• About
  • Contact
Saturday, December 6, 2025
Saturday, December 6, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଓଡ଼ିଶା ପ୍ରଦେଶ ଗଠନରେ
କାନ୍ତକବିଙ୍କ ପରିବାରର ଭୂମିକା

ଓଡ଼ିଶା ପ୍ରଦେଶ ଗଠନରେକାନ୍ତକବିଙ୍କ ପରିବାରର ଭୂମିକା
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୩୧ ମାର୍ଚ୍ଚ ୨୦୨୪

ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ କ୍ଷେତ୍ରକୁ କାନ୍ତକବି ଓ ତାଙ୍କ ପରିବାରର ଅତୁଳନୀୟ ଅବଦାନ ରହିଛି । ତେବେ ଇତିହାସକାରମାନେ ସେଥିପ୍ରତି ଯଥୋଚିତ ଦୃଷ୍ଟି ଦେଇ ନଥିବାରୁ ତାହା ଅଦ୍ୟାବଧି ଲୋକଲୋଚନର ଅନ୍ତରାଳରେ ରହିଯାଇଛି । ସେଥିନେଇ ସଂକ୍ଷିପ୍ତ ଆଲୋଚନା କରିବା ହେଉଛି, ଏହି ଆଲେଖ୍ୟର ମୁଖ୍ୟ ଉଦ୍ଦେଶ୍ୟ ।

ସ୍ୱାଧୀନତା ସଂଗ୍ରାମ ଭଳି ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଆନ୍ଦୋଳନରେ ମଧ୍ୟ କାନ୍ତକବି ଏବଂ ତାଙ୍କ ପରିବାରର ବିରଳତମ ଅବଦାନ ରହିଥିଲା । ମାତ୍ର ବିଭିନ୍ନ କାରଣରୁ ଆମ ଇତିହାସରେ ତାହା ଲିପିବଦ୍ଧ ହୋଇ ପାରିନାହିଁ । ତେବେ ସେଥିନେଇ ଐ୍ୟତିହାସିକ, ଗବେଷକ, ଶାସକ, ପ୍ରଶାସକ ତଥା ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବା ଅତ୍ୟନ୍ତ ଜରୁରୀ ମନେ ହୁଏ ।

ଦେଶକୁ ଇଂରେଜମାନଙ୍କ କବଳରୁ ମୁକ୍ତ କରିବା ପାଇଁ ଜାତୀୟ ଆନ୍ଦୋଳନ ବା ସ୍ୱାଧୀନତା ସଂଗ୍ରାମ ସମୟରେ ସମଗ୍ର ଭାରତବାସୀ ବ୍ରିଟିଶ ସରକାର ବିରୁଦ୍ଧରେ ଗୋଟିଏ ଯୁଦ୍ଧ ଲଢୁଥିବା ବେଳେ ଓଡିଶାବାସୀଙ୍କୁ ସେତେବେଳେ ଏକକାଳୀନ ଦୁଇଟି ସଂଗ୍ରାମ ଲଢିବାକୁ ପଡୁଥିଲା । ଗୋଟିଏ ଇଂରେଜ ଶାସନ ବିରୁଦ୍ଧରେ ଓ ଅନ୍ୟଟି ମାତୃଭାଷା ଆଧାରରେ ମାତୃଭୂମିର ସୁରକ୍ଷା ପାଇଁ ।

ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଓଡିଆ ଭାଷାଭାଷୀ ଅଞ୍ଚଳଗୁଡିକର ଏକତ୍ରୀକରଣ ଜରିଆରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଲାଗି ‘ଉତ୍କଳ ସମ୍ମିଳନୀ’ ମାଧ୍ୟମରେ ଆନ୍ଦୋଳନ ତେଜୀୟାନ ହୋଇଥିଲା । ଆଉ ସେହି ମହାଯଜ୍ଞରେ ଓଡିଶାର ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇ ସ୍ୱତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନକୁ ଅଧିକ ଗତିଶୀଳ କରିଥିଲେ । ଉକ୍ତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବିହାର-ଓଡିଶା ବିଧାନ ପରିଷଦର ପ୍ରଥମ ଓଡିଆ ଉପ-ବାଚସ୍ପତି(ଡେପୁଟି-ପ୍ରେସିଡେଣ୍ଟ) ତଥା ପ୍ରଖ୍ୟାତ ଆଇନଜୀଵୀ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଥିଲେ ଅନ୍ୟତମ । ତେବେ ଭାଗବତବାବୁଙ୍କ ଉଗ୍ର ଉତ୍କଳୀୟ ଜାତୀୟତା ତଥା ସ୍ୱତନ୍ତ୍ର ପ୍ରଦେଶ ଗଠନ ଲାଗି ତାଙ୍କର ଅନନ୍ୟ ତ୍ୟାଗ ଆଦି ବିଷୟରେ ଆମ ଇତିହାସରେ ଯଥାର୍ଥ ଭାବେ ଉଲ୍ଲେଖ କରା ଯାଇନାହିଁ ।

ବିଶିଷ୍ଟ ଜାତୀୟତାବାଦୀ ନେତା ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ହେଉଛନ୍ତି ଓଡିଶାର ରାଜ୍ୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ”ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ପିତା । ମଧୁବାବୁଙ୍କ ପ୍ରତି ପ୍ରଗାଢ ସମ୍ମାନ ରଖୁଥିବା ଭାଗବତବାବୁ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଗୋଲାପୀ ପଗଡି ପରିଧାନ କରିବା ସହିତ (ଗାନ୍ଧିଜୀଙ୍କ ଆହ୍ୱାନ ପୂର୍ବରୁ) କୁଟୀର ଶିଳ୍ପର ପ୍ରସାର ଲାଗି ବିହିତ ପଦକ୍ଷେପ ଗ୍ରହଣ କରିଥିଲେ । ପଡୋଶୀ ବଙ୍ଗ ରାଜ୍ୟର ଆକ୍ରମଣରୁ ଓଡିଆ ଭାଷାକୁ ସୁରକ୍ଷିତ ରଖିବା ପାଇଁ ସେ ବାଲେଶ୍ୱର ସହରରେ ଉତ୍କଳ ସମ୍ମିଳନୀର ଏକାଧିକ ଅଧିବେଶନ ଆୟୋଜନ କରିବା ସହିତ ତହିଁରେ ନିଜର ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନମାନଙ୍କୁ ସାମିଲ କରିଥିଲେ । ଏଥିପାଇଁ ସେ ଖୋଲା ହୃଦୟରେ ଆର୍ଥିିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ ।

