• About
  • Contact
Tuesday, March 17, 2026
Tuesday, March 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

  ମହାପୁରୁଷ ଅଚ୍ୟୁତାନନ୍ଦ ଦାସ

  ମହାପୁରୁଷ ଅଚ୍ୟୁତାନନ୍ଦ ଦାସ
Share on FacebookShare on Xshare on Whatsappshare on Linkedin
ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୨୦ ଫେବୃଆରୀ ୨୦୨୪

ପଞ୍ଚଦଶ ଶତାବ୍ଦୀର ମଧ୍ୟ ଭାଗରୁ ଷୋଡଶ ଶତାବ୍ଦୀର ସତୁରୀ ଦଶକ ପର୍ଯ୍ୟନ୍ତ ପଞ୍ଚସଖା ସନ୍ଥ ମାନେ ଅର୍ଥାତ୍ ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଜଗନ୍ନାଥ ଦାସ, ଅନନ୍ତ ଦାସ ଓ ଯଶୋବନ୍ତ ଦାସ ଓଡ଼ିଶାରେ ପ୍ରାଚୀନ ସନାତନ ଧର୍ମର ଗୁଢ଼ ଆଧ୍ୟାତ୍ମିକ ତତ୍ତ୍ଵକୁ ଅତ୍ୟନ୍ତ ସହଜ, ସରଳ ତଥା ପ୍ରାଞ୍ଜଳ ଭାଷାରେ ବିଭିନ୍ନ ପୋଥି, ମାଳିକା, ଟୀକା, ଗୀତା ଓ ସହିଂତା ରଚନା ମାଧ୍ୟମରେ ସାଧାରଣ ଜନଜୀବନକୁ ପ୍ରଭାବିତ କରିଥିଲେ । ଶ୍ରୀଚୈତନ୍ୟ ଦେବଙ୍କ ଓଡ଼ିଶା ଆଗମନ କାଳରେ ଗୌଡ଼ିୟ ବୈଷ୍ଣବ ଧର୍ମର ପ୍ରଚାର ପ୍ରସାର ହୋଇଥିଲା ସତ, କିନ୍ତୁ ଓଡ଼ିଶାର ଏହି ପାଞ୍ଚ ଜଣ ମହାପୁରୁଷ ସନ୍ଥଗଣ ଶ୍ରୀ ଜୟଦେବଙ୍କ “ଗୀତ ଗୋବିନ୍ଦ” ଆଧାରରେ ଉତ୍କଳୀୟ ବୈଷ୍ଣବ ଧର୍ମ ପ୍ରଚାର କରି ଓଡିଶାର ଜନ ସମାଜକୁ ରାଧାକୃଷ୍ଣଙ୍କ ଭକ୍ତିରସରେ ଆପ୍ଲୁତ କରିଥିଲେ । ସମାଜ ଜୀବନକୁ ଶୃଙ୍ଖଳିତ କରିବା ସକାଶେ, ଆଧ୍ୟାତ୍ମିକ ଉନ୍ମେଷ ଘଟାଇବା ଲକ୍ଷ୍ୟରେ ଭକ୍ତି ମାର୍ଗରେ ଜୀବନ ନିର୍ବାହ କରିବାକୁ ପରାମର୍ଶ ଦେଉଥିଲେ । ମାନବ ସମାଜର ଦୃତ ଅଧଃପତନ ଦେଖି ଆଗତ ଭବିଷ୍ୟତ ଆକଳନ କରିବା ସହିତ ମଣିଷକୁ ସଚେତନତାର ବାର୍ତ୍ତା ଦେଇ ସମୁଚିତ ମାର୍ଗ ଦର୍ଶନ କରାଇବା ଥିଲା ଏହି ସନ୍ଥ ମାନଙ୍କର ପ୍ରମୁଖ ଲକ୍ଷ୍ୟ।

