• About
  • Contact
Tuesday, August 11, 2026
Tuesday, August 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ନୁହେଁ ଏ କାହାଣୀ କଳ୍ପନା ପ୍ରସ୍ତୁତ

ନୁହେଁ ଏ କାହାଣୀ କଳ୍ପନା ପ୍ରସ୍ତୁତ
Share on FacebookShare on Xshare on Whatsappshare on Linkedin
ପ୍ରେମାନନ୍ଦ ଦାଶ, ଲଣ୍ଡନ, ୨୭ ଫେବୃଆରୀ ୨୦୨୪

ହେମଚନ୍ଦ୍ର ଏହିକିରେ ଶେଷ ପରିଣାମ
ନିଶ୍ଚୟ ଉତ୍କଳମାତା ପ୍ରତି ବିଧି ବାମ –
ଛଅ ବର୍ଷ କାଳ ରହିଲୁ ବିଲାତରେ
ଚାହିଁ ବସିଥୁଲୁ ଆଶପୁର୍ଣ୍ଣ ନୟନରେ –
ଯୋଗ୍ୟ ପୁତ୍ର ଆସି ଦେଶ କରିବୁ ଉଜ୍ଜ୍ଵଳ
ହା ବିଧି ମୁହୂର୍ତ୍ତେ ହେଲା ସକଳ ବିଫଳ –
ଢାଳି ଦେଇଥିଲେ ଭ୍ରାତା ସର୍ବ ଉପାର୍ଜନ
ରେ ହେମ ! କେବଳ ତୋର ଶିକ୍ଷାର କାରଣ –
ଶୁଖିଯିବ ତାଙ୍କ ନେତ୍ରୁ ତପ୍ତ ଅଶ୍ରୁଧାର
ନିଭିବାର ନୁହେଁ ହୃଦୁ ଅନଳର ଗାର –
(ଫକିର ମୋହନ)

ମୋର ବନ୍ଧୁ ପ୍ରଦୀପ ଚନ୍ଦ୍ର ଶତପଥୀ ଙ୍କ ସୌଜନ୍ୟରୁ ପ୍ରାପ୍ତ ଉପରୋକ୍ତ ପଦ୍ୟ। କିଏ ସେ ହେମଚନ୍ଦ୍ର, କେଉଁ ପ୍ରସଙ୍ଗରେ ଲେଖିଥିଲେ ଏହାକୁ ଫକିର ମୋହନ ସେନାପତି?

ଶତାଧିକ ବର୍ଷ ତଳର କଥା, ଅତି ମର୍ମସ୍ପର୍ଶୀ ଏବଂ କରୁଣ କାହାଣୀ। ଓଡିଶାର ଇତିହାସରେ ଏକ ତାରକାର ଆବିର୍ଭାବ ହେବାକୁ ଯାଉଥ‌ିବା ସମୟରେ କାଳର କରାଳ କବଳରେ ତାହା ସମ୍ପୂର୍ଣ୍ଣ ଲୀନ ହୋଇଯାଇଥିଲା। ତାହା ନ ହୋଇଥିଲେ ସେଇ ପୂଣ୍ୟ ମାଟି କଟକ ଜିଲ୍ଲାର ସତ୍ୟଭାମାପୁର, ଯାହା ଓଡିଶାକୁ ଦେଇଛି ତାର ଅର୍ଦ୍ଧ ଶତାବ୍ଦୀର ଇତିହାସ ସହିତ ଓତଃ ପ୍ରୋତ ଭାବେ ଜଡିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ, ହୁଏତ ଆଉ ଏକ ବର ପୁତ୍ରର ମାତା ବୋଲି ପରିଚିତ ହୋଇଥାନ୍ତା।

ଅଠେଇଶ ବର୍ଷୀୟ ଓଡ଼ିଆ ଯୁବକ ହେମଚନ୍ଦ୍ର ଶତପଥି ବିଲାତରୁ ବାରିଷ୍ଟ୍ରି (Bar-at-Law) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଦେଶକୁ ଫେରି ଆସିବାକୁ ସମ୍ପୂର୍ଣ୍ଣ ଆୟୋଜନ କରିସାରିଥିଲେ। ବିଶ୍ୱନାଥ ମିଶ୍ରଙ୍କ ପରେ ସେ ଥିଲେ ଦ୍ଵିତୀୟ ଓଡ଼ିଆ ଯେ କି, ଏହି ବିରଳ କୃତିତ୍ୱ ଅର୍ଜନ କରିଥିଲେ। ତାଙ୍କ ପରିବାରରେ କିନ୍ତୁ ଅନେକ ଦିନ ଯାଏଁ ଭ୍ରାନ୍ତ ଧାରଣା ଥିଲା ଯେ, ହେମଚନ୍ଦ୍ର ଥିଲେ ପ୍ରଥମ ଓଡ଼ିଆ ବାରିଷ୍ଟର। କଟକରେ ଦୀର୍ଘ ବର୍ଷ ତଳେ ଛାଡ଼ି ଆସିଥିବା ଆତ୍ମୀୟ ସ୍ଵଜନଙ୍କୁ ବିଶେଷକରି ପତ୍ନୀ ନିଶାମଣି ଏବଂ ଏକମାତ୍ର ଅଲିଅଳ ଝିଅ ସ୍ୱର୍ଣ୍ଣପ୍ରଭାଙ୍କୁ ଦେଖିବାକୁ ମନ ବ୍ୟାକୁଳ। ମନରେ ଭବିଷ୍ୟତ ନେଇ ଆଶା ଓ ଆକାଂକ୍ଷାର ସୀମା ନଥିବ। ଫେବୃଆରୀ ୨୬, ୧୯୧୬ ମସିହା ରେ ଲଣ୍ଡନରେ ଦୀର୍ଘ ଅବସ୍ଥାନର ସମସ୍ତ ଆୟୋଜନ ତୁଟାଇ ସାଙ୍ଗ ସାଥିମାନଙ୍କଠାରୁ ବିଦାୟ ନେଇ ବୋଧହୁଏ ଘୋଡ଼ାଗାଡ଼ିରେ ଟିଲବରି (Tilbury) ବନ୍ଦରରୁ ଜାହାଜ ଧରିବାକୁ ଯାଇ ସେ କେତେଯେ କ୍ଳାନ୍ତ ହୋଇଯାଇଥ‌ିବେ, ତାହା ବେଶ୍ ଅନୁମେୟ।

ତାହା ଥିଲା ପ୍ରଥମ ବିଶ୍ବ ଯୁଦ୍ଧର ସମୟ। ହେମଚନ୍ଦ୍ର ଯାତ୍ରା କରୁଥିବା ଜାହାଜର ନାଁ ଥିଲା “ଏସ୍ ଏସ୍ ମଲୋଜା” (SS Maloja)। ଯୁଦ୍ଧ କାରଣରୁ ବେଶୀ ଯାତ୍ରୀ ନଥିଲେ। ସମୁଦାୟ ୧୨୨ ଜଣ ଯାତ୍ରୀ, ଯାହାକି ଥିଲା ତାର ସମୁଦାୟ ସ୍ଥାନ ସଂଖ୍ୟାର ଏକ ପଞ୍ଚମାଂଶରୁ କମ୍ ଆଉ ପ୍ରାୟ ୩୦୦ ପାଖାପାଖି କର୍ମୀ ଏବଂ ଅଧିକାରୀଙ୍କୁ ନେଇ ମଲୋଜା ତାର ଯାତ୍ରା ଆରମ୍ଭ କରିଥିଲା। ଫେବୃଆରୀ ୨୭ ତାରିଖ, ରବିବାର ସମୟ ପ୍ରାୟ ଦିନ ସାଢେ ଦଶଟା ହେବ। ସୁନ୍ଦର ଖରା, କିନ୍ତୁ ପାଗ ଥିଲା ବେଶ୍ ଥଣ୍ଡା ଏବଂ ସମୁଦ୍ର ସ୍ରୋତ (English Channel) ଥିଲା ପ୍ରଖର। ମଲୋଜା ତାର ନିର୍ଦ୍ଧାରିତ ଦୃତ ଗତିରେ ଡୋଭର ଆଡ଼କୁ ଆଗେଇ ଚାଲିଥିଲା। ବାଟରେ କ୍ୟାନେଡାର କୋଇଲାବାହୀ ଜାହାଜ “ଏମ୍ପ୍ରେସ୍ ଫୋର୍ଟ ଉଇଲିୟମ”କୁ ଅତିକ୍ରମ କରିଲା। ଡୋଭର ଠାରୁ ପ୍ରାୟ ୪ କିଲୋମିଟର ଦୂରରେ ସମୁଦ୍ର ଗର୍ଭରେ ଏକ ଜର୍ମାନ୍ ବିସ୍ଫୋଟକ (mine) ଦ୍ଵାରା ଆଘାତ ପ୍ରାପ୍ତ ହୋଇ ସେଇ ଭୟଙ୍କର ବିସ୍ଫୋରଣରେ ମଲୋଜାର ତାହାଣ ପାର୍ଶ୍ୱ ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିଲା। ଜରୁରୀକାଳୀନ ପରିସ୍ଥିତି ପାଇଁ ଜାହାଜର ଲାଇଫ୍‌ ବୋଟ ସବୁ ଉତ୍ତୋଲିତ କରି ରଖାଯାଇଥିଲା। ତେବେ ସେସବୁର ପ୍ରୟୋଗ କରିବା ପାଇଁ ଜାହାଜକୁ ପ୍ରାୟ ସ୍ଥିର କରିବା ଆବଶ୍ୟକ। ସେଥିପାଇଁ ଜାହାଜର ନାୟକ ତାର ଆଗୁଆ ଗତିର ବେଗକୁ କମାଇବପାଇଁ ଇଂଜିନକୁ ବନ୍ଦକରି ତାକୁ ବିପରୀତ ଦିଗରେ ଚଳାଇବାକୁ ଆଦେଶ ଦେଇଥିଲେ। ସେ ଭିତରେ “ଏମ୍ପ୍ରେସ୍ ଫୋର୍ଟ ଉଇଲିୟମ” ମଲୋଜାର ଦୁର୍ଘଟଣା ଦେଖିପାରି ତାର ସହାୟତାପାଇଁ ଦୃତଗତିରେ ଆଗେଇ ଯାଉଥିଲା, କିନ୍ତୁ ଦୁର୍ଭାଗ୍ୟ ବଶତଃ ସେ ମଧ୍ୟ ଆଉ ଗୋଟେ ବିସ୍ଫୋଟକର (mine) ଶିକାର ହୋଇଥିଲା। ଯେତେବେଳେ ମଲୋଜାର ଆଗୁଆ ଗତିର ବେଗ ବେଶ କମି ଯାଇଥିଲା, ସେ ସମୟରେ ଇଞ୍ଜିନକୁ ସମ୍ପୂର୍ଣ ବନ୍ଦ କରିଦେବାର ଆବଶ୍ୟକତା ଥିଲା। ସେତେବେଳକୁ ଇଂଜିନ ରୁମ ସମ୍ପୂର୍ଣ୍ଣ ଜ୍ଵଳାନ୍ଵିତ ଅବସ୍ଥା ହୋଇଯାଇଥିଲା ଓ ତା ଭିତରକୁ ପ୍ରବେଶ ସମ୍ଭବ ନଥିଲା। ଫଳତଃ ମଲୋଜାର ବିପରୀତ ଗତି କ୍ରମଶଃ ଦ୍ରୁତତର ହୋଇ ବସିଲା। କ୍ଷତିଗ୍ରସ୍ତ ଜାହାଜଟି ବାମ ପାର୍ଶ୍ୱ ପ୍ରାୟ ୭୫° ଢଳି ରହିଥିଲା। ଏ ସବୁ ପ୍ରତିକୂଳ ପରିସ୍ଥିତି ନେଇ ଆଖପାଖରେ ଚଳାଚଳ କରୁଥିବା ଛୋଟ ବଡ ଜାହାଜମାନେ ମଲୋଜାର ସହାୟତା କରିବାକୁ ଚାହିଁ ମଧ୍ୟ କିଛି କରିପାରିନଥିଲେ। ବିସ୍ଫୋରଣର ପ୍ରାୟ ୨୪ ମିନିଟ ପରେ ଜାହାଜଟି ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା। ଦୁର୍ଘଟଣାରେ ହେମଚନ୍ଦ୍ରଙ୍କୁ ମିଶାଇ ୧୫୫ ଯାତ୍ରୀ, ଅଧିକାରୀ ଓ କର୍ମୀ ଜୀବନ ହରାଇଥିଲେ। ସୁନ୍ଦର ଦିବାଲୋକରେ ଡୋଭରର ତଟରୁ ସବୁକିଛି ଦୃଶ୍ୟମାନ ଥିଲା। ଦର୍ଶକ ଥିଲେ ଅନେକ, କିନ୍ତୁ ସମସ୍ତେ ଅସହାୟ। ମନେପଡେ, ଟାଇଟାନିକ ଏବଂ ଟୁଇନ୍ ଟାୱାର ବିପର୍ଯୟ ସହିତ ଏହାର ସାମଞ୍ଜସ୍ୟ।

ବିସ୍ଫୋରଣ ପୂର୍ବରୁ ହେମଚନ୍ଦ୍ର କଣ କରୁଥିଲେ – କ୍ଲାନ୍ତ ହୋଇ ଶୋଇ ଯାଇଥିଲେ ଅବା ଭବିଷ୍ୟତର ଦିବାସ୍ଵପ୍ନରେ ବିଭୋର ଥିଲେ। ତାହା କେବଳ ଭଗବାନ ଜାଣନ୍ତି। ବିସ୍ଫୋରଣର ଭୟଙ୍କର ଶବ୍ଦ ନିଶ୍ଚୟ ତାଙ୍କୁ ବିଚଳିତ କରିଦେଇଥବ – ସେ କଣ ଜାଣିଥିଲେ ଯେ କାଳ ତାଙ୍କ ପ୍ରତୀକ୍ଷାରେ – ମାତ୍ର କେଇଟା ମିନିଟ। ବୋଧହୁଏ ସେଇ କେତେଟା ମିନିଟ କିମ୍ଭୁତକିମାକାର ରୂପରେ ସମ୍ପୁର୍ଣ୍ଣ ଭାବନାଶୂନ୍ୟ ହୋଇ ଯନ୍ତ୍ରଚାଳିତ ଭାବରେ ସମୟର ସୁଅରେ ସେ ଭାସିଯାଇଥିବେ ସଂସାରର ଆର ପାରିକି।

କେତେ ସମୟ ପରେ ହେମଚନ୍ଦ୍ରଙ୍କର ମୃତ ଶରୀର ଉଦ୍ଧାର କରାଯାଇଥିଲା, କିପରି ବା କାହାଦ୍ୱାରା ତାହା ଚିହ୍ନଟ ହୋଇଥିଲା, ତାହା ଅଜଣା। ସେ ସମୟ ଥିଲା ଆଜିର “ତତ୍କାଳ ବାର୍ତ୍ତା ପ୍ରେରଣ ଯୁଗ”ରୁ କେତେ ଅଲଗା – ଟେଲିଭିଜନ ତ ନ ଥିଲା, ରେଡ଼ିଓ ଓ ଟେଲିଫୋନ ର ପ୍ରଚଳନ ବି ଭାରତରେ ଥିଲା ବିରଳ। ଓଡ଼ିଶାରେ ପରିବାରର କର୍ତ୍ତା, ହେମଚନ୍ଦ୍ରଙ୍କ ବଡଭାଇ ଶଶୀଭୂଷଣ କେବେ ଓ କିପରି ଏ ବିଷୟରେ ଅବଗତ ହେଲେ, ତାହା ବି ଜଣାନାହଁ। ସେ ସମୟରେ ଦୈନିକ ଖବର କାଗଜ ସମାଜର ଜନ୍ମ ହୋଇ ନଥିଲା। ସାପ୍ତାହିକ ପତ୍ରିକା ‘ଉତ୍କଳ ଦୀପିକା’ ଶନିବାରକୁ ଶନିବାର ପ୍ରକାଶିତ ହେଉଥାଏ। ତାର ଫେବୃଆରୀ ୨୬ ତାରିଖ ସଂସ୍କରଣରେ ହେମଚନ୍ଦ୍ରଙ୍କର ବାରିଷ୍ଟ୍ରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା କଥା ଏବଂ ମାର୍ଜ ୧୧ ତାରିଖରେ ମଲୋଜାର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ତାଙ୍କର ଶବ ସଂସ୍କାର ନେଇ ପାରିବାରରେ ଦୀର୍ଘଦିନ ପର୍ଯ୍ୟନ୍ତ ବିଭିନ୍ନ ଭ୍ରାନ୍ତ ଧାରଣା ଥିଲା। ତାହାର ସୃଷ୍ଟିକରଣ ମଧ୍ୟ ଉତ୍କଳ ଦୀପିକାର ଏପ୍ରିଲ ୧ ତାରିଖ ସଂସ୍କରଣରେ ମିଳିଥିଲା। ସେଥିରେ ଉଲ୍ଲେଖ ଥିଲା “ସମ୍ପ୍ରତି ଅବଗତ ହୋଇଅଛି ଯେ ଆମ୍ଭ ମାନଙ୍କର ସ୍ୱଦେଶବତ୍ସଳ, ଯୁବକ ଶ୍ରୀମାନ ଭୁବନାନନ୍ଦ ଦାସ ଡୋଭରକୁ ଯାଇ ହେମଚନ୍ଦ୍ରଙ୍କ ମୃତଦେହକୁ ବ୍ରାହ୍ମଣୋଚିତ ସତ୍କାର କରିଅଛନ୍ତି। ସୁଦୂର ବିଲାତରେ ଶ୍ରୀମାନ ଭୁବନାନନ୍ଦ ଜଣେ ସ୍ଵଦେଶବାସୀ ର ଅନ୍ତିମ ସତ୍କାର କାର୍ଯ୍ୟ ସମାହିତ କରି ଦେଶବତ୍ସଳତାର ପରିଚୟ ପ୍ରଦାନ କରିଅଛନ୍ତି”। ପରବର୍ତ୍ତୀ କାଳରେ ସେଇ ଭୁବନାନନ୍ଦ ଦାସ ଓଡିଶାରୁ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ଏବଂ କଟକସ୍ଥିତ ଇଞ୍ଜିନିଅରିଂ ସ୍କୁଲ ତାଙ୍କରି ନାମରେ ନାମିତ। ୧୯୧୬ ମସିହାରେ ସେ ସ୍କଟଲାଣ୍ଡର ଗ୍ଲାସ୍ଗୋ ୟୁନିଭରସିଟିରେ ଅଧ୍ୟୟନ କରୁଥିଲେ।

ହେମଚନ୍ଦ୍ରଙ୍କ ଦୁର୍ଦ୍ଦଶା ତ ଅଧଘଣ୍ଟାରୁ କମ୍‌ରେ ସରିଗଲା, କିନ୍ତୁ ତାଙ୍କ ପତ୍ନୀ ନିଶାମଣି ? ବୋଧହୁଏ ସେ ଦାମ୍ପତ୍ୟ ଜୀବନ ମାତ୍ର ଗୋଟିଏ ବର୍ଷ ଭୋଗ କରିଥିବେ। ତାପରେ ସ୍ୱାମୀ ଚାଲିଗଲେ ବିଲାତକୁ ଉଚ୍ଚ ଶିକ୍ଷା ପାଇଁ। ଦୀର୍ଘ ବର୍ଷର ବିଚ୍ଛେଦ ପରେ ଯେତେବେଳେ ହେମଚନ୍ଦ୍ର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବିଦେଶରୁ ଫେରି ଆସୁଛନ୍ତି ବୋଲି ଶୁଣିଥ‌ିବେ, କେତେ ଖୁସି ହେଇନଥିବେ ସେ। ସାଙ୍ଗ ସାଥିଙ୍କ ଟାହି ଟାପରା ଭିତରେ ନିଜ ଶୃଙ୍ଗାରରେ ନିମଗ୍ନ ହୋଇ ମଧୁ ରାତ୍ରିର ସୃପ୍ନ ଦେଖିଥ‌ିବେ। ହଠାତ୍ ଦାରୁଣ ଖବରରେ ତାଙ୍କ ଦିବାସ୍ଵପ୍ନ ସମ୍ପୂର୍ଣ୍ଣ ଚୂରମାର ହୋଇ ଧୂଳିସାତ୍ ହୋଇଗଲା। ପରିବାରରେ କେହି କେହି କହନ୍ତିଯେ, ନିଶାମଣି ସେହି ଆକସ୍ମିକ ଦାରୁଣ ଦୁଃଖ ସହ୍ୟ କରି ନପାରି ଛାତରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ସେ ପ୍ରୟାସରେ ମଧ୍ୟ କାଳ ତାଙ୍କୁ ଦଗା ଦେଇଥିଲା। ସତେ ଯେମିତି ନେପଥ୍ୟରୁ କହୁଥିଲା, “ତୋର ପ୍ରାରବ୍ଧ ଭୋଗ ନକରି ଏତେ ଶୀଘ୍ର କୁଆଡ଼େ ଯିବାକୁ ଚେଷ୍ଟା କରୁଛୁ” ?

ଛୋଟ ଝିଅ ସ୍ଟର୍ଣ୍ଣ – ବୟସ ମାତ୍ର ଛଅ ବର୍ଷ – ତଟସ୍ଥ ହୋଇଯାଇଥିଲା। ବୁଝି ପାରୁନଥିଲା ହଠାତ୍ କଣ ହେଇଗଲା। କିଛି ସମୟ ଆଗରୁ ଘରେ ହସଖୁସିର ସୁଅ ଛୁଟୁଥୁଲା। ବାପା ଆସୁଛନ୍ତି କହି ସମସ୍ତେ ତାକୁ କେତେ ଗେଲ କରି ପକାଉଥିଲେ। ଆଉ ଏବେ ସମସ୍ତେ କାହିଁକି କାନ୍ଦୁଛନ୍ତି ବା କାନ୍ଦ କାନ୍ଦ ମୁହଁରେ ଶୂନ୍ୟକୁ ଚାହିଁ ରହିଛନ୍ତି ? ପାଖକୁ ଗଲେ ତାକୁ କୁଣ୍ଢେଇ କୋହ ସମ୍ଭାଳି ନପାରି କାନ୍ଦୁଛନ୍ତି ! ସେତେବେଳେ ସେ ବି କାନ୍ଦିଉଠେ। ଆଖିରୁ ତାର ଲୁହର ଧାର ଝରିଯାଏ।

ନିଶାମଣି ଥିଲେ ସୁଶ୍ରୀ। ସମ୍ଭ୍ରାନ୍ତ ପରିବାରରେ ଜନ୍ମ। ପରବର୍ତ୍ତୀ ସମୟରେ ତାଙ୍କରି ଭାଇ ଚିନ୍ତାମଣି ଆଚାର୍ଯ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଆସନରେ ଅବସ୍ଥାପିତ ହୋଇଥିଲେ। ସ୍ଵାମୀ ବଞ୍ଚିଥିଲେ, ସମାଜରେ ତାଙ୍କୁ କେତେ ସମ୍ମାନ, କେତେ ପ୍ରତିଷ୍ଠା ମିଳି ନଥଆନ୍ତା। ସବୁ ଭୁଲି ନିୟତିର ଆଦେଶକୁ ଶିରୋଧାର୍ଯ୍ୟ କରି ଝିଅର ମୁହଁକୁ ଦେଖି ବଞ୍ଚି ରହିଲେ। ସବୁ ଶିକ୍ଷା ସଂସ୍କାର ଦେଲେ ସ୍ଵର୍ଣ୍ଣକୁ। କୁଳ ରକ୍ଷା ପାଇଁ ସ୍ୱାମୀଙ୍କର ବଡ ଭାଇ ଶଶି ଭୂଷଣଙ୍କର ସନ୍ତାନ ରମେଶ ଚନ୍ଦ୍ରଙ୍କୁ ସେ ନିଜର ପୁତ୍ର ରୂପେ ଗ୍ରହଣ କରିଥିଲେ। ବିଧବା ହେଲାବେଳକୁ ତାଙ୍କର ବୟସ ହୋଇଥିବ ମାତ୍ର କୋଡିଏ କି ଏକୋଇଶି। ସେ ସମୟର ପ୍ରଥା ନେଇ ତାଙ୍କୁ ନିଶ୍ଚୟ କେଶ ମୁଣ୍ଡନ କରିବାକୁ ପଡ଼ିଥିବ। ଜୀବନଟା ଯାକ ପଣତ ନଥିବା ଧଳା ଶାଢୀ଼ରେ ବିତିଥ‌ିବ। ପଞ୍ଚେନ୍ଦ୍ରୀୟ ଆଉ ମନ ସମେତ ରକ୍ତ ମାଂସର ଶରୀର କଣ କେବେ ତାଙ୍କ ଭରା ଯୌବନକୁ ଚଞ୍ଚଳ ଆଉ ବ୍ୟଥିତ କରି ନଥିବ? ଚୁପଚାପ୍ ସବୁ ସହି ଯାଇଥିବେ। ଦିନ ଯାକ ବିତି ଯାଇଥିବ କାର୍ଯ୍ୟବ୍ୟସ୍ତତାରେ, ଆଉ ରାତି – ଆଖିର ଲୁହ ପୋଛି।

ଦେଖୁ ଦେଖୁ ସମୟ ଗଡିଗଲା। ମାତ୍ର ନଅ କି, ଦଶ ବର୍ଷରେ ପ୍ରାପ୍ତବୟସ୍କା ସ୍ୱର୍ଣ୍ଣ ବାହା ହୋଇ ଚାଲିଗଲେ ନିଜର ସଂସାର ଗଢିବା ପାଇଁ। ନିଜ ଝିଅ ବାହାଘର ସମାରୋହରୁ ବି ସମ୍ପୁର୍ଣ୍ଣ ବଞ୍ଚିତ ହୋଇଥିବେ ନିଶାମଣି। କାରଣ ସେ ସମୟର ରକ୍ଷଣଶୀଳ ସମାଜ ଆଖିରେ ସେ ଥିଲେ ଅମଙ୍ଗଳର ପ୍ରତୀକ। ଘରର ଗୋଟେ କୋଣରେ ବସି ଦୂରରୁ ଭାସି ଆସୁଥ‌ିବା ସାହନାଇ / ପେଁକାଳିର ସ୍ଵର ଆଉ ମନ ଭିତରର କୋହ ଯେ କି, କରୁଣ ଯୁଗଳବନ୍ଦୀ ସୃଷ୍ଟି କରୁଥିବ, ତାହା କଳ୍ପନା କରିବା କଷ୍ଟକର। ଜୀବନର ଏକମାତ୍ର ସହାୟ ଆଦରଣୀୟ କନ୍ୟା ଆଜି ତାଙ୍କୁ ଏକାକରି ଚାଲିଯିବ ! ଏହି ଭାବନା ସହିତ ଆଶୀର୍ବାଦ ଦେଇଥ‌ିବେ ଝିଅକୁ – ସେ ସଂସାରର ସବୁକିଛି ସୁଖ ପାଉ, ଯେଉଁଥିରୁ ଭାଗ୍ୟ ତାଙ୍କୁ ବଞ୍ଚିତ କରିଥିଲା।

ସମୟର ଚକ ଗଡ଼ି ଚାଲିଲା ଆଉ ତା ସାଙ୍ଗେ ସାଙ୍ଗେ ବଢ଼ି ଚାଲିଲା ସ୍ୱର୍ଣ୍ଣପ୍ରଭାଙ୍କର ସୁଖୀ ପରିବାର। ବଡ଼ ଦୁଇ ନାତୁଣୀଙ୍କ ବିବାହ ବି ସମ୍ପର୍ଣ୍ଣ ହୋଇଗଲା। ଅଣନାତିର ଅଧିକାରିଣୀ ହେଲେ ନିଶାମଣି। କିନ୍ତୁ ସମସ୍ତେ ରହିଲେ ବ୍ୟସ୍ତ ନିଜ ନିଜ ପରିବାର ନେଇ। କାହାର ବା’ ସମୟ ଥିଲା ନିଶାମଣିଙ୍କ ସାଙ୍ଗେ ବସି ଟିକେ ଦୁଃଖସୁଖ ହେବା ପାଇଁ ? ୧୯୪୬ ମସିହାରେ ମାତ୍ର ପ୍ରାୟ ୫୦ ବର୍ଷ ବୟସରେ ସେଇ ତପସ୍ଵିନୀଙ୍କର ତପସ୍ୟାର ଅବସାନ ହେଲା।

ଯେଉଁ ଗୋଟିଏ ଚାରା ହେମଚନ୍ଦ୍ର ଛାଡି ଯାଇଥିଲେ ଆଉ ଯାହାକୁ ନିଶାମଣି ଅତି ଯତ୍ନ ଏବଂ ଆଦରରେ ବଢ଼େଇଥିଲେ, ସେଇ ପ୍ରତିଭାସମ୍ପର୍ଣ୍ଣା ସ୍ଵର୍ଣ୍ଣପ୍ରଭା ବି ଆଜି ଇହ ଜଗତରେ ନାହାନ୍ତି। କିନ୍ତୁ ସେଇ ବଂଶବୃକ୍ଷ ଆଜି ଜଗତରେ ପରିବ୍ୟାପ୍ତ। ହେମଚନ୍ଦ୍ର ଏବଂ ନିଶାମଣିଙ୍କର ନାତି ନାତୁଣୀ ମାନଙ୍କ ମଧ୍ୟରୁ ଅନେକ ଏ ସଂସାରରୁ ବିଦାୟ ନେଇ ସାରିଲେଣି। ସେମାନଙ୍କ ମଧ୍ୟରୁ ଯେଉଁ ଚାରି ଜଣ ଏବେ ଜୀବିତ ଅଛନ୍ତି, ସେମାନେ ହେଲେ ଶ୍ରୀମତୀ ପ୍ରତିମା ମିଶ୍ର, ଅବସରପ୍ରାପ୍ତ ଶିକ୍ଷାବିତ୍ ଏବଂ ଅଧ୍ୟକ୍ଷା ଶ୍ରୀମତୀ ସୁଷମା ତେଜ, ଅବସରପ୍ରାପ୍ତ ଶିକ୍ଷାବିତ୍ ଶ୍ରୀ ସତ୍ୟ ଶଙ୍କର ମିଶ୍ର ଏବଂ ଶ୍ରୀମତୀ ଅସୀମା ପଣ୍ଡା । ହେମଚନ୍ଦ୍ର ଏବଂ ନିଶାମଣିଙ୍କ ନାମ ଆଜିବି ଜୀବିତ ରଖିଥିବେ ମୋର ବନ୍ଧୁ ଏବଂ ରମେଶ ଚନ୍ଦ୍ର ଶତପଥିଙ୍କ ପୁଅ ପ୍ରଦୀପ ବିଭିନ୍ନ କ୍ରିୟା କର୍ମ ମାଧ୍ୟମରେ।

Premananda Dash

Premananda Dash

Great Grand son-in-law of Late Hemachandra Satpathy, he has settled in London since many years and is a prominent member of the Odia community in the UK.

Related Posts

Dhanada’s Discourse: The Cloud Has a Thirst – India’s data-centre dilemma
More

Dhanada’s Discourse: 
The Cloud Has a Thirst – India’s data-centre dilemma

by Dhanada K. Mishra
August 10, 2026

Dhanada K Mishra, Hong Kong, 10 August 2026 At first glance, a data centre appears almost unreal. There are no...

Read more
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.