• About
  • Contact
Tuesday, August 18, 2026
Tuesday, August 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ମୟୁରଭଞ୍ଜ ଜାତୀୟ ସଂଗୀତର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ

ମୟୁରଭଞ୍ଜ ଜାତୀୟ ସଂଗୀତର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୭ ଡିସେମ୍ବର ୨୦୨୩

ଓଡ଼ିଶା ରାଜ୍ୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ”ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ମଧ୍ୟ ମୟୁରଭଞ୍ଜ ଜାତୀୟ ସଂଗୀତର ରଚୟିତା ଥିଲେ । ଭଞ୍ଜ ଭୂମିର ସମୃଦ୍ଧ କଳା, ସଂସ୍କୃତିରେ ପ୍ରଭାବିତ ହୋଇ କାନ୍ତକବି ରଚନା କରିଥିଲେ ଗୀତଟିଏ, ଯାହାକି ମୟୁରଭଞ୍ଜ ଷ୍ଟେଟର ଜାତୀୟ ସଂଗୀତ ମାନ୍ୟତା ଲାଭ କରିଥିଲା । ମହାରାଜା ପ୍ରତାପ ଚନ୍ଦ୍ରଙ୍କ ଜନ୍ମ ଦିବସ ଫେବୃୟାରୀ ୧୮ତାରିଖରେ ବାରିପଦା ହାଇସ୍କୁଲର ଛାତ୍ରମାନେ ଏହି ସଂଗୀତ ଗାନ କରି ପ୍ରତ୍ୟୁଷରେ ସହର ପରିକ୍ରମା କରୁଥିଲେ । ଏହାପରେ ରାଜବାଟୀରୁ ପିଲାମାନଙ୍କ ଲାଗି ଆସୁଥିଲା ବିଭିନ୍ନ କିସମର ମିଷ୍ଟାନ୍ନ ।

