ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୯ ସେପ୍ଟେମ୍ବର ୨୦୨୩
ସୂର୍ଯ୍ୟ ନାରାୟଣ ପାତ୍ର ଥିଲେ ଓଡ଼ିଶା ରାଜନୀତିର ଜଣେ ଜଣାଶୁଣା ନେତା । ଲୋକମାନେ ତାଙ୍କୁ ଶ୍ରଦ୍ଧାରେ ସୂର୍ଯ୍ୟ ପାତ୍ର ବା “ଆନ୍ନା” ବୋଲି ସମ୍ବୋଧନ କରୁଥିଲେ । ନିଜର ବିଚକ୍ଷଣ ସାଂଗଠନିକ ଦକ୍ଷତା ଯୋଗୁଁ ସେ ଲଗାତର ସାତ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଅନ୍ୟପକ୍ଷରେ ଅମାୟିକ ବ୍ୟବହାର ଓ ବନ୍ଧୁବତ୍ସଳ ଆଚରଣ ଲାଗି ସେ ଦଳ ମତ ଉର୍ଦ୍ଧ୍ୱରେ ସମସ୍ତଙ୍କର ପ୍ରିୟଭାଜନ ହୋଇ ପାରିଥିଲେ । ସମ୍ଭବତଃ ସମସ୍ତ ପକ୍ଷଙ୍କ ଦ୍ୱାରା ଗ୍ରହଣୀୟ ହେବା ଯୋଗୁଁ ତାଙ୍କୁ ବିଧାନସଭାର ବାଚସ୍ପତି ଭଳି ମର୍ଯ୍ୟାଦାଜନକ ପଦବୀରେ ଅଧିଷ୍ଠିତ କରାଯାଇଥିଲା ।
ବ୍ରହ୍ମପୁର ମ୍ୟୁନିସପାଲଟିର କାଉନସିଲର ରୂପେ ସମାଜ ସେବା ଜୀବନ ଆରମ୍ଭ କରିଥିବା “ଆନ୍ନା” ତାଙ୍କର ଦୀର୍ଘ ରାଜନୈତିକ ଗତିପଥରେ ବିଧାୟକ, ମନ୍ତ୍ରୀ ଓ ବିଧାନସଭାର ବାଚସ୍ପତି ଭଳି ସମ୍ମାନଜନକ ପଦପଦବୀ ଅକ୍ତିଆର କରିଥଲେ । ଏତେ ସବୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହୋଇଥିଲେ ସୁଦ୍ଧା ଅହଂକାର ତାଙ୍କୁ ଆଦୌ ସ୍ପର୍ଶ କରିନଥିଲା । ସେହି ନିରହଙ୍କାର ବା ଅହଂକାର ଶୂନ୍ୟ ଆଚରଣ ଲାଗି ସେ ସମାଜର ସବୁ ବର୍ଗର ଲୋକଙ୍କ ସହିତ ସହଜରେ ମିଶି ପାରୁଥିଲେ । ଅପରପକ୍ଷେ ଜନସାଧାରଣ ମଧ୍ୟ ତାଙ୍କୁ “ଆପଣାର ଲୋକ” ହିସାବରେ ଗ୍ରହଣ କରି ନେଇଥିଲେ । ସେଥିଯୋଗୁଁ “ଆନ୍ନା”ଙ୍କ ମୃତ୍ୟୁରେ ଭୁବନେଶ୍ୱର ଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଜନସାଧାରଣଙ୍କ ମନରେ ଗଭୀର ଶୋକଛ୍ୱାସ ପ୍ରକାଶ ପାଇଥିଲା ।
ତେବେ ସ୍ୱାସ୍ଥ୍ୟଗତ କାରଣରୁ “ଆନ୍ନା” ବାଚସ୍ପତି ପଦବୀରୁ ଅପସରି ଯାଇଥିଲେ । ଆଶା କରାଯାଉଥିଲା ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିବା ପରେ ସେ ସ୍ୱାଭାବିକ ରାଜନୈତିକ ଜୀବନକୁ ଫେରି ଆସିବେ । କିନ୍ତୁ ବିଧିର ନିର୍ଦ୍ଦେଶ କିଛି ଭିନ୍ନ ଥିଲା । ହଠାତ୍ ସ୍ୱାସ୍ଥ୍ୟବସ୍ଥାରେ ଅଧୋଗତି ଘଟିବା ଯୋଗୁଁ ଗତ ସେପ୍ଟେମ୍ବର ୨ ତାରିଖ ସନ୍ଧ୍ୟାରେ ତାଙ୍କର ଦେହାନ୍ତ ଘଟିଲା ।
ପୂର୍ବତନ ବାଚସ୍ପତି ଯୁଧିଷ୍ଠିର ଦାସଙ୍କ ଶ୍ରାଦ୍ଧୋତ୍ସବରେ “ଆନ୍ନା”ଙ୍କ ସହିତ ମୋର ଶେଷ ଦେଖା ହୋଇଥିଲା । ସେଥିରେ “ଆନ୍ନା” ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ମୁଁ ଅନ୍ୟତମ ଅତିଥି ଭାବେ ଅଂଶ ଗ୍ରହଣ କରିଥିଲି । ସେତେବେଳେ ସେ ବାଚସ୍ପତି ଥିଲେ, ଯଦିଓ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସେହି ସମୟରେ ବିଗିଡ଼ି ଯାଇଥିଲା । ସେହି ଶ୍ରାଦ୍ଧୋତ୍ସବଟି ପ୍ରତିବର୍ଷ ଭଳି ଯୁଧିଷ୍ଠିର ଦାସଙ୍କ ନୂଆପଲ୍ଲୀସ୍ଥିତ ବାସଭବନ ସମ୍ମୁଖସ୍ଥ ପାର୍କରେ ପରିବାରବର୍ଗଙ୍କ ପକ୍ଷରୁ ଆୟୋଜିତ ହୋଇଥିଲା । ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ମୋ ବକ୍ତବରେ ମୁଁ ପ୍ରସ୍ତାବ ବାଢ଼ିଥିଲିଯେ, ଦିବଂଗତ ବାଚସ୍ପତିମାନଙ୍କ ସ୍ମୃତି ସଭା ଓଡ଼ିଶା ବିଧାନସଭା ପକ୍ଷରୁ ଆୟୋଜନ କରାଯିବା ଉଚିତ । କାରଣ ସଂସ୍କୃତି ବିଭାଗ କିମ୍ବା ସୂଚନା ଲୋକ ସମ୍ପର୍କ ବିଭାଗ ସ୍ବର୍ଗତ ବାଚସ୍ପତି ମାନଙ୍କର ସ୍ମୃତିସଭା ଆୟୋଜନ କରୁନାହିଁ । ଓଡ଼ିଶା ବିଧାନସଭା ସେଦିଗରେ ପଦକ୍ଷେପ ଗ୍ରହଣ କଲେ ଦିବଂଗତ ବାଚସ୍ପତିମାନଙ୍କର ଉପଯୁକ୍ତ ସ୍ମୃତି ରକ୍ଷା ହୋଇ ପାରିବ ।
“ଆନ୍ନା” ମୁଖ୍ୟ ଅତିଥି ଭାବରେ ତାଙ୍କର ଅଭିଭାଷଣରେ ଯୁଧିଷ୍ଠିର ବାବୁଙ୍କ ବହୁମୁଖୀ ପ୍ରତିଭାର ଅବତାରଣା କରିଥିଲେ । ସଭା କାର୍ଯ୍ୟ ସମାପନ ପରେ “ଆନ୍ନା” ମୋତେ କହିଲେ “ମହାପାତ୍ରେ, ତୁମେ ଗୋଟିଏ ଉତ୍ତମ ପ୍ରସ୍ତାବ ଦେଲହେ ।” ମୁ ଜଣାଇଥିଲି, ଆପଣ ଯଦି ବିଧାନସଭା ପକ୍ଷରୁ ଦିବଂଗତ ବାଚସ୍ପତି ଓ ଉପ-ବାଚସ୍ପତିମାନଙ୍କ ଜୟନ୍ତୀ କିମ୍ବା ଶ୍ରାଦ୍ଧୋତ୍ସବ ପାଳନ ନକରିବେ, ତେବେ ସେମାନଙ୍କର ସ୍ମୃତିରକ୍ଷା କଷ୍ଟସାଧ୍ୟ ହୋଇପଡ଼ିବ । ଦୃଷ୍ଟାନ୍ତ ଛଳରେ ଦର୍ଶାଇଥିଲି ଯେ, “ମୁକୁନ୍ଦ ପ୍ରସାଦ ଦାସ ହେଉଛନ୍ତି ଓଡ଼ିଶା ବିଧାନସଭାର ପ୍ରଥମ ବାଚସ୍ପତି । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ ଏବଂ ଦେଶ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ବିଶେଷ ଅବଦାନ ଥିଲା । କିନ୍ତୁ ତାଙ୍କ ବିଷୟରେ ବର୍ତ୍ତମାନର ରାଜନେତା କିମ୍ବା ଜନସାଧାରଣ ଖୁବ୍ କମ୍ ଜାଣିଛନ୍ତି ।” ପ୍ରତ୍ୟୁତ୍ତରରେ “ଆନ୍ନା” ମୋ ମନ୍ତବ୍ୟରେ ସହମତ ହୋଇଥିଲେ ଏବଂ ସେ ଦିଗରେ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣର ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।
ଆଉ ଗୋଟିଏ ଘଟଣା । ତାହା ହେଉଛି ୨୦୧୯ ମସିହା ସାଧାରଣ ନିର୍ବାଚନ ପୂର୍ବର କଥା । “ଆନ୍ନା” ସେତେବେଳେ ପ୍ରାତଃ ଭ୍ରମଣରେ ନିୟମିତ ରାଜଧାନୀର ଇନ୍ଦିରା ଗାନ୍ଧୀ ପାର୍କକୁ ଆସୁ ଥାଆନ୍ତି । କିଛି ସମୟ ଚାଲିବା ପରେ ଯୋଗ ଓ ବ୍ୟାୟାମ ପ୍ରଭୃତି କରନ୍ତି । ମୁଁ ମଧ୍ୟ ଚାଲିବା ପାଇଁ ସେହି ପାର୍କକୁ ପ୍ରତିଦିନ ସକାଳେ ଯାଇଥାଏ । ତେଣୁ “ଆନ୍ନା”ଙ୍କ ସହିତ ମଝିରେ ମଝିରେ ମୋର ଭେଟଘାଟ ହୋଇଯାଏ । ମୁହାଁମୁହିଁ ହୋଇଗଲେ ମୁଁ “ଆନ୍ନା”ଙ୍କୁ ନମସ୍କାର ଜଣାଇ ବାଟକାଟି ଚାଲିଯାଏ । ଅନ୍ୟପକ୍ଷରେ “ଆନ୍ନା” ମଧ୍ୟ “କ’ଣ ମହାପାତ୍ରେ କିମ୍ବା କ’ଣ ସାମ୍ବାଦିକ ମହାଶୟ ଭଲ ?” ବୋଲି ପଚାରି ଥାଆନ୍ତି । ବେଳେ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସେ ମୋର ମତାମତ ଜାଣିବାକୁ ଚାହିଁ ଥାଆନ୍ତି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଚାରିଆଡ଼େ ରାଜନୈତିକ ତାତି ପରିଲିକ୍ଷିତ ହେଉଥାଏ । ଏହି ସମୟରେ “ଆନ୍ନା” ତାଙ୍କ ଦଳ ଓ ସରକାର ପ୍ରତି ଲୋକମାନଙ୍କର କିଭଳି ଧାରଣା ରହିଛି, ତାହା ମୋ ଠାରୁ ଜାଣିବାକୁ ଚାହିଁଥିଲେ । ନିର୍ବାଚନର ଫଳାଫଳ କ’ଣ ହେବ ? ତାଙ୍କ ଦଳର ପ୍ରାର୍ଥୀ ମାନେ କେତେ ସଂଖ୍ୟାରେ ଜିତିବେ ? ଇତ୍ୟାଦି ପ୍ରଶ୍ନ ମୋ ସାମ୍ନାରେ ଥୋଇଲେ ଏବଂ ସେହି ସବୁ ପ୍ରସଙ୍ଗ ଉପରେ ମୋର ନିର୍ଦ୍ଧିଷ୍ଟ ମତ ଜିଜ୍ଞାସା କଲେ । ଏଭଳି ପ୍ରଶ୍ନ ଗୁଡ଼ିକର ସିଧାସଳଖ ଉତ୍ତର ଦେବାପାଇଁ ଚାହୁଁ ନଥିବାରୁ ମୁଁ ପ୍ରସଙ୍ଗ ଗୁଡ଼ିକୁ ଏଡ଼ାଇ ଯିବା ପାଇଁ ଉଦ୍ୟମ କଲି । କିନ୍ତୁ “ଆନ୍ନା” ନଛୋଡ଼ବନ୍ଧା । ଫଳରେ ମୁଁ ବାଧ୍ୟ ହୋଇ କହିଥିଲି ଯେ, ଲୋକପ୍ରିୟତା ହରାଇଥିବା କିଛି ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରିଦେଲେ ବିଶେଷ କିଛି ଅସୁବିଧା ହେବ ନାହିଁ । ତା’ ପରେ “ଆନ୍ନା” ମୋତେ ତାଙ୍କ କବଳରୁ ମୁକ୍ତ କରିଥିଲେ ।
“ଆନ୍ନା” ଜଣେ ପୋଖତ ରାଜନେତା ଥିଲେ । ଆଉ ମୁଁ ଗୋଟିଏ ସାଧାରଣ ଗଣମାଧ୍ୟମର ପ୍ରତିନିଧି । ତଥାପି ବିଭିନ୍ନ ମହତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଜନସାଧାରଣଙ୍କ ମତାମତ କ’ଣ ? ଏବଂ ମୋର ମତ କ’ଣ ? ତାହା ସେ ଆହରଣ କରୁଥିଲେ । ଏହି ଘଟଣାରୁହିଁ ତାଙ୍କର ରାଜନୈତିକ ବିଚକ୍ଷଣତା ଓ ପରିପକ୍ୱତାର ସ୍ପଷ୍ଟ ପ୍ରମାଣ ମିଳିଥାଏ । ଏହି ସଂକ୍ଷିପ୍ତ ଆଲେଖ୍ୟ ମାଧ୍ୟମରେ “ଆନ୍ନା”ଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ତାଙ୍କ ଆତ୍ମା ସଦ୍ ଗତି ଲାଭ କରୁ ।