• About
  • Contact
Thursday, October 15, 2026
Thursday, October 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଓଡ଼ିଶାର ବିଲୁପ୍ତ ନୌବାଣିଜ୍ୟ ପରମ୍ପରା

ଓଡ଼ିଶାର ବିଲୁପ୍ତ ନୌବାଣିଜ୍ୟ ପରମ୍ପରା
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୪ ନଭେମ୍ବର ୨୦୨୪

କାର୍ତ୍ତିକ ପୂର୍ଣ୍ଣିମା ସମଗ୍ର ଓଡ଼ିଶାରେ ଏକ ଜାତୀୟ ପର୍ବ ଭାବରେ ପାଳିତ ହୁଏ। ଏହାକୁ ବୋଇତ ଭସାଣ ଉତ୍ସବ ବୋଲି ମଧ୍ୟ କୁହାଯାଏ। ଏହି ଦିନ ପ୍ରତ୍ୟୁଷରେ ଓଡ଼ିଆ ଜାତି କଦଳୀ ବାହୁଙ୍ଗାରେ ପ୍ରସ୍ତୁତ ଡଙ୍ଗାରେ ଦୀପ ଜାଳି, ପାନ ଗୁଆ ରଖି ତାକୁ ଜଳ ବକ୍ଷରେ ମେଲାଣି ଦେଇ ଆ, କା, ମା,ଭୈ ଉଚ୍ଚାରଣ କରିଥାଏ। ଅତୀତରେ ଆଷାଢ଼ ଠାରୁ କାର୍ତ୍ତିକ ମାସ ପର୍ଯ୍ୟନ୍ତ ବୋଇତ ଚଳାଚଳ ପାଇଁ ଉପଯୁକ୍ତ ସମୟ ଥିଲା। ତେଣୁ ସେଥିପାଇଁ “ଆ, କା,” କୁହା ଯାଉଥିଲା। ସେହିପରି “ମା, ଭୈ” ର ଅର୍ଥ ଭୟ କର ନାହିଁ। ପ୍ରାଚୀନ କାଳରେ ଉତ୍କଳୀୟ ନୌଯାତ୍ରୀ ନୌକା ନିର୍ଗମନ ସମୟରେ ଉପକୂଳରେ ପ୍ରତୀକ୍ଷାରତ ଆତ୍ମୀୟସ୍ୱଜନମାନଙ୍କୁ ଏହି ଅଭୟ ବାଣୀ ଶୁଣାଇ ସମୁଦ୍ର ଯାତ୍ରା ଆରମ୍ଭ କରୁଥିଲେ।

