• About
  • Contact
Thursday, October 15, 2026
Thursday, October 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ମହମ୍ମଦ ହନିଫ୍ : ଏ ଯୁଗର ସାଲବେଗ

ମହମ୍ମଦ ହନିଫ୍ : ଏ ଯୁଗର ସାଲବେଗ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୪ ଅକ୍ଟୋବର ୨୦୨୪

ମହମ୍ମଦ ହନିଫ୍ ଥିଲେ କଂଗ୍ରେସ ଦଳର ଜଣେ ବିଶିଷ୍ଟ ମୁସଲମାନ ନେତା, ଯିଏକି ନିଜର ଯୋଗ୍ୟତା ବଳରେ ବାଲେଶ୍ୱର ଜିଲ୍ଲା ବୋର୍ଡର ଚେୟାରମ୍ୟାନ, ଓଡିଶା ବିଧାନସଭାର ଉପ-ବାଚସ୍ପତି ଓ ପାର୍ଲାମେଣ୍ଟର ସଭ୍ୟ ଭଳି ସମ୍ମାନଜନକ ପଦବୀର ଅଧିକାରୀ ହୋଇ ପାରିଥିଲେ । ଅତ୍ୟନ୍ତ ନିଷ୍ଠାର ସହିତ କାର୍ଯ୍ୟ ସଂପାଦନ ସହିତ ଉଚ୍ଚକୋଟିର ଅମାୟିକ ବ୍ୟବହାର ତାଙ୍କୁ ଉଭୟ ହିନ୍ଦୁ ଏବଂ ମୁସଲମାନ ସଂପ୍ରଦାୟ ମଧ୍ୟରେ ଶ୍ରଦ୍ଧାଭାଜନ କରି ଗଢି ତୋଳିଥିଲା । ସାଂପ୍ରଦାୟିକତା ବିରୁଦ୍ଧରେ ଆଜୀବନ ଲଢେଇ କରିଥିବା ହନିଫ୍ ବାବୁ ହିନ୍ଦୁ-ମୁସଲମାନ ଏକତାରେ ଦୃଢ ବିଶ୍ୱାସ ରଖିଥିଲେ । ଅତି ସରଳ ଓ ନିରାଡମ୍ବର ଜୀବନ ବିତାଇଥିବା ସାଧୁ ପ୍ରକୃତିର ଏହି ରାଜନେତା ଜଣକ ଏପରିକି ତାଙ୍କ ସଂପ୍ରଦାୟ ଓ ମୁସଲିମ୍ ଲିଗ୍‌ର ବିରୋଧ ସତ୍ତ୍ୱେ ଯାହା ଠିକ୍ ଭାବୁଥିଲେ ତାହା ଅବିଚଳିତ ଭାବରେ କାର୍ଯ୍ୟକାରୀ କରୁଥିଲେ । ତାଙ୍କର ଏହି ମହନୀୟ ଗୁଣ ପାଇଁ ଅନେକ ତାଙ୍କୁ ଏଯୁଗର ସାଲବେଗ ବୋଲି ଅଖ୍ୟାୟିତ କରିଥାଆନ୍ତି ।

ଅତ୍ୟନ୍ତ ଆର୍ଥିକ ଅସ୍ୱଚ୍ଛଳତା ଭିତରେ ଗତି କରିଥିବା ହନିଫ୍ ବାବୁ ଅବକାରୀ ସବ୍ ଇନ୍ସପେକ୍ଟର ଭଳି ଲାଭପ୍ରଦ ସରକାରୀ ଚାକିରୀକୁ ସ୍ୱ-ଇଚ୍ଛାରେ ତ୍ୟାଗ କରି ଗାନ୍ଧିଜୀଙ୍କ ଡାକରାରେ ଅସହଯୋଗ ଆନ୍ଦୋଳନରେ ଝାସ ଦେଇଥିଲେ । ତାଙ୍କର ଏଭଳି ନିଷ୍ପତ୍ତି ହନିଫ୍ ବାବୁଙ୍କୁ ସ୍ୱେଚ୍ଛାକୃତ ଭାବେ ଉତ୍କଟ ଦାରିଦ୍ର‌୍ୟ ଭିତରକୁ ଠେଲି ଦେଇଥିଲା । ଏହା ସତ୍ତ୍ୱେ ରାଜନୈତିକ ଜୀବନରେ ସେ ଅତ୍ୟନ୍ତ ସାଧୁତା ଏବଂ ସଚ୍ଚୋଟତା ଅବଲମ୍ବନ କରି ସମସ୍ତ ମହଲରେ ପ୍ରିୟଭାଜନ ହୋଇ ପାରିଥିଲେ । ପାର୍ଲାମେଣ୍ଟର ସଭ୍ୟ ଭାବରେ ସେ ମୃତ୍ୟୁବରଣ କରିବା ସମୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ମାତ୍ର ୧୭ ଟଙ୍କା ଥିଲା, ଯାହାକି ସାଧାରଣ ଜୀବନରେ ତାଙ୍କ ସଚ୍ଚୋଟତାର ସ୍ପଷ୍ଟ ପ୍ରମାଣ ଦିଏ । ପ୍ରଚଣ୍ଡ ସ୍ୱାଭିମାନୀ ହନିଫ୍ ବାବୁ ଉତ୍କଟ ଦାରିଦ୍ର‌୍ୟ ଭିତରେ କାଳାତିପାତ କରିଥିଲେ ସୁଦ୍ଧା ନିଜର ଅଭାବ, ଅସୁବିଧା ସଂପର୍କରେ କାହାକୁ ଜଣାଉ ନଥିଲେ କିମ୍ବା ଅନ୍ୟ ପାଖରେ ହାତ ପତାଉନଥିଲେ । ତାଙ୍କର ଦୁର୍ଗତି ବିଷୟରେ ଅବଗତ କିଛି ଘନିଷ୍ଠ ବ୍ୟକ୍ତି ହନିଫ୍ ବାବୁଙ୍କୁ ଦୁର୍ଦ୍ଦିନରେ ସହାୟତାର ହାତ ବଢାଉଥିଲେ ।

ଭଦ୍ରକ ସହରର କାଜି ମହଲାରେ ୧୮୯୯ ଜୁଲାଇ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିବା ମହମ୍ମଦ ହନିଫ୍ ୬୮ ବର୍ଷ ବୟସରେ ୧୯୬୭ ଅକ୍ଟୋବର ୬ ତାରିଖରେ ପରଲୋକ ଗମନ କରିଥିଲେ । ମୃତ୍ୟୁର ଦୁଇ ମାସପରେ ଓଡିଶା ବିଧାନସଭାରେ ତାଙ୍କ ସ୍ମୃତି ପ୍ରତି ସମ୍ମାନ ଜଣାଇ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ସେହି ଶୋକ ପ୍ରସ୍ତାବରୁ ହିଁ ହନିଫ୍ ବାବୁଙ୍କ ମହନୀୟ ବ୍ୟକ୍ତିତ୍ୱର ସାମାନ୍ୟ ଝଲକ ମିଳିଥାଏ ।

ସେତେବେଳର ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ ଦର୍ଶାଇଥିଲେ, ସ୍ୱାଧୀନତା ସଂଗ୍ରାମର ସୈନିକ ଥିବା ମହମ୍ମଦ ହନିଫ୍ ଏହି ବ୍ୟବସ୍ଥା ସଭାର ମଧ୍ୟ ଉପ-ବାଚସ୍ପତି ଥିଲେ । ନିଜର ଅମାୟିକ ବ୍ୟବହାର ଦ୍ୱାରା ସେ କେବଳ ତାଙ୍କ ସହକର୍ମୀ ନୁହଁନ୍ତି ବରଂ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କର ପ୍ରିୟଭାଜନ ହୋଇ ପାରିଥିଲେ । ତାଙ୍କ ବିୟୋଗରେ ଦେଶର ଅଶେଷ କ୍ଷତି ଘଟିଛି । ତଦାନୀନ୍ତନ ବିରୋଧୀ ଦଳ ନେତା ସଦାଶିବ ତ୍ରିପାଠୀ ଉଲ୍ଲେଖ କରିଥିଲେ, ଉଭୟ ବିଧାନସଭା ଓ ପାର୍ଲାମେଣ୍ଟର ସଭ୍ୟ ଥିବା ହନିଫ୍ ବାବୁ ଅତି ସରଳ ଓ ସାଧୁ ପ୍ରକୃତିର ଲୋକ ଥିଲେ । ସେ ମୁସଲମାନ ହୋଇଥିଲେ ସୁଦ୍ଧା ହିନ୍ଦୁମାନଙ୍କ ମଧ୍ୟରେ ବେଶ୍ ଆଦରଣୀୟ ହୋଇ ପାରିଥିଲେ । ମୁସଲମାନ ସଂପ୍ରଦାୟରେ ମଧ୍ୟ ତାଙ୍କର ଯଥେଷ୍ଟ ପ୍ରତିପତ୍ତି ଥିଲା । ତାଙ୍କ ଦେହାନ୍ତରେ ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ବିଶେଷ କ୍ଷତି ଘଟିଛି ।

ବାଲେଶ୍ୱରର ବିଧାୟକ ରବୀନ୍ଦ୍ର ମୋହନ ଦାସ ଜଣାଇଥିଲେ, ଓଡିଆ ରାଜନୀତିରେ ବହୁଦିନ ଧରି ରହିଥିବା ପୂର୍ବତନ ଉପ-ବାଚସ୍ପତି ମହମ୍ମଦ ହନିଫ୍ କଂଗ୍ରେସ ଦଳର ଜଣେ ବିଶିଷ୍ଟ ମୁସଲମାନ ନେତା ଥିଲେ । ତାଙ୍କ ସଂପ୍ରଦାୟ ଏବଂ ମୁସଲିମ୍ ଲିଗ୍‌ର ବିରୋଧ ସତ୍ତ୍ୱେ ସେ ଯାହା ଠିକ୍ ବିଚାର କରୁଥିଲେ, ଅବିଚାଳିତ ଭାବରେ ତାହା ସଂପାଦନ କରୁଥିଲେ । ହିନ୍ଦୁ- ମୁସଲମାନ ଏକତାରେ ସେ ଦୃଢ ବିଶ୍ୱାସ ରଖୁଥିଲେ । ନିଜ ଯୋଗ୍ୟତା ବଳରେ ସେ ଉପ-ବାଚସ୍ପତି ବ୍ୟତିରେକେ ବାଲେଶ୍ୱର ଜିଲ୍ଲା ବୋର୍ଡର ଚେୟାରମ୍ୟାନ ମଧ୍ୟ ଥିଲେ । ବୋର୍ଡର ଚେୟାରମ୍ୟାନ ରୂପେ ଅତ୍ୟନ୍ତ ନିଷ୍ଠାର ସହିତ କାର୍ଯ୍ୟ ସଂପାଦନ କରି ସେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ । ଅସଦ୍ ଉପାୟରେ ଅର୍ଥ ସଂଗ୍ରହ କରି ବଡଲୋକ ହେବାର ଆକାଂକ୍ଷା ତାଙ୍କର କେବେ ନଥିଲା । ମୃତ୍ୟୁ ବେଳକୁ ସେ ପାର୍ଲାମେଣ୍ଟ ସଦସ୍ୟ ଥିଲେ ମଧ୍ୟ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ କେବଳ ସତର ଟଙ୍କା ସଞ୍ଚିତ ଥିଲା । ସେ ଯେଭଳି ଘରେ ରହୁଥିଲେ, ସାଧାରଣ ଲୋକଙ୍କ ସହିତ ମିଶୁଥିଲେ, ତାହା ସମସ୍ତଙ୍କୁ ବିସ୍ମିତ କରୁଥିଲା । ତାଙ୍କର ଚାଲିଚଳଣ ଓ ରହଣୀ ଅତି ସାଧାରଣ ଥିଲା । ସେଥିପାଇଁ ସେ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହୋଇପାରିଥିଲେ ।

ବେଗୁନିଆ ସଭ୍ୟ ଗଂଗାଧର ପାଇକରାୟ ଉଲ୍ଳେଖ କରିଥିଲେ, ସଂପ୍ରଦାୟିକତା ବିରୁଦ୍ଧରେ ବିଭିନ୍ନ ସମୟରେ ମତବ୍ୟକ୍ତ କରୁଥିବା ହନିଫ୍ ବାବୁ ଜଣେ ଉଚ୍ଚକୋଟିର ଅମାୟିକ ବ୍ୟକ୍ତି ଥିଲେ । ଖଲିକୋଟ ବିଧାୟକ ନାରାୟଣ ସାହୁ ଦର୍ଶାଇଥିଲେ, ସଂପ୍ରଦାୟିକତା ବିରୁଦ୍ଧରେ ଆଜୀବନ ସଂଗ୍ରାମ କରିଥିବା ହନିଫ୍ ବାବୁ ଜାତୀୟ ଆନ୍ଦୋଳନକୁ ଉଲ୍ଳେଖନୀୟ ଅବଦାନ ପାଇଁ ସବୁଦିନ ମନେ ରହିବେ । ଆଠଗଡ ସଦସ୍ୟ ରାଧାନାଥ ରଥ କହିଥିଲେ ହନିଫ୍ ବାବୁ ମୋର ଜଣେ ଅନ୍ତରଂଗ ବନ୍ଧୁ ଥିଲେ । ତାଙ୍କ ଭଳି ସରଳ ପ୍ରାଣତ୍ୟାଗୀ କର୍ମୀ କ୍ୱଚିତ ଦେଖାଯାଆନ୍ତି । ସେ ସବୁ ସଂପ୍ରଦାୟର ବିଶ୍ୱସ୍ତ ଥିଲେ । ଜୀବନରେ ବହୁ ଦୁଃଖ ଭୋଗିଥିଲେ ମଧ୍ୟ ସେ ନୀତି ଭ୍ରଷ୍ଟ ହୋଇନଥିଲେ କିମ୍ବା ତାଙ୍କ ଆଚାରଣରେ କଳଙ୍କି ଲାଗି ନଥିଲା । ବାସୁଦେବପୁର ବିଧାୟକ ଡ଼ଃ ହରେକୃଷ୍ଣ ମହତାବ ଜଣାଇଥିଲେ, “ହନିଫ୍ ସାଂଗରେ ମୋର ଖୁବ ପରିଚୟ ଥିଲା । ଏକା ସାଂଗରେ ଆମେ ପାଠ ପଢିଥିଲୁ ଓ ପାଶ ମଧ୍ୟ କରିଥିଲୁ । ଅନ୍ୟମାନେ ହୁଏତ ଜାଣିନଥିବେ ସେ ମେଟ୍ରିକ ପାଶ କରି ଅବକାରୀ ସବ୍‌-ଇନ୍ସପେକ୍ଟର ହୋଇଥିଲେ । ଚାରିବର୍ଷ ପରେ ସେହି ଚାକିରି ଛାଡି ୧୯୨୧ ମସିହାରେ ଅସହଯୋଗ ଅନ୍ଦୋଳନରେ ସାମିଲ ହୋଇଥିଲେ । ସେତେବେଳେ ଖୁବ୍ କମ୍ ଲୋକ ଓଡିଶାରେ ସରକାରୀ ଚାକିରୀ ଛାଡିଥିଲେ । ଚାକିରୀ ଛାଡିଥିବା ବ୍ୟକ୍ତିମାନେ ହେଲେ ଗୋପବନ୍ଧୁ ଚୈାଧୁରୀ (ଡେପୁଟି ମାଜିଷ୍ଟ୍ରେଟ), ସର୍ଦ୍ଦାର ସୁରେନ୍ଦ୍ର(ପୋଲିସ ସବ୍‌-ଇନ୍ସପେକ୍ଟର) ଏବଂ ମହମ୍ମଦ ହନିଫ୍ (ଅବକାରୀ ସବ ଇନ୍ସପେକ୍ଟର) । ହୁଏତ ସେତେବେଳେ ଚାକିରୀରେ ରହିଥିଲେ ତାଙ୍କର କେତେ କଣ ଉନ୍ନତି ହୋଇପାରି ଥାଆନ୍ତା । କିନ୍ତୁ ସେ ଚାକିରୀ ଛାଡି ଅସହଯୋଗ ଆନ୍ଦୋଳନରେ ଯୋଗଦେବା ପର ଠାରୁ ଅତି ଗରିବ ଭାବରେ ଚଳି ଅରସୁଥିଲେ । ସେ ଅତି ଅଭିମାନୀ ଥିଲେ ଓ ନିଜ ଗରିବ ଅବସ୍ଥା ସଂପର୍କରେ କୈାଣସି ଠାରେ ପ୍ରକାଶ କରୁନଥିଲେ । କୈାଣସି ଲୋକ ଯଦି ଜାଣି ପାରୁଥିଲେ ଯେ ସେ ଅତି କଷ୍ଟରେ ଚଳୁଛନ୍ତି, ତେବେ ତାଙ୍କୁ ଘରୋଇ ଭାବରେ ଆଣି କିଛି ଦେଉଥିଲେ । ଶେଷ ପର୍ଯ୍ୟନ୍ତ ସେ ସେଭଳି ଭାବରେ ଚଳି ଆସୁଥିଲେ । ତାଙ୍କ ବିୟୋଗରେ ମୁଁ ସମବେଦନା ଞ୍ଜାପନ କରୁଛି ।”

ନୟାଗଡ ସଭ୍ୟ ଅଚ୍ୟୁତାନନ୍ଦ ମହାନ୍ତି ଦର୍ଶାଇଥିଲେ, ସାଲବେଗ ଯେଭଳି ମୁସଲମାନ ହୋଇ ମଧ୍ୟ ହିନ୍ଦୁ ମାନଙ୍କ ବିଶ୍ୱାସଭାଜନ ହୋଇପାରିଥିଲେ, ମହମ୍ମଦ ହନିଫ୍ ମଧ୍ୟ ନିଜର ମହନୀୟ ବ୍ୟକ୍ତିତ୍ୱ ବଳରେ ହିନ୍ଦୁ ସମାଜକୁ ତାଙ୍କ ପ୍ରତି ଆକୃଷ୍ଟ କରିପାରିଥିଲେ । ବାଚସ୍ପତି ନନ୍ଦ କିଶୋର ମିଶ୍ର ଉଲ୍ଳେଖ କରିଥିଲେ, “ମହମ୍ମଦ ହନିଫ ମୋର ସମମାମୟିକ ଥିଲେ । ତାଙ୍କର ଆଚରଣ ଅତି ଉଚ୍ଚ ଦରର ଥିଲା ଏବଂ ତାଙ୍କ ମୃତ୍ୟୁରେ ମୁଁ ବିଶେଷ ଭାବରେ ମର୍ମାହତ । ଆତ୍ମାର ସଦଗତି ପାଇଁ ଇଶ୍ୱରଙ୍କ ଠାରେ ପ୍ରାର୍ଥନା କରୁଛି । ଦିବଂଗତ ନେତାଙ୍କ ସ୍ମୃୃତି ପ୍ରତି ସମ୍ମାନ ଜଣାଇବା ଲାଗି ସମସ୍ତ ସଭ୍ୟ ଦୁଇ ମିନିଟ ଦଣ୍ଡୀୟମାନ ହୁଅନ୍ତୁ ।’’ ଏହାପରେ ବାଚସ୍ପତି ବିଧାନସଭାର କାର୍ଯ୍ୟ ଦିବଂଗତ ନେତାଙ୍କ ପ୍ରତି ସମ୍ମାନ ପୂର୍ବକ ଗୃହକୁ ମୁଲତବୀ କରିଦେଇଥିଲେ ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.