• About
  • Contact
Sunday, October 4, 2026
Sunday, October 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Opinion

ମହାତ୍ମା

The Mahatma
Share on FacebookShare on Xshare on Whatsappshare on Linkedin
କିରନ ସେଠ୍, ଦିଲ୍ଲୀ, ୨ ଅକ୍ଟୋବର ୨୦୨୬

(ମୂଳ ଇଂରାଜି ଲେଖା କୁ ଧନଦାକାନ୍ତ ମିଶ୍ର ଓଡ଼ିଆ କୁ ଅନୁବାଦ କରିଛନ୍ତି।)

ଆମେ ତାଙ୍କୁ ଜାତିର ପିତା ବୋଲି କହୁ। ଏହା ଏକ ସମ୍ମାନ, କିନ୍ତୁ ଏହା ତାନ୍କୁ ସୀମାବଦ୍ଧ କରିଦିଏ ମଧ୍ୟ। ଏହି କ୍ଷେତ୍ରରେ “ପିତା” ଉପାଧି ତାଙ୍କୁ କେବଳ ଜଣେ ରାଜନୈତିକ ଓ ଐତିହାସିକ ବ୍ୟକ୍ତିତ୍ୱ ଭିତରେ ସୀମିତ କରିଦିଏ। ସେ ଆମକୁ ଏକ ରାଷ୍ଟ୍ର ଦେଇଥିଲେ। କିନ୍ତୁ ଯେଉଁମାନେ ତାଙ୍କ ସହ ବସବାସ କରିଥିଲେ, ସେମାନେ ତାଙ୍କ ପାଇଁ ଏକ ଭିନ୍ନ ଉପାଧି ବାଛିଥିଲେ—ମହାତ୍ମା। – ମହାନ ଆତ୍ମା। ଏହି ଉପାଧି ସେ ଭାରତ ପାଇଁ କ’ଣ କରିଥିଲେ ତାହା କହେନାହିଁ; ଏହା କହେ ଯେ ସେ ନିଜ ମନ ଓ ଅନ୍ତରଜୀବନରେ କ’ଣ ସାଧନା କରିଥିଲେ। ଏବଂ ସେଥିପାଇଁ ଏହା ମୋହନଦାସ କରମଚାନ୍ଦ ଗାନ୍ଧୀଜୀଙ୍କୁ ଅଧିକ ସ୍ପଷ୍ଟ ଭାବେ ପରିଭାଷିତ କରେ।

ଏହା ବୁଝିବା ପାଇଁ ତାଙ୍କର ଆତ୍ମଜୀବନୀ ସତ୍ୟ ସହିତ ମୋର ପ୍ରୟୋଗ ପଢ଼ିବା ଦରକାର। ସେ ଏହାକୁ ମୋର ସାଧନା କିମ୍ବା ସ୍ୱାଧୀନତା ପାଇଁ ମୋର ସଂଗ୍ରାମ ବୋଲି କହିନଥିଲେ। ସେ କହିଥିଲେ—ପ୍ରୟୋଗ। ପ୍ରୟୋଗର ଅର୍ଥ ହେଉଛି, ଫଳ କ’ଣ ହେବ ତାହା ଆଗରୁ ଜଣା ନଥାଏ। ଆପଣ ଚେଷ୍ଟା କରନ୍ତି, ବିଫଳ ହୁଅନ୍ତି, ପର୍ଯ୍ୟବେକ୍ଷଣ କରନ୍ତି, ଏବଂ ପରେ ସଂଶୋଧନ କରନ୍ତି। ଗାନ୍ଧୀଜୀଙ୍କ ପାଇଁ ସ୍ୱାଧୀନତା ଆନ୍ଦୋଳନ କୌଣସି ଅଲଗା ରାଜନୈତିକ ଲକ୍ଷ୍ୟ ନଥିଲା। ଏହା ଥିଲା ସେହି ପରୀକ୍ଷାଗାର, ଯେଉଁଠି ସେ ନିଜ ଅନ୍ତରଜୀବନର ପରୀକ୍ଷା କରୁଥିଲେ। ସତ୍ୟ, ଅହିଂସା, ବ୍ରହ୍ମଚର୍ଯ୍ୟ, ଅପରିଗ୍ରହ—ଏଗୁଡ଼ିକ ତାଙ୍କ ପାଇଁ ସ୍ଲୋଗାନ ନଥିଲା; ଏଗୁଡ଼ିକ ଥିଲା ଦୈନନ୍ଦିନ ସାଧନା।

ବାହ୍ୟ ଓ ଆନ୍ତରିକ ଜୀବନର ଏହି ସମନ୍ୱୟକୁ ଆମେ ଭୁଲିଯାଇଛୁ। ଆମେ ଗାନ୍ଧୀଙ୍କୁ ଜଣେ କୌଶଳୀ, ଜଣେ ଆଲୋଚକ, ଜଣେ ଜନଆନ୍ଦୋଳନର ସଂଗଠକ ଭାବେ ସ୍ମରଣ କରୁ। କିନ୍ତୁ ଗାନ୍ଧୀ ଯିଏ ଥିଲେ ଜଣେ ସାଧକ—ତାଙ୍କୁ ଆମେ ଭୁଲିଯାଉଛୁ। ତାଙ୍କ ପାଇଁ ପ୍ରତ୍ୟେକ ରାଜନୈତିକ କାର୍ଯ୍ୟ ଥିଲା ଏକ ପ୍ରଶ୍ନ: ମୁଁ କି ଆଉ ଅଧିକ ସତ୍ୟନିଷ୍ଠ ହେଉଛି? ଆଉ ଅଧିକ ନିର୍ଭୟ? ଆଉ ଅଧିକ କରୁଣାମୟ?

ଯଦି ଏହା ତାଙ୍କର ପଦ୍ଧତି, ତେବେ ଆଜି ସେ କେତେ ପ୍ରସଙ୍ଗିକ? ଆମେ ବହୁତ ଅଶାନ୍ତ ସମୟରେ ବଞ୍ଚୁଛେ। ଆମର ଯୁବପିଢ଼ି ଯେତେ ଅଧିକ ସଂଯୁକ୍ତ, ସେତେ ଅଧିକ ଏକାକୀ ମଧ୍ୟ। ଆମ ପାଖରେ ଅପାର ଭୌତିକ ଅଗ୍