• About
  • Contact
Saturday, April 11, 2026
Saturday, April 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ପୀଡ଼ିତାଙ୍କୁ ନ୍ୟାୟ ସମ୍ପର୍କରେ

ପୀଡ଼ିତାଙ୍କୁ ନ୍ୟାୟ ସମ୍ପର୍କରେ
Share on FacebookShare on Xshare on Whatsappshare on Linkedin
ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୧୬ ଜୁଲାଇ ୨୦୨୫

ବିଭିନ୍ନ କାରଣରୁ ଆମ ଦେଶର ନାରୀ, ପୁରୁଷ, ଶିଶୁ, ଯୁବା, ବୃଦ୍ଧ ବୃଦ୍ଧା, ଛାତ୍ର ଛାତ୍ରୀ ଶାରୀରିକ କିମ୍ବା ମାନସିକ ସ୍ତରରେ ନିର୍ଯାତନା ପାଇ ନିଜକୁ ଅସହାୟ ମଣୁଛନ୍ତି । ଆମ ସମାଜ କିମ୍ବା ଶାସନ ଯଥା ସମୟରେ ସେତିକି ସୁରକ୍ଷା ପାଇଁ ସାମର୍ଥ୍ୟ ଦେଖାଇ ପାରୁନଥିବା ପରିଲକ୍ଷିତ ହେଉଛି । ଭାରତର ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଏଭଳି ସମସ୍ୟା ଦେଖାଯାଉଛି । କେଉଁଠି ଯୌତୁକ ଜନିତ ନିର୍ଯାତନା, ଶାଶୁ ନଣନ୍ଦଙ୍କର ବଧୂ ନିର୍ଯାତନା ତ, କେଉଁଠି ବୃଦ୍ଧ ପିତାମାତାଙ୍କ ଉପରେ ପୁତ୍ର – ପୁତ୍ରବଧୂ ଙ୍କ ଅକଥନୀୟ ତାଡନା, ପୁଣି କେଉଁଠି ତରୁଣ / ଯୁବା ବୟସରେ ପ୍ରେମୀ ଯୁଗଳଙ୍କ ମଧ୍ୟରେ ବ୍ଲାକ୍ ମେଲିଂ ତ, ଏକ ତରଫା ପ୍ରେମ ବ୍ୟାପାରରେ ଅସଦାଚରଣ, ଏପରିକି ଅନେକ ସ୍ଥଳରେ ଅନିଚ୍ଛାକୃତ ଭାବେ ଲମ୍ଫଟ ବ୍ୟଭିଚାର ଜନିତ ଯୌନ – ନିର୍ଯାତନା ସାଙ୍ଗକୁ କେଉଁଠି ଧନ ସଂପତ୍ତି ଲୁଣ୍ଠନ ପ୍ରକ୍ରିୟାରେ ମଧ୍ୟ ଅତ୍ୟନ୍ତ ଅମାନୁଷିକ ନିର୍ଯାତନା ଦିଆଯାଉଥିବା ଆଜିର ବହୁ ଚର୍ଚ୍ଚିତ ପ୍ରସଙ୍ଗ ପାଲଟି ଯାଇଛି।

ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହି ପ୍ରକାର ତାଡନା ଅଥବା ନିର୍ଯାତନା ସମାଜ ଜୀବନକୁ ଅତ୍ୟନ୍ତ ଦୁର୍ବିସହ କରି ଦେଇଛି । ବିଶେଷ କରି ସମାଜରେ ନାରୀ ଏବଂ ଶିଶୁ ତଥା ବୟସ୍କ ମାନଙ୍କ ଦୈନନ୍ଦିନ ଜୀବନ ଉପରେ ଏପରି ପୀଡ଼ାର ପ୍ରଭାବ କେବଳ ସେମାନଙ୍କୁ ନୁହେଁ, ବରଂ ସମାଜ ଜୀବନକୁ ବହୁ ଭାବରେ ଆକ୍ରାନ୍ତ କରୁଛି ।

ଆମ ରାଜ୍ୟ ଓଡ଼ିଶାରେ ବିଗତ ଅନ୍ୟୁନ ଚାରି ଦଶନ୍ଧି ଧରି ସଂଘଟିତ ହୋଇଥିବା ପ୍ରସଙ୍ଗ ମଧ୍ୟରୁ ତତ୍ କାଳୀନ ଚର୍ଚ୍ଚିତ ପ୍ରସଙ୍ଗ “ଛବିରାଣୀ ହତ୍ୟାକାଣ୍ଡ” ଠାରୁ ଆରମ୍ଭ କରି ସଂପ୍ରତି ସଦ୍ୟ ସ୍ପର୍ଶକାତର ପ୍ରସଙ୍ଗ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ପର୍ଯ୍ୟନ୍ତ ପର୍ଯ୍ୟଲୋଚନା କଲେ, ଗୋଟିଏ ବିଶେଷ ଉପଲବ୍ଧି ହୃଦୟକୁ ଆନ୍ଦୋଳିତ କରେ କି, ପୀଡ଼ିତା ଙ୍କୁ ନ୍ୟାୟ କଣ, କେତେ ପରିମାଣ, କିଏ ଦେବ ଓ କିପରି ଦିଆଯିବ ?

ଏ ସମ୍ପର୍କରେ ବିବିଧ ସମୀକ୍ଷା, ଆଲୋଚନା, ବିତର୍କ, ଦାବି, ହରତାଳ, ଦଙ୍ଗା ହଂଗାମା, ଆରୋପ, ପ୍ରତ୍ୟାରୋପ ଏବଂ ତଦନ୍ତ, ଅନୁଶୀଳନ, ବିଚାର ପ୍ରକ୍ରିୟା ବଳରେ ଏମିତିକା ସାମାଜିକ ସ୍ଖଳନକୁ ଏପର୍ଯ୍ୟନ୍ତ ରୋକାଯାଇ ପାରିଛି କି ? ବରଂ ଜଘନ୍ୟ ଅପରାଧ ମୁଣ୍ଡ ଟେକିଛି । ବର୍ବର ଅମାନୁଷିକ ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି। ଦରଦୀ ସମବେଦନା ପରିବର୍ତ୍ତେ ରାଜନୈତିକ ଅଙ୍କକଷା ର ପରିବେଶ ସୃଷ୍ଟି କରାଯାଉଛି । ବିଚିତ୍ର ଏ ବ୍ୟବସ୍ଥାର ଧାରା !!

ସଦ୍ୟ ସଂଘଟିତ ବହୁ ଚର୍ଚ୍ଚିତ ପୀଡ଼ିତା ପ୍ରସଙ୍ଗଟି ସାରା ରାଜ୍ୟକୁ ସ୍ତମ୍ଭିଭୂତ କରିଦେଇଛି । ପୁଣି ଏହା ଦେଶର କୋଣ ଅନୁକୋଣରେ ଗଭୀର ଆଲୋଡନ ସୃଷ୍ଟି କରିଛି । ଏହି ଘଟଣାକ୍ରମରେ ପୀଡ଼ିତାଙ୍କ ବୟାନକୁ ଆଧାର କରି ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ସମ୍ବେଦନଶୀଳ ପ୍ରସଙ୍ଗକୁ ବିଭିନ୍ନ ମହଲରେ ଏଭଳି ଚର୍ଚ୍ଚା କରାଯାଉଛି ଯେ, ତହିଁର ନିର୍ଦ୍ଦିଷ୍ଟ ନିଷ୍କର୍ଷ ମିଳିବା ପ୍ରାୟତଃ “ଫ୍ୟାକ୍ଟ ଇଜ୍ ଟ୍ରୁ ହାଭିଂ ନୋ କ୍ଲୁ ” ସଦୃଶ ପ୍ରସ୍ତୁତିକୁ ଇଙ୍ଗିତ କରୁଛି କି ?

ସଂକ୍ଷିପ୍ତରେ ପ୍ରସଙ୍ଗଟିକୁ ନିମ୍ନମତେ ଅନୁଧ୍ୟାନ କରାଯାଇ ପାରେ । ପୀଡ଼ିତା ସଂପୃକ୍ତ ଶିକ୍ଷାନୁଷ୍ଠାନରେ ଦୁଇବର୍ଷ ଧରି ଅଧ୍ୟୟନ କରୁଥିଲେ । ମେଧା ଓ ନେତୃତ୍ବ ଦକ୍ଷତା ଥିଲା । ଏକ ଛାତ୍ର ସଂଗଠନ ସହିତ ସକ୍ରିୟ ସଂପୃକ୍ତି ତାଙ୍କୁ ଚର୍ଚ୍ଚା ପରିସରକୁ ଟାଣିଥିଲା । ବୟାନ ଅନୁସାରେ ଅଭିଯୁକ୍ତ ଅଧ୍ୟାପକ ଜଣକ ଏହି ସାଂଗଠନିକ କାର୍ଯ୍ୟକଳାପକୁ ଆଳ କରି ତାଙ୍କ ପ୍ରତି ଅନୈତିକ ଆଚରଣ ପ୍ରଦର୍ଶନ କରିଥିଲେ । ପୁଣି କୁହାଯାଉଛି କି, ମାନସିକ ହେଉ କି, ଶାରୀରିକ ଭାବେ ସେ ଯୌନ ଶୋଷଣର ଶିକାର ହୋଇଥିଲେ । ଏପରିକି, ପ୍ରକାରାନ୍ତରେ ତାଙ୍କୁ ଅଧ୍ୟୟନ ପ୍ରବୃତ୍ତି କ୍ଷେତ୍ରରେ ପ୍ରତିହତ କରାଯିବା, ସାମାଜିକ ସ୍ତରରେ ଅପନିନ୍ଦିତ କରାଯିବା ଭଳି ଧମକପୂର୍ଣ୍ଣ ସମ୍ଭାଷଣ ସହିତ ବାରମ୍ବାର ମାନସିକ ଯୌନ ନିର୍ଯାତନା ଯୋଗୁଁ ଅତିଷ୍ଠ ହୋଇ ପଡ଼ିଥିଲେ । ଅଗ୍ରଣୀ ଆଭିମୁଖ୍ୟ ଥିବା ତାରୁଣ୍ୟ ତାଙ୍କୁ ଦ୍ଵିବିଧାରେ ପକାଇଥିଲା । ପାରିବାରିକ ପରିବେଶ ସନ୍ତୁଳନ ରକ୍ଷା ଏବଂ ବିଦ୍ୟା ଅଧ୍ୟୟନର ଏକାନ୍ତ ଅଭିଳାଷ ହୁଏତ, ପିତାମାତା କିମ୍ବା ଅଭିଭାବକଙ୍କ ସମ୍ମୁଖରେ ନିର୍ବିଘ୍ନରେ ପ୍ରଖ୍ୟାପନ କରିବାକୁ ସଙ୍କୋଚ ଲାଗିଥିଲା ତାଙ୍କୁ । ହେଲେ ପ୍ରତ୍ୟୁତ୍ପନ୍ନମତି ମେଧାବୀ ଛାତ୍ରୀ ଜଣକ ମନର ପୀଡ଼ା କୁ କେତେଦିନ ଅବଦମିତ କରି ରଖି ପାରିଥାନ୍ତେ ।

ଆଶା – ଆଶଙ୍କାର ଯୁଗପତ୍ ଆନ୍ଦୋଳନ ଭିତରେ ପୀଡ଼ିତା ଛାତ୍ରୀର ସଂଗ୍ରାମୀ ଚେତନା ଜାଗି ଉଠିଲା । ନିଜପାଇଁ ନ୍ୟାୟ ଭିକ୍ଷା, ନାରୀ ସୁରକ୍ଷା, ଆଶ୍ଵାସନା ଏବଂ ଅଭିଯୁକ୍ତକୁ ଉପଯୁକ୍ତ ଦଣ୍ଡ ବିଧାନ ପାଇଁ ସଂପୃକ୍ତ କର୍ତ୍ତୃପକ୍ଷ, ପ୍ରଶାସନ, ସରକାର ତଥା ପ୍ରମୁଖ ରାଜନୈତିକ ନେତୃବୃନ୍ଦ, ସାମାଜିକ ଗଣ ମାଧ୍ୟମ ଆଦିଙ୍କୁ ଅବଗତ କରିଥିଲେ ସେ । ସେହିସବୁ ଆବେଦନ ବ୍ୟର୍ଥ ହେଲା ଆଉ ଉଙ୍କୁରୀ ଉଠୁଥିବା ଆଶା ଅଚିରେ ମଉଳି ଗଲା । କେହି କର୍ଣ୍ଣପାତ କଲେ ନାହିଁ କି, ହେୟଜ୍ଞାନ କରି ନୈତିକ ମୂଲ୍ୟବୋଧକୁ ହେଜିଲେ ନାହିଁ । ସମ୍ଭାବନାମୟ ଭବିଷ୍ୟତର ସ୍ବପ୍ନ ଉଜୁଡ଼ି ଯିବାର ଭୟ ଆଉ ଆଶଙ୍କିତ ସାମାଜିକ ପାରିପାର୍ଶ୍ବିକ ଉତ୍ପୀଡନକୁ ଏକାକୀ ସାମ୍ନା କରିବାର ସାମର୍ଥ୍ୟ ହରାଇ ପୀଡ଼ିତା ଆତ୍ମାହୁତି ଭଳି ଚରମ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇ ଥାଇପାରନ୍ତି।

ଏହି ପରିପ୍ରେକ୍ଷୀରେ ପର୍ଯ୍ୟଲୋଚାନା କଲାବେଳେ, କେହି କେହି ସ୍ଥାନ, କାଳ ଓ ପାତ୍ର ଆଧାରରେ ଏହାର ସତ୍ୟାସତ୍ୟ ଉପରେ ପ୍ରଶ୍ନବାଚୀ ଲଗାଉଛନ୍ତି । ଯେଉଁଠାରେ ଏହି ଦୁର୍ଘଟଣା ଘଟିଲା, ଯେଉଁ ସମୟରେ ଏବଂ ଯେଉଁ ମାନଙ୍କ ଉପସ୍ଥିତି ଏହାର ପ୍ରତ୍ୟକ୍ଷ ପ୍ରମାଣ, ତାହା ସିସି ଟିଭି ଫୁଟେଜ ରୁ ମିଳିବା କଥା । ତାହା ଯାଞ୍ଚ୍ କରାଯାଇ ଏବେ ସୁଦ୍ଧା ସାର୍ବଜନୀନ ହୋଇନାହିଁ କାହିଁକି ? ଅପର ପକ୍ଷରେ ଯେଉଁ ଛାତ୍ର ସଂଗଠନ ସହିତ ପୀଡ଼ିତା ଓତଃପ୍ରୋତଃ ଭାବେ ଜଡ଼ିତ ଥିଲେ, ତହିଁର କର୍ମକର୍ତ୍ତା, ସତୀର୍ଥ ସହଯୋଗୀ ତଥା ବିଦ୍ୟାର୍ଥୀ ସାଥୀ ସହଚରୀ ମାନଙ୍କ ଭୂମିକା କଣ ଥିଲା । ପୀଡ଼ିତାଙ୍କ ସମ୍ପୂର୍ଣ୍ଣ ଘଟଣା କ୍ରମ ସମ୍ପର୍କରେ ସେମାନଙ୍କ ମଧ୍ୟରୁ କେହି ଅବଗତ ଥିଲେ କି ନାହିଁ ? ଆନୁଷ୍ଠାନିକ କାର୍ଯ୍ୟାନୁଷ୍ଠାନ ନେବାକୁ କର୍ତ୍ତୃପକ୍ଷ କୁଣ୍ଠା ପ୍ରକାଶ କରୁଥିବା, ଟାଳଟୁଳ ନୀତି ଅବଲମ୍ବନ କରୁଥିବା, ଅଭିଯୁକ୍ତ ଅଧ୍ୟାପକଙ୍କ ପତିଆରାକୁ ପ୍ରମାଣିତ କରୁନାହିଁକି ? ତଦୋପରି ପୀଡ଼ିତାଙ୍କ ଅଭିଯୋଗ ଦ୍ଵାରା ସଂପୃକ୍ତ ଅନୁଷ୍ଠାନର ସମ୍ମାନ କ୍ଷୁର୍ଣ୍ଣ ହେବାର ଦ୍ୱାହି ଦେବା ନ୍ୟାୟିକ ପ୍ରକ୍ରିୟାରେ ଅନ୍ତରାୟ ନୁହେଁ କି ?

ଯେଉଁମାନଙ୍କ ହସ୍ତକ୍ଷେପରେ ଘଟଣାର ସମାଧାନ ହୋଇ ପାରିଥାନ୍ତା କିମ୍ବା ଏଭଳି ଅଘଟଣ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା, ସେମାନେ ଜାଣି ନଜାଣିଲା ପରି ଆଉ ସବୁ ଶୁଣି ନଶୁଣିଲା ପରି ଅବହେଳା ପ୍ରଦର୍ଶନ କରିବା ହେତୁ ପୀଡ଼ିତା ନ୍ୟାୟ ପାଇବାରୁ ବଞ୍ଚିତ ଏବଂ ତାଙ୍କ ଆକସ୍ମିକ ଆତ୍ମହତ୍ୟା ଜନିତ ମୃତ୍ୟୁ ପାଇଁ ଅଭିଯୁକ୍ତଙ୍କ ସମେତ ଏଇମାନେ ହିଁ ମୁଖ୍ୟତଃ ଦାୟୀ ବୋଲି ବିବେଚନା କରାଯାଉଥିବା ସ୍ଵାଭାବିକ । ଦେଶର ଉଜ୍ଜ୍ବଳ ଭବିଷ୍ୟତ ପିଢ଼ିର ଜଣେ ମେଧାବୀ ଛାତ୍ରୀକୁ ନିର୍ଯାତନା ଦେବା, ତାର ସମ୍ଭାବନାମୟ ସ୍ବପ୍ନକୁ ଧୂଳିସାତ୍ କରିବାପାଇଁ ପ୍ରୟାସ ଜାରି ରଖିବା ଏବଂ ସର୍ବୋପରି ତାହା ପ୍ରତି ଲୋଲୁପ ଦୃଷ୍ଟି ନିକ୍ଷେପ କରିବା ଭଳି ଜଘନ୍ୟ ଅପରାଧରେ ଲିପ୍ତ ଅଭିଯୁକ୍ତକୁ ଘଣ୍ଟ ଘୋଡାଇବାକୁ ଏପରି ଅବହେଳା କରାଯାଇ ଥାଇପାରେ ବୋଲି ଅନୁମେୟ । ପରେ କୁମ୍ଭୀର କାନ୍ଦଣା ସ୍ବରୂପ ପୀଡ଼ିତା ର ଅନ୍ତିମ ମୂମୂର୍ସୁ ଅବସ୍ଥାରେ କେତେ ଛାତ୍ର ସଂଗଠନ, ବିଭିନ୍ନ ରାଜନୈତିକ ଦଳ ମାନଙ୍କ ଶସ୍ତା ବୟାନ ବାଜି, ଅଯଥା ଅନୁକମ୍ପା, ସରକାରୀ ପ୍ରତିଶ୍ରୁତି, ପ୍ରଶାସନିକ ଧୁମ୍ ଧଡକ ସବୁ ମିଶି “ଫମ୍ପା ମାଠିଆର ଶବ୍ଦ” ଭଳି ପ୍ରତୀତ ହେଉଛି । ମୃତ୍ୟୁ ପରେ ପୀଡ଼ିତା ପରିବାରକୁ ଆର୍ଥିକ ସାହାଯ୍ୟ ଘୋଷଣା କରି ସରକାର ଦାୟିତ୍ଵ ସାରି ଦେଇଛନ୍ତି ବୋଲି କହିପାରନ୍ତି । କିନ୍ତୁ, ସତରେ କଣ ନ୍ୟାୟ ପାଇପାରିବ ପୀଡ଼ିତା ? ପ୍ରଶମିତ ହେବକି ତାର ଶରୀରର ତୀବ୍ର ଜ୍ଵଳନ ? ପୁଣି ଥରେ ଫେରି ଆସିବ କି ତାର ଜୀବନ ? ବଞ୍ଚିବାର ଦୁରନ୍ତ ଅଭିଳାଷ ନେଇ ପରିବାରଜନଙ୍କ ପାଖରେ ଠିଆ ହୋଇ ପାରିବ ନିର୍ବିଘ୍ଣରେ ? ସଗର୍ବରେ ମଥା ଟେକି ଧାଇଁ ଯିବକି ସେ ଆଉଥରେ ତାର କଲେଜ୍ କ୍ୟାମ୍ପସ କୁ ନିଜ ସ୍ବପ୍ନକୁ ସାକାର କରିବାପାଇଁ ?

ଏଇଠାରେ ଗୋଟିଏ କଥା ସ୍ପଷ୍ଟ ଓ ନିର୍ବିବାଦ ଭାବରେ କୁହାଯାଇପାରେ କି ବ୍ୟବସ୍ଥାରେ ପରିବର୍ତ୍ତନ ଦରକାର । ସୁସ୍ଥ ମାନସିକତା, ଶୈକ୍ଷିକ ବାତାବରଣ, ସାମଗ୍ରିକ ସ୍ଵକୀୟ ଦାୟିତ୍ୱବୋଧ, ମାନବୀୟ ବିଚାରଧାରା, ରାଜନୈତିକ ଇଚ୍ଛାଶକ୍ତି ଓ ପ୍ରଶାସନିକ ନୀତିଗତ ନିଷ୍ପତ୍ତି ଆମ ସମାଜକୁ ବ୍ୟବସ୍ଥିତ କରାଇପାରିବ । ଯେ କୌଣସି ଉତ୍ପୀଡନରୁ ମୁକ୍ତି ଦେଇପାରିବ ।

ଅବନୀ ଚନ୍ଦ୍ର ଦାସ

ଅବନୀ ଚନ୍ଦ୍ର ଦାସ

(ସାହିତ୍ୟିକ, ସ୍ତମ୍ଭକାର, ଗବେଷକ, ସୁସଂଗଠକ)
ସଂପାଦକ, ନିର୍ଭିକ
ସଂପାଦକ, ମାହାଙ୍ଗା ମୈତ୍ରୀ ମଞ୍ଚ
ସଂପାଦକ, ଉତ୍କଳୀୟ ସାହିତ୍ୟ ସଂସ୍କୃତି ପରିଷଦ
ପ୍ରଶାନ୍ତି ବିହାର, ଭୁବନେଶ୍ବର-୨୪
ଫୋନ୍ ନଂ. ୯୯୩୭୫୩୭୯୭୪

Related Posts

Why We Buy Brands That Make Us Feel “Complete”
More

Why We Buy Brands That Make Us Feel “Complete”

by Shivaji Mohinta
April 1, 2026

Shivaji Mohinta, Bhubaneswar, 1 April 2026 The match between one’s ideal self-image and a brand’s perceptual position is central to lifestyle-brand choice. Consumers are...

Read more
Vipul’s Voice: Herd Ego

Vipul’s Voice:
Herd Ego

March 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୩)

March 14, 2026
ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

March 11, 2026
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
Jay’s Thoughts:Dated Rituals and our unquestioning acceptance of them

Jay’s Thoughts:
Dated Rituals and our unquestioning acceptance of them

February 22, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.