• About
  • Contact
Wednesday, October 14, 2026
Wednesday, October 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

 ଓଳାଶୁଣୀ ର ସନ୍ଥ ଅରକ୍ଷିତ

 ଓଳାଶୁଣୀ ର ସନ୍ଥ ଅରକ୍ଷିତ
Share on FacebookShare on Xshare on Whatsappshare on Linkedin
ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୬ ଫେବୃଆରୀ ୨୦୨୪

ଗଞ୍ଜାମ ବଡଖେମଣ୍ଡି ରାଜ ଉଆସରେ ଭୋଗ ବିଳାସର ମୋହ ପରିତ୍ୟାଗ କରି ରାଜପୁତ୍ର ବଳଭଦ୍ର ଦେବ ସେଦିନ ତପସ୍ୱୀ ବେଶରେ ବାହାରି ଯାଇଥିଲେ । ବୁଲି ବୁଲି ଶେଷରେ ପହଞ୍ଚି ଯାଇଥିଲେ ଅବିଭକ୍ତ କଟକ ଜିଲ୍ଲା ଅନ୍ତର୍ଗତ ବୌଦ୍ଧ ପୀଠ ଲଳିତଗିରିର ଅନତି ଦୂରରେ ଘନଜଙ୍ଗଲ ପରିବେଷ୍ଟିତ ଏକ ପାହାଡର ପାଦ ଦେଶରେ । ରମ୍ୟ ବନାନୀ ର ସୁଶୀତଳ ବାୟୁ ମଣ୍ଡଳ ଘେରା ଶାନ୍ତ ସ୍ନିଗ୍ଧ ପରିବେଶ ଭିତରେ ଥିଲା ନିର୍ଜନ ଗୁମ୍ଫା । ନାଆଁ ତାର ଓଳାଶୁଣି । ବର ଓହଳର ଗହଳ ଭିତରେ ପ୍ରବେଶ କରୁ କରୁ ଗୁମ୍ଫା ଭିତରୁ ଶୁଣିପାରିଲେ ଆତ୍ମାର ଓଁକାର ଧ୍ଵନି । ଓଁକାର କ୍ଷେତ୍ର ଭାବରେ ପରିଚିତ ଏହି ସ୍ଥାନ ଟି ପୂର୍ବରୁ କେନ୍ଦ୍ରାପଡ଼ା ଅଞ୍ଚଳ ର ଜମିଦାର ନରେନ୍ଦ୍ର ଦେବଙ୍କ ଅଧୀନରେ ଥିଲା । ରାଜପୁତ୍ର ବଳଭଦ୍ରଙ୍କ ଅନୁରୋଧ କ୍ରମେ ତାଙ୍କ ସନ୍ୟାସୀ ଜୀବନର ଯୋଗ ସାଧନା ସକାଶେ ଜମିଦାର ଏଇ ବଣ ଜଙ୍ଗଲ ଘେରା ଓଳାଶୁଣି ଶକ୍ତି ପୀଠକୁ ଯଥାର୍ଥ ବିଚାରି ଦାନ ସୂତ୍ରରେ ଦେଇଥିଲେ । ସେ ସମୟରେ ଆଦିମ ଅଧିବାସୀ ମାନଙ୍କ ଦ୍ଵାରା ନିଘଞ୍ଚ ଅରଣ୍ୟ ପାହାଡିଆ ଅଞ୍ଚଳରେ ପଥର ଖୋଦିତ ମୂର୍ତ୍ତୀ, ବୃକ୍ଷ ଆଦି ପୂଜା ପ୍ରଚଳିତ ଥିଲା ।

ବିଶେଷତଃ ତନ୍ତ୍ର ପୂଜା, ଶକ୍ତି ପୂଜାର ପରମ୍ପରାରେ ମାତୃ ପୂଜା କୁ ଗୁରୁତ୍ବ ଦିଆ ଯାଇଥିଲା। ଏହି କ୍ରମରେ ମାଆ ପିତେଇଶୁଣି, ଭୂଆଶୁଣି ଆଦି ନାମରେ ଉପାସିତ ହେଉଥିଲେ । ନିକଟତମ ଦୂରତା ଦୃଷ୍ଟିରୁ ଯାଜପୁର ବିରଜା କ୍ଷେତ୍ର ସର୍ବ ପ୍ରାଚୀନ ତଥା ସର୍ବ ପ୍ରଥମ ଶକ୍ତି ପୀଠ ର ପ୍ରଭାବ ରହିଥାଇପରେ । ବଟ ବୃକ୍ଷର ଓହଳରେ ହେଉ କି, ଓହଳି ଥିବା ବୃକ୍ଷ ଶାଖାରେ ବିରାଜିତ ହୋଇ ଆରାଧ୍ୟା ମାଆ ଭକ୍ତ ମାନଙ୍କର ଗୁହାରି ଶୁଣୁ ଥିବାରୁ ଏହି ପାହାଡ ଓହଳଶୁଣି ଓ ପରେ ଅପଭ୍ରଂଶ ହୋଇ ଓଳାଶୁଣି ନାମରେ ପରିଚିତ ହୋଇଥିବା ଏକ ବିଶ୍ୱାସ ଯୋଗ୍ୟ ଜନଶ୍ରୁତି / କିମ୍ବଦନ୍ତୀ କୁ ଅସ୍ବୀକାର କରି ହେବନାହିଁ । ସେଥିପାଇଁ ବୋଧ ହୁଏ, ଓଳାଶୁଣି ମାଆ ଙ୍କୁ ସୁମରଣ କରି ଭକ୍ତ ମାନେ ଏହି ପୀଠର ଏକ ନିର୍ଦ୍ଦିଷ୍ଟ ବୃକ୍ଷ ଶାଖାରେ ମାନସିକ ପୂରଣ ପାଇଁ ମାଆଙ୍କ ଉଦ୍ଦେଶ୍ୟରେ କପଡ଼ା, ପଣତ, ସୂତା, ଉପନୀତ, ଶଙ୍ଖା, ସିନ୍ଦୂର ଓ ଚନ୍ଦନ ଆଦି ଅର୍ପଣ କରି ଆସୁଥିବା ପରମ୍ପରା ରହିଛି ।

ସେଇ ପବିତ୍ର ପାବନ କ୍ଷେତ୍ରର ଓଁକାର ଗୁଞ୍ଜନରେ ସେଇଠି ରହିଗଲେ ରାଜପୁତ୍ର ବଳଭଦ୍ର । ଆକର୍ଷଣ ତାଙ୍କର ବଢ଼ିଗଲା ଯେମିତି । ସତେକି, ଏହି ସ୍ଥାନଟି ହେବ ତାଙ୍କ ସିଦ୍ଧ ସାଧନାର ଚାରଣ ଭୂମି । ଯୁବ ତପସ୍ୱୀର ତପ ସ୍ଥଳ । ସତକୁ ସତ କଠୋର ତପସ୍ୟାରେ ମଗ୍ନ ହୋଇ ସିଦ୍ଧି ଲାଭକଲେ ଯେଉଁ ଯୋଗୀ, ପରବର୍ତ୍ତୀ କାଳରେ ସେ ପରିଚିତ ହେଲେ ସନ୍ଥ ଅରକ୍ଷିତ ଦାସ ନାମରେ । ପାର୍ଥିବ ବିଷୟ ବାସନା ଠାରୁ ନିଜକୁ ଦୂରେଇ ରଖି ଆତ୍ମିକ ଭାବରେ ସନ୍ଥ ଅରକ୍ଷିତ ସଂଯୋଗ ସ୍ଥାପନ କରି ସାଧୁ ସଙ୍ଗ ଲାଭ କଲେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ସହିତ । ତାଙ୍କ ତ୍ୟାଗ, ତିତିକ୍ଷା, ତପସ୍ୟା ଆଗରେ ହିଂସ୍ର ବନ୍ୟ ଜନ୍ତୁ ବଶୀଭୂତ ହୋଇ ଯାଉଥିବା କଥା କିମ୍ବଦନ୍ତୀ ଅଥବା ଜନଶୃତିରେ ବିଦିତ ଅଛି । ଅରକ୍ଷିତଙ୍କ ସିଦ୍ଧ ସାଧନା ପ୍ରତି ଆକର୍ଷିତ ହୋଇଥିବା ଆଧ୍ୟାତ୍ମିକ ଓଡ଼ିଶାର ବହୁ ସିଦ୍ଧ ସାଧକ, ତପସ୍ୱୀ ଏବଂ ମହାପୁରୁଷଙ୍କ ପଦରେଣୁ ପଡ଼ି ଏହି ପାହାଡ଼ ର ପଥର, ଗୋଡ଼ି, ମାଟି ପବିତ୍ର ହୋଇଗଲା । ପାଲଟି ଗଲା ପରମ ପାବନ କ୍ଷେତ୍ର ।

ଏଇ ସେଇ “ଓଳାଶୁଣି” … ଯେଉଁଠି କୌଣସି ତାପ ସହିବାକୁ ପଡ଼େ ନାହିଁ । ମନର ସନ୍ତାପ ହେଉ କି, ରୌଦ୍ର ତାପ ! ସବୁ ଏଠି ଉଭେଇ ଯାଏ…. ତନୁ ମନରେ ଶୀତଳ ଚନ୍ଦନ ପ୍ରଲେପ ପରି ହୁଏ ଅନୁଭବ … ସନ୍ଥ ସାଧକ ଅରକ୍ଷିତ ଦୀର୍ଘ ୧୮ ବର୍ଷ ସାଧନା କରି ସିଦ୍ଧି ଲାଭ କରିଥିଲେ ଏଇଠି । ଏହିଠାରେ ହିଁ ସମାଧିସ୍ଥ ହୋଇଥିଲେ ସେ ନିଜ ଜୀବନକୁ ବ୍ରହ୍ମ ରେ ଲୀନ କରିବାକୁ ୧୮୩୭ ମସିହା ମାଘ କୃଷ୍ଣ ଏକାଦଶୀ ତିଥିରେ । ପ୍ରତିବର୍ଷ ସେଥିପାଇଁ ସନ୍ଥଙ୍କ ସ୍ମୃତିରେ ଶ୍ରଦ୍ଧାଳୁ ମାନେ ଛୁଟି ଆସନ୍ତି ଏହି ଓଳାଶୁଣି ପୀଠକୁ ଶ୍ରଦ୍ଧା ନିବେଦନ କରିବାକୁ । ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ମେଳାରେ ପାଳିତ ହୁଏ ଓଳାଶୁଣିର ସନ୍ଥ ଅରକ୍ଷିତଙ୍କ ପୁଣ୍ୟ ତିଥି – ଏହି ସ୍ମରଣୀୟ ବ୍ରହ୍ମଲୀନ ଦିବସ ।

ଏଠାକାର ଆରାଧ୍ୟ ଦେବୀ ଓଳାଶୁଣି ଙ୍କ ନିକଟରେ ଭୋଗ ଲାଗେ ଶୁଖୁଆ ଓ ପୋଡ଼ପିଠା, କାଞ୍ଜି ତୋରାଣି । ଜାତି, ଧର୍ମ, ବର୍ଣ୍ଣରେ ବିଭେଦ, ବିଦ୍ୱେଷ, ବିଭବନା ବିଦୂରିତ କରି ଶହ ଶହ ବର୍ଷ ଧରି ପାଳିତ ହେଉଛି ଏହି ଓଳାଶୁଣି ମେଳା। ସମାଜ ରେ ଶାନ୍ତି, ସଂହତି ଓ ସମନ୍ଵୟର ବାର୍ତ୍ତା ଦେଇ ଚାଲିଛି ଯୁଗ ଯୁଗ ପାଇଁ । ନିର୍ଗୁଣ ବ୍ରହ୍ମ ଉପାସନା, ଜୀବ – ବ୍ରହ୍ମ ତତ୍ତ୍ଵ ର ସାରବତ୍ତା ଏହି ପୀଠ ର ମହତ୍ତ୍ଵ ବୋଲି ବିବେଚନା କରାଯାଏ । ସଂପ୍ରତି ଶାକ୍ତ ଓ ସନାତନ ଧାର୍ମିକ ପରମ୍ପରାର ଅପୂର୍ବ ସମନ୍ଵୟ ସ୍ଥଳ ଭାବରେ ଏହି ଓଳାଶୁଣି ପୀଠ ପରିଗଣିତ ହୋଇଛି । ମହାପୁରୁଷ ଅରକ୍ଷିତ ଦାସ ଉତ୍କଳୀୟ ଜନଜୀବନରେ ପ୍ରାତଃ ସ୍ମରଣୀୟ ହୋଇଛନ୍ତି ଜଣେ ଅନନ୍ୟ ସନ୍ଥ ଭାବରେ ।

ସନ୍ଥ ଅରକ୍ଷିତ ଦାସ ଉତ୍କଳର ଆଧ୍ୟାତ୍ମିକ ସାହିତ୍ୟକୁ ଦାନ କରି ଯାଇଛନ୍ତି ଅନେକ ତତ୍ତ୍ଵ ଜ୍ଞାନପୂର୍ଣ୍ଣ ଗ୍ରନ୍ଥ । ତନ୍ମଧ୍ୟରୁ ତାଙ୍କ ରଚିତ “ମହୀମଣ୍ଡଳ ଗୀତା” ଜୀବବ୍ରହ୍ମ ସାରତତ୍ତ୍ଵ ସମ୍ବିଳିତ ଆଧ୍ୟାତ୍ମିକ ଗ୍ରନ୍ଥ ଅନ୍ୟତମ। ଏଥିରେ ୧୦୮ କୁ ବ୍ରହ୍ମ ସଂଖ୍ୟା ଭାବେ ବର୍ଣ୍ଣନା କରାଯାଇଛି । ଏହି ସଂଖ୍ୟା ପରିପୂର୍ଣ୍ଣ ଜୀବନର ସାଧନା ପାଇଁ ଏକ ଆଧ୍ୟାତ୍ମିକ ଆଧାର ରୂପେ ବ୍ୟବହାର କରାଯାଇପାରେ । ଯେମିତିକି ଶୈବ ଉପାସନାରେ ୧୦୮ ତ୍ରିଶାଖା ବିଲ୍ଵ ପତ୍ର ଅର୍ପଣ କରାଯାଏ, ଶ୍ରୀହନୁମାନ ଚାଳିଶା ୧୦୮ ଥର ଜପ କରାଯାଏ, ହୋମ ଯଜ୍ଞାଦି ଧର୍ମ କାର୍ଯ୍ୟରେ ୧୦୮ ପୂର୍ଣ୍ଣ କୁମ୍ଭ ସ୍ଥାପନ କରାଯାଏ, ଇତ୍ୟାଦି ଇତ୍ୟାଦି । ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ୧୨ ଗୋଟି ରାଶି ତଥା ୨୭ ଗୋଟି ନକ୍ଷତ୍ର କୁ ନେଇ ଗଣନା କରାଯାଏ । ପ୍ରାଣୀର ଜୀବନ ଧାରାକୁ ନିୟନ୍ତ୍ରଣ କରୁଥିବା ରାଶି ଚକ୍ର, ନକ୍ଷତ୍ର ମଣ୍ଡଳ ଆଧାରରେ ଭଲ ମନ୍ଦ, ସୁଖ ଦୁଃଖ ଆଦି ସଠିକ୍ ନିର୍ଣ୍ଣୟ ହୁଏ । ପୂର୍ଣ୍ଣାଙ୍ଗ ଜୀବନର ବିଶ୍ଳେଷଣ ରେ ଜ୍ୟୋତିର୍ବିଜ୍ଞାନୀ ମାନେ ୧୦୮ ସଂଖ୍ୟା କୁ ଅତ୍ୟନ୍ତ ଗୁରୁତ୍ବ ଦେଇଥାନ୍ତି । ପୂର୍ଣ୍ଣତା ମଧ୍ୟର ରେ ଶୂନ୍ୟ ଅର୍ଥାତ୍ ୧୦୮ ସଂଖ୍ୟାରେ ୧ ଅଙ୍କଟି ଏକ ଅକ୍ଷର ବ୍ରହ୍ମ କୁ ସୂଚାଉଛି । ପୁଣି ଏଥିରେ ୧ ସହିତ ୮ ଯୋଗ କଲେ ହେବ ୯, ଯାହାକି ଏକ ପୁର୍ଣ୍ଣ ସଂଖ୍ୟା । ୧୦୮ ମଧ୍ୟରେ ଶୂନ୍ୟ ରହିଛି । ବ୍ରହ୍ମ ଯେ ମହାଶୁନ୍ୟର ଅନନ୍ତ ଅବିନାଶୀ ସତ୍ତା, ଏକଥା ବୁଝିବାକୁ ହେବ । “ମହୀ ମଣ୍ଡଳ ଗୀତା ଓ ଗୁପ୍ତ ଟୀକା” ସନ୍ଥ ଅରକ୍ଷିତ ଦାସଙ୍କ ମାନବ ସମାଜ ପାଇଁ ଏକ ସର୍ବଶ୍ରେଷ୍ଠ କୃତି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଆଜି ଓଳାଶୁଣି ର ସନ୍ଥ ଅରକ୍ଷିତ ଙ୍କ ୧୮୭ ତମ ପୁଣ୍ୟ ତିଥିରେ ଜାତିର ଅଗଣିତ ପ୍ରଣତି ।

ଅବନୀ ଚନ୍ଦ୍ର ଦାସ

ଅବନୀ ଚନ୍ଦ୍ର ଦାସ

(ସାହିତ୍ୟିକ, ସ୍ତମ୍ଭକାର, ଗବେଷକ, ସୁସଂଗଠକ)
ସଂପାଦକ, ନିର୍ଭିକ
ସଂପାଦକ, ମାହାଙ୍ଗା ମୈତ୍ରୀ ମଞ୍ଚ
ସଂପାଦକ, ଉତ୍କଳୀୟ ସାହିତ୍ୟ ସଂସ୍କୃତି ପରିଷଦ
ପ୍ରଶାନ୍ତି ବିହାର, ଭୁବନେଶ୍ବର-୨୪
ଫୋନ୍ ନଂ. ୯୯୩୭୫୩୭୯୭୪

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.