• About
  • Contact
Tuesday, April 14, 2026
Tuesday, April 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ସ୍ଵାଧୀନତା ସଂଗ୍ରାମ କ୍ଷେତ୍ରକୁ କାନ୍ତକବିଙ୍କ ପରିବାରର ଅତୁଳନୀୟ ଅବଦାନ

ସ୍ଵାଧୀନତା ସଂଗ୍ରାମ କ୍ଷେତ୍ରକୁ କାନ୍ତକବିଙ୍କ ପରିବାରର ଅତୁଳନୀୟ ଅବଦାନ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୫ ଅଗଷ୍ଟ ୨୦୨୩

ଓଡ଼ିଶାର ସାହିତ୍ୟ, ସଂଗୀତ, ସମାଜସେବା, ସ୍ଵତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନ, ସ୍ଵାଧୀନତା ସଂଗ୍ରାମ ଆଦି କ୍ଷେତ୍ରକୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓ ତାଙ୍କ ପରିବାରର ଅତୁଳନୀୟ ଅବଦାନ ରହିଛି, ଯାହାକି ସମଗ୍ର ଭାରତବର୍ଷରେ ଅନନ୍ୟ। ତେବେ ଆମ ଐତିହାସିକମାନଙ୍କ ପ୍ରତିବଦ୍ଧତାର ଅଭାବ, ପ୍ରଶାସନର ଅନାଗ୍ରହ ଆଚରଣ ତଥା ପରିବାରର ସଦସ୍ୟମାନଙ୍କ ଆତ୍ମପ୍ରଚାର ବିମୁଖ ମନୋଭାବ ଯୋଗୁଁ ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ର ସ୍ରଷ୍ଟା କାନ୍ତକବିଙ୍କ ପରିବାରର ସେହି ମହନୀୟ ତ୍ୟାଗ ବିଷୟରେ ଓଡ଼ିଶାବାସୀ ସଠିକ୍ ଭାବେ ଅବଗତ ହୋଇ ପାରି ନାହାଁନ୍ତି ।

ଏବେ ସମଗ୍ର ଦେଶରେ ‘ଅଜାଦିକା ଅମୃତ ମହୋତ୍ସବ’ ଧୁମଧାମରେ ପାଳନ କରାଯାଉଛି । ବହୁ କଷ୍ଟଲବ୍ଧ ସ୍ଵାଧୀନତା ପାଇଁ ଆତ୍ମୋସ୍ବର୍ଗ କରିଥିବା କୃତୀ ସନ୍ତାନ ସନ୍ତତିମାନଙ୍କ ବଳିଦାନକୁ ସ୍ମରଣ କରିବା ହେଉଛି, ଅମୃତ ମହେ।ତ୍ସବର ଅନ୍ୟତମ ଲକ୍ଷ୍ୟ। ଅନ୍ୟପକ୍ଷରେ ସ୍ଵାଧୀନତା ସଂଗ୍ରାମରେ ଯେଉଁ ବରପୁତ୍ର ଓ ବରପୁତ୍ରୀମାନଙ୍କ ଗାରିମାମୟ ଅବଦାନଗୁଡିକ ବିଭିନ୍ନ କାରଣରୁ ଲୋକଲୋଚନକୁ ଆସିପାରି ନାହିଁ, ତାହା ଉଜାଗର କରିବା ମଧ୍ୟ ଏହି ମହୋତ୍ସବର ପ୍ରମୁଖ ଉଦ୍ଦେଶ୍ୟ ।

କିନ୍ତୁ ପରିତାପର ବିଷୟ ହେଉଛି, ଜାତୀୟ ଅନ୍ଦୋଳନ ବା ସ୍ଵାଧୀନତା ସଂଗ୍ରାମ କ୍ଷେତ୍ରକୁ କାନ୍ତକବି ଓ ତାଙ୍କ ପରିବାରର ସଦସ୍ୟମାନଙ୍କ ଅମୂଲ୍ୟ ଅବଦାନ ସଂପର୍କିତ ତଥ୍ୟ ଲୋକଲୋଚନକୁ ଅଣିବା ପାଇଁ ଏହି ଆଜାଦିକା ଅମୃତ ମହୋତ୍ସବ କାଳରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ଉଦ୍ୟମ କରାଯାଇ ନାହିଁ । ଫଳରେ ସ୍ଵାଧୀନତାର ୭୫ ବର୍ଷ ଏବଂ ସ୍ଵତନ୍ତ୍ର ପ୍ରଦେଶ ଗଠନର ୮୪ ବର୍ଷ ପରେ ମଧ୍ୟ ଏହି କ୍ଷେତ୍ରକୁ ବିରଳତମ ଅବଦାନ ରଖିଥିହବା ଏହି ସଂଭ୍ରାନ୍ତ ଜମିଦାର ପରିବାରର ମହତ୍ତ୍ଵପୂର୍ଣ୍ଣ ଭୂମିକା ସଂପର୍କରେ ଜନସାଧାରଣ ଜାଣିପାରୁ ନାହାନ୍ତି ।

