ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୧ ସେପ୍ଟେମ୍ବର ୨୦୨୪
ସ୍ୱାଧୀନତା ସଂଗ୍ରାମ, ସାହିତ୍ୟ, ଶିକ୍ଷା, ସମାଜସେବା ଆଦି କ୍ଷେତ୍ରକୁ ଗୌରଚନ୍ଦ୍ର ମହାପାତ୍ରଙ୍କର ଅନବଦ୍ୟ ଅବଦାନ ରହିଛି । ତେବେ ଆତ୍ମପ୍ରଚାର-ବିମୁଖ ମନୋଭାବ ଯୋଗୁଁ ଏହି ନିରବ ସଂଗ୍ରାମୀଙ୍କ ଅସାମାନ୍ୟ କୃତୀ ଓ ଅତୁଳନୀୟ ଅବଦାନ ବିଶେଷ ଭାବରେ ଲୋକଲୋଚନକୁ ଆସି ପାରିନାହିଁ । ତେଣୁ ବଣମଲ୍ଲୀ ଭଳି ବଣରେ ଫୁଟି ଲୋକଲୋଚନର ଅନ୍ତରାଳରେ ଝରିଯାଇଥିବା ସେହି ବହୁମୁଖୀ ପ୍ରତିଭାର ଅଧିକାରୀ ଗୌରଚନ୍ଦ୍ରଙ୍କ ଗୋଟିଏ / ଦୁଇଟି ଅନନ୍ୟ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିବା ହେଉଛି ଏହି ଆଲେଖ୍ୟର ଉଦ୍ଦେଶ୍ୟ ।
“ଭଦ୍ରକ୍ ଗାନ୍ଧୀ ” ଭାବେ ପରିଚିତ ଗୌରଚନ୍ଦ୍ର ଥିଲେ ଜଣେ ଅସାଧାରଣ ସଂଗ୍ରାହକ । ଓଡ଼ିଶାର ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତଙ୍କର କନିଷ୍ଠ ପୁତ୍ର ଗୌରଚନ୍ଦ୍ର ନିଜର ସୁଉଜ୍ଜଳ କ୍ୟାରିୟର ବିନିମୟରେ ପିତାଙ୍କ ସେବା ପାଇଁ ତାଙ୍କର ଜୀବନ ସମ୍ପୁର୍ଣ୍ଣ ଭାବରେ ଉତ୍ସର୍ଗ କରିଥିଲେ । କାନ୍ତକବି ଆଦ୍ୟ ଯୌବନରେ ବ୍ୟାଧିଗ୍ରସ୍ତ ହୋଇ ସାରାଜୀବନ ବିଛଣା ଉପରେ ହିଁ ବିତାଇଥିଲେ । ସେହି ଯନ୍ତ୍ରଣାଦଗ୍ଧ ଜୀବନ ଭିତରେ କାନ୍ତକବି ଯେଉଁ ଅମ୍ଲାନ ସାହିତ୍ୟ ସୃଷ୍ଟି କରିଛନ୍ତି, ତାହା ଓଡ଼ିଆ ବାଣୀଭଣ୍ଡାରରେ ହେଉଛି ଅମୁଲ୍ୟ ରତ୍ନ । ସେଥିଯୋଗୁଁ କାନ୍ତକବି ଓଡ଼ିଆ ଜାତିର ଚିରବନ୍ଦନୀୟ ହୋଇ ରହିବେ । ତେବେ କାନ୍ତକବିଙ୍କର ସେହି ସୃଷ୍ଟିସମ୍ଭାରକୁ ଲୋକଲୋଚନକୁ ଆଣିବାରେ ଯିଏ ପ୍ରମୁଖ ବିନ୍ଧାଣୀ ସାଜିଥିଲେ, ସେ ହେଉଛନ୍ତି ଖୋଦ୍ ଗୌରଚନ୍ଦ୍ର।
ଗୋଡ଼ ଓ ହାତର ଆଙ୍ଗୁଳି ଗୁଡ଼ିକ ଝଡ଼ିପଡ଼ିଥିବାରୁ କାନ୍ତକବି କେବଳ ଚଳତଶକ୍ତିହୀନ ନୁହେଁ, ଏପରିକି ନିଜ କାମ ନିଜେ କରିବାକୁ ମଧ୍ୟ ଅସମର୍ଥ ଥିଲେ । ସ୍ନାନ, ଶୌଚ କଥା ଦୂରେ ଥାଉ ଏମିତିକି କାଳି ଦୁଆତରେ କଲମ ବୁଡ଼ାଇ ଥୁଣ୍ଟା ଗଛ ସଦୃଶ ଆଙ୍ଗୁଳି ସନ୍ଧିରେ ଧରାଇ ଦେବା ଠାରୁ ଲେଖା ଗୁଡ଼ିକ ସାଇତି ରଖିବା, ଡ଼ାକ ଯୋଗେ ସେହି ଲେଖାଗୁଡ଼ିକ ବିଭିନ୍ନ ପତ୍ର ପତ୍ରିକା ଓ ଖବର କାଗଜକୁ ପଠାଇବା, ମୁଦ୍ରଣ ପରେ ଉକ୍ତ ଲେଖାଗୁଡ଼ିକୁ ସଯତ୍ନେ ଗଛିତ ରଖିବା ପ୍ରଭୃତି କାମର ଦାୟିତ୍ୱ ଗୌରଚନ୍ଦ୍ର ଆପଣେଇ ନେଇଥିଲେ । କାନ୍ତକବି କେବଳ ବ୍ରାହ୍ମ୍ୟ ମୁହୂର୍ତ୍ତରେ ଲେଖନୀ ଚାଳନା କରୁନଥିଲେ । ବରଂ ଯେକୌଣସି ମୁହୂର୍ତ୍ତରେ ଯେଉଁସବୁ ଭାବନା ତାଙ୍କ ମନକୁ ଆଚ୍ଛନ କରୁଥିଲା, ତତ୍କ୍ଷଣାତ ଉକ୍ତ ବିଷୟରେ ଲେଖିବା ପାଇଁ ସେ ଆଗ୍ରହ ପ୍ରକାଶ କରୁଥିଲେ । ସେଥିପାଇଁ ଗୌରଚନ୍ଦ୍ରଙ୍କୁ ଅହୋରାତ୍ର ତାଙ୍କ ପିତାଙ୍କ ନିକଟରେ ସଜାଗ ହୋଇ ରହିବାକୁ ପଡ଼ୁଥିଲା ।
କାନ୍ତକବି ତାଙ୍କ ଜୀବଦ୍ଦଶାରେ ନିଜର ଲେଖା ସମ୍ବଳିତ ଗ୍ରନ୍ଥାବଳୀ ଦେଖିବା ପାଇଁ ଇଚ୍ଛାପ୍ରକାଶ କରିଥିଲେ । କିନ୍ତୁ ବିଭିନ୍ନ କାରଣରୁ ତାହା ସମ୍ଭବ ହୋଇପାରି ନଥିଲା । ତାଙ୍କ ଦେହାନ୍ତ ଘଟିବାର ଏଗାର ବର୍ଷ ପରେ ଅର୍ଥାତ ୧୯୬୪ ମସିହାରେ ଓଡ଼ିଶା ବୁକ ଏମ୍ପୋରିୟମ ପ୍ରକାଶନୀ ସଂସ୍ଥା “କାନ୍ତ ସାହିତ୍ୟ ମାଳା” ନାମରେ ଦୁଇଖଣ୍ଡ ଗ୍ରନ୍ଥାବଳୀ ମୁଦ୍ରଣ କରିଥିଲା । ତେବେ ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଉଛି, ଉକ୍ତ ପ୍ରକାଶନୀ ସଂସ୍ଥା ଗ୍ରନ୍ଥାବଳୀ ମୁଦ୍ରଣ ପାଇଁ ସମସ୍ତ ପାଣ୍ଡୁଲିପି ଗୌରଚନ୍ଦ୍ରଙ୍କ ନିକଟରୁ ହିଁ ସଂଗ୍ରହ କରିଥିଲା । କାରଣ ଗୌରଚନ୍ଦ୍ରହିଁ କାନ୍ତକବିଙ୍କ ଲେଖା ସମୂହର ତତ୍ୱାବଧାରକ ଥିଲେ । ଏକଥା ଦୃଢ଼ତାର ସହିତ କୁହାଯାଇ ପାରେ ଯେ, ଗୌରଚନ୍ଦ୍ର ଯଦି ନିଜ ପିତାଙ୍କର ଆଲେଖ୍ୟଗୁଡ଼ିକୁ ସାଇତି ରଖିନଥାନ୍ତେ, ତେବେ ଲକ୍ଷ୍ମୀକାନ୍ତ ଆଜି ଓଡ଼ିଶାରେ କାନ୍ତକବି ରୂପେ ପରିଚିତି ପାଇ ପାରିନଥାନ୍ତେ ।
କେବଳ ସେତିକି ନୁହେଁ, ଗୌରଚନ୍ଦ୍ର ପିତାଙ୍କ ଜୀବନର ଅବିଛିନ୍ନ ଅଙ୍ଗ ସାଜିଥିବାରୁ କାନ୍ତକବିଙ୍କ ଜୀବନୀ ବା ସାହିତ୍ୟ ସମ୍ପର୍କିତ ଯେ କୌଣସି ଲେଖା ପ୍ରସ୍ତୁତି ପାଇଁ ସାରସ୍ୱତ ସାଧକମାନେ ଗୌରଚନ୍ଦ୍ରଙ୍କର ସହାୟତା ହିଁ ଲୋଡୁଥିଲେ । ଦୃଷ୍ଟାନ୍ତ ଛଳରେ ଉଲ୍ଲେଖ କରାଯାଇ ପରେ ଯେ, ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ପ୍ରକାଶିତ କାନ୍ତକବିଙ୍କ ସଂକ୍ଷିପ୍ତ ଜୀବନୀ ପୁସ୍ତକର ରଚୟିତା ପ୍ରଫେସର ସୁଧାଂଶୁ ଶେଖର ରାୟ ଗୌରଚନ୍ଦ୍ରଙ୍କ ନିକଟରୁ ହିଁ ପ୍ରାୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିଲେ ।
ଗୌରଚନ୍ଦ୍ରଙ୍କ ସଂଗ୍ରାହକ ଜୀବନ କେବଳ ତାଙ୍କ ପିତାଙ୍କ ଲେଖାଗୁଡ଼ିକୁ ସାଇତି ରଖିବା ମଧ୍ୟରେ ସୀମିତ ନଥିଲା । ବରପୁତ୍ର ମାନଙ୍କ ଜୀବନୀ ଠାରୁ ଆରମ୍ଭ କରି ସାହିତ୍ୟ, ସଂସ୍କୃତି, ପର୍ଯ୍ୟଟନ, କୃଷି, ବିଜ୍ଞାନ ଓ ପରିବେଶ ଭଳି ସମସ୍ତ ଗମ୍ଭୀର ପ୍ରସଙ୍ଗ ସମ୍ପର୍କିତ ତଥ୍ୟ ସେ ପତ୍ରପତ୍ରିକା ଓ ଖବରକାଗଜମାନଙ୍କରୁ ସଂଗ୍ରହ କରି ସ୍ୱତନ୍ତ୍ର ଫାଇଲ ପ୍ରସ୍ତୁତ କରୁଥିଲେ । ତଥ୍ୟଗୁଡ଼ିକୁ ଅଧୁନାତନ (ଅପ୍ -ଡେଟେଡ଼) କରିବା ତାଙ୍କର ନିତ୍ୟ ନୈମିତ୍ତିକ କାର୍ଯ୍ୟରେ ପରିଣତ ହୋଇଥିଲା । ଏଥିପାଇଁ ସେ ଜୀବନବ୍ୟାପୀ ସାଧନା ଚଳାଇ ତଥ୍ୟ ସଂଗ୍ରହ କାର୍ଯ୍ୟରେ ନିଜକୁ ଵ୍ୟାପୃତ୍ତ ରଖିଥିଲେ । ସେତେବେଳେ କମ୍ପୁଟର ଉଦ୍ଭାବନ ହୋଇନଥିଲା । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ତଥ୍ୟ ହାସଲ ପାଇଁ ଗ୍ରନ୍ଥାଗାର କିମ୍ବା ବିଭିନ୍ନ ପୁସ୍ତକ, ପତ୍ରିକା ଓ ଖବରକାଗଜ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । କିନ୍ତୁ ସ୍ବୀୟ ସାଧନା ବଳରେ ଗୌରଚନ୍ଦ୍ର ସେତେବେଳେ କମ୍ପୁଟର ସଦୃଶ ପ୍ରାୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡ଼ିକର ତଥ୍ୟ ସଂଗ୍ରହ କରି ଫାଇଲ ଭିତରେ ଗଛିତ ରଖିପାରିଥିଲେ ।
ସ୍ୱାଧୀନତା ସଂଗ୍ରାମ ସମୟରେ ଛାତ୍ର ଗୌରଚନ୍ଦ୍ରଙ୍କୁ ବ୍ରିଟିଶ ସରକାର ପବିତ୍ର ଦୁର୍ଗାପୂଜା ଅବସରରେ ତାଙ୍କ ଭଦ୍ରକ ଜିଲ୍ଲା ତାଳପଦା ଗ୍ରାମସ୍ଥ ବାସଗୃହରୁ ଗିରଫ କରିଥିଲେ । ଏଥିପାଇଁ ଇଂରେଜ ଦାରୋଗା ବା ପୋଲିସମାନେ ତାଙ୍କୁ ହାତରେ କଡ଼ି ଓ ଅଣ୍ଟାରେ ବେଡ଼ି ପକାଇ ୧୫ କିଲୋମିଟର ରାସ୍ତା ଚଲାଇ ଚଲାଇ ଭଦ୍ରକ ଜେଲରେ ଭର୍ତ୍ତି କରିଥିଲେ । ଭଣ୍ଡାରିପୋଖରୀ ଥାନା ପୋଡ଼ି, ରେଳ ଓ ଟେଲିଗ୍ରାଫ ଲାଇନ ଚୋରି ଭଳି ଗୁରୁତର ଅପରାଧରେ ଜଡିତ କରି ତାଙ୍କୁ ଗିରଫ କରାଯାଇଥିଲା, ଯାହାକି ପରବର୍ତ୍ତୀ ସମୟରେ ମିଥ୍ୟା ପ୍ରମାଣିତ ହୋଇଥିଲା । ସଂଭ୍ରାନ୍ତ ଭୂମ୍ୟାଧିକରୀ କାନ୍ତକବିଙ୍କ ପରିବାରର ସାମାଜିକ ପ୍ରତିଷ୍ଠା ଓ ସମ୍ମାନକୁ କ୍ଷୂର୍ଣ୍ଣ କରିବା ଏହି ଗିରଫଦାରୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
ସେତେବେଳେ ଓଡ଼ିଶାର ଅଧିକାଂଶ ରାଜା, ମହାରାଜା ଓ ଭୂମ୍ୟାଧିକରୀ ବା ଜମିଦାରମାନେ ସେମାନଙ୍କ ଧନ ଓ ମାନର ସୁରକ୍ଷା ପାଇଁ ବ୍ରିଟିଶ ସରକାରଙ୍କୁ ସମର୍ଥନ କରୁଥିଲେ । କିନ୍ତୁ କାନ୍ତକବିଙ୍କ ପରିବାର ସହିତ ଓଡ଼ିଶାର ମୁଷ୍ଟିମେୟ ଧନ୍ୟାଢ୍ୟ ପରିବାର ଏହାର ବ୍ୟତିକ୍ରମ ଥିଲେ । ଅର୍ଥାତ ସେମାନେ ଇଂରେଜ ଶାସନର ଘୋର ବିରୋଧୀ ଥିଲେ । ଏହିପାଇଁ କାନ୍ତକବିଙ୍କ ପରିବାରକୁ ବ୍ରିଟିଶ ସରକାରଙ୍କ ଅକଥନୀୟ ଅତ୍ୟାଚାରର ସାମ୍ନା କରିବାକୁ ପଡ଼ିଥିଲା ।
କାନ୍ତକବିଙ୍କର ହେଇଛି ଏଭଳି ଏକ ପରିବାର, ଯାହାର ସଦସ୍ୟମାନେ ଦେଶ ଓ ରାଜ୍ୟ ପାଇଁ ଅତୁଳନୀୟ ତ୍ୟାଗ ସ୍ୱୀକାର କରିଛନ୍ତି । ସେହି ତ୍ୟାଗର ତୁଳନା ସମଗ୍ର ଭାରତବର୍ଷରେ ପରିଲକ୍ଷିତ ହୁଏନାହିଁ । ସେହି ପରିବାରର ତିନିଜଣ ପ୍ରଭାବଶାଳୀ ସଦସ୍ୟ ବ୍ରିଟିଶ ନିର୍ଯ୍ୟାତନାର ଶୀକାର ହୋଇ ୨୪ ରୁ ୪୦ ବର୍ଷ ବୟସରେ ପ୍ରାଣବଳୀ ଦେଇଥିବା ବେଳେ ଲଗାତର ତିନି ପିଢ଼ିର ବିପୁଳ ସଂଖ୍ୟକ ସଦସ୍ୟ ସଂଗ୍ରାମରେ ଝାସ ଦେଇ କାରାବରଣ କରିଥିଲେ । ତେବେ ବିଭିନ୍ନ କାରଣରୁ ଇତିହାସକାରମାନେ ଏଥିପ୍ରତି ଯଥୋଚିତ ଦୃଷ୍ଟି ଦେଇନଥିବାରୁ ସେଥିନେଇ ଆମ ଇତିହାସରେ ତାହା ଉଲ୍ଲେଖ ହୋଇପାରିନାହିଁ । ଗୌରଚନ୍ଦ୍ର ଏହି ପରିବାରର ସର୍ବକନିଷ୍ଠ ସଭ୍ୟ ରୂପେ ଇଂରେଜ ଶାସନର ଅମାନବୀୟ ଅତ୍ୟାଚାରର ଶୀକାର ହୋଇଥିଲେ ।
ଓଡ଼ିଶା ସ୍ୱାଧୀନତା ସଂଗ୍ରାମୀ ସଙ୍ଘର ସଭାପତି ପଦ ଓ ବିଧାୟକ ପ୍ରାର୍ଥିତ୍ୱକୁ ବିନମ୍ରତାର ସହିତ ପ୍ରତ୍ୟାଖ୍ୟାନ କରିଥିବା ଗୌରଚନ୍ଦ୍ର ୧୯୧୫ ଜୁନ ୧୫ ତାରିଖରେ ଭଦ୍ରକରେ ଜନ୍ମଗ୍ରହଣ କରିଥିଲେ ଏବଂ ୨୦୧୮ ସେପ୍ଟେମ୍ବର ୧୧ ତାରିଖରେ ୧୦୪ ବର୍ଷ ବୟସରେ ତାଙ୍କର ଜୀବନ ଦୀପ ଲିଭିଯାଇଥିଲା ।