• About
  • Contact
Tuesday, March 17, 2026
Tuesday, March 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ରଥେ ତୁ ବାମନଂ ଦୃଷ୍ଟ୍ବା …..

ରଥେ ତୁ ବାମନଂ ଦୃଷ୍ଟ୍ବା …..
Share on FacebookShare on Xshare on Whatsappshare on Linkedin
ଶ୍ରୀ ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ବର, ୨୦ ଜୁନ୍ ୨୦୨୩

ଆମ ଶାସ୍ତ୍ର ରେ କୁହାଯାଇଛି –
“ଦୋଳେ ତୁ ଦୋଳ ଗୋବିନ୍ଦମ୍ ଚାପେ ତୁ ମଧୁସୂଦନମ୍,
ରଥେ ତୁ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମମ୍ ନ ବିଦ୍ୟତେ ।”

ଅର୍ଥାତ୍ ଦୋଳ ବିମାନରେ ଗୋବିନ୍ଦଙ୍କୁ, ଚାପ (ନୌକା ବିହାର)ରେ ମଧୁସୂଦନଙ୍କୁ ଏବଂ ରଥ ଉପରେ ବାମନ ରୂପୀ ବଡ ଠାକୁରଙ୍କୁ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏ ନାହିଁ, ପ୍ରାଣୀର ମୋକ୍ଷ ପ୍ରାପ୍ତି ହୁଏ ବୋଲି ଶାସ୍ତ୍ର ମତ ପ୍ରମାଣ ରହିଛି । ଏପରିକି, ପରମ୍ପରା କ୍ରମେ ଏହା ଲୋକବିଶ୍ୱାସରେ ଦୃଢୀଭୂତ ହୋଇଛି । ବିଶ୍ଵନିୟନ୍ତାଙ୍କ ଭିନ୍ନ ଭିନ୍ନ ନାମ ମଧ୍ୟରୁ ଗୋବିନ୍ଦ, ମଧୁସୂଦନ, ବାମନ ଆଦି ନାମ ଅନ୍ୟତମ । ଉତ୍କଳୀୟ ସଂସ୍କୃତିର ମହାନ୍ ପାରମ୍ପରିକ ପର୍ବପର୍ବାଣୀ ଯାନିଯାତ୍ରା, ଓଷା, ବ୍ରତ ଆଦି ପାଳନ ଯେଉଁ ଆଧ୍ୟାତ୍ମିକ ଉନ୍ମେଷ ଘଟାଇଛି, ତାହା ବିଶ୍ଵ ବିଦିତ ହୋଇଛି । ଉତ୍କଳ ପ୍ରଦେଶର ଶ୍ରୀକ୍ଷେତ୍ର ଧାମରେ ଗଙ୍ଗବଂଶୀୟ ରାଜାମାନେ ଶ୍ରୀ ଜଗନ୍ନାଥଙ୍କ ଉପାସନା ପୀଠର ସ୍ଥାପନା କରି ଏକ ବିଶ୍ଵ ପ୍ରସିଦ୍ଧ ଗୌରବମୟ ପରମ୍ପରାର ସ୍ୱାକ୍ଷର ଅଙ୍କନ କରିଯାଇଛନ୍ତି । ଦେବଭୂମି ଭାରତ ବର୍ଷରେ ବହୁ ପ୍ରଖ୍ୟାତ ପ୍ରାଚୀନ ଦେବଦେବୀଙ୍କ ଉପାସନା ପୀଠ ରହିଛି । ଅଥଚ, ସେହି ସବୁ ପୀଠରେ ଅଧିଷ୍ଠିତ ଦେବତାମାନଙ୍କ ନାମକରଣ ଲୋକାଚାର ରେ ନିର୍ଦ୍ଦିଷ୍ଟ ଭାବେ ସଂପୃକ୍ତ ପୀଠ ସହିତ ଯୋଡ଼ି ହୋଇ ରହିଛି । ଯଥା: କାଶୀରେ କାଶୀନାଥ, ଦ୍ୱାରକାରେ ଦ୍ବାରିକାନାଥ, ଅଯୋଧ୍ୟାରେ ଆଯୋଧ୍ୟାନାଥ ଓ ବଦ୍ରିକାରେ ବଦ୍ରିନାଥ ପ୍ରଭୃତି ଦେବତାମାନେ ଉପାସିତ ହେଉଥିବା ବେଳେ, ଉତ୍କଳରେ ଅଧିଷ୍ଠିତ ଦେବତା ଉତ୍କଳ ନାଥ ଭାବରେ ନୁହେଁ, ବରଂ ସାରା ଜଗତର ନାଥ “ଶ୍ରୀଜଗନ୍ନାଥ” ନାମରେ ପୂଜିତ, ଅର୍ଚ୍ଚିତ, ହୋଇ ସମଗ୍ର ବିଶ୍ୱରେ ଚର୍ଚ୍ଚିତ ହୋଇ ରହିଛନ୍ତି । ତାଙ୍କରି ପାଇଁ ଉତ୍କଳୀୟ ପରମ୍ପରା ରେ ସଂଶ୍ଳିଷ୍ଟ ହୋଇ ରହିଛି ବାର ମାସରେ ତେର ପର୍ବ । ସେଥିପାଇଁ ଉତ୍କଳର ସଂସ୍କୃତିକୁ “ଜଗନ୍ନାଥ ସଂସ୍କୃତି’ କହିବା ଯଥାର୍ଥ ବୋଧ ହେଉଛି । ଏହି ସଂସ୍କୃତି ରେ ସନ୍ନିବେଶିତ ସମସ୍ତ ନୀତି କାନ୍ତି, ଆଚାର ବିଚାର, ପୂଜା ପାଠ, ବିଧି ବ୍ୟବସ୍ଥା ଲୋକାଚାରରେ ପ୍ରଚଳିତ ପାରମ୍ପରିକ ଚଳଣି ଠାରୁ ଭିନ୍ନ ନୁହେଁ ।

ପୂର୍ବେ ଯାତ୍ରା କରିବା ଥିଲା ସାମାଜିକ ଚଳଣିର ଏକ ବିଶେଷ ଆକର୍ଷଣ । ଏକତ୍ର ସମ୍ମିଳିତ ହେବା ପାଇଁ ଯାତ୍ରା କରିବା, ଜଳପଥ ଯାତ୍ରା କରିବା, ବନ୍ଧୁ ପରିଜନ ବିଶେଷତଃ ମାତୁଳାଳୟ କିମ୍ବା ମାଉସୀମା ଗୃହକୁ ପରିଦର୍ଶନରେ ଯାତ୍ରା କରିବା ସାମାଜିକ ବିଧି ବ୍ୟବସ୍ଥାର ପରମ୍ପରା ମାନ କାହିଁ କେଉଁ ପୂରାକାଳରୁ ଚଳି ଆସିଛି । ତେବେ, ଏହି ସବୁ ଯାତ୍ରାର ମାଧ୍ୟମ ଥିଲା ବିମାନ, ନୌକା ଏବଂ ଅଶ୍ଵ ଚାଳିତ ରଥ ପ୍ରଭୃତି । ସମାଜର ବଡପଣ୍ଡା ଅର୍ଥାତ୍ ରାଜା ରାଜୁଡ଼ା ମାନେ ଏହି ସବୁ ଯାନ ବାହନ ବ୍ୟବହାର କରି ଯାତ୍ରା କରୁଥିଲେ । ତେଣୁ ସେହି ମାନ୍ୟତାରେ ନିଜର ଆରାଧ୍ୟ ଦେବତାଙ୍କୁ ବିମାନରେ ବସାଇ ଦୋଳବେଦୀକୁ ନେବା, ନୌକା ବିହାର କରାଇବା ଏବଂ ରଥାରୂଢ଼ କରାଇ ଜନ୍ମବେଦୀକୁ ଅବା ମାଉସୀମା ମନ୍ଦିରକୁ ବିଜେ କରାଇବାର ବିଧି ଆମ ସଂସ୍କୃତିରେ ସଂଯୋଜିତ ହୋଇଛି ବୋଲି କୁହାଯାଇପାରେ । ପ୍ରାୟତଃ ସବୁ ପ୍ରଚଳିତ ଆମ ପାରଂପରିକ ଯାନିଯାତ୍ରା ମହୋତ୍ସବ ସହିତ ଉତ୍କଳୀୟ ଜନଜୀବନ ର ଛାପ ଦେଖିବାକୁ ମିଳେ । ଏହି ପରିପ୍ରେକ୍ଷୀରେ ଆମେ ଉତ୍କଳର (ଅଧୁନା ଓଡ଼ିଶାର) ଶ୍ରୀକ୍ଷେତ୍ର ଧାମ ପୁରୀ ଠାରେ ବିଶ୍ଵ ପ୍ରସିଦ୍ଧ ଗୌରବମୟ ପରମ୍ପରା ଗତ ରଥ ଯାତ୍ରା ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରେ ପଳିତ ହୋଇ ଆସୁଛି । ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରି ନବଦିନ ବ୍ୟାପୀ ଏହି ଯାତ୍ରା ଅନଷ୍ଠିତ ହେଉଥିବାରୁ ଏହାକୁ କେହି କେହି “ଶ୍ରୀଗୁଣ୍ଡିଚା ଯାତ୍ରା” ବା “ନବଦିନ ଯାତ୍ରାା” ମଧ୍ୟ କହିଥାନ୍ତି । ପୁଣି, ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ର ନାମାନୁସାରେ ଏହା “ଘୋଷଯାତ୍ରା” ଭାବେ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ଏହି ଦିନ ଶ୍ରୀମନ୍ଦିରରୁ ବାହାରି ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ଜଗନ୍ନାଥ ଙ୍କୁ ତିନି ସୁସଜ୍ଜିତ ରଥରେ (ଯଥାକ୍ରମେ ତାଳ ଧ୍ଵଜ, ଦେବଦଳନ ବା ଦର୍ପ ଦଳନ ଏବଂ ନନ୍ଦିଘୋଷ ରଥରେ) ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି । ମାଆ ସୁଭଦ୍ରାଙ୍କ ଦେବଦଳନ ରଥରେ ଶ୍ରୀ ଜଗନ୍ନାଥଙ୍କ ଚକ୍ର ଆୟୁଧ ପ୍ରଭୁ ସୁଦର୍ଶନଙ୍କୁ ମଧ୍ୟ ବିଜେ କରାଇ ନିଆଯାଇଥାଏ ।

ବିଶ୍ଵ ପ୍ରସିଦ୍ଧ ଏହି ରଥଯାତ୍ରାର ମହିମାମୟ ଗାଥା ଅବର୍ଣ୍ଣନନୀୟ । ମାନବୀୟ ଲୀଳା ରଚନା କରି ଆମର ଆରାଧ୍ୟ ଦିଅଁ ମାନେ କିପରି ଜନମାନସକୁ ବିଶ୍ୱ ପ୍ରେମରେ ଉଦବୁଦ୍ଧ କରିଚାଲିଛନ୍ତି, ତାହାର ଜ୍ୱଳନ୍ତ ଉଦାହରଣ ଏହି ରଥଯାତ୍ରା । ଶତାବ୍ଦୀ ଶତାବ୍ଦୀ ଧରି ଶ୍ରୀକ୍ଷେତ୍ର ଧାମରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କଦ୍ୱରା ପାଳିତ ହୋଇ ଆସୁଥିବା ଏହି ରଥ ଯାତ୍ରା ସମଗ୍ର ବିଶ୍ଵର ଏକ ସର୍ବଶ୍ରେଷ୍ଠ ମହୋତ୍ସବ ଭାବେ ମାନ୍ୟତା ଲାଭ କରିଛି । ଦେଶ ବିଦେଶରୁ ଅସଂଖ୍ୟ ଭକ୍ତମାନେ ଛୁଟି ଆସନ୍ତି, ରଥ ଉପରେ ବିଜେ ହୋଇଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନର ସୌଭାଗ୍ୟ ଲାଭ କରିବା ପାଇଁ । ଶ୍ରୀକ୍ଷେତ୍ର ଧାମର ଅନେକ ମହତ୍ତ୍ଵ ରହିଛି । ଭାରତର ଚାରି ଶ୍ରେଷ୍ଠ ଆଧ୍ୟାତ୍ମିକ କ୍ଷେତ୍ର ବା ଧାମ ମଧ୍ୟରେ ଏହା ଅନ୍ୟତମ । ଶ୍ରୀ ଅର୍ଥାତ୍ ଲକ୍ଷ୍ମୀ ମାତା ଙ୍କ କ୍ଷେତ୍ର ବୋଲି ଶ୍ରୀକ୍ଷେତ୍ର, ମନ୍ଦିର କୁ ଶ୍ରୀମନ୍ଦିର କହିବାର ସ୍ବତନ୍ତ୍ର ତାତ୍ପର୍ଯ୍ୟ ରହିଛି । ଏହି କ୍ଷେତ୍ରର ଅନ୍ୟ ନାମ ମଧ୍ୟ ଶଙ୍ଖ କ୍ଷେତ୍ର ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି । ଚକ୍ର ସହିତ ଶ୍ରୀ ଜଗନ୍ନାଥଙ୍କ ହସ୍ତ ଶୋଭିତ ଶଙ୍ଖ ଉପଲକ୍ଷେ ଏପରି ନାମକରଣ ହୋଇ ଥାଇପାରେ । ଆଉମଧ୍ୟ ଶ୍ରୀ ଜଗନ୍ନାଥଙ୍କୁ ଲୌକିକତା ମତେ ପୁରୁଷୋତ୍ତମ ବୋଲି ଆଖ୍ୟାୟିତ କରାଯାଇଛି । ପରଂବ୍ରହ୍ମ ପୁରୁଷୋତ୍ତମ ଯେଉଁ କ୍ଷେତ୍ର ବା ସ୍ଥାନ ରେ ଲୀଳା ଖେଳା କରିଚାଲିଛନ୍ତି, ତାହା ପୁରୁଷୋତ୍ତମ କ୍ଷେତ୍ର ଭାବେ ମଧ୍ୟ ପରିଚିତ ହୋଇଛି ।

ଶ୍ରୀକ୍ଷେତ୍ରରେ କ୍ଷେତ୍ରାଧୀଶ ଦିଅଁ ଙ୍କୁ ବଡ ଠାକୁର, ତାଙ୍କ ଦେଉଳକୁ ବଡ ଦେଉଳ, ଦାଣ୍ଡକୁ ବଡ଼ଦାଣ୍ଡ, ତାଙ୍କ ପ୍ରସାଦକୁ ମହାପ୍ରସାଦ ବୋଲି କୁହାଯାଉଛି । ଲୋକ ବିଶ୍ଵାସ ରେ ବଡଦେଉଳ ଶୀର୍ଷ ଭାଗରେ ନୀଳଚକ୍ର ସ୍ଥାପିତ ହୋଇଛି ଓ ପତିତ ଲୋକ ମାନଙ୍କୁ ଉଦ୍ଧାର କରିବା ପାଇଁ ପତିତପାବନ ନେତ ଉଡୁଛି । ଶ୍ରୀଜଗନ୍ନାଥ ଓଡ଼ିଶାର ଇଷ୍ଟ ଦେବତା ହୋଇ ଶ୍ରୀକ୍ଷେତ୍ରରେ ଅଧିଷ୍ଠିତ ହେଲେ ହେଁ, ସେ ସମଗ୍ର ଜଗତର ନାଥ ବା ଆରାଧ୍ୟ ପ୍ରଭୁ ବଡ ଠାକୁର ବୋଲି ବିଦିତ ହୋଇଛନ୍ତି ।

ସ୍କନ୍ଦ ପୁରାଣରେ ବର୍ଣ୍ଣନା ଅନୁସାରେ ମାନବୀୟ ଲୀଳା ପ୍ରକଟ କରି ଜଗତକର୍ତ୍ତା ସ୍ଵଂୟ ଭଗବାନ ଏଠାରେ ଦାରୁ ରୂପେ ଅଧିଷ୍ଠିତ ହୋଇଛନ୍ତି । ତେବେ ରଥରେ ଯାତ୍ରା କରି ଦାରୁ ଦିଅଁ ମାନବ ଜାତିକୁ କେଉଁ ସନ୍ଦେଶ ଦେବାକୁ ଚାହାଁନ୍ତି ? ରମ୍ ଧାତୁରେ ଥ ବର୍ଣ୍ଣ ଯୁକ୍ତ ହୋଇ “ରଥ” ଶବ୍ଦଟି ସୃଷ୍ଟି ହୋଇଛି । ରମ୍ ଧାତୁ କ୍ରୀଡା ଜନିତ ବ୍ୟାପାର ହୋଇଥିବା ବେଳେ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବିଚାର କଲେ ପ୍ରଭୁଙ୍କର ଏହି ରଥ ଯାତ୍ରା ଏକ ଭାବ ବନ୍ଧନର ଲୀଳା ଖେଳା ବୋଲି କୁହାଯାଇ ପାରିବ । ଏଠାରେ ଭକ୍ତ ଓ ଭଗବାନଙ୍କର ମିଳନ ହୁଏ । ଜୀବାତ୍ମା ଓ ପରମାତ୍ମାଙ୍କ ଲୀଳା ଖେଳା ପ୍ରକଟିତ ହୁଏ । ପୁଣି, ରଥକୁ କେହି କେହି ଚକ୍ର ଯାନ ମଧ୍ୟ କହିଥାନ୍ତି । ଅଶ୍ୱ ଚାଳିତ ଚକ୍ର ଯାନରେ ଆରୁଢ଼ ହୋଇ ପ୍ରାଚୀନ କାଳରେ ରାଜା ମହାରାଜା ମାନଙ୍କର ମହିମା ପ୍ରଖ୍ୟାପନ କରାଯାଉଥିଲା । ଆର୍ଯ୍ୟଭୂମି ଭାରତ ବର୍ଷରେ ସେହି ପ୍ରାଚୀନ ପରମ୍ପରାର ପ୍ରତୀକ ସ୍ଵରୂପ ସାରା ଜଗତର ରାଜାଧିରାଜ ଶ୍ରୀଜଗନ୍ନାଥଙ୍କ ମହିମା ପ୍ରଚାର ପାଇଁ “ରଥଯାତ୍ରା” ର ସୂତ୍ରପାତ ହୋଇଛି ବୋଲି କୁହାଯାଇପାରେ ।

ଶ୍ରୀକ୍ଷେତ୍ରରେ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରୁ ପାଳିତ ହୋଇ ଦଶମୀ ତିଥିରେ ଶ୍ରୀ ଜୀଉମାନେ ଶ୍ରୀମନ୍ଦିର କୁ ଫେରି ଆସିବାର ବିଧି ରହିଛି । ତାଙ୍କ ଫେରନ୍ତା ରଥଯାତ୍ରାକୁ ବାହୁଡା଼ ଯାତ୍ରା ବୋଲି କୁହାଯାଇଛି । ସିଂହଦ୍ଵାର ନିକଟରେ ରଥଉପରେ ବିରାଜିତ ହୋଇ ରହିଥିବା ଦିଅଁ ଙ୍କ ପାଖରେ ଅଧର ପଣା ନୀତି ସମ୍ପନ୍ନ ହୁଏ । ସୁନାବେଶ ହୋଇ ପୁଣି ଭକ୍ତଜନଙ୍କୁ ଦର୍ଶନ ଦିଅନ୍ତି ପ୍ରଭୁ । ଶେଷରେ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିର ସ୍ଥିତ “ନୀଳାଦ୍ରି ମଣ୍ଡପ” ବା “ରତ୍ନ ସିଂହାସନ” କୁ ବିଜେ ହୋଇଥାନ୍ତି । ଏହି ପ୍ରଥା କୁ “ନୀଳାଦ୍ରି ବିଜେ” ନାମରେ ଅଭିହିତ କରାଯାଇଛି ।

ଶ୍ରୀଗୁଣ୍ଡିଚା ମନ୍ଦିର ଓ ଶ୍ରୀମନ୍ଦିର । ଗୋଟିଏ ଜନ୍ମସ୍ଥଳୀ ଏବଂ ଅନ୍ୟଟି କର୍ମସ୍ଥଳୀ । ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଅଶ୍ଵମେଧ ଯଜ୍ଞର ମହାବେଦୀ ମଣ୍ଡପ ହିଁ ଗୁଣ୍ଡିଚା ମଣ୍ଡପ ବା ମନ୍ଦିର । ଦାରୁବ୍ରହ୍ମ ଠାକୁର ବିଗ୍ରହ ମାନଙ୍କ ଜନ୍ମସ୍ଥାନ । ଶ୍ରୀମନ୍ଦିର ହେଉଛି ପରଂବ୍ରହ୍ମ ପୁରୁଷୋତ୍ତମଙ୍କ ଆତ୍ମସ୍ୱରୁପ ବ୍ରହ୍ମା ଙ୍କ ଦ୍ଵାରା ସଂସ୍ଥାପିତ ରତ୍ନବେଦୀ ନୀଳାଦ୍ରି ମଣ୍ଡପ । ଯେଉଁଠି ନିତ୍ୟ ବିରାଜମାନ କରିଥାନ୍ତି ନୀଳାଦ୍ରି ନାଥ ଚତୁର୍ଦ୍ଧାମୂର୍ତ୍ତି । ନିତ୍ୟ ଲୀଳା ରଚାଇଥାନ୍ତି । ଗାଣିତିକ ସଂଖ୍ୟା ରେ ୯ (ନଅ) ଏକ ପୂର୍ଣ୍ଣ ସଂଖ୍ୟା ହୋଇଥିବା ଦୃଷ୍ଟିରୁ କଳିଯୁଗ ରେ ପୂର୍ଣ୍ଣ ବ୍ରହ୍ମ ଅବତାରି ପୁରୁଷଙ୍କ ଦ୍ଵାଦଶ ଯାତ୍ରା ମଧ୍ୟରେ ଏହି ନବଦିନ ଯାତ୍ରା ବେଶ୍ ଗୁରୁତ୍ଵପୂର୍ଣ୍ଣ ବୋଲି ବିଚାର କରାଯାଏ ।

ସାମ୍ୟ, ମୈତ୍ରୀ, ମାନବବାଦର ଉଦ୍ ଘୋଷଣା ଏହି ରଥଯାତ୍ରା ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମଗ୍ର ମାନବ ଜାତିକୁ “ବସୁଧୈବ କୁଟୁମ୍ବକମ୍ ” ସୂତ୍ରରେ ଆବଦ୍ଧ କରି ରଖିବାର ବ୍ୟବସ୍ଥା ଇଏ । ଏହି ବିଶ୍ଵ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ରଥଯାତ୍ରାକୁ ଅନୁକରଣ / ଅନୁସରଣ କରି ଦେଶ, ବିଦେଶର ଅନେକ ସ୍ଥାନରେ ଏପରି ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହେବାରେ ଲାଗିଲାଣି । ହେଲେ, ଉତ୍କଳୀୟ ପାରମ୍ପରିକ ସଂସ୍କୃତି ବ୍ୟତିରକେ କୌଣସି ସ୍ଥାନରେ ଅଦିନରେ ଏହା ପାଳିତ ହେବା, ଅପସଂସ୍କୃତି କୁ ଅଧିକ ପ୍ରାଧାନ୍ୟ ଦେଇ ଆମ ପ୍ରାଚୀନ ପରମ୍ପରାର ସଂସ୍କୃତି ମୂଳରେ କୁଠାରଘାତ କରିବା ସମିଚୀନ ନୁହେଁ । ତେବେ, ସଂପ୍ରତି ବିଶ୍ଵ ସମୁଦାୟ କୁ ମହାମାରୀ କରୋନା କବଳିତ କରିଥିବା ଯୋଗୁ ଆମ ଦେଶରେ ଶ୍ରୀକ୍ଷେତ୍ର ଭିନ୍ନ ଅନ୍ୟତ୍ର ରଥଯାତ୍ରା ପାଳନ ନିଷେଧ କରାଯାଇଛି । କେବଳ ଓଡ଼ିଶାର ଶ୍ରୀକ୍ଷେତ୍ର ଧାମରେ ରଥଯାତ୍ରା ପାଳନ ହେଉଥିଲେ ବି, ମହାମାରୀ ସଂକ୍ରମଣର ଆଶଙ୍କା ଦୃଷ୍ଟିରୁ ବହୁଜନ ସମାଗମ କୁ ବାରଣ କରାଯାଇଛି । ଅବଶ୍ୟ, ଶ୍ରୀକ୍ଷେତ୍ର ବଡ ଦାଣ୍ଡରେ ପ୍ରଭୁଙ୍କୁ ରଥ ଉପରେ ପ୍ରତ୍ୟକ୍ଷ ଦର୍ଶନରୁ ଭକ୍ତ ବଂଚିତ ହେଉଥିଲେ ବି, ମହାମାରୀ କବଳରୁ ମାନବ ଜାତିର ସୁରକ୍ଷା ପାଇଁ କଟକଣା ନିୟମ ସମସ୍ତଙ୍କର ଅନୁପାଳନୀୟ ।

ମାନବ ଜୀବଦ୍ଦଶାର ସମୟକୁ ରଥର ଚକ, ମନକୁ ରଥରେ ଯୋଚିତ ଘୋଡ଼ା, ପ୍ରକୃତି ମାନଙ୍କୁ ରଥରେ ସଂଯୁକ୍ତ କାଷ୍ଠ ଖଣ୍ଡ ବୋଲି ବିଚାର କରି ନିଜ ହୃଦୟ ରୂପକ ରଥରେ ବାମନ ରୂପୀ ବଡ ଦିଅଁ ଙ୍କୁ ଆତ୍ମଜ୍ଞାନର ଶ୍ରଦ୍ଧାପୂର୍ଣ୍ଣ ବାଲୁକାମୟ ବଡଦାଣ୍ଡରେ ଦର୍ଶନ କରି ପାରିଲେ ଶ୍ରୀକ୍ଷେତ୍ର ରେ ପାଳିତ ହେଉଥିବା ରଥଯାତ୍ରାର ପ୍ରକୃତ ଲକ୍ଷ୍ୟ ସାଧିତ ହୋଇପାରିବ ।

ଅବନୀ ଚନ୍ଦ୍ର ଦାସ

ଅବନୀ ଚନ୍ଦ୍ର ଦାସ

(ସାହିତ୍ୟିକ, ସ୍ତମ୍ଭକାର, ଗବେଷକ, ସୁସଂଗଠକ)
ସଂପାଦକ, ନିର୍ଭିକ
ସଂପାଦକ, ମାହାଙ୍ଗା ମୈତ୍ରୀ ମଞ୍ଚ
ସଂପାଦକ, ଉତ୍କଳୀୟ ସାହିତ୍ୟ ସଂସ୍କୃତି ପରିଷଦ
ପ୍ରଶାନ୍ତି ବିହାର, ଭୁବନେଶ୍ବର-୨୪
ଫୋନ୍ ନଂ. ୯୯୩୭୫୩୭୯୭୪

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡୀ ଭୂୟାଁ (ଭାଗ ୭୩)

by ଭବେଶ ଚନ୍ଦ୍ର କର
March 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ମାର୍ଚ୍ଚ ୨୦୨୬ ସନ୍ଧ୍ୟା ହେଲା କିନ୍ତୁ ମନ୍ମଥ ଜଙ୍ଗଲରୁ ନ ଫେରିବାରୁ ମନରେ ମୋର ଛନକା ପଶିଲା। କୁଆଡେ ଗଲା...

Read more
ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

March 11, 2026
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
Jay’s Thoughts:Dated Rituals and our unquestioning acceptance of them

Jay’s Thoughts:
Dated Rituals and our unquestioning acceptance of them

February 22, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.