ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୬ ଅକ୍ଟୋବର ୨୦୨୬
ଆଜି କୁମାର ପୂର୍ଣ୍ଣିମା । ଗଣକବି ବୈଷ୍ଣବ ପାଣି ଙ୍କ ୧୪୫ ତମ ଜନ୍ମତିଥି ପାଳନ ନିମନ୍ତେ ଗଣକବିଙ୍କ ନାମରେ ନାମିତ ମାହାଙ୍ଗାର ପ୍ରାକ୍ତନ ବିଧାୟକ ଶରତ କୁମାର କରଙ୍କ ଦ୍ଵାରା ପ୍ରତିଷ୍ଠିତ ସର୍ବ ପୁରାତନ ସଂସ୍ଥା ଗଣକବି ସ୍ମୃତି ସଂସଦ ପକ୍ଷରୁ ଜନ୍ମ ପୀଠ କୋଠପଦା ବଜାର ଛକ ସ୍ଥିତ କବି ବୈଷ୍ଣବ ପାଣିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ଅଙ୍ଗବସ୍ତ୍ର, ପୁଷ୍ପମାଲ୍ୟ, ଧୂପ – ଦୀପାଦି ସହିତ ଶ୍ରଦ୍ଧାର୍ଘ୍ୟ ଅର୍ପଣ କରାଯାଇଛି ।

ଗଣକବି ସ୍ମୃତି ସଂସଦ ଅଧ୍ୟକ୍ଷ, ପୂଜ୍ୟ ପୂଜକ, ପୂର୍ବତନ ଆୟକର କମିଶନର ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ଶୋଭନ କର ଗଣକବି ବୈଷ୍ଣବ ପାଣି ଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଲେ, ଆମ ମାହାଙ୍ଗା ମୂଲକରେ ଏଭଳି ଜଣେ ଯୋଗଜନ୍ମା ସାରସ୍ଵତ ସାଧକ ଭୂମିଷ୍ଠ ହୋଇ କେବଳ ଏଇ ମାଟିକୁ ଧନ୍ୟ କରି ନାହାନ୍ତି, ବରଂ ନିଜ ପ୍ରତିଭାର ପରାକାଷ୍ଠା ପ୍ରଦର୍ଶନ କରି ଦେଶ ଓ ଜାତିର ର ଅଶେଷ କଲ୍ୟାଣ କରି ଯାଇଛନ୍ତି । ତାଙ୍କ ଅମର କୃତି ଓ କୀର୍ତ୍ତି ଉତ୍ତର ପିଢ଼ି ଙ୍କୁ ଯୁଗ ଯୁଗ ପାଇଁ ମାର୍ଗଦର୍ଶନ କରି ଚାଲିଛି ବୋଲି ଶ୍ରୀ କର ଉଲ୍ଲେଖ କରିଥିଲେ । ଶ୍ରୀ କରଙ୍କ ସହିତ ମାହାଙ୍ଗା ମୈତ୍ରୀ ମଞ୍ଚ ର ସାଧାରଣ ସମ୍ପାଦକ ତଥା ନିର୍ଭୀକ ପତ୍ରିକାର ସମ୍ପାଦକ ଅବନୀ ଚନ୍ଦ୍ର ଦାସ, ଗଣକବି ବୈଷ୍ଣବ ପାଣି ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାର୍ଘ୍ୟ ଅର୍ପଣ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ରତ୍ନାକର ମହାନ୍ତି, ଅଜିତ୍ କୁମାର ସାହୁ, ରୁଦ୍ର ନାରାୟଣ ସିଂହ, ରାମ ଚନ୍ଦ୍ର ମହାପାତ୍ର, ବିଜୟ କୁମାର ପାଣି, ଦୀପକ କୁମାର ଦାସ, କାର୍ତ୍ତିକ ଚନ୍ଦ୍ର ବିହାରୀ, ସମ୍ ଶେର ଅଲ୍ଲି, ଅବଦୁଲ କୁଦୁସ୍, ଶୁଭେନ୍ଦୁ କୁମାର ସାମଲ, ପାର୍ଥ ସାରଥି ନାୟକ, ଡମ୍ବରୁଧର ପରିଡା, ହିମାଂଶୁ ମହାନ୍ତି, ଜ୍ଞାନ ରଞ୍ଜନ ମହାନ୍ତି ଓ ମାଧବ ଚନ୍ଦ୍ର ପଲେଇ ପ୍ରମୁଖ ମାହାଙ୍ଗା ଅଞ୍ଚଳର ଶତାଧିକ ପାଣି ସାହିତ୍ୟ – ସଙ୍ଗୀତ ପ୍ରେମୀ ଜନ ସାଧାରଣ କବିଙ୍କ ପ୍ରତିମୂର୍ତ୍ତି ନିକଟରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
ପୁନଶ୍ଚ, ରଘୁନାଥ ଜୀଉ ମଠ ପରିସର ତଥା ଗଣକବି ପାଣିଙ୍କ ପୈତୃକ ବାସଗୃହ ଯେଉଁଠାରେ ତାଙ୍କ ଆଦ୍ୟ ବାଲ୍ୟ-କୈଶୋର କାଳ ଅତିବାହିତ ହୋଇଥିଲା, ସେଗୁଡିକୁ ପରିକ୍ରମଣ କରିବା ସହିତ ସ୍ମୃତିଚାରଣ କରିଥିଲେ ଶ୍ରୀ ଶୋଭନ କର । ଗଣକବିଙ୍କ ଜୀବନର ସ୍ମୃତି ବହନ କରୁଥିବା ଏହି ସ୍ଥାନ ଗୁଡ଼ିକର ଯଥାଯଥ ରକ୍ଷଣାବେକ୍ଷଣ କରିବା କେବଳ ସରକାରଙ୍କର କାହିଁକି, ବରଂ ଆମ ସମସ୍ତ ଅଞ୍ଚଳବାସୀ ତଥା ଜନସାଧାରଣଙ୍କର ବୋଲି ଶ୍ରୀ କର ଉଦବୋଧନ ଦେଇ କହିଥିଲେ ।

ଏହି ଅବସର ରେ ରାଜଧାନୀ ଭୁବନେଶ୍ୱର ସମେତ କଟକ ଖାନ ନଗର ସ୍ଥିତ ଗଣକବିଙ୍କ ପ୍ରତିମୂର୍ତ୍ତି ରେ ମଧ୍ୟ ସ୍ମୃତି ସଂସଦ ସମେତ ବହୁ ସାହିତ୍ୟ, ସାଂସ୍କୃତିକ, ସାମାଜିକ ଅନୁଷ୍ଠାନ ତଥା ପାଣି ପ୍ରେମିବ୍ୟକ୍ତି ବିଶେଷ ଙ୍କ ଦ୍ଵାରା ଶ୍ରଦ୍ଧାର୍ଘ୍ୟ ଅର୍ପଣ କରାଯାଇଥିଲା । ସ୍ଥାନୀୟ କୋଠପଦା ଅଞ୍ଚଳ ବାସିନ୍ଦା ବୈଷ୍ଣବ ପାଣି ଯାତ୍ରା ନାଟକର ମଞ୍ଚ କଳାକାର କାର୍ତ୍ତିକ ଚନ୍ଦ୍ର ବିହାରୀ ଏବଂ ରତ୍ନାକର ଓଝା ବୈଷ୍ଣବ ପାଣିଙ୍କ ରଚିତ ଗୀତିନାଟ୍ୟ ସଙ୍ଗୀତ ପରିବେଷଣ କରି ଏକ ଭାବ ବିହ୍ୱଳ ପରିବେଶ ସୃଷ୍ଟି କରି ପ୍ରଶଂସିତ ହୋଇଥିଲେ ।