ଆଦ୍ୟ ଯୌବନରେ ଦୁରାରୋଗ୍ୟ ବ୍ୟାଧିର ଶୀକାର ହେ।ଇ କାନ୍ତକବି ଚାଲିବା ଶକ୍ତି ହରାଇ ବସିଥିଲେ । ତେଣୁ ସାରା ଜୀବନ ଅର୍ଥାତ୍ ୩୮ ବର୍ଷ କାଳ ସେ ବିଛଣା ଉପରେ ହିଁ ବିତାଇଥିଲେ। ସେହି ପ୍ରତିକୂଳ ପରିସ୍ଥିତି ଭିତରେ ହିଁ ସେ ଶାଣିତ ଲେଖନୀ ଚାଳନା କରି ଯେଭଳି ଉଗ୍ର ଉତ୍କଳୀୟ ଜାତୀୟତା ମନୋଭାବ ଏବଂ ଉତ୍ତାଳ ଦେଶ ପ୍ରେମ ଜାଗ୍ରତ କରିଥିଲେ ସେଥିଳପାଇଁ ଲକ୍ଷ୍ମୀକାନ୍ତ ଓଡ଼ିଆ ଜାତିର ଚିର ନମସ୍ୟ ହୋଇ ରହିଛନ୍ତି । ତେବେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କର ମଧ୍ୟ ସ୍ଵତନ୍ତ୍ର ପ୍ରଦେଶ ଗଠନ ଏବଂ ସ୍ଵାଧୀନତା ସଂଗ୍ରାମ କ୍ଷେତ୍ରକୁ ଅସାମାନ୍ୟ ଅବଦାନ ରହିଛି। ତା’ର ସାମାନ୍ୟ ପର୍ଦ୍ଦାଫାଶ କରିବା ହେଉଛି ଏହି ଆଲେଖ୍ୟର ଉଦ୍ଦେଶ୍ୟ ।

କାନ୍ତକବିଙ୍କ ପିତା ଚୌଧୁରୀ ଭଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଥିଲେ ଜଣେ ସଂଭ୍ରାନ୍ତ ଭୂମ୍ୟାଧିକାରୀ (ଜମିଦାର) ଏବଂ ଖ୍ୟାତନାମା ଅଇନ୍‌ଜୀବୀ। ଇଂରେଜ ଶାସନ କାଳରେ ଦେଶରେ ଅଧିକାଂଶ ରାଜା, ମହାରାଜା, ଜମିଦାରମାନେ ବ୍ରିଟିଶ ସରକାରଙ୍କ ଦୃଢ଼ ସମର୍ଥକ ଥିବା ବେଳେ ଭାଗବତ ପ୍ରସାଦ ତା’ର ବ୍ୟତିକ୍ରମ ଥିଲେ। ତେଣୁ ବିହାର-ଓଡିଶା ବିଧାନ ପରିଷଦର ଉପ -ବାଚସ୍ପତି (ଡେପୁଟି-ପ୍ରେସିଡେଣ୍ଟ) ଭଳି ମର୍ଯ୍ୟଦାଜନକ ପଦବୀରେ ଅଧିଷ୍ଠିତ ହୋଇ ସୁଦ୍ଧା ସେ ଇଂରେଜ ଶାସନରଅନ୍ୟାୟ , ଅନୀତି , ବ୍ୟଭିଚାରର ପ୍ରତିବାଦ କରି ବିଧାନ ପରିଷଦର ସଭ୍ୟ ପଦରୁ ଇସ୍ତଫା ଦେଇ ଲବଣ ସତ୍ୟାଗ୍ରହରେ ସାମିଲ ହୋଇଥିଲେ। କେବଳ ସେତିକି ନୁହେଁ, ସ୍ଵାଧୀନତା ସଂଗ୍ରାମ କାଳରେ ଅବିଭକ୍ତ ବାଲେଶ୍ଵର ଜିଲ୍ଲାର ସବୁଠାରୁ ଅଧିକ ସଂଖ୍ୟକ ଲୋକ ଏହି ଜାତୀୟ ଅନ୍ଦେ।ଳନରେ ଲମ୍ଫ ପ୍ରଦାନ କରି ମୃତାହତ ହେବା ସହିତ କାରାବରଣ କରିଥିଲେ। ଏହି ସମୟରେ ଭାଗବତ ପ୍ରସାଦଙ୍କ ଭଦ୍ରକ ସହରସ୍ଥିତ ବାସଭବନହିଁ ସ୍ଵାଧୀନତା ସଂଗ୍ରାମର ଏନ୍ତୁଡିଶାଳାରେ ପରିଣତ ହୋଇଥିଲା। ଅର୍ଥାତ୍ ବ୍ରିଟିଶ ସରକାରଙ୍କ ବିଭିନ୍ନ ଜନବିରୋଧୀ କାର୍ଯ୍ୟକଳାପକୁ କିଭଳି ଫଳପ୍ରଦ ଭାବରେ ପ୍ରତିହତ କରାଯିବ, ତା’ର ରଣକୌଶଳ ଭାଗବତ ପ୍ରସାଦଙ୍କ ବାସଭବନରେ ହିଁ ସଂରଚନା କରାଯାଉଥିଲା। ସେଥିରପାଇଁ ଭାଗବତ ପ୍ରଦାସ ଓ ତାଙ୍କ ପରିବାର ବର୍ଗଙ୍କୁ ଇଂରେଜ ଶାସନର ଅନଥନୀୟ ଦୁର୍ଦ୍ଦଶା ଭୋଗ କରିବାକୁ ପଡିଥିଲା ।

ଭଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର

ସ୍ଵାଧୀନତା ସଂଗ୍ରାମ ସମୟରେ କାନ୍ତକବିଙ୍କ ପରିବାରର ଲଗାତର ତିନୋଟି ପିଢିର ବିପୁଳ ସଂଖ୍ୟକ ସଦସ୍ୟ ଏହି ଜାତୀୟ ଆନ୍ଦୋଳନରେ ଝାସ ଦେଇ କାରାବରଣ କରିଥିଲେ। ବ୍ରିଟିଶ୍ ସରକାରଙ୍କ ବର୍ବରୋଚିତ ଅତ୍ୟାଚାରର ଶୀକାର ହୋଇ ଏହି ପରିବାର ତିନି ଜଣ ପ୍ରଭାବଶାଳୀ ସଭ୍ୟ ଆଦ୍ୟ ଯୌବନ ଅର୍ଥାତ୍ ୨୪ରୁ ୪୧ ବର୍ଷ ବୟସ ଭିତରେ ପ୍ରାଣବଳୀ ଦେଇଥିଲେ। ଇଂରେଜ ଶାସନ ବିରୁଦ୍ଧରେ ଗୋଟିଏ ଆଭିଜାତ୍ୟ ଜମିଦାର ପରିବାରର ଏଭଳି ଅଦମନୀୟ ଲଢେଇ ଏବଂ ବୀରଗତି ପ୍ରାପ୍ତି ଘଟଣା କେବଳ ଭାରତବର୍ଷରେ ବିରଳ ନୁହେଁ ପରନ୍ତୁ ଅଦ୍ଵିତୀୟ ବୋଲି ବିଚାର କରାଯାଏ।

