ମାନସ ରଞ୍ଜନ ମହାପାତ୍ର, ପୁରୀ, ୪ ଜାନୁଆରୀ ୨୦୨୩
ଜହ୍ନିମୁଣ୍ଡିଆ ଛକରେ ସେଦିନ ହଠାତ୍ ଘଟିଲା ଗୋଟେ ଅଦ୍ଭୁତ ଦୃଶ୍ୟ । ସଂଗୀତ କାର୍ଯ୍ୟକ୍ରମ ଭିତରେ ଜଣେ ହଠାତ୍ ଷ୍ଟେଜ୍ ଉପରକୁ ଆସିଲେ । ଅଚିହ୍ନା ସଂଗୀତଜ୍ଞ । ନାଁ ମହମ୍ମଦ ରଫିକ୍ ।
ଅନେକ ଗୀତ ସେ ଗାଇଲେ ମହମ୍ମଦ ରଫିଙ୍କର – ସୁନ୍ଦର ସ୍ୱର ।
ହରପ୍ରସାଦ ଓ ମୁଁ ଗୀତ ଶୁଣିବାକୁ ଯାଇଥିଲୁ । ଆମେ ସେତେବେଳେ ହରର ଭାଇଭଉଣୀଙ୍କୁ ନେଇ ମ୍ୟୁଜିକ୍ ଦଳଟିଏ ଗଢ଼ିବା ଯୋଜନାରେ ଥାଉ । ଆମ ବନ୍ଧୁ ବିଦ୍ୟୁତ୍ ପରିଡ଼ା ଆମକୁ ତାଙ୍କ ଗାଁ ଖଣ୍ଡିଆବନ୍ଧକୁ ସଂଗୀତ କାର୍ଯ୍ୟକ୍ରମ ପାଇଁ ଡାକିଲେ । ମୁଁ ଘୋଷକ ।
ହର ମହମ୍ମଦ ରଫିକଙ୍କୁ ଡାକିଲା । ସେ ବି ଆସିଲେ । ବହୁତ ଭଲ ହିନ୍ଦୀ ଗୀତସବୁ ଗାଇଲେ ।
ତା’ପରେ ମୁଁ ତାଙ୍କୁ ଷ୍ଟେସନ୍ ପାଖରେ ଭେଟିଲି । ତାଙ୍କ ବାପାଙ୍କର ଘଣ୍ଟା ଦୋକାନଟିଏ ଥିଲା । ତାଙ୍କ ଭାଇର ନାଁ ଥିଲା ମହମ୍ମଦ ହାତିମ୍ ।
ଦୁନିଆର ଭିଡ଼ରେ ମୁଁ ମହମ୍ମଦ ରଫିକଙ୍କୁ ହଜେଇଦେଲି । ଏବେ ଦିନେ ଚାଳିଶ ବର୍ଷ ପରେ ତାଙ୍କ କଥା ମନେପଡ଼ିଲା । ବନ୍ଧୁ ଦୁର୍ଗାକୁ ପଚାରିଲି ।
ସେ ମନେପକେଇ ପାରିଲାନି । ତା’ପରେ କହିଲା, ବୋଧେ ସଂଜୀବ । ସେ ମହମ୍ମଦ ରଫିଙ୍କ ଗୀତ ଗାଉଥିଲା ଓ ନିଜକୁ ମହମ୍ମଦ ରଫିକ୍ ପରିଚୟ ଦେଉଥିଲା ।
କୋଉଠି ହଜିଗଲା ମହମ୍ମଦ ରଫିକ୍?
ହରକୁ ପଚାରିଲି – ସେ ବି ମନେପକେଇ ପାରିଲାନି ।
ଏବେ ମୁଁ ମହମ୍ମଦ ରଫିକଙ୍କୁ ଖୋଜୁଛି ।
ରଫିକ୍ ହେଉ କି ସଂଜୀବ ହେଉ, କେହିଜଣେ ଥିଲା ତ ଏକଦା – ଗୀତ ଗାଉଥିଲା !