ପ୍ରାଚୀନ କାଳରେ ପାଲ ସାହାଯ୍ୟରେ ମୁଖ୍ୟତଃ ପବନ ଶକ୍ତିକୁ ନିୟନ୍ତ୍ରିତ କରି ବୋଇତ ଚାଳନା କରାଯାଉଥିଲା। ଆଷାଢ଼ ଠାରୁ କାର୍ତ୍ତିକ ମାସ ପର୍ଯ୍ୟନ୍ତ ଭାରତର ପୂର୍ବ ଉପକୂଳରେ ଦକ୍ଷିଣ-ପଶ୍ଚିମ ଦିଗରୁ ମୌସୁମୀ ବାୟୁ ପ୍ରବାହିତ ହେଉଥିଲା। ଅନ୍ୟପକ୍ଷରେ ବର୍ଷା ଜଳ ଦ୍ୱାରା ଓଡ଼ିଶାର ନଦନଦୀ ଗୁଡ଼ିକ ମଧ୍ୟ ଜଳ ପୂର୍ଣ୍ଣ ହୋଇ ଯାଉ ଯାଉଥିଲା। ତେଣୁ ବୋଇତ ଗୁଡ଼ିକ ପ୍ରାୟତଃ ଆଷାଢ଼ ମାସରେ ବିଦେଶକୁ ଅଭିଯାନ ଆରମ୍ଭ କରୁଥିଲେ। ଜଳପଥରେ ତିନି ଚାରି ମାସ ସମୟ ଅତିବାହିତ କରିବା ପରେ କାର୍ତ୍ତିକ ମାସରେ ହିଁ ବୋଇତ ଗୁଡ଼ିକ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରୁଥିଲା। ପୂର୍ବ ଭାରତୀୟ ଦ୍ବୀପ ପୁଞ୍ଜକୁ ବଣିଜ ପାଇଁ ଜାହାଜ ଯାତ୍ରା ନିମନ୍ତେ କାର୍ତ୍ତିକ ପୂର୍ଣ୍ଣିମାକୁ ସବୁଠାରୁ ଶୁଭଙ୍କର ଓ ନିରାପଦ ବିଚାର କରାଯାଉଥିଲା। କାର୍ତ୍ତିକ ମାସ ଠାରୁ ଉତ୍ତର ପୂର୍ବ ମୌସୁମୀ ବାୟୁର ଆଗମନ ଦୃଷ୍ଟିରୁ ବାୟୁଚାଳିତ ବୋଇତ ଗୁଡ଼ିକ ପୂର୍ବ ଭାରତୀୟ ଦ୍ଵୀପପୁଞ୍ଜ ଅଭିମୁଖେ ନିର୍ବିଘ୍ନରେ ଯାତ୍ରା କରୁଥିଲା। ବଣିଜ ଓଡ଼ିଆ ସାଧବ ମାନଙ୍କର କୌଳିକ ବୃତ୍ତି ଥିଲା। ସେଥିପାଇଁ ଓଡ଼ିଆ ସାଧବପୁଅ ସଂଘବଦ୍ଧ ହୋଇ କାର୍ତ୍ତିକ ପୂର୍ଣ୍ଣିମା ପ୍ରତ୍ୟୁଷରୁ ବାଲି ପ୍ରଭୃତି ପୂର୍ବ ଭାରତୀୟ ଦ୍ବୀପପୁଞ୍ଜକୁ ନୌଯାତ୍ରା କରୁଥିଲେ। ସମୁଦ୍ର ବିହାରରେ ଓଡ଼ିଆ ସାଧବ ଅତ୍ୟନ୍ତ ଧୂରୀଣ ବା ଧୁରନ୍ଧର ଥିଲେ। ଋକ୍ ବେଦରୁ ଜଣାଯାଏ, ତତ୍କାଳୀନ ଓଡ଼ିଆମାନେ ଦରିଆ ପାରି ବାଣିଜ୍ୟରେ ବେଶ୍ ପାରଦର୍ଶିତା ହାସଲ କରିଥିଲେ।

ଭାରତର ଅନ୍ୟାନ୍ୟ ଉପକୂଳ ଅପେକ୍ଷା ଓଡ଼ିଶାର ଉପକୂଳ ଅଧିକ ମାତ୍ରାରେ ନଦୀ ବିଧୌତ। ସେଥିପାଇଁ ଓଡ଼ିଶାରେ ଅପେକ୍ଷାକୃତ ଅଧିକ ସଂଖ୍ୟକ ବନ୍ଦର ପରିଲକ୍ଷିତ ହୋଇଥିଲା। ପ୍ରାଚୀନ କଳିଙ୍ଗର ନୌଚାଳନା ଓ ନୌବାଣିଜ୍ୟ ପରମ୍ପରା ଭାରତ ଇତିହାସର ଅନ୍ୟତମ ଗୌରବୋଜ୍ୱଳ ଅଧ୍ୟାୟ। ବହୁ ନାଦନଦୀ ଦ୍ୱାରା ଦନ୍ତୁରିତ କଳିଙ୍ଗର ଉପକୂଳ ଅଞ୍ଚଳ ନୌଚାଳନା ପାଇଁ ବିଶେଷ ଅନୁକୂଳ ଥିଲା। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ପରିବେଶ କଳିଙ୍ଗର ନାବିକମାନଙ୍କୁ ନୌଚାଳନାରେ ପାରଦର୍ଶିତା ହାସଲ ନିମନ୍ତେ ଅପୂର୍ବ ସୁଯୋଗ ସୃଷ୍ଟି କରିଥିଲା।

ବର୍ତ୍ତମାନ ମେଦିନୀପୁରର ତାମ୍ରଲିପ୍ତି ବା ତମଲୁକ ପୁରାତନ ଓଡ଼ିଶାର ଅନ୍ୟତମ ପ୍ରଧାନ ବନ୍ଦର ଥିଲା। ସିଂହଭୂମ ଜିଲ୍ଲା ଗେଜେଟିୟରର ଲେଖକ ଡାଲଟନ ସାହେବ ଉଲ୍ଲେଖ କରିଛନ୍ତି ଯେ, ସିଂହଭମ ଅଞ୍ଚଳର ପ୍ରାଚୀନ ତମ୍ବା ଖଣି ମାନଙ୍କରୁ ପ୍ରଚୁର ପରିମାଣର ତମ୍ବା ସଂଗ୍ରହ କରାଯାଇ ଏହି ବନ୍ଦର ଜରିଆରେ ବିଦେଶକୁ ରପ୍ତାନି କରାଯାଉଥିଲା। ସେଥିଯୋଗୁ ସମ୍ଭବତଃ ଏହି ବନ୍ଦରର ନାମ ତାମ୍ରଲିପ୍ତି ରଖାଯାଇଥିଲା।

ସେହିପରି ଅତୀତର କଳିଙ୍ଗନଗର ବନ୍ଦରକୁ ବର୍ତ୍ତମାନର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ କଳିଙ୍ଗପାଟନମ ବୋଲି ବିବେଚନା କରାଯାଉଛି। କାରଣ ତେଲୁଗୁ ଭାଷାରେ “ପାଟନମ୍”ର ଅର୍ଥ ବନ୍ଦର। ମେରାଇନ ସର୍ଭେ ଅଫ ଇଣ୍ଡିଆର ୧୮୭୪ ମସିହା ରିପୋର୍ଟ ଅନୁସାରେ ଏହା ଗଞ୍ଜାମର ଦକ୍ଷିଣ ସୀମାସ୍ଥିତ ବଂଶଧାରା ନଦୀକୂଳରେ ଅବସ୍ଥିତ ଥିଲା। ରେଙ୍ଗୁନୁକୁ ଏହି ବନ୍ଦରରୁ ସାପ୍ତାହିକ ଜାହାଜ ଚଳାଚଳ କରୁଥିଲା।

ଅନ୍ୟପକ୍ଷରେ ସାଳନ୍ଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀର ସଂଗମ ସ୍ଥଳରେ ଧାମରା ବନ୍ଦର ଅବସ୍ଥିତ। ଖ୍ରୀଷ୍ଟିୟ ଦ୍ୱିତୀୟ ଶତକରେ ଲିଖିତ ଟଲେମିଙ୍କ ଭୁଗୋଳରେ “ଆଦମସ” ନାମକ ବନ୍ଦରକୁ ଧାମରା ସହିତ ତୁଳନା କରାଯାଉଛି।

ଇଷ୍ଟ ଇଣ୍ଡିଆ କମ୍ପାନୀ ରେକର୍ଡ଼ରୁ ଜଣାପଡ଼େଯେ, ନୌବାଣିଜ୍ୟ ବ୍ୟତିରେକେ ଓଡ଼ିଶାରେ ଜାହାଜ ନିର୍ମାଣ ଓ ମରାମତି କାର୍ଯ୍ୟ ସପ୍ତଦଶ ଶତାବ୍ଦୀ ପର୍ଯ୍ୟନ୍ତ ଚାଲୁ ରହିଥିଲା। ଏହି କମ୍ପାନୀ ବାରବାଟୀ ଦୁର୍ଗରେ ଅବସ୍ଥିତ ନବାବଙ୍କ ଠାରୁ ଅନୁମତି ପତ୍ର ହାସଲ କରି ଓଡ଼ିଶା ଉପକୂଳରେ ଛୋଟ ବଡ଼ ଜାହାଜ ତିଆରି ଏବଂ ମରାମତି ଲାଗି ଅଧିକାର ପ୍ରାପ୍ତ ହୋଇଥିଲା। ଗଭୀର ସମୁଦ୍ରରେ ଚଳାଚଳ କରୁଥିବା ବଡ଼ ବଡ଼ ଜାହାଜ ଓ ଯୁଦ୍ଧ ଜାହାଜ ଗୁଡ଼ିକ ବାଲେଶ୍ୱର ଏବଂ ପିପିଲି ଠାରେ ତିଆରି ହେଉଥିଲା। ଓଡ଼ିଶା ଉପକୂଳରେ ସେତେବେଳେ ଅବସ୍ଥିତ ପର୍ଯ୍ୟାପ୍ତ ସଂଖ୍ୟକ ବନ୍ଦର ଗୁଡ଼ିକ ମଧ୍ୟରେ ତାମ୍ରଲିପ୍ତି, ଧାମରା, ପୁରୀ, କୋଣାଗାର, ଚିଲିକା, ପାଲୁର, କଳିଙ୍ଗନଗର ପ୍ରଭୃତି ଅନ୍ୟତମ ଥିଲା।

ଦରିଆ ପାରିରେ ଅବସ୍ଥିତ ସିଂହଳ, ବ୍ରହ୍ମଦେଶ, ଜାଭା, ସୁମାତ୍ରା, ବର୍ଣ୍ଣିଓ ଆଦି ଦେଶମାନଙ୍କରେ ସେତେବେଳେ ପ୍ରଚୁର ପରିମାଣରେ ସୁନାରୂପା ମିଳୁଥିଲା। ସେଇ ଆକର୍ଷଣରେ ଓଡ଼ିଆ ସାଧବପୁଅ ସମୁଦ୍ର ଭିତରେ ବୋଇତ ମେଲାଇ ଚାଲି ଯାଉଥିଲା। ବିଦେଶରୁ ଯେତେବେଳେ ସୁନାରୂପା ପ୍ରଭୃତି ଧରି ଫେରି ଆସୁଥିଲା, ସେତେବେଳେ କଳିଙ୍ଗର ନାରୀମାନେ ବୋଇତ ବନ୍ଦାଣ ବା ବନ୍ଦାପନା କରୁଥିଲେ।

ଓଡ଼ିଶାରେ “ଚଇତ, ଶୀତ ଯାଏ ବୋଇତ” ବୋଲି ଗୋଟିଏ ଢ଼ଙ୍ଗ ପ୍ରଚଳିତ ଅଛି। ଚୈତ୍ର ମାସ ପର ଠାରୁ ଗ୍ରୀଷ୍ମ ପ୍ରବାହ ଜୋର ହେବା ଯୋଗୁଁ ନଦୀ ଜଳ ଶୁଷ୍କ ହୋଇଯାଏ। ତେଣୁ ଚୈତ୍ର ଠାରୁ ଆଷାଢ଼ ମାସ ପର୍ଯ୍ୟନ୍ତ ନୌକା ବା ଜାହାଜ ବ୍ୟବହାର ସ୍ଥଗିତ ରହିଥାଏ। ସେଥିଯୋଗୁଁ ଆଜି ମଧ୍ୟ ଉତ୍କଳୀୟ କୈବର୍ତ୍ତ ଚୈତ୍ର ପୂର୍ଣିମା ଦିନ ନୌକା ପୂଜା କରି କିଛି ଦିନ ପାଇଁ ତା’ର ବ୍ୟବହାର ବନ୍ଦ ରଖିଥାଏ।

କାର୍ତ୍ତିକ ପୂର୍ଣ୍ଣିମାରେ ପ୍ରତୀକାତ୍ମକ କାଗଜ ବା କଦଳୀ ପାଟୁଆ ଡ଼ଙ୍ଗା ଭସାଣ ପରି ଚୈତ୍ର ପୂର୍ଣ୍ଣିମାରେ କୈବର୍ତ୍ତମାନଙ୍କ ଘୋଡା ନାଚ ପଛରେ ମଧ୍ୟ ଏକ ସୁନ୍ଦର କାହାଣୀ ରହିଛି। ପ୍ରାଚୀନ କାଳରେ ଗ୍ରୀଷ୍ମ ଋତୁ ଆରମ୍ଭରେ କୈବର୍ତ୍ତମାନଙ୍କ ଜଳ ଅଭିଯାନ ବନ୍ଦ ହେବା ପରେ ସେମାନେ ଚାରି ମାସ ପାଇଁ ସ୍ଥଳ ଯୁଧ୍ୟରେ ବ୍ୟାପୃତ ରହୁଥିଲେ। ଅଶ୍ୱ ଚାଳନା ସେମାନଙ୍କ ସ୍ଥଳ ଯୁଦ୍ଧର ଅନ୍ୟତମ ଅଂଶବିଶେଷ ଥିଲା। କୈବର୍ତ୍ତମାନଙ୍କ ସମରାଭ୍ୟାସ ବିଲୁପ୍ତ ହୋଇଯାଇଥିଲେ ସୁଦ୍ଧା ଚୈତ୍ର ପୂର୍ଣ୍ଣିମାକୁ ସେମାନେ ଜାତୀୟ ପର୍ବ ହିସାବରେ ପାଳନ କରି ଆସୁଛନ୍ତି। ସେଥିପାଇଁ ଉକ୍ତ ଦିନ ସେମାନେ ଘୋଡ଼ା ଆକୃତିର ବାଉଁଶ ଛାଞ୍ଚ ଉପରେ କପଡ଼ା ଆବରଣ ଦେଇ ଘୋଡ଼ା ପ୍ରସ୍ତୁତ କରି ନାଚାଇ ଥାଆନ୍ତି।

ପରିବର୍ତ୍ତିତ ପରିସ୍ଥିତିରେ ପ୍ରତିକୂଳ ଭୌଗୋଳିକ ଓ ପାଣିପାଗ ପରିସ୍ଥିତି ଯୋଗୁଁ ଓଡ଼ିଶାର ବନ୍ଦର ଗୁଡ଼ିକର ଜଳ ଧାରଣ କ୍ଷମତା କ୍ରମଶଃ ସଂକୁଚିତ ହୋଇଗଲା। ନଦୀ ବାହିତ ପଟୁ ଏବଂ ସାମୁଦ୍ରିକ ସ୍ରୋତ ବାହିତ ବାଲୁକାରାଶି ଦ୍ୱାରା ନଦୀ ମୁହାଣ ଗୁଡ଼ିକ ପୋତି ହୋଇ ପଡ଼ିଲା। ନଦୀ ମୁହାଣ ଖୋଳି ସେଗୁଡ଼ିକୁ ପୂନର୍ବାର କାର୍ଯ୍ୟକ୍ଷମ କରିବା ଲାଗି ଆବଶ୍ୟକ ରାଜକୀୟ କିମ୍ବା ସରକାରୀ ସହାୟତା ମିଳିଲା ନାହିଁ। ଅନ୍ୟପକ୍ଷରେ ଝଡ଼ ଝଞ୍ଜାର ସିନ୍ଧୁ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଜନିତ ବାତ୍ୟା ଦ୍ୱାରା ଓଡ଼ିଶାର ଉପକୂଳ ତଥା ବନ୍ଦରଗୁଡ଼ିକ ବାରମ୍ବାର ଧ୍ୱସ୍ତବିଧ୍ୱସ୍ତ ହୋଇଗଲା। ଫଳରେ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରା ଲୋପ ପାଇଗଲା।

ତେଣୁ ଆଜି ଓଡ଼ିଆ ସାଧବପୁଅ ସମୁଦ୍ରର ନୀଳ ଜଳରାଶିରେ ବୋଇତ ଧରି ଫେରୁନାହିଁ କିମ୍ବା ସାଧବ ବୋହୁ ବୋଇତ ବନ୍ଦାପନା କରୁନାହିଁ। ଓଡ଼ିଆ ବୀରତ୍ୱର ପ୍ରତୀକ ବାରବାଟୀ ଦୁର୍ଗ ମଧ୍ୟ ଧ୍ବଂସ ହୋଇ ଯାଇଛି। କର୍ପୁର ଉଡ଼ି ଯାଇଥିବାବେଳେ କେବଳ କନା ପଡ଼ି ରହିଛି। ସମୃଦ୍ଧ ତଥା ଗୌରବମଣ୍ଡିତ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ସ୍ମୃତିଚାରଣ ଲାଗି ଆମେ ଏବେ କେବଳ ପ୍ରତୀକାତ୍ମକ ଭାବେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ନଦୀ, ନାଳ, ପୁଷ୍କରିଣୀ ଆଦି ଜଳାଶୟରେ ଛୋଟ କାଗଜ ଡ଼ଙ୍ଗା କିମ୍ବା କଦଳୀ ପାଟୁଆ ଡ଼ଙ୍ଗା ଭସାଇ ଦେଇ ଆତ୍ମସନ୍ତୋଷ ଲାଭ କରୁଛୁ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.