ବ୍ରିଟିଶ୍ ସରକାରଙ୍କ ଅନ୍ୟାୟ ବିରୁଦ୍ଧରେ ରାଜ୍ୟବାସୀଙ୍କୁ ସଂଗଠିତ କରିବା ଲାଗି ଡଃ ହରେକୃଷ୍ଣ ମହତାବ ୧୯୨୩ ମସିହାରେ ବାଲେଶ୍ଵରରୁ ସାପ୍ତାହିକୀ “ପ୍ରଜାତନ୍ତ୍ର” ପ୍ରକାଶ କରିଥିଲେ। କିନ୍ତୁ ଇଂରେଜମାନଙ୍କ ଲୋଲୁପଦୃଷ୍ଟିର ଶୀକାର ହୋଇ ସେ ଅଚିରେ କାରାବରଣ କରିଥିଲେ ।ଫଳରେ ଡଃ ମହତାବଙ୍କ ଅନୁରୋଧକ୍ରମେ କାନ୍ତକବିଙ୍କ ଅନ୍ୟତମ ଅନୁଜ କମଳାକାନ୍ତ ସାପ୍ତାହିକୀ “ପ୍ରଜାତନ୍ତ୍ରର“ ସଂପାଦକ ଦାୟିତ୍ଵ ବହନ କରିଥିଲେ। ଅର୍ଥନୀତିରେ ସ୍ନାତକୋତ୍ତରରେ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ଉଚ୍ଚ ଶିକ୍ଷିତ କମଳାକାନ୍ତ ଜଣେ ଅଗ୍ନି ବର୍ଷୀ ବକ୍ତା ଓ ଜ୍ଵାଳାମୟୀ ଲେଖକ ଥିଲେ। ଇଂରେଜ ଶାସନର ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଦୁର୍ବାର ସ୍ଵର ଉତ୍ତୋଳନ ସାଂଗକୁ ଶାଣିତ ଲେଖନୀ ଚଳନା ଯୋଗୁଁ ବ୍ରିଟିଶ୍ ଶାସକ ଅଗତ୍ୟା କମଳାକାନ୍ତଙ୍କୁ ଗିରଫ କରି ହଜାରିବାଗ ଜେଲରେ ଭର୍ତ୍ତିକରି ଦେଇଥିଲେ। କମଳାକାନ୍ତ ଗୋଟିଏ ସଂଭ୍ରାନ୍ତ ଜମିଦାର ବଂଶର ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ସାଧାରଣ ଲୋକଙ୍କ ଭଳି ଫାଶୀ କିମ୍ବା ଗୁଳିରେ ନମାରି ଇଂରେଜ ସାସକ ତାଙ୍କୁ ଇଞ୍ଜେକସନ ଜରିଆରେ ଦୁରାରୋଗ୍ୟ ଯକ୍ଷ୍ମା ଜୀବାଣୁ ପ୍ରୟୋଗ କରିଥିଲେ। ଫଳରେ କମଳାକାନ୍ତ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ବାଲ୍ଟି ବାଲ୍ଟି ରକ୍ତ ବାନ୍ତି କରିବାକୁ ଲାଗିଲେ। ଉପଯୁକ୍ତ ଚିକିତ୍ସା ପାଇଁ କମଳାକାନ୍ତଙ୍କୁ ତାଙ୍କ ପରିବାର ବର୍ଗ ହଜାରିବାଗରୁ ରାଞ୍ଚି ଜେଲ୍‌କୁ ସ୍ଥାନାନ୍ତର କରିଥିଲେ ଏବଂ ସେବା ସୁଶ୍ରୂଷା ଦାୟିତ୍ବରେ ତାଙ୍କର ବଡ ଭାଇ ସୀତାକାନ୍ତ ଓ ବଡ ଭଉଣୀ କୋକିଳା ଦେବୀ ରହିଥିଲେ। ସେମାନଙ୍କ ସକଳ ଉଦ୍ୟମ ସତ୍ତ୍ବେ କମଳାକାନ୍ତଙ୍କ ଜୀବନ ରକ୍ଷା ସମ୍ଭବ ହୋଇ ପାରିନଥିଲା ଏବଂ ସେ ମାତ୍ର ୨୪ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଥିଲେ ।