ପଞ୍ଚସଖା ସନ୍ଥ ମାନଙ୍କ ମଧ୍ୟରେ ଶ୍ରୀ ଅଚ୍ୟୁତାନନ୍ଦ ଦାସ ଥିଲେ ଅନ୍ୟତମ । ସେ ୧୫୧୦ ମସିହା ମାଘ ଶୁକ୍ଳ ଏକାଦଶୀ ତିଥିରେ ଜନ୍ମ ଗ୍ରହଣ କରିଥିଲେ। କେହି କେହି ତାଙ୍କୁ ଅବତାରୀ ପୁରୁଷ ବୋଲି ବର୍ଣ୍ଣନା କରିଥିବା ବେଳେ ତାଙ୍କର ଜନ୍ମ ବୃତ୍ତାନ୍ତକୁ ନେଇ ଭିନ୍ନ ଭିନ୍ନ ମତ ରହିଛି । କେହି ତାଙ୍କୁ ଗୋପାଳ ବଂଶଜ ବୋଲି ଗ୍ରହଣ କରନ୍ତି ତ, କେହି କ୍ଷତ୍ରିୟ କୁଳ ର ବୋଲି କହନ୍ତି । ଐତିହାସିକ, ଓଡ଼ିଆ ସାହିତ୍ୟ ଗବେଷକ ସ୍ବର୍ଗତ ଡଃ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଭିନ୍ନ ମତ ରହିଛି । କିନ୍ତୁ, ଚୈତନ୍ୟ ଭାଗବତ ରେ କୁହାଯାଇଛି : “ସୁଦାମା ଅଚ୍ୟୁତ ହୋଇଣ, ଜନ୍ମିଲେ ମହାନ୍ତି କୁଳେଣ।” ଅର୍ଥାତ୍, ଅଚ୍ୟୁତାନନ୍ଦ କରଣ କୂଳରେ ଜନ୍ମ ନେଇଥିଲେ । ତେବେ ଯାହା ହେଉନା କାହିଁକି, ପତିତ ଓ ଅବହେଳିତ ବର୍ଗ ର ଲୋକଙ୍କ ସାମାଜିକ ଉତ୍ଥାନ ପାଇଁ ସେ ଉଦ୍ୟମ କରିଥିବା ତାଙ୍କ ରଚନା ମାନଙ୍କରୁ ସ୍ପଷ୍ଟ ଜଣା ପଡ଼େ । ତନ୍ମଧ୍ୟରୁ ତାଙ୍କ ରଚିତ “ଗୋପାଳଙ୍କ ଓଗାଳ” ଓ “କୈବର୍ତ୍ତ ଗୀତା” ଅନ୍ୟତମ ଉଦାହରଣ ବୋଲି କୁହାଯାଇପାରେ ।

ବହୁ ପୁରାତନ କାଳରୁ ଜନଶ୍ରୁତିରେ କଥିତ ଅଛି ଅବତାରି ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ଶ୍ରୀକ୍ଷେତ୍ର ଧାମ ବଡଦାଣ୍ଡରେ ବ୍ୟାଧିଗ୍ରସ୍ତ ପତିତ ମାନବଙ୍କୁ ନିଜ କର ସ୍ପର୍ଶରେ ବ୍ୟାଧି ମୁକ୍ତ କରୁଥିବାରୁ ଅଥବା ପରିତ୍ରାଣ ଦେଉଥିବାରୁ କର୍ମଫଳ ଦାତା ତଥା ମୃତ୍ୟୁ ଦେବତା ସ୍ଵୟଂ ଯମରାଜ ଶ୍ରୀ ଜଗନ୍ନାଥଙ୍କୁ ଗୁହାରୀ କରିଥିଲେ । ତେଣୁ ଶ୍ରୀ ଜଗନ୍ନାଥ ନିଜେ ପରିଧାନ କରିଥିବା ତୁଳସୀ ମାଳ ନେଇ ଚାଲିଯିବାକୁ ଅଚ୍ୟୁତଙ୍କୁ ଆଜ୍ଞା ଦେଇଥିଲେ । କେଉଁ ଆଡେ ଯିବେ ବୋଲି ଜିଜ୍ଞାସା ଜାଗିବାରୁ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ନେଇ ଯିବାବେଳେ ତାହା ଯେଉଁଠି ଛିଡି ପଡ଼ିବ, ସେଇଠି ମଠ ତୋଳି ରହିବାର ସଂକେତ ପାଇଥିଲେ ଶ୍ରୀ ଅଚ୍ୟୁତାନନ୍ଦ । ଶ୍ରୀକ୍ଷେତ୍ର ଧାମରୁ ଆସି ଯେଉଁ ପଦ୍ମପୁର୍ଣ୍ଣ ପୁଷ୍କରିଣୀ ନିକଟସ୍ଥ ବଟବୃକ୍ଷ ମୂଳରେ ବିଶ୍ରାମ ନେଇଥିଲେ ଏବଂ ମହାପ୍ରଭୁଙ୍କ ତୁଳସୀ ମାଳ ଛିଡି ପଡ଼ିଥିଲା, ସେଇ ସ୍ଥଳଟି ଅଚ୍ୟୁତାନନ୍ଦଙ୍କ ଗାଦି ବୋଲି ବିଦିତ ହେଲା । ମାଳ ନେଇ ଆସିଥିବା ଶ୍ରୀ ଅଚ୍ୟୁତଙ୍କ ମଠର ନାମ ସେଥିପାଇଁ “ନେମାଳ” ହୋଇ ଥାଇପାରେ ବୋଲି ବିଶ୍ୱାସ କରାଯାଏ । ବଟ ବୃକ୍ଷ ମୂଳରେ ରହି ତପ ସାଧନା କରିଥିଲେ ସେଇଠି ଅଚ୍ୟୁତାନନ୍ଦ । ବଟ ଗୋସେଇଁ ଭାବେ ଖ୍ୟାତ ହୋଇଥିଲେ । ନେମାଳ ବଟ ଠାକୁର, ଗାଦି ବ୍ରହ୍ମ ଭାବେ ଉପାସିତ ହେଲେ କାଳକ୍ରମେ ।

ସମଗ୍ର ମାନବ ସମାଜକୁ ଭକ୍ତି ମାର୍ଗରେ ପରିଚାଳିତ କରାଇ ଏକ ଦିବ୍ୟ ଭବନାରେ ଦ୍ରବିଭୂତ କରି ରଖିଥିଲେ ଏହି ମହାପୁରୁଷ ଅଚ୍ୟୁତାନନ୍ଦ । ବିଭିନ୍ନ ଧର୍ମ ପୁସ୍ତକ ରଚନା କରି ଓଡ଼ିଶାର ଭକ୍ତି ସାହିତ୍ୟ ଓ ଧର୍ମ ଧାରାକୁ ଋଦ୍ଧିମନ୍ତ କରି ଯାଇଛନ୍ତି ସେ । ଶତ ଶତ ଭଜନ, ଜଣାଣ, ମାଳିକା, ଗୀତିକା ଆଦି ସହିତ ସମାଜ ସଚେତନଧର୍ମୀ ପୁସ୍ତକ ମାନ ତାଙ୍କୁ ଜଣେ ଅନନ୍ୟ ମହାପୁରୁଷ ଭାବେ ପରିଚିତ କରିଛି । ତନ୍ମଧ୍ୟରୁ “ଛତିଶ ପଟଳ, ଅଚ୍ୟୁତାନନ୍ଦ ମାଳିକା, ଅନନ୍ତ ବଟ ଗୀତା, ଅଷ୍ଟ ଗୁଜ୍ଜରି, ଭବିଷ୍ୟ ମାଳିକା, ଭବିଷ୍ୟ ପରାର୍ଦ୍ଧ, ରାହାସ ମାଳ, ବ୍ରହ୍ମ ଏକାକ୍ଷର ଗୀତା, ବ୍ରହ୍ମ ଶାଙ୍କୁଳି, ମନ୍ମଥ ଚନ୍ଦ୍ରିକା, ନିତ୍ୟ ରାହାସ, ଲକ୍ଷ୍ମୀଧର ବିଳାସ ବା ଚକଡା଼ ମଡାଣ, ଉତ୍ପାତ ସାଗର, ବୃହତ୍ ଦଶ ପଟଳ ମାଳିକା, କଳିଯୁଗ ମାଳିକା ଓ ଜାଇ ଫୁଲ ମାଳିକା, ବ୍ରହ୍ମ କୁଣ୍ଡଳୀ, କଳ୍ପ ଟୀକା ଓ ବର୍ଣ୍ଣ ଟୀକା, ମନ ଚୈତନ୍ୟ ସମ୍ବାଦ ଓ କଳିକଳ୍ପ ଗୀତା, ଗରୁଡ଼ ଗୀତା, ହରିବଂଶ ପୁରାଣ, ଗୁରୁ ଭକ୍ତି ଗୀତା, ଆଦି ସଂହିତା, ଅନାଦି ସଂହିତା, ଅକଳିତ ସଂହିତା, ଅଣାକାର ବ୍ରହ୍ମ ସଂହିତା, ଶିବ କଳ୍ପ ଓ ନବଗ୍ରହ ନିର୍ଘଣ୍ଟ, ଚିତ୍ତ ବୋଧ ଚଉତିଶା ଏବଂ ଓଡ଼ିଆ ମହାଗୁପ୍ତ ପଦ୍ମକଳ୍ପ” ଆଦି ଅନେକ ଆଧ୍ୟାତ୍ମ୍ୟ ପୁସ୍ତକ ରହିଛି, ଯାହାକି ଏବେବି ପତିତ ମାନବ ର ଉତ୍ତରଣ ପାଇଁ ମାର୍ଗ ଦର୍ଶନ କରିଚାଲିଛି ।

ଅବନୀ ଚନ୍ଦ୍ର ଦାସ

ଅବନୀ ଚନ୍ଦ୍ର ଦାସ

(ସାହିତ୍ୟିକ, ସ୍ତମ୍ଭକାର, ଗବେଷକ, ସୁସଂଗଠକ)
ସଂପାଦକ, ନିର୍ଭିକ
ସଂପାଦକ, ମାହାଙ୍ଗା ମୈତ୍ରୀ ମଞ୍ଚ
ସଂପାଦକ, ଉତ୍କଳୀୟ ସାହିତ୍ୟ ସଂସ୍କୃତି ପରିଷଦ
ପ୍ରଶାନ୍ତି ବିହାର, ଭୁବନେଶ୍ବର-୨୪
ଫୋନ୍ ନଂ. ୯୯୩୭୫୩୭୯୭୪

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡୀ ଭୂୟାଁ (ଭାଗ ୭୩)

by ଭବେଶ ଚନ୍ଦ୍ର କର
March 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ମାର୍ଚ୍ଚ ୨୦୨୬ ସନ୍ଧ୍ୟା ହେଲା କିନ୍ତୁ ମନ୍ମଥ ଜଙ୍ଗଲରୁ ନ ଫେରିବାରୁ ମନରେ ମୋର ଛନକା ପଶିଲା। କୁଆଡେ ଗଲା...

Read more
ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

March 11, 2026
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
Jay’s Thoughts:Dated Rituals and our unquestioning acceptance of them

Jay’s Thoughts:
Dated Rituals and our unquestioning acceptance of them

February 22, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.