• About
  • Contact
Monday, September 14, 2026
Monday, September 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଉମା ଭାଇନା ଓ ସୁକୁ ନାନୀ (ଭାଗ ୪୯)

ଉମା ଭାଇନା ଓ ସୁକୁ ନାନୀ (ଭାଗ ୪୯)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୧ ନଭେମ୍ବର ୨୦୨୫

ସକାଳୁ ସକାଳୁ ଦେବୀ ଭାଇନାଙ୍କ ଫୋନ୍ ଆସିଲା। ତାଙ୍କ ଘର ଡାକ ନାଁ ଓ ମୋ ଘର ଡ଼ାକ ନାଁ ଗୋଟିଏ – ବାବୁ। ସେ ସୁକାନ୍ତି ନାନୀଙ୍କ ସାନଭାଇ। ଦେବୀ ନନ୍ଦ ଏବେ ଶ୍ରୀକ୍ଷେତ୍ର ସଂସ୍କୃତି ଉପରେ ନିୟମିତ ଭାବେ ଲେଖୁଛନ୍ତି।

ଗଲା କାଲି ଭାଇନାଙ୍କ ସହ କଥା ହୋଇଥିଲା। ମଙ୍ଗଳାର ଫୋନ୍ ଆସିଥିଲା – ଉମା ପ୍ରସାଦ ମିଶ୍ର ଚାଲିଗଲେ। ସେ ଆମ ସୁକାନ୍ତି ନାନୀଙ୍କ ସ୍ଵାମୀ ଉମା ପ୍ରସାଦ ମିଶ୍ର ନୁହେଁ ତ? ବୁଝୁ ବୁଝୁ ଇଏ ସେଇ ଉମା ଭାଇନା ବା ଉମା ପ୍ରସାଦ ମିଶ୍ର। ଆମଠୁ ସାତ ଆଠ ବର୍ଷ ବଡ଼ ହେବେ। ଦେହ ଗଲା କିଛିବର୍ଷ ଧରି ଭଲ ନଥିଲା। ସୁକୁ ନାନୀ ସଭାସମିତିକୁ ପ୍ରାୟ ଆସୁ ନଥିଲେ।ଭାଇନାଙ୍କ କଥା ବୁଝିବାରେ ତାଙ୍କ ସମୟ ବିତି ଯାଉଥିଲା। ତାଙ୍କର ଏକମାତ୍ର ଝିଅ ଏବେ ଆମେରିକାରେ ସ୍ୱାମୀ ସହ। ସୁକୁ ନାନୀ ଏକଦା ଥିଲେ ଶନିବାର ସାହିତ୍ୟ ସଂଧ୍ୟାର ଅନ୍ୟତମ ଅଂଶ। ସୁକାନ୍ତି ନନ୍ଦଙ୍କୁ ଚିହ୍ନିବା ଆଗରୁ ମୁଁ ଉମା ଭାଇନାଙ୍କୁ ଜାଣିଥିଲି।

୧୯୭୮ ମସିହା। ମୁଁ କଲେଜରେ ସେକେଣ୍ଡ ଇଅରରେ ଥାଏ। ଜରୁରୀ ପରିସ୍ଥିତି ପରେ ପ୍ରଥମ ଥର କଲେଜ ନିର୍ବାଚନ ହେଉଥାଏ। ବ୍ରଜ କିଶୋର ତ୍ରିପାଠୀ ଏମ୍.ଏଲ୍.ଏ. ହୋଇଥାନ୍ତି। ଆମେ ସବୁ ଦେବଦତ୍ତ ସାମନ୍ତସିଂହାରଙ୍କ ନେତୃତ୍ଵରେ ତାଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲୁ। ସମସ୍ତେ ତାଙ୍କୁ ତାଙ୍କ ଘର ନାଁ ବୁଟୁ ଭାଇନା ନାମରେ ଡାକୁଥାନ୍ତି।

ମୋର କଲେଜ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଇଚ୍ଛା ହେଲା। ମୋ ମନକଥା ବୁଟୁ ଭାଇନାଙ୍କୁ କହିଲି।

– “ଦି’ ଦିନ ପରେ ଉମାଘରକୁ ଯାଅ। ଗୁଡ଼ିଆ ସାହିରେ ଉମା ପ୍ରସାଦ ମିଶ୍ରଠୁ ତିନିଶହ ପୁସିଂ କାର୍ଡ ନେଇଯିବ।” ବୁଟୁ ଭାଇନା କହିଲେ।

ଦୁଇଦିନ ବିତିଗଲା। ପ୍ରଚାର ଆରମ୍ଭ ହୋଇଯାଇଥାଏ। ମୁଁ କଲେଜ ୟୁନିୟନର ସଂପାଦକ ପାଇଁ ପ୍ରାର୍ଥୀ ହୋଇଥାଏ। ଗୁଡ଼ିଆ ସାହିର ଉମା ପ୍ରସାଦ ମିଶ୍ରଙ୍କ ଘରେ ପହଞ୍ଚିଲି ସକାଳୁ ସକାଳୁ। ଛୋଟିଆ ଚାଳ ଘରଟିଏ। ଉମା ପ୍ରସାଦ ମିଶ୍ର ପିଢ଼ାରେ ବସିଥାନ୍ତି। ଦେଖା ହେବାରୁ ଜାଣିଲି ବୁଟୁ ଭାଇନାଙ୍କ ନିର୍ବାଚନ ପ୍ରଚାର ବେଳେ ଆମର ଦେଖାହୋଇଛି। ନାଟୁ (ପ୍ରଦୀପ) ମହାରଥୀ ଓ ସେ ଦେବଦତ୍ତ ଭାଇଙ୍କ ଘରକୁ ନିୟମିତ ଆସୁଥିଲେ। ପ୍ରଦୀପ ମହାରଥୀ ସେ ବର୍ଷ କଲେଜ ନିର୍ବାଚନରେ ସଭାପତି ପ୍ରାର୍ଥୀ। କାର୍ଡ ମିଳିଗଲା। ନିର୍ବାଚନ ସରିଗଲା। ମୁଁ ଭୋଟରେ ହାରିଗଲି। ଉମା ପ୍ରସାଦ ମିଶ୍ରଙ୍କ ସହ ମୋର ଭାଇ ଭାଇ ସମ୍ପର୍କ କିନ୍ତୁ ସରିଲା ନାହିଁ। ସେ ଥିଲେ ଆମ ସଭିଙ୍କ ପ୍ରିୟ ଉମା ଭାଇନା।

ଶନିବାର ସାହିତ୍ୟ ସଂଧ୍ୟା ସେତେବେଳେ ଶିଶୁ। ପୁରୀରେ ସଭା କାଁ ଭାଁ କେଉଁଠି କେମିତି ହେଉଥାଏ। ଧୀରେ ଧୀରେ ସେ ସଭାମାନଙ୍କରେ ଉମା ଭାଇନାଙ୍କୁ ମୁଁ ଭେଟିଲି। ସାହିତ୍ୟ ଛଡ଼ା ସଂଗୀତ ଓ ରାଜନୀତିରେ ବି ତାଙ୍କର ରୁଚି ଥିଲା। ସେ ଥିଲେ ନେହେରୁପନ୍ଥୀ ସମାଜବାଦୀ।

୧୯୮୪ରେ ମୁଁ ଚାକିରି କରିବାକୁ ପୁରୀ ଛାଡ଼ି ବାହାରକୁ ଗଲି। ହଠାତ୍ ଦିନେ ବାହାଘର ନିମନ୍ତ୍ରଣ ପତ୍ରଟିଏ ପାଇଲି। ସୁକାନ୍ତି ନାନୀଙ୍କ ବାହାଘର ହେଉଛି ଉମା ଭାଇନାଙ୍କ ସହ। ମୁଁ ସେ ବାହାଘର ଭୋଜିକୁ ଉମା ଭାଇନାଙ୍କ ନିମନ୍ତ୍ରଣ ଓ ସୁକାନ୍ତି ନାନୀଙ୍କ ନିମନ୍ତ୍ରଣ ଉଭୟ ପାଇଥାଏ। ଉମା ଭାଇନାଙ୍କ ଚତୁର୍ଥୀ ଭୋଜିକୁ ଗଲି। ତିଆଡ଼ି ସାହି ଓ ଗୁଡ଼ିଆ ସାହି ମଝିରେ ଗୋଟେ ଯାଗା ଘର କି ମନ୍ଦିର କେଉଁଠି ହୋଇଥିଲା। ହରିହର ବାହିନୀପତି, ବ୍ରଜ କିଶୋର ତ୍ରିପାଠୀ, ବାମଦେବ ମିଶ୍ର, ପଦ୍ମଚରଣ ସମାନ୍ତସିଂହାର ଆଦି ଅନେକ ନେତା ଓ ପୁରୀର ସବୁ ସାହିତ୍ୟିକ ସେଠି ଥିଲେ। ଏହା ୧୯୮୮ର ଘଟଣା। ମୁଁ ସେତେବେଳେ ଲକ୍ଷ୍ମୌରେ ଥାଏ।

