ଶୈଳବାଳା ମହାପାତ୍ର, ୧୪ ସେପ୍ଟେମ୍ବର ୨୦୨୨
ପୁରୀ ଛାଡ଼ିଲେ କେମିତି ଲାଗେ ବୋଲି ପଚାରିଲ ଯେ , ମୁଁ କାନ୍ଦ କାନ୍ଦ କେନ୍ଦେରା ର କାକୁସ୍ଥ କାକଳି ଟିଏ ପାଲଟିଗଲି ।ଏ ସହର ଛାଡ଼ି ଗଲାବେଳେ ଚାଉଁକିନି ହେଇଯାଏ ଛାତି ; ଯେମିତି ଅତି ନିଜର କିଛି ଗୋଟାଏ ଅକସ୍ମାତ ହଜିଗଲା କି !!
ଏ ସହର କାହିଁକି ମୋର ପ୍ରିୟ
ତା’ର କାରଣ କହିପାରିବିନି । ପ୍ରିୟ ଜିନିଷ ର ସଂଜ୍ଞା ନିରୂପଣ ହୋଇପାରେ ନାହିଁ । ଆଜିର ପୁରୀ ଓ ପଚାଶ ବର୍ଷ ତଳର ପୁରୀ ଭିତରେ ଆକାଶ ପାତାଳ ଫରକ୍ ଆସିଛି । ତଥାପି ପୁରୀ ମୋର ପ୍ରୀତି ର ସହର ହୋଇ ରହିଛି । ପୁରୀ ର ସମୁଦ୍ର କୂଳରେ ମୋ ପ୍ରେମ ର ପାଦ ଚିହ୍ନ ପଡ଼ିଛି । ପୁରୀ ର ଡାକବାକ୍ସ ରେ ଏବେ ବି ଗୋଟେ କିଶୋରୀ ହୃଦୟ ର ଠିକଣା ସ୍ପଷ୍ଟ ଦିଶୁଛି !!
ପିଲା ଦିନରୁ ଦେଖି ଆସୁଛି ପୁରୀ କୁ । ତା’ର ସମୁଦ୍ର କୁ । ତା’ର ବଡ଼ ଦେଉଳ କୁ । ତା’ର ବଡ଼ ଦାଣ୍ଡ କୁ । ମାର୍କେଟ ଛକ ର ମ୍ୟୁନିସିପାଲଟି ମାର୍କେଟ ର ଗହଳିଆ ଗନ୍ଧକୁ । ଲକ୍ଷ୍ମୀ ବଜାର ର ପରିଚିତ ହାଉଜାଉ କୁ । ଏବେ ତ ଏସବୁ ନାଇଁ । କିନ୍ତୁ ସ୍ମୃତି ରେ ରହିଛନ୍ତି ଏମାନେ । ସ୍ମୃତି ରେ ରହିଛି ଛ’ସ୍ତରୀ ସତସ୍ତରୀ ମସିହା ର ବଡ଼ଶଙ୍ଖ ।ନିଶୂନ୍ ଦି’ପହର । ଗୋଟାଏ ଯୋଡାଏ ଡାଲି ଚାଉଳ ଓ ପରିବା ଦୋକାନ । ଆଉ ଗୋଟେ ଦି’ଟା ପାନ ଦୋକାନ । ତା ଭିତରେ ପୁଣି କିଶୋର ପାନ ଦୋକାନ ; ଯେଉଁଠି ଖରା ନଇଁଲା ବେଳକୁ ଖଟି ଆରମ୍ଭ ହୋଇଯାଇଥାଏ । ଅବଶ୍ୟ ଏ ଖଟି ଆରମ୍ଭ ହେଲା ଅଠସ୍ତରୀ ଅଣାଅଶୀ ବେଳକୁ !
ସେଇ ଶୂନଶାନ ଦି’ପହରେ ଦୁଇଟା ଛାଟ ବେଣୀ ବାନ୍ଧି ସେଲୁୱର କମିଜ୍ ରେ କଲେଜରୁ ଫେରୁଥିବା ଗୋଟେ ଶ୍ୟାମଳି ଝିଅ ର ଛାଇ ଏବେ ବି ଖୋଜୁଥିବ ସେଠି ତାର ଅଧାଗଢ଼ା କବିତା କୁ ! ଲେଖା ଲେଖି ରେ ପରିଚିତ ହେବାପରେ ଓ ସ୍ଵାମୀଙ୍କର ପ୍ରଚେଷ୍ଟାରେ ମୁଁ ଭାରତ ବର୍ଷର ଅନେକ ରାଜ୍ୟ କୁ ଯାଇଛି । ଅନେକ ସହର ଘୁରିଛି । ଅନେକ ସମୁଦ୍ର ଦେଖିଛି । କିନ୍ତୁ ପୁରୀ ସମୁଦ୍ର କୂଳ ର ଅନୁଭବ କେଉଁଠାରେ ପାଇ ନାହିଁ । ବୋଧହୁଏ ସେଇଥିପାଇଁ ଲକ୍ଷ ଲକ୍ଷ ଲୋକ ପୁରୀ ସମୁଦ୍ର ର ସୈ।ନ୍ଦର୍ଯ୍ଯ ଅବଗାହନ ନିମନ୍ତେ ଦୂର ଦୂରାନ୍ତରୁ ରୁ ଛୁଟି ଆସନ୍ତି ।
ପୃଥିବୀ ରେ ଏତେ ମନ୍ଦିର ଅଛି । କେଉଁ ମନ୍ଦିର ର ନାଁ ବଡ଼ ଦେଉଳ ଅଛି ?”ଦେଉଳ” ଶବ୍ଦ ତ ପୁରୀ ର ପରିଚୟ ।କଣିକାଏ ଅବଢ଼ା ଅନ୍ନ ପାଟିରେ ଦେଇ ଯୁଗ ଯୁଗ ପାଇଁ ବନ୍ଧୁ ବାନ୍ଧିବାର ପରମ୍ପରା କେବଳ ଏଇ ମୋ ସହରରେ ରହିଛି । ବାହାର ରାଜ୍ୟରୁ ଫେରିବାବେଳେ ମୁଁ ଯେତେବେଳେ ଟ୍ରେନ ବା ଫ୍ଲାଇଟ୍ ରୁ ଓହ୍ଲେଇ ଆସୁଥାଏ; ମତେ ଲାଗେ ଦୁଇଟା ଆତୁର ଆଖି ଯେମିତି ମତେ ଅପେକ୍ଷା କରି ରହିଛି ।
ସେତେବେଳେ ସୁନାର ଗୌରାଙ୍ଗ ବରୁଣ ମନ୍ଦିର ଦରିଆ ମହାବୀର ଇତ୍ୟାଦି ଅଞ୍ଚଳ ଏକ ନିରବ ନିର୍ଜନ ସୈ।ନ୍ଦର୍ଯ୍ଯ ରେ ଝଲମଲ ହେଉଥିଲା । ଏବେ ତ ନାମୀଦାମୀ ହୋଟେଲ ହୋଟେଲ୍ ସେଠାରେ ଶୋଭା ବର୍ଦ୍ଧନ କରୁଛି । ତଥାପି ପୁରୀ ଭଲ ଲାଗୁଛି। ହଁ ଭଲ ଲାଗୁଛି !!