ପ୍ରଥିତଯଶା ସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଆଲେଖ୍ୟରୁ ମଧ୍ୟ ଏସଂପର୍କରେ ସ୍ପଷ୍ଟ ସୂଚନା ମିଳେ । କାନ୍ତକବିଙ୍କ ବିୟୋଗ ପରେ ସ୍ମୃତିଚାରଣ ସମ୍ବଳିତ ଶ୍ରୀ ପାଣିଗ୍ରାହୀଙ୍କର ଏକ ଆଲେଖ୍ୟ ସଂଭ୍ରାନ୍ତ ‘ଡଗର’ ପତ୍ରିକାରେ ପ୍ରକାଶ ପାଇଥିଲା । “କୃତିତ୍ୱ-କୌଶଳ” ନାମକ ସେହି ସ୍ମୃତିଲେଖରେ ଶ୍ରୀ ପାଣିଗ୍ରାହୀ ଦର୍ଶାଇଛନ୍ତିଯେ, କାନ୍ତକବି ମଝିରେ ମଝିରେ ବାରିପଦା ସହରକୁ ଗସ୍ତ କରୁଥିଲେ । ବାରିପଦାରେ ଅବସ୍ଥାନ ସମୟରେ ସେ ତାଙ୍କ ଭିଣୋଇ ବିଶିଷ୍ଟ କବି ତଥା ବାରିପଦା ହାଇସ୍କୁଲର ପ୍ରଧାନ ଶିକ୍ଷକ ଶଚୀନ୍ଦ୍ର ନାଥ ଦାସଙ୍କ ବାସଭବନରେ ଅତିଥି ହେଉଥିଲେ । ବାରିପଦା ସହରରୁ ପ୍ରକାଶିତ “ଭଞ୍ଜ ପ୍ରଦୀପ” ପତ୍ରିକାର ସଂପାଦନା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ହୋଇଥିଲା । ସେହି ସୂତ୍ରରେ ପତ୍ରିକା ପାଇଁ କାନ୍ତକବିଙ୍କ ନିକଟରୁ ଲେଖା ସଂଗ୍ରହର ସୁଯୋଗ ତାଙ୍କୁ ମିଳୁଥିଲା । ଥରେ କାନ୍ତକବିଙ୍କ ବାରିପଦା ରହଣୀ ସମୟରେ ତତ୍‌କାଳୀନ ଓଡ଼ିଶାର ପୋଲିସ ଡି.ଆଇ.ଜି. ଶ୍ରୀ ରାମଚନ୍ଦ୍ର ଦାଶ ଓ ମୟୁରଭଞ୍ଜର ପୋଲିସ ସାହେବ ତାଙ୍କ ନିକଟରୁ ସ୍କୁଲ ଛାତ୍ରମାନଙ୍କ ଲାଗି ଗୋଟିଏ ବରାଦି ମାର୍ଚିଂ ସଂଗୀତ ଲେଖାଇଥିଲେ । ରାମବାବୁଙ୍କ ଉପସ୍ଥିତିରେ କାନ୍ତକବି ସ୍ୱରଚିତ ସଂଗୀତଟିକୁ ସ୍ୱର ସମ୍ବଳିତ କରି ଗାନ କରିଥିଲେ । “ଏହି ମୋର ଭଞ୍ଜ ଭୂମି ଏହି ମୋର ରାଜା, ଜନ୍ମେ ଜନ୍ମେ କରୁଥିବି ମୁଁ ଏ ଦୁହିଁଙ୍କୁ ପୂଜା” । ତାଳେ ତାଳେ ବାଳକମାନଙ୍କର ଲେଫ୍‌ଟ ରାଇଟ୍ ପଦକ୍ଷେପ । ମୟୁରଭଞ୍ଜ ମହାରାଜାଙ୍କ ସ୍ୱନକ୍ଷତ୍ର ଉତ୍ସବ ଉଦ୍ଦେଶ୍ୟରେ ସମ୍ଭବତଃ ସେହି ସଂଗୀତଟି ରଚିତ ଓ ଗୀତ ହୋଇଥିଲା । ଅନ୍ୟାନ୍ୟ ପ୍ରସଂଗରେ ଶ୍ରୀପାଣିଗ୍ରାହୀ ଉଲ୍ଲେଖ କରିଛନ୍ତିଯେ, ସଂଗୀତ ରଚନାରେ କାନ୍ତକବିଙ୍କ ସିଦ୍ଧି ଅପରିମିତ । ପୁଣି ଜାତୀୟ ସଂଗୀତ ରୂପେ “ବନ୍ଦେ ଉତ୍କଳ ଜନନୀ” ଆଜି ସୁଦ୍ଧା ଅପ୍ରତିଦ୍ୱନ୍ଦୀ ହୋଇ ରହିଛି । ସର୍ବୋପରି ଲାଳିକାରେ କାନ୍ତକବି ହେଉଛନ୍ତି ଓଡ଼ିଆ ସାହିତ୍ୟରେ ଅବିସମ୍ବାଦୀ ଅଦ୍ୱିତୀୟ ସ୍ରଷ୍ଟା ।