ଉମା ଭାଇନାଙ୍କ ସହ ମୋର ଭାଇଚାରା ସେଠି ସରିଲା ନାହିଁ। ନନା ଷ୍ଟାମ୍ପ ଭେଣ୍ଡିଂ ବ୍ୟବସାୟ କରୁଥାନ୍ତି। କଚେରୀର ଗୋଟେ କଣରେ ସେ ବସୁଥାନ୍ତି। ଦିନେ ସେଠି ମୁଁ କଳାକୋର୍ଟ ପିନ୍ଧିଥିବା ଜଣେ ନୂଆ ଓକିଲ ଭାବେ ଉମା ପ୍ରସାଦ ମିଶ୍ରଙ୍କୁ ଭେଟିଲି। ସେ ବୋଧେ ତା ଆଗରୁ କିଛି ବର୍ଷ ଅର୍ବାନ୍ ବ୍ୟାଙ୍କ କର୍ମଚାରୀ ଥିଲେ। ଓକିଲାତି ପଢ଼ିବା ପରେ ଚାକିରି ଛାଡ଼ି ସ୍ଵାଧୀନ ଭାବେ ଓକିଲାତି ଆରମ୍ଭ କରିଥାନ୍ତି। ବୋଧେ ସେ ପ୍ରଥମେ ବାମଦେବ ମିଶ୍ର କି ହରିହର ବାହିନୀପତିଙ୍କ ଜୁନିୟର ଥିଲେ, ପରେ ନିଜେ ନିଜେ ବୁଝିଲେ। ସେ ଥିଲେ ଓକିଲ, ସମାଜସେବୀ, ରାଜନୀତି ଜ୍ଞାନ ବିଶାରଦ ଓ ଲେଖକ।

ବୁଟୁ ଭାଇନାଙ୍କ ରାଜନୈତିକ ପତନ ଓ ପିନାକୀ ମିଶ୍ରଙ୍କ ଉତ୍ଥାନ ସହ ଉମା ଭାଇନା ଓ ବୁଟୁ ଭାଇନାଙ୍କ ସଂପର୍କ ଖରାପ ହେଲା ବୋଲି ମୁଁ ଶୁଣିଛି। ଓଡ଼ିଶା ବାହାରେ ଥିବାରୁ ଏ ଖବର ରଖିବା ମୋ ପକ୍ଷେ ସହଜ ହେଲାନାହିଁ।ତେବେ, ଗୋଟିଏ କଥା ମନେଅଛି, ସୁକୁ ନାନୀ ଓ ମୋ ସତୀ ଶୈଳବାଳାଙ୍କ ବନ୍ଧୁତା ଅବକାଶରେ ଆମେ ବାରମ୍ବାର ଦେଖା ହୋଇଛୁ। ତାଙ୍କ ଝିଅର ଜନ୍ମଠାରୁ ବାହାଘର ଯାଏଁ, ଜଟିଆ ବାଆଜି ଛକରେ ସୁକୁ ନାନୀ ଓ ଶୈଳ ବସ୍ ଧରି ବ୍ରହ୍ମଗିରି ଗଲାବେଳେ ହେଉ ବା ପୁରୀର ସାହିତ୍ୟ ସଭାମାନଙ୍କରେ ହେଉ।

ଉମା ଭାଇନା କିଛି କିଛି ଲେଖୁଥିଲେ। ବହୁତ ବଡ଼ ଲେଖକ ହେବାର ଇଚ୍ଛା ତାଙ୍କର କେବେ ନଥିଲା। ରାଜନୀତି ଓ ସାହିତ୍ୟକୁ ସେ ଅଲଗା ରଖିଥିଲେ। ଅର୍ବାନ୍ ବ୍ୟାଙ୍କ ନିର୍ବାଚନ ବେଳେ ଆମର ବୋଧହୁଏ ଶେଷଥର ଦେଖା ହୋଇଥିଲା। ସୁକୁ ନାନୀଙ୍କ ଠାରୁ ମୁଁ ତାଙ୍କ ଖବର ରଖୁଥିଲି କେବଳ।

ଆମ ପାଖାପାଖି ସମୟର ଲୋକ ପ୍ରତିଦିନ ଚାଲିଯାଉଛନ୍ତି। ହେଲେ, ମୁଁ ଉମା ଭାଇନାଙ୍କ କଥା ଆଜି ଏତେ ମନେ ପକୋଇଛି କାହିକି କେଜାଣି?

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI
More

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

by Dhanada K. Mishra
September 9, 2026

Dhanada K Mishra, Hong Kong, 9 September 2026 Last week, I asked my computer to find every project report I...

Read more
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.