ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୩ ଅକ୍ଟୋବର, ୨୦୨୬
ପୂର୍ବତନ ବାଚସ୍ପତି, ସାଂସଦ, ବିଧାୟକ, ମନ୍ତ୍ରୀ ତଥା କବି, ସାହିତ୍ୟିକ, ଓ ଜଗନ୍ନାଥ ସଂସ୍କୃତି ର ଅନ୍ୟତମ ପ୍ରଚାରକ, ଶରତ କୁମାର କରଙ୍କ ୬ଷ୍ଠା ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ସଭା ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ଶରତ କର ଓ ଅନିମା କର ଫାଉଣ୍ଡେସନ ଦ୍ବାରା ଆୟୋଜିତ ଭବ୍ୟ ସମାରୋହରେ ପ୍ରାଧ୍ୟାପକ ସୁମନ କର ଅଧ୍ୟକ୍ଷତା କରିଥିଲେ ।

ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନୀତିଜ୍ଞ ପଞ୍ଚାନନ କାନୁନଗୋ ବକ୍ତବ୍ୟ ଛଳରେ ଶରତ କର ତାଙ୍କ ସମୟରେ ଏକ ନମ୍ୱର୍ ରାଜନେତା ଥିଲେ ବୋଲି ଉଲ୍ଲେଖ କରିଥିଲେ । ବିଧାୟକ, ମନ୍ତ୍ରୀ, ସାଂସଦ ତଥା ବାଚସ୍ପତି ଥିବା ବେଳେ ସେ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ପଦକ୍ଷେପ ନେଇ ସାରା ରାଜ୍ୟରେ କୀର୍ତ୍ତିମାନ ସ୍ଥାପନ କରି ଯାଇଛନ୍ତି, ଯାହା ତାଙ୍କୁ ଅବିସ୍ମରଣୀୟ କରି ରଖିଛି ବୋଲି ମୁଖ୍ୟ ଅତିଥି କହିଥିଲେ ।

ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ଲେଖକ, ସମୀକ୍ଷକ, ସାମ୍ବାଦିକ ତଥା ଚିନ୍ତକ ଭାସ୍କର ପରିଚ୍ଛା “ବର୍ଷ ବର୍ଷ ଧରି ଓଡ଼ିଶା ରାଜନୀତି ରେ କି ପରିବର୍ତ୍ତନ ଘଟିଛି” ଶୀର୍ଷକ ଉପରେ ୩ୟ ଶରତ କୁମାର କର ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ ।

ଏହି ଅବସରରେ ଫାଉଣ୍ଡେସନ ପକ୍ଷରୁ ଚଳିତ ବର୍ଷ ଘୋଷଣା କରାଯାଇଥିବା ୩ୟ ଶରତ କୁମାର କର ସ୍ମାରକୀ ସମ୍ମାନ ସ୍ୱରୂପ ଶ୍ରେଷ୍ଠ ଯୁବ ସାଂସଦ ଭାବେ ସପ୍ତଗିରି ଶଙ୍କର ଉଲାକା, ୩ୟ ପଦ୍ମଶ୍ରୀ ରଜତ କୁମାର କର ସ୍ମାରକୀ ସମ୍ମାନରେ ଯୁବ ସଂସ୍କୃତି ସଂଗଠକ ଆହ୍ବାନ ନାୟକ ଏବଂ ୩ୟ ଅନିମା କର ସ୍ମାରକୀ ସମ୍ମାନ ରେ ବେତାର କଣ୍ଠଶିଳ୍ପୀ ଅଧ୍ୟାପିକା ଅଭୀପ୍ସିତା ଦାଶ ଙ୍କୁ ଅଙ୍ଗବସ୍ତ୍ର, ମାନପତ୍ର, ବୃକ୍ଷଚାରା, ଉପଢୌକନ ଏବଂ ନଗଦ ଅର୍ଥରାଶି ପୁରସ୍କାର ସହ ସମ୍ବର୍ଦ୍ଧନା ଦିଆଯିବା ବ୍ୟବସ୍ଥା କରାଯାଇଥିଲା ।

ନିର୍ଭୀକ ପତ୍ରିକାର ସମ୍ପାଦକ ତଥା ବିଶିଷ୍ଟ ସ୍ତମ୍ଭକାର ଅବନୀ ଚନ୍ଦ୍ର ଦାସ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଫାଉଣ୍ଡେସନ ଅଧ୍ୟକ୍ଷ ତଥା ପ୍ରାକ୍ତନ ଆୟକର କମିଶନର ଶୋଭନ କର ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଏହି ସ୍ମୃତି ସଭାରେ ପଦ୍ମ ଚରଣ ନାୟକ, ଶାନ୍ତନୁ କୁମାର ଆଚାର୍ଯ୍ୟ, ଡ଼ଃ ମନୋରମା ବିଶ୍ବାଳ ମହାପାତ୍ର, ଅମର ପ୍ରସାଦ ଶତପଥୀ, ପ୍ରଭୁ କଲ୍ୟାଣ ମହାପାତ୍ର, ମିହିର କୁମାର ସାହୁ, ରବି ନାରାୟଣ ଦାଶ, ଭୃଗୁ ବକ୍ସିପାତ୍ର, ଅଂଶୁମାନ ମହାନ୍ତି, ପ୍ରମୁଖ ରାଜ୍ୟର ବହୁ ବରିଷ୍ଠ ବୁଦ୍ଧିଜୀବି, କବି, ସାହିତ୍ୟିକ, ପ୍ରାକ୍ତନ ପ୍ରଶାସକ, ରାଜନେତା, ସମାଜ ସଂଗଠକ, ସାମ୍ବାଦିକଙ୍କ ସମେତ ଶରତ କରଙ୍କ ଅନୁଗାମୀ ଜନସାଧାରଣ ପ୍ରେକ୍ଷାଳୟରେ ଉପସ୍ଥିତ ରହି ଦିବଂଗତ ଜନନାୟକ ଶରତ କରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ଫାଉଣ୍ଡେସନ ପକ୍ଷରୁ ପ୍ରକାଶିତ ନିର୍ଭୀକ ପତ୍ରିକାର ଗାନ୍ଧି ଜୟନ୍ତୀ ସଂସ୍କରଣ ସଭାରେ ଉପସ୍ଥିତ ସମସ୍ତଙ୍କୁ ନିଃଶୁଳ୍କ ବିତରଣ କରାଯାଇଥିଲା ।