ସେହିପରି କାନ୍ତକବିଙ୍କ ଉଗ୍ର ଦେଶପ୍ରେମ ସଂପର୍କରେ ବିଶିଷ୍ଟ ସାହିତ୍ୟିକା, ସଂଗ୍ରାମୀ ତଥା ଓଡିଶା ବିଧାନସଭାର ପ୍ରଥମ୍ ବିଧାୟିକା ଶ୍ରୀମତୀ ସରଳା ଦେବୀ ଚମତ୍କାର ବକ୍ତବ୍ୟ ରଖିଛନ୍ତ । କାନ୍ତକବିଙ୍କ ଦେହାନ୍ତ ପରେ ‘ଡଗର’ ପତ୍ରିକାରେ “କବି ସ୍ମରଣିକା” ନାମକ ତାଙ୍କ ଆଲେଖ୍ୟରେ ସେ ଉଲ୍ଲେଖ କରିଛନ୍ତି, କାନ୍ତକବି ଅତି ନିର୍ଭୀକ ଥିଲେ । ସେଥିଯୋଗୁଁ ସେ ତାଙ୍କର ପୁଅ, ଭାଇ ଓ ଭଉଣୀମାନଙ୍କୁ କଂଗ୍ରେସ ଆନ୍ଦୋଳନରେ ବରାବର ଜେଲଖାନା ଯିବାକୁ, ଇଂରେଜ ସରକାର ବିରୋଧରେ ଆନ୍ଦୋଳନ ଓ କ୍ରିୟାଶୀଳ ହେବାକୁ ପ୍ରେରଣା ଯୋଗାଉଥିଲେ । ତାଙ୍କର ପ୍ରୋତ୍ସାହନକ୍ରମେ ଆତ୍ମୀୟମାନେ ଦେଶର ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗଦେଇ ବାରମ୍ବାର କାରାବରଣ କରୁଥିଲେ ଏବଂ ବିପ୍ଳବାତ୍ମକ କାର୍ଯ୍ୟମାନ ଜାରି ରଖୁଥିଲେ ।

ସେହିପରି ସରଳା ଦେବୀ ଆହୁରି ଦର୍ଶାଇଛନ୍ତି ଯେ କଂଗ୍ରେସ ପାଇଁ କାନ୍ତକବି ଜିଅନ୍ତା ଶହୀଦ ହୋଇଛନ୍ତି । କିନ୍ତୁ ପ୍ରଦେଶ କଂଗ୍ରେସ ଅନ୍ୟ କର୍ମୀଙ୍କ ଶହୀଦତ୍ୱ ସ୍ୱୀକାର କରିଥିଲେ ମଧ୍ୟ ଲକ୍ଷ୍ମୀକାନ୍ତଙ୍କୁ ସେହି ଶ୍ରେଣୀର ସମ୍ମାନ ପ୍ରଦର୍ଶନ କରିନାହିଁ । ଯିଏ ବଂଶଯାକଙ୍କୁ ଜେଲଖାନା ପଠାଇ ଅର୍ଥାଭାବରୁ କଷ୍ଟ ପାଇଛି, ଇଂରାଜୀ ସରକାରୀ ପ୍ରଚାର ସାହିତ୍ୟ ଓ ଯୁଦ୍ଧ ଗୀତ ଲେଖିବା ପାଇଁ ବିପୁଳ ଅର୍ଥ ପ୍ରଲୋଭନ ଫିଙ୍ଗିଛି, ଜୀବନରେ ମୁଣ୍ଡ କେଉଁଠି ନଇଁ ନାହିଁ, କାହାକୁ ଭିକ ମାଗି ନାହିଁ, ଏପରି ଜୀବନର ତୁଳନା ଓଡିଶାରେ କଣ’ ଭାରତରେ ଖୁବ୍ କମ୍ ଅଛି ।

ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ କାନ୍ତକବିଙ୍କୁ ଦେଖିଲେ ମନେ ହୁଏ, ସେ ଯେପରି ଏକ ନିସ୍ତରଂଗ ସମୁଦ୍ର । ବାହାରୁ ତାଙ୍କର ଚରିତ୍ର ବୁଝି ମଣିଷଟିକୁ ଜାଣିବା ସାଧ୍ୟ କାହାର ନଥିଲା । ମାତ୍ର ତାଙ୍କ ନିକଟ ସଂପର୍କରେ ଆସିଥିବା ଲୋକମାନେ ବୁଝିଥିଲେଯେ, କବିଙ୍କ ନିସ୍ତରଂଗ ଶାନ୍ତ ଜୀବନ ତଳେ ବିପ୍ଳବୀ ପ୍ରାଣର କି ଭୀଷଣ ଓ ପ୍ରଖର ଜୁଆର ଭଟ୍ଟା । ଏହିସବୁ ସ୍ମୃତିଚାରଣରୁ ହିଁ କାନ୍ତକବିଙ୍କ ଅନନ୍ୟ ବ୍ୟକ୍ତିତ୍ୱ ଓ ଅତୁଳନୀୟ ଜାତୀୟତାବୋଧ ସଂପର୍କରେ ସ୍ପଷ୍ଟ ସୂଚନା ମିଳେ ।