୧୯୧୯ ମସିହା ଡିସେମ୍ବର ୨୬ ଓ ୨୭ ତାରିଖରେ ପୁରୀ ସହର ରାମଚଣ୍ଡୀସାହିସ୍ଥିତ ଜଗନ୍ନାଥ କ୍ଲବରେ ଉତ୍କଳ ସମ୍ମିଳନୀର ପଞ୍ଚଦଶ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ତହିଁରେ ଗୃହୀତ ଚତୁର୍ଥ ପ୍ରସ୍ତାବର ଅନ୍ୟତମ ସମର୍ଥକ ଥିଲେ ଭାଗବତବାବୁ । ଉକ୍ତ ପ୍ରସ୍ତାବରେ ଦର୍ଶାଯାଇଥିଲା ଯେ, ଚଳିତ ବର୍ଷର ଭାରତ ସଂସ୍କାର ଆଇନ ଭାରତୀୟ ମାନଙ୍କୁ ଯଥାର୍ଥରେ ଶାସନ ପରିଚାଳନାରେ କେତେକ ଦାୟିତ୍ୱ ଓ କ୍ଷମତା ଦେବାର ଉଦ୍ୟମ କରିଛି । ମାତ୍ର ଓଡିଆ ମାନଙ୍କର ଦୃଢ ନ୍ୟାଯ୍ୟ ଦାବି ଏହି ଆଇନରେ ପୂରଣ ସକାଶେ କୌଣସି ନିଶ୍ଚିତ ବ୍ୟବସ୍ଥା ନାହିଁ ।…… ସେହି ନୂତନ ସଂସ୍କାର ଆଇନକୁ କାର୍ଯ୍ୟକାରୀ କରିବା ଲାଗି ଯେଉଁ ନିୟମମାନ ପ୍ରଣୟନ କରାଯିବ, ସେଥିରେ ଭିନ୍ନ ଭିନ୍ନ ପ୍ରଦେଶବାସୀ ଓଡିଆମାନଙ୍କ ନିମନ୍ତେ କେତେକ ନିର୍ଦ୍ଧିଷ୍ଟ ପ୍ରତିନିଧି ଭାରତ ବଡଲାଟଙ୍କ ସଭାରେ ରଖିବେ ଏବଂ ମାନ୍ଦ୍ରାଜ, ମଧ୍ୟପ୍ରଦେଶ, ବଙ୍ଗଳା ପ୍ରଦେଶବାସୀ ଓଡିଆ ମାନଙ୍କ ନିମନ୍ତେ ସଂପୃକ୍ତ ରାଜ୍ୟର ବ୍ୟବସ୍ଥାପକ ସଭାରେ ପ୍ରତିନିଧି ମାନଙ୍କ ସ୍ଥାନ ନିରୂପିତ କରିବେ ।

ସେହିପରି ଦଶମ ପ୍ରସ୍ତାବରେ ଓଡିଶା ବାହାରେ ଥିବା ଓଡିଆ ଅଧ୍ୟୁଷିତ ଅଞ୍ଚଳରେ ଓଡିଆ ଶିକ୍ଷା ଓ ଭାଷାର ପ୍ରଚାର ନିମନ୍ତେ ଓଡିଆ ରକ୍ଷା ପାଣ୍ଠି ଗଠନ ସକାଶେ ସିଦ୍ଧାନ୍ତ ହୋଇଥିଲା । ସେହି ଓଡିଆ ରକ୍ଷା ପାଣ୍ଠିର ପରିପୁଷ୍ଟି ପାଇଁ ଗଠିତ ୧୦ ଜଣିଆ କମିଟିରେ ଭାଗବତବାବୁ ସ୍ଥାନ ପାଇଥିଲେ ।

ଅନ୍ୟ ପକ୍ଷରେ ଖୋର୍ଦ୍ଧାରୋଡ ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ସ୍ୱତନ୍ତ୍ର ରେଳ ରାସ୍ତା ଖୋଲାଯିବା ପାଇଁ ଗୃହୀତ ଉତ୍କଳ ସମ୍ମିଳନୀର ପ୍ରସ୍ତାବରେ ମଧ୍ୟ ଭାଗବତବାବୁ ସମର୍ଥକ ଥିଲେ । ୧୯୧୫ ଡିସେମ୍ବର ୨୭ ଓ ୨୮ ତାରିଖ ଦିନ ସମ୍ବଲପୁର ସହରର ଉତ୍ତରରେ ଥିବା ବୁଢାରାଜା ପର୍ବତ ପାଦଦେଶରେ ସମ୍ମିଳନୀର ଏକାଦଶ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ପଶ୍ଚିମ ଓଡିଶାରେ ଉତ୍କଳ ସମ୍ମିଳନୀର ଏହା ପ୍ରଥମ ବୈଠକ ହୋଇଥିବାରୁ ସଂପୃକ୍ତ ଇଲାକାର ଗ୍ରାମାଞ୍ଚଳରୁ ହଜାର ହଜାର ଲୋକ ଏଥିରେ ସାମିଲ ହୋଇଥିଲେ । ଅଧିବେଶନର ତୃତୀୟ ପ୍ରସ୍ତାବରେ କୁହାଯାଇଥିଲା ଯେ, ସମ୍ବଲପୁର ଜିଲ୍ଲା ରାଜନୈତିକ ଓଡିଶାର ଅନ୍ତର୍ଭୁକ୍ତ ହୋଇଥିଲେ ସୁଦ୍ଧା ଓଡିଶାର ଭିନ୍ନ ଭିନ୍ନ ଅଞ୍ଚଳ ସହିତ ଏହାର ଯାତାୟତ ଓ ଅନ୍ୟାନ୍ୟ ଅସୁବିଧା ଦୃଷ୍ଟିରୁ ଖୋର୍ଦ୍ଧାରୋଡ ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ସ୍ୱତନ୍ତ୍ର ରେଳ ରାସ୍ତା ଖୋଲାଯାଉ । ଭାଗବତବାବୁ ଏହି ପ୍ରସ୍ତାବର ଦୃଢ ସମର୍ଥକ ସାଜି ଥିଲେ । ରାଜ୍ୟ ପାଇଁ ଏତେ ସବୁ ସେବା, ସମର୍ପଣ ଓ ସଂଗ୍ରାମ କରିଥିବା ଭାଗବତବାବୁ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଦୁଇ ମାସ ପୂର୍ବରୁ ପ୍ରାଣତ୍ୟାଗ କରିଥିଲେ ।