ଏହାଠାରୁ ଅଧିକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଥିଲାଯେ, କମଳାକାନ୍ତଙ୍କ ସେବା ସୁଶ୍ରୂଷା କରୁଥିବା ସୀତାକନ୍ତ ଓ କୋକିଳା ଦେବୀ ମଧ୍ୟ ସେହି ଦୁରାରେଗ୍ୟ ଯକ୍ଷ୍ମା ବ୍ୟାଧିରେ ପୀଡିତ ହୋଇ ଯଥାକ୍ରମେ ୪୦ ଏବଂ ୪୧ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ। ସୀତାକନ୍ତଙ୍କର ଦେହାନ୍ତ ଘଟିବା ବେଳକୁ ସେ କାଉନସିଲ ଅଫ୍ ଷ୍ଟେଟସ୍ (ବର୍ତ୍ତମାନର ରାଜ୍ୟସଭା) ସଭ୍ୟ ଥିଲେ। ତା’ ପୂର୍ବରୁ ସୀତାକାନ୍ତ ବିହାର-ଓଡ଼ିଶା ବିଧାନ ପରିଷଦ, ପ୍ରୋଭିନ୍‌ସିଆଲ ଲେଜିସଲେଚର ଏବଂ କେନ୍ଦ୍ରୀୟ ଲେଜିସ୍‌ଟିପ ଆସେମ୍ୱଲିର ସଦସ୍ୟ ହୋଇ ସାରିଥିଲେ। ଅର୍ଥାତ୍ ମୃତ୍ୟୁ ବେଳକୁ ସୀତାକାନ୍ତ ଓଡ଼ିଶାର ଅନ୍ୟତମ ପ୍ରଖ୍ୟାତ ରାଜନେତା ଭାବେ ନିଜକୁ ପ୍ରତିଷ୍ଠିତ କରି ପାରିଥିଲେ। ଅନ୍ୟପକ୍ଷରେ କୋକିଳା ଦେବୀ ମଧ୍ୟ ସେତେବେଳକୁ ଓଡ଼ିଶାର ଜଣେ ଆଗଧାଡିର ନେତ୍ରୀ ହେବା ସାଂଗକୁ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଓ ପ୍ରଥିତଯଶା ସାହିତ୍ୟିକା ରୂପେ ସୁନାମ ଅର୍ଜନ କରି ସାରିଥିଲେ । ଇଂରେଜ ଶାସକଙ୍କ ଏଭଳି ଅମାନବୀୟ ଆଚରଣ ଯୋଗୁଁ କାନ୍ତକବିଙ୍କ ପରିବାରର ଏହି ତିନିଜଣ (ସାନ ଭାଇ କମଳାକାନ୍ତ, ସୀତାକାନ୍ତ ଓ ସାନ ଭଉଣୀ କୋକିଳା ଦେବୀ) ପ୍ରଭାବଶାଳୀ ସଭ୍ୟଙ୍କର ଅକାଳବିୟୋଗ ଘଟିଥିଲା।

କାନ୍ତକବିଙ୍କର ଅନ୍ୟତମ ସାନ ଭଉଣୀ ଜାହ୍ନବୀ ଦେବୀ ମଧ୍ୟ ଓଡ଼ିଶାର ବିଶିଷ୍ଟ ନାରୀ ନେତ୍ରୀ ତଥା ପ୍ରଖ୍ୟାତ ସ୍ଵାଧୀନତା ସଂଗ୍ରାମୀ ଥିଲେ। ଓଡ଼ିଶା ବିଧାନସଭାର ପ୍ରଥମ ବାଚସ୍ପତି ମୁକୁନ୍ଦ ପ୍ରସାଦ ଦାସଙ୍କ ସହଧର୍ମିଣୀ ଜାହ୍ନବୀ ଦେବୀ ୧୯୨୮ ମସିହାରେ କଲିକତା ଠାରେ କଂଗ୍ରେସ ଅଧିବେଶନରେ ଯୋଗ ଦେବା ସହିତ ୧୯୩୧ ଅଗଷ୍ଟ ୨ ତାରିଖରେ ପୁରୀ ଠାରେ ଅନୁଷ୍ଠିତ ସର୍ବ ଭାରତୀୟ ମହିଳା ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ। ବାଲେଶ୍ଵର ଠାରେ ଅନୁଷ୍ଠିତ ସର୍ବଭାରତୀୟ ମହିଳା ସମ୍ମିଳନୀର ଅଭ୍ୟର୍ଥନା କମିଟି ଅଧ୍ୟକ୍ଷା ଥିେବା ଜାହ୍ନବୀ ଦେବୀ ଗାନ୍ଧିଜୀଙ୍କ ଡାକରାରେ ମଦ ଦୋକାନ ସମ୍ମୁଖରେ ପିକେଟିଂ କରି ବାରମ୍ବାର କାରାବରଣ କରିଥିଲେ ଏବଂ ବିପୁଳ ସଂଖ୍ୟକ ମହିଳା ସତ୍ୟାଗ୍ରହୀଙ୍କ ନେତୃତ୍ୱ ନେଇ ଇଞ୍ଚୁଡ଼ି ଠାରେ ସମୁଦ୍ର ତଟରୁ ଲୁଣ ମାରି ଗିରଫ ହୋଇଥିଲେ। ୧୯୪୨ ମସିହାରେ ଭାରତ ଛାଡ ଆନ୍ଦୋଳନ ସମୟରେ ଦେଶର ବଡ଼ ବଡ଼ ନେତା ମାନେ ଗିରଫ ହୋଇ ଜେଲ ଦଣ୍ଡ ଭୋଗ କରୁଥିଲେ। ସେତେବେଳେ ଆନ୍ଦୋଳନର ନେତୃତ୍ୱ ନେବା ପାଇଁ ବିଶିଷ୍ଟ ପ୍ରଜା ସୋସାଲିଷ୍ଟ ପାର୍ଟି ନେତା ରବିନ୍ଦ୍ର ମୋହନ ଦାସ ଜଣାଶୁଣା ସ୍ୱାଧିନତା ସଂଗ୍ରାମୀ ମୁକୁନ୍ଦ ପ୍ରସାଦ ଦାସଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ମୁକୁନ୍ଦ ପ୍ରସାଦ ସେଥିନିମନ୍ତେ ପତ୍ନୀ ଜାହ୍ନବୀ ଦେବୀଙ୍କୁ ପ୍ରବର୍ତ୍ତାଇ ଥିଲେ । ଫଳରେ ସ୍ବାମୀଙ୍କ ପରାମର୍ଶକୁ ଗ୍ରହଣ କରି ଜାହ୍ନବୀ ଦେବୀ ସେହି ଆଇନ ଅମାନ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ ।

କାନ୍ତ କବିଙ୍କ ଭଗ୍ନୀପତି ମୁକୁନ୍ଦ ପ୍ରସାଦ ଦାସ (ଓଡ଼ିଶା ବିଧନସଭାର ପ୍ରଥମ ବାଚସ୍ପତି) ମଧ୍ୟ ଓଡ଼ିଶାର ଜଣେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଥିଲେ। ପ୍ରଖ୍ୟାତ ଆଇନଜିବୀ ଭାବେ ସୁନାମ ଅର୍ଜନ କରିଥିବା ମୁକୁନ୍ଦ ପ୍ରସାଦ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଆଇନ ବ୍ୟବସାୟ ପରିହାର କରି ଜାତୀୟ ଆନ୍ଦୋଳନରେ ଝାସ ଦେଇଥିଲେ। ବ୍ରିଟିଶ ସରକାରଙ୍କ ମିଥ୍ୟା ମୋକଦ୍ଦମାର ଶିକାର ହୋଇ ଅକଥନୀୟ ଦୁର୍ଦ୍ଦଶା ଭୋଗୁଥିବା ନିରୀହ ଜନସାଧାରଣ ଓ ରାଜନେତାମାନଙ୍କ ପାଇଁ ମୁକୁନ୍ଦ ପ୍ରସାଦ ତ୍ରାଣକର୍ତ୍ତା ସାଜିଥିଲେ। ବିନା ପାରିଶ୍ରମିକରେ ସେ ବହୁ ମୋକଦ୍ଦମା ଲଢି ଜନସାଧାରଣଙ୍କୁ (ମହତାବଙ୍କ ଭଳି ରାଜନେତାମାନଙ୍କୁ ମଧ୍ୟ) ଅବାଞ୍ଛିତ ଶୋଷଣରୁ ମୁକ୍ତ କରିଥିଲେ। ଏଥିଯୋଗୁଁ ସେ ବ୍ରିଟିଶ ଶାସକଙ୍କ କୋପ ଦୃଷ୍ଟିରେ ପଡ଼ିଥିଲେ। ବ୍ରିଟିଶ ସରକାର ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ମାମଲା ରୁଜୁ କରି ମୁକୁନ୍ଦ ପ୍ରସାଦଙ୍କୁ ଆଜୀବନ ଜେଲ ଦଣ୍ଡ ଦେବାକୁ ମସୁଧା କରିଥିଲେ। କିନ୍ତୁ କଲିକତାରୁ ପ୍ରଖ୍ୟାତ ଆଇନଜିବୀ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ ବାଲେଶ୍ଵର ଆସି ମାମଲା ଲଢ଼ିଥିଲେ ଓ ମୁକୁନ୍ଦ ପ୍ରସାଦଙ୍କୁ ଖଲାସ କରିଥିଲେ। ଅନ୍ୟଏକ ଗମ୍ଭୀର ମାମଲାରେ ଖୋଦ୍ ମଧୁବାବୁ ବାଲେଶ୍ଵର ଗସ୍ତ କରି ମୁକୁନ୍ଦ ପ୍ରସାଦଙ୍କ କେଶ ଲଢି ତାଙ୍କୁ ଦୋଷମୁକ୍ତ କରିଥିଲେ। ସ୍ୱାଧିନତା ସଂଗ୍ରାମରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବା ମୁକୁନ୍ଦ ପ୍ରସାଦ ଜଣେ ଅତ୍ୟନ୍ତ ନିର୍ଭୀକ, ସ୍ପଷ୍ଟବାଦୀ, ଦରଦୀ ତଥା ଦୃଢ଼ ପ୍ରଶାସକ ଥିଲେ। ସେଥିଯୋଗୁଁ ପରାଧୀନ ଭାରତବର୍ଷରେ ତାଙ୍କୁ ଓଡ଼ିଶା ବିଧାନସଭାର ପ୍ରଥମ ବାଚସ୍ପତି ପଦରେ ଅଧିଷ୍ଠିତ କରାଯାଇଥିଲା ।

ମୁକୁନ୍ଦ ପ୍ରସାଦ ଦାସ

ତୃତୀୟ ପିଢ଼ିର ସଭ୍ୟ ଭାବରେ କାନ୍ତକବିଙ୍କ ଦୁଇ ପୁତ୍ର ନିତ୍ୟାନନ୍ଦ ଓ ଗୌରଚନ୍ଦ୍ର , ମୁକୁନ୍ଦ ପ୍ରାସାଦ ଓ ଜାହ୍ନବୀ ଦେବୀଙ୍କ ଜେଷ୍ଠପୁତ୍ର ଗୌର ଗୋପାଳ ଦାସ ମଧ୍ୟ ସ୍ୱାଧୀନତା ସଂଗ୍ରାମର ବିଭିନ୍ନ ପର୍ଯ୍ୟାୟରେ ଭାଗ ନେଇ ବହୁ ବର୍ଷ ଧରି କାରବରଣ କରିଥିଲେ।ସ୍ୱାଧିନତା ପ୍ରାପ୍ତି ପରେ ଗୌର ଗୋପାଳ ଓଡ଼ିଶା ହାଇକୋର୍ଟରେ ଆଇନଜିବୀ ଭାବରେ ନିଜର ବୃତ୍ତି ନିର୍ବାହ କରିଥିଲେ। ସେହିପରି ନିତ୍ୟାନନ୍ଦ ସଂଭ୍ରାନ୍ତ “ଡଗର”ପ୍ରତ୍ରିକାର ସମ୍ପାଦନା ଦାୟିତ୍ୱ ତୁଲାଇବା ସହିତ ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ। ଭଦ୍ରକ ଆସନରୁ ତିନି ଥର ପାଇଁ ବିଧାସଭାକୁ ପ୍ରିତିନିଧିତ୍ଵ କରିଥିବା ନିତ୍ୟାନନ୍ଦ ରାଜ୍ୟର ଖାଦ୍ୟ ଯୋଗାଣ ଓ ସାଂସ୍କୃତିକ ବ୍ୟପାର ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇଥିଲେ। ଅନ୍ୟପକ୍ଷରେ ସ୍ୱାଧୀନତ୍ତୋର କାଳରେ ଗୌରଚନ୍ଦ୍ର ନିଜକୁ ସକ୍ରିୟ ରାଜନୀତିରୁ ଦୂରେଇ ରଖିଥିଲେ। ଡଃ ମହତାବଙ୍କ ପ୍ରଦତ୍ତ ଦୁଇ ଦୁଇ ଥର ବିଧାୟକ ର୍ପ୍ରାଥିତ୍ଵକୁ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରି ଗୌରଚନ୍ଦ୍ର ଗାନ୍ଧୀଜୀଙ୍କ ସମାଜସେବା କାର୍ଯ୍ୟରେ ମନୋନିବେଶ କରିଥିଲେ। ଶିକ୍ଷକତା ବୃତ୍ତିକୁ ଆପଣେଇ ନେଇଥିବା ଗୌରଚନ୍ଦ୍ର ନାରୀ ଶିକ୍ଷାର ପ୍ରସାର, ନିଶାନିବରଣ, ଅସୃଶ୍ୟତା ଦୂରୀକରଣ , ଗ୍ରାମ ସ୍ଵରାଜ୍ୟର ସଫଳ ରୂପାୟନ ଲାଗି ଆଜୀବନ ବ୍ରତୀ ରହି ସେ ” ଭଦ୍ରକ ଗାନ୍ଧୀ” ରୂପେ ସର୍ବତ୍ର ପରିଚିତ ହୋଇଥିଲେ ।

ନିତ୍ୟାନନ୍ଦ ମହାପାତ୍ର

ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରକୁ ମଧ୍ୟ କାନ୍ତକବିଙ୍କ ପରିବାରର ଅସାମାନ୍ୟ ଅବଦାନ ସର୍ବତ୍ର ବିଦିତ।କାନ୍ତକବିଙ୍କ ସାନ ଭଉଣୀ ଜାହ୍ନବୀ ଦେବୀ, କୋକିଳା ଦେବୀ , କୁମୁଦିନୀ ଦେଇ ରାଜ୍ୟର ଜଣାଶୁଣା କବୟିତ୍ରୀ ଥିବାବେଳେ ତାଙ୍କର ଅନ୍ୟତମ ଭଗ୍ନୀପତି ଶଚିନ୍ଦ୍ରନାଥ ଦାସ (କୁମୁଦିନୀ ଦେଇ ଙ୍କ ସ୍ବାମୀ ତଥା ଗୀତିକାର ଶିବବ୍ରତ ଦାସ ଙ୍କ ପିତା) ଓଡ଼ିଶାର ଜଣେ ବିଶିଷ୍ଟ ସାହିତ୍ୟିକ ଥିଲେ । କାନ୍ତକବି ଙ୍କ ଦୁଇପୁତ୍ର ନିତ୍ୟାନନ୍ଦଓ ଗୌରଚନ୍ଦ୍ର ମଧ୍ୟ ଲବ୍ଧପ୍ରତିଷ୍ଠିତ ସାହିତ୍ୟିକ ହିସାବରେ ରାଜ୍ୟରେ ଖାତି ଅର୍ଜନ କରିଥିଲେ।ପୁତୁରା ପାର୍ଥସାରଥୀ ମହାପାତ୍ର (ସିତାକାନ୍ତଙ୍କ ଜେଷ୍ଠପୂତ୍ର) ଓ ଭଣଜା ଶିବବ୍ରତ ଦାସ ରାଜ୍ୟର ବିଶିଷ୍ଟ ଗୀତିକାର ଭାବରେ ନିଜର ସୁନାମ ରଖିଯାଇ ଥିବାବେଳେ ଅନ୍ୟ ଦୁଇ ଭଣଜା ପ୍ରିୟବ୍ରତ ଦାସ ଓ ପୁଣ୍ୟବ୍ରତ ଦାସ (କୁମୁଦିନୀ ଦେଇଙ୍କ ଦୁଇ ପୁତ୍ର) କ୍ଷୁଦ୍ର ଗଳ୍ପ ଓ ଉପନ୍ୟାସ ରଚନା କ୍ଷେତ୍ର ରେ ସେମାନଙ୍କ ପାରଦର୍ଶିତା ପ୍ରତିପାଦନ କରିଛନ୍ତି। ଅନ୍ୟତମ ଭଣଜା ବିକ୍ରମ କେଶରୀ ଦାସ (ଭଗ୍ନୀପତି ଗଜେନ୍ଦ୍ର ପ୍ରାସାଦ ଙ୍କ ପୁତ୍ର) ଇଂରାଜୀ ସାହିତ୍ୟର ଜଣେ ପ୍ରତିଷ୍ଠିତ ଲେଖକ ଓ ଅନୁବାଦକ ହିସାବରେ ନିଜର ସୁନାମ ପ୍ରତିପାଦନ କରିଛନ୍ତି।

ଗୌରଚନ୍ଦ୍ର ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡୀ ଭୂୟାଁ (ଭାଗ ୭୪)

by ଭବେଶ ଚନ୍ଦ୍ର କର
April 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଏପ୍ରିଲ ୨୦୨୬ ସକାଳୁ ସକାଳୁ ଉଠିପଡ଼ି ନିତ୍ୟକର୍ମ ସାରି କୁଆଡ଼େ ଯିବା ପାଇଁ ବାହାରି ପଡ଼ିଲା ମନ୍ମଥ। ମୁଁ ପଚାରିବାରୁ...

Read more
Why We Buy Brands That Make Us Feel “Complete”

Why We Buy Brands That Make Us Feel “Complete”

April 1, 2026
Vipul’s Voice: Herd Ego

Vipul’s Voice:
Herd Ego

March 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୩)

March 14, 2026
ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

March 11, 2026
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.