ତେବେ ପରିତାପର ବିଷୟ ହେଉଛି, ରାଜ୍ୟ ତଥା ଦେଶ ପାଇଁ ସମଗ୍ର ଜୀବନ ଉତ୍ସର୍ଗ କରିଥିବା ଏହି ବରପୁତ୍ରଙ୍କୁ ସମାଜ ଓ ସରକାର ଅଦ୍ୟାବଧି ଉପଯୁକ୍ତ ସମ୍ମାନ ଓ ସ୍ୱୀକୃତି ପ୍ରଦାନ କରିବାକୁ କୁଣ୍ଠିତ ହୋଇଛି । କାରଣ ରାଜ୍ୟର ସୁଯୋଗ୍ୟ ସନ୍ତାନମାନଙ୍କ ଗ୍ରାମଗୁଡିକୁ “ଆଦର୍ଶ ବରପୁତ୍ର ଗ୍ରାମ” ହିସାବରେ ଗଢି ତୋଳିବା ପାଇଁ ସରକାର ୨୦୨୨ ମାର୍ଚ୍ଚ ୨୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ମାଧ୍ୟମରେ ବିଧାନସଭାରେ ଉଦ୍‌ଘୋଷଣ କରିଥିଲେ । ଆଦର୍ଶ ବରପୁତ୍ର ଗ୍ରାମ କଥା ଦୂରେ ଥାଉ, ଏପରିକି ଧରାଶାୟୀ ହେବାକୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ତାଳପଦା ଗ୍ରାମସ୍ଥିତ କାନ୍ତକବିଙ୍କ ଆବାସସ୍ଥଳୀର ସଂରକ୍ଷଣ କିମ୍ବା ଉନ୍ନତିକରଣ ଲାଗି ବର୍ତ୍ତମାନ ସୁଦ୍ଧା ସାମାନ୍ୟତମ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଫଳରେ ଓଡିଆ ଜାତିର ଅନ୍ୟତମ ପୁଣ୍ୟ ତୀର୍ଥ କାନ୍ତକବିଙ୍କ ଆବାସସ୍ଥଳୀ (ବାସଗୃହ) ଅଚିରେ ନିଶ୍ଚିହ୍ନ ହେବା ଅପେକ୍ଷାରେ ରହିଛି ।

କେବଳ ସେତିକି ନୁହେଁ, ଓଡିଆ ଭାଷାକୁ ବଞ୍ଚାଇଥିବା ଐତିହାସିକ ଛାପାଖାନା (ପ୍ରିଣ୍ଟିଂ ପ୍ରେସ୍‌)ଟି ମଧ୍ୟ କାନ୍ତକବିଙ୍କ ଭଦ୍ରକ ସହରସ୍ଥିତ ବାସଭବନ ପରିସରରେ ମୁକ୍ତାକାଶ ତଳେ ପଡି ରହିଛି । ବାଲେଶ୍ୱର ସହରରେ ବ୍ୟାସକବି ଫକୀର ମୋହନ ପ୍ରତିଷ୍ଠା କରିଥିବା ଏହି ଛାପାଖାନାଟିକୁ କାନ୍ତକବିଙ୍କ ପରିବାର ପରବର୍ତ୍ତୀ କାଳରେ କିଣି ଆଣିଥିଲେ । ବଂଶର କୂଳ ଦେବତାଙ୍କ ନାମରେ ‘ଗୋପୀନାଥ ପ୍ରେସ’ ହିସାବରେ ତାହା ଭଦ୍ରକ ସହରରେ ପ୍ରତିଷ୍ଠା କରାଯାଇ ତହିଁରୁ ସଂଭ୍ରାନ୍ତ ‘ଡଗର’ ପତ୍ରିକା ପ୍ରକାଶ ପାଇଥିଲା । ସ୍ୱଦେଶୀ ଆନ୍ଦୋଳନ କାଳରେ “ଲୁଣ ମରା ଗୀତ” ଓ “ଦୁନ୍ଦୁଭି” ଭଳି ଜାତୀୟତାବାଦୀ ବାର୍ତ୍ତା ବହନକାରୀ ପୁସ୍ତକଗୁଡିକ ଗୋପୀନାଥ ପ୍ରେସରୁ ହିଁ ମୁଦ୍ରିତ ହୋଇଥିଲା, ଯାହାକୁ ଇଂରେଜ ସରକାର ବ୍ୟାଜ୍ୟାପ୍ତ କରିଥିଲେ ।