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଭାଗବତବାବୁଙ୍କର ଜ୍ୟେଷ୍ଟ ପୁତ୍ର ଥିଲେ । କାନ୍ତକବି ରେଭେନ୍ସା କଲେଜରୁ ବି.ଏ. ପାଶ କରିବା ବେଳକୁ ସେ ନିଜକୁ ରାଜ୍ୟର ଅନ୍ୟତମ ବିଶିଷ୍ଟ ସାହିତ୍ୟିକ ହିସାବରେ ପ୍ରତିପାଦିତ କରି ସାରିଥିଲେ । ମାତ୍ର ତା’ର ଅଳ୍ପ ସମୟ ପରେ ସେ ଦୁରାରୋଗ୍ୟ ବ୍ୟାଧିରେ ପୀଡିତ ହୋଇ ଚଳତଶକ୍ତି ହରାଇ ବସିଥିଲେ । ତେବେ ସାରା ଜୀବନ ଶଯ୍ୟା ଉପରେ ବିତାଇ ଥିବା କାନ୍ତକବି ତାଙ୍କର ଜ୍ୱାଳାମୟୀ ଦେଶାତ୍ମବୋଧକ ଆଲେଖ୍ୟ ମାଧ୍ୟମରେ ଉଭୟ ସ୍ୱତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନ ଏବଂ ସ୍ୱାଧୀନତା ସଂଗ୍ରାମ ବା ଜାତୀୟ ଆନ୍ଦୋଳନକୁ ଗତିଶୀଳ କରି ରଖିଥିଲେ । ବ୍ୟାଧିଗ୍ରସ୍ତ କାନ୍ତକବି ସଶରୀରେ ଏହି ଆନ୍ଦୋଳନରେ ସାମିଲ ହୋଇ ପାରିନଥିଲେ ସୁଦ୍ଧା ନିଜର ଅଗ୍ନିବର୍ଷୀ ଜ୍ୱାଳାମୟୀ ଦେଶାତ୍ମବୋଧକ ଲେଖା ମାଧ୍ୟମରେ ସେ ଉଭୟ ଆନ୍ଦୋଳନକୁ ଦିପ୍ତୀମାନ କରି ରଖିଥିଲେ । ଅନ୍ୟପକ୍ଷରେ ସେ ନିଜର ସମଗ୍ର ପରିବାରବର୍ଗଙ୍କୁ ଏହି ଆନ୍ଦୋଳନରେ ଝାସ ଦେବା ପାଇଁ ପ୍ରବର୍ତ୍ତାଇ ଥିଲେ । ଫଲରେ ତାଙ୍କ ପିତା ଭାଗବତବାବୁଙ୍କ ଠାରୁ ଆରମ୍ଭ କରି ଭାଇ ଭଉଣୀ, ପୁତ୍ର, ଭଣଜା, ଭଗ୍ନୀପତି ଇତ୍ୟାଦି ସମସ୍ତେ ଉଭୟ ଆନ୍ଦୋଳନରେ ଲମ୍ଫ ପ୍ରଦାନ କରିଥିଲେ ।

୧୯୧୨ ମସିହାରେ ବାଲେଶ୍ୱର ଠାରେ ଉତ୍କଳ ସମ୍ମିଳନୀର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସେଥିରେ କାନ୍ତକବିଙ୍କ ରଚିତ କାଳଜୟୀ ଦେଶାତ୍ମବୋଧକ “ବନ୍ଦେ ଉତ୍କଳ ଜନନୀ”କୁ ସମ୍ମିଳନୀର ପ୍ରାରମ୍ଭିକ ବା ଆବାହନୀ ସଂଗୀତ ରୂପେ ଗ୍ରହଣ କରାଯାଇଥିଲା । କିନ୍ତୁ କାନ୍ତକବିଙ୍କ ବିୟୋଗ ସମୟରେ ସ୍ୱାମୀ ବିଚିତ୍ରାନନ୍ଦ ଦାସଙ୍କ ଶୋକବାର୍ତ୍ତାରୁ ଜଣାପଡେଯେ, “ବନ୍ଦେ ଉତ୍କଳ ଜନନୀ” ସଂଗୀତ ପ୍ରଥମେ ୧୯୦୮ ମସିହାରେ ପୁରୀ ଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀ ମଞ୍ଚରେ ଅନ୍ୟାନ୍ୟ ଦେଶାତ୍ମବୋଧକ ସଂଗୀତ ସହିତ ପରିବେଷିତ ହୋଇଥିଲା । ସେହି ସଂଗୀତର ମହକ ସେଠାରେ ଉପସ୍ଥିତ ଦର୍ଶକମାନଙ୍କୁ ଲୋକତାପ୍ଲୁତ କରିଥିଲା । ସେ ଯାହା ହେଉନା କାହିଁକି, ଏହି ସଂଗୀତ ଉତ୍କଳ ସମ୍ମିଳନୀ ମଞ୍ଚରେ ଦୀର୍ଘ ୨୪ବର୍ଷ ଧରି (୧୯୧୨-୧୯୩୬) ପରିବେଷିତ ହେବା ଫଳରେ କୋଟି କୋଟି ଓଡିଆଙ୍କ ହୃଦୟରେ ଉଗ୍ର ଉତ୍କଳୀୟ ଜାତୀୟତା ଉଦ୍ରେକ କରିଥିଲା । ପରିଣାମ ସ୍ୱରୂପ ଆମେ ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଭାଷା ଭିତ୍ତିରେ ପ୍ରଥମ କରି ଓଡିଶା ପ୍ରଦେଶ ପାଇଥିଲେ ।

କାନ୍ତକବିଙ୍କ ଅନନ୍ୟ ଉତ୍କଳୀୟ ଜାତୀୟ ଚେତନା ସଂପର୍କରେ ତାଙ୍କର ଏକ ଆଲେଖ୍ୟରୁ ସ୍ପଷ୍ଟ ସୂଚନା ମିଳେ । “ମୋ ସାହିତ୍ୟ ଜୀବନରେ ଦାଢିର ପ୍ରଭାବ” ଶୀର୍ଷକ ତାଙ୍କ ଆଲେଖ୍ୟରେ ଖୋଦ କାନ୍ତକବି ଉଲ୍ଲେଖ କରିଛନ୍ତି – “ଶଳନ୍ଦୀ କବିତାଟି ପଢି ଦାଢିବନ୍ତ ଗୋପବନ୍ଧୁ ଦାସ ମୋତେ “କବି” ବୋଲି ଡାକିବାକୁ ଆରମ୍ଭ କଲେ । ଆଉ ଦାଢି ହଲାଇ ଗେହ୍ଲ ହେଉଥିଲେ । ସେ ଦାଢିର ଡାକ ମୋ ସାହିତ୍ୟିକ ଜୀବନ ଉପରେ ପ୍ରଥମ ଫୁଲ ଚନ୍ଦନ ପକାଇଥିଲା । ୧୯୨୧ ମସିହା ଭଦ୍ରକ ସମ୍ମିଳନୀରେ ମୋ ଗୀତ ‘ଉଡାଇ ନିଶାଣ ବଜାଇ ଭେରି, ଜଗାଇ ବିପୁଳ ପୁଲକ କମ୍ପ’ । ତା’ ସାଙ୍ଗକୁ ‘କୋଟି କୋଟି କଣ୍ଠେ ଆଜି, ଉଠୁରେ ଗମ୍ଭୀରେ ବାଜି, ଉତ୍କଳର ଜୟଗୀତି ଉନ୍ମାଦନା ଭରା’ ବୋଲା ହେଲା । ଏ ଦୁଇଟି ଗୀତ ଶୁଣି ଗୋପବନ୍ଧୁ ମଞ୍ଚ ଉପରକୁ ମୋତେ ଡାକି ନେଇ କୁଣ୍ଢାଇ ପକାଇଲେ । କିନ୍ତୁ ମୋ କୁଣ୍ଢ ପାଇଲା ନାହିଁ ।” କାନ୍ତକବିଙ୍କର ଏଭଳି ଅନେକ ଜାତୀୟ ଚେତନା ଉଦ୍ରେକକାରୀ ସଂଗୀତଗୁଡିକୁ ଜାତୀୟ କବି ବାଞ୍ଛାନିଧି ମହାନ୍ତି ହାରମୋନିୟମ ବଜାଇ ପୁରପଲ୍ଲୀରେ ପରିବେଷଣ କରୁଥିଲେ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଆନ୍ଦୋଳନ କାଳରେ ଲୋକଙ୍କ ମନରେ ଉତ୍କଳୀୟ ପ୍ରୀତି ଜାଗ୍ରତ କରିବା ଏହାର ଏକମାତ୍ର ଉଦ୍ଦେଶ୍ୟ ଥିଲା ।

ମୁକୁନ୍ଦ ପ୍ରସାଦ ଦାସ

କାନ୍ତକବିଙ୍କର ଚାରିଜଣ ସାନ ଭଉଣୀ ଜାହ୍ନବୀ ଦେବୀ, କୋକିଳା ଦେବୀ, ନିର୍ମଳା ଦେବୀ ଓ କୁମୁଦିନୀ ଦେବୀ ଉଭୟ ସ୍ୱାଧୀନତା ସଂଗ୍ରାମ ଓ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଆନ୍ଦୋଳନରେ ସକ୍ରିୟ ଭାଗ ନେଇଥିଲେ । ସେଥିମଧ୍ୟରୁ ଜାହ୍ନବୀ ଦେବୀ ଏବଂ କୋକିଳା ଦେବୀ ବାରମ୍ବାର କାରାବରଣ କରିଥିଲେ । ଅନ୍ୟପକ୍ଷରେ କାନ୍ତକବିଙ୍କର ଦୁଇ ଜଣ ଭଗ୍ନୀପତି ବା ଭିଣୋଇ ମୁକୁନ୍ଦ ପ୍ରସାଦ ଦାସ (ଜାହ୍ନବୀ ଦେବଙ୍କ ସ୍ୱାମୀ) ଓ ଗଜେନ୍ଦ୍ର ପ୍ରସାଦ ଦାସ (ନିର୍ମଳା ଦେବୀଙ୍କ ପତି) ମଧ୍ୟ ଉଭୟ ସଂଗ୍ରାମରେ ସାମିଲ ହୋଇ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ମୁକୁନ୍ଦ ପ୍ରସାଦଙ୍କ ସାନଭାଇ ଥିଲେ ଗଜେନ୍ଦ୍ର ପ୍ରସାଦ । ମୁକୁନ୍ଦ ପ୍ରସାଦ ଦାସ ଓଡିଶା ବିଧାନସଭାର ପ୍ରଥମ ବାଚସ୍ପତି ଥିବାବେଳେ ଗଜେନ୍ଦ୍ର ପ୍ରସାଦ ଦାସ ପାଟନା ହାଇକୋର୍ଟର ବିଶିଷ୍ଟ ଆଇନଜୀବୀ ଥିଲେ । ଏହି ଦୁଇ ଭାଇ କାନ୍ତକବିଙ୍କର ଦୁଇ ସାନ ଭଉଣୀଙ୍କୁ ବିବାହ କରିଥିଲେ । ମୁକୁନ୍ଦ ପ୍ରସାଦ ବାଲେଶ୍ୱର ସହରର ବିଶିଷ୍ଟ ଓକିଲ ଥିଲେ । ଇଂରେଜ ସରକାର ମିଥ୍ୟା ମୋକଦ୍ଦମାରେ ଜଡିତ କରି ଜେଲ ପଠାଉଥିବା ସତ୍ୟାଗ୍ରହୀ ମାନଙ୍କୁ (ହରେକୃଷ୍ଣ ମହତାବଙ୍କ ସମେତ) ସେ ବିନା ପାରିଶ୍ରମିକରେ ମୋକଦ୍ଦମା ଲଢି ଖଲାସ କରୁଥିଲେ । ପରବର୍ତ୍ତୀ କାଳରେ ସେ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଆଇନ ବ୍ୟବସାୟ ପରିତ୍ୟାଗ କରିଥିଲେ ।

ଉଭୟ ଜାତୀୟ ଆନ୍ଦୋଳନ ଏବଂ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଆନ୍ଦୋଳନ କ୍ଷେତ୍ରକୁ ମୁକୁନ୍ଦ ପ୍ରସାଦ ଦାସଙ୍କର ମହତ୍ୱପୂର୍ଣ୍ଣ ଅବଦାନ ଥିଲା । ୧୯୧୬ ଡିସେମ୍ବର ୨୯ ଓ ୩୦ ତାରିଖରେ ବାଲେଶ୍ୱର ସହରରେ ଉତ୍କଲ ସମ୍ମିଳନୀର ଦ୍ୱାଦଶ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ତହିଁରେ କଟକ ଠାରେ ଏକ ଇଞ୍ଜିନିୟରିଂ ସ୍କୁଲ ପ୍ରତିଷ୍ଠା ନିମନ୍ତେ ଗୃହୀତ ପ୍ରସ୍ତାବର ମୁକୁନ୍ଦ ପ୍ରସାଦ ସମର୍ଥକ ଥିଲେ । ଉକ୍ତ ପ୍ରସ୍ତାବରେ କୁହାଯାଇଥିଲା ଯେ ଓଡିଶାରେ ବୈଷୟିକ ଶିକ୍ଷାର ପ୍ରସାର ଉଦ୍ଦେଶ୍ୟରେ କଟକ ଠାରେ ଗୋଟିଏ ଇଞ୍ଜିନିୟରିଂ ସ୍କୁଲ ସ୍ଥାପନ ହେବା ନିତ୍ୟାନ୍ତ ଆବଶ୍ୟକ ।

ଗଜେନ୍ଦ୍ର ପ୍ରସାଦ ଦାସ

ଅନ୍ୟ ଏକ ପ୍ରସ୍ତାବରେ ଦର୍ଶାଯାଇଥିଲା ଯେ ଓଡିଆମାନଙ୍କ ପାଇଁ ପୃଥକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନହେବା ପର୍ଯ୍ୟନ୍ତ ପାଟନା ପରିବର୍ତ୍ତେ କଲିକତା ବିଶ୍ୱବିଦ୍ୟାଳୟ ଅଧୀନରେ ଓଡିଆ ମାନଙ୍କର ଉଚ୍ଚଶିକ୍ଷା ବ୍ୟବସ୍ଥା ରଖାଯାଉ । ତହିଁରେ କାନ୍ତକବିଙ୍କ ଭଗ୍ନୀପତି ଗଜେନ୍ଦ୍ର ପ୍ରସାଦ ଦାସ ଅନ୍ୟତମ ସମର୍ଥକ ଥିଲେ ।

ସମ୍ମିଳନୀର ସେହି ବାଲେଶ୍ୱର ଅଧିବେଶନରେ ସଭ୍ୟ ସଂଖ୍ୟା ବୃଦ୍ଧି ଏବଂ ଉତ୍କଳ ସମ୍ମିଳନୀର ନିୟମାବଳୀ ପ୍ରସ୍ତୁତି ସକାଶେ ଗୋଟିଏ ଆଠ ଜଣିଆ କମିଟି ଗଠନ ନିମନ୍ତେ ଆଉ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଅଧ୍ୟକ୍ଷତାରେ ଗଠିତ ଉକ୍ତ ଆଠ ଜଣିଆ କମିଟିରେ ଭାଗବତ ପ୍ରସାଦ ମହାପାତ୍ର (କାନ୍ତକବିଙ୍କ ପିତା), ଲାଲ ମୋହନ ଦାସ (କାନ୍ତକବିଙ୍କ ଶ୍ୱଶୁର), ମୁକୁନ୍ଦ ପ୍ରସାଦ ଦାସ (କାନ୍ତକବିଙ୍କ ଭଗ୍ନୀପତି), ଗଜେନ୍ଦ୍ର ପ୍ରସାଦ ଦାସ (କାନ୍ତକବିଙ୍କ ଅନ୍ୟତମ ଭଗ୍ନୀପତି) ରାଧାଶ୍ୟାମ ଦାସ(ଭାଗବତବାବୁଙ୍କ ମାମୁଁ ପୁଅ ଭାଈ) ପ୍ରଭୃତି ସଦସ୍ୟ ରହିଥିଲେ । ଏହିପରି ଭାବରେ କାନ୍ତକବିଙ୍କ ସମଗ୍ର ପରିବାର ଉଭୟ ସ୍ୱାଧୀନତା ସଂଗ୍ରାମ ଓ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଆନ୍ଦୋଳନରେ ସଂପୂର୍ଣ୍ଣ ଭାବରେ ସମର୍ପିତ ହୋଇଥିଲେ ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୬)
More

ଆମେ ପାଉଡୀ ଭୂୟାଁ (ଭାଗ ୬୮)

by ଭବେଶ ଚନ୍ଦ୍ର କର
November 28, 2025

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୮ ନଭେମ୍ବର ୨୦୨୫ ତାପରଦିନ ସକାଳୁ ସକାଳୁ ବାବୁ ଉଠି କାମକୁ ଚାଲିଗଲେ। ସନ୍ଧ୍ୟା ସମୟରେ ଫେରିବେ ବୋଲି କହି ଗଲେ।...

Read more
ସମ୍ବିଧାନକୁ ସମ୍ମାନ ଦେବା – ନାଗରିକଙ୍କ କର୍ତ୍ତବ୍ୟ

ସମ୍ବିଧାନକୁ ସମ୍ମାନ ଦେବା – ନାଗରିକଙ୍କ କର୍ତ୍ତବ୍ୟ

November 26, 2025
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୬୭)

November 17, 2025
Prathamashtami

Prathamashtami

November 12, 2025
ଉମା ଭାଇନା ଓ ସୁକୁ ନାନୀ (ଭାଗ ୪୯)

ଉମା ଭାଇନା ଓ ସୁକୁ ନାନୀ (ଭାଗ ୪୯)

November 11, 2025
SARDAR of India

SARDAR of India

October 31, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.