୍ତ୍ର ଉଚ୍ଚାରଣେ କମ୍ପୁଅଛି ମହୀ
ତୁମେ ପରା ଯଜ୍ଞେଶ୍ୱର।।
ଜଟାରେ ଧାରଣ ଗଙ୍ଗା ମାତା ଯେଣୁ
ନାମ ବହିଛ ଗାଙ୍ଗେୟ।
ବିଶ୍ଵ ଜନ ମିଳି କରୁଛନ୍ତି ସ୍ତୁତି
ଓଁ ନମଃ ଶିବାୟ।।
ଆଲୋକ ମାଳରେ ସୁସଜ୍ଜିତ ଆଜି
ଯେତେ ସବୁ ଶିବାଳୟ।
ଉତ୍ସବ ମୁଖର ମର୍ତ୍ତ୍ୟବାସୀଙ୍କର
ଶିବଶଙ୍କର କି ଜୟ।।
ତପେ ଦିଅ ବର କୋପେ ଦିଅ ବର
ନାମଟି ଭୋଳାଶଙ୍କର।
ସୃଷ୍ଟି ରକ୍ଷା ଅର୍ଥେ କାମ କ୍ରୋଧ ଶାନ୍ତ
କଲ ମହାକାଳୀଙ୍କର।।
ଡମ୍ବୁରୁ ବଜାଇ ଉଦଣ୍ଡିତ ହୋଇ
ତାଣ୍ଡବ ରଚିଲ ଯାଇ।
ଲହ ଲହ ଜିହ୍ୱା ଖୁଙ୍କାର କେଶିନୀ
କାଳିକା ମାତାଙ୍କ ପାଇଁ।।
ସେତ ମହାମାୟୀ ଶାନ୍ତ ଚିତ୍ତ ହୋଇ
ଦୀପ ପ୍ରଜ୍ବଳିତ କରି।
ସ୍ବାମୀ ରୂପେ ବରି ବୋଲାଇ ଶଙ୍କରି
ତ୍ରୈଲୋକେ ପଡ଼ିଲା ହୁରି।।
ଅମାବାସ୍ୟା ତିଥି ଉମା ମହୀପତି
ସର୍ବଜନେ କଲେ ପୂଜା।
ଜାଗର ନାମରେ ନାମିତ ତ୍ରିପୁରେ
ଦେବାଧିଦେବଙ୍କ ରାଜା।।
ବିଶ୍ବର କଲ୍ୟାଣ କରନ୍ତି ଆପଣ
ନିମିଶକେ ପୁଣି ଧ୍ଵଂସ।
ପାପୀଙ୍କୁ ସଂହାରି ଭକ୍ତଙ୍କୁ ଉଦ୍ଧରି
ଧରାକୁ କର ଉଶ୍ୱାସ।।