ଉଲ୍ଲେଖଯୋଗ୍ୟଯେ, ସ୍ୱଦେଶୀ ଆନ୍ଦୋଳନ ସମୟରେ କାନ୍ତକବିଙ୍କ ସମଗ୍ର ପରିବାର ସ୍ୱାଧୀନତା ସଂଗ୍ରାମରେ ସମର୍ପିତ ହୋଇଥିଲେ । କାନ୍ତକବିଙ୍କ ପରିବାରର ଲଗାତର ତିନୋଟି ପିଢିର ବିପୁଳ ସଂଖ୍ୟକ ସଭ୍ୟ ଜାତୀୟ ଆନ୍ଦୋଳନରେ ସାମିଲ ହୋଇ ବାରମ୍ବାର କାରାବରଣ କରିଥିଲେ । ଏପରିକି ଇଂରେଜ ସରକାରଙ୍କ ଅମାନବୀୟ ନିର୍ଯ୍ୟାତନା ଫଳରେ କାନ୍ତକବି ତାଙ୍କର ଦୁଇ ସାନଭାଇ କମଳାକାନ୍ତ ଓ ସୀତାକାନ୍ତଙ୍କ ସହିତ ସାନ ଭଉଣୀ କୋକିଳା ଦେବୀଙ୍କୁ ସେମାନଙ୍କ ଆଦ୍ୟ ଯୌବନରେ ହିଁ ହରାଇଥିଲେ । ଜାତୀୟ ଆନ୍ଦୋଳନ ବା ସ୍ୱାଧୀନତା ସଂଗ୍ରାମ କାଳରେ ଅଧିକାଂଶ ରାଜା ଓ ଜମିଦାର ପରିବାର ସେମାନଙ୍କ ଧନ ଜୀବନର ସୁରକ୍ଷା ଲାଗି ବ୍ରିଟିଶ ଶାସକଙ୍କୁ ସମର୍ଥନ କରିଥିଲେ ସୁଦ୍ଧା କାନ୍ତକବିଙ୍କ ପରିବାରବର୍ଗ ଉଗ୍ର ଦେଶ ପ୍ରେମ ପ୍ରଦର୍ଶନ କରି ଇଂରେଜ ସରକାରଙ୍କ ଅକଥନୀୟ ଅତ୍ୟାଚାରର ଶୀକାର ହୋଇଥିଲେ, ଯାହା ଆମ ଇତିହାସରେ ଅଦ୍ୟାବଧି ଉଲ୍ଲେଖ ହୋଇପାରିନାହିଁ ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୮)

by ଭବେଶ ଚନ୍ଦ୍ର କର
August 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଅଗଷ୍ଟ ୨୦୨୬ ଏହା ଭିତରେ ମୋ ପୁଅ ସୁରଥ କେତେବେଳେ ଦୁଇବର୍ଷ ର ହୋଇଗଲାଣି ଜଣା ପଡ଼ିଲା ନାହିଁ। ଏବେ...

Read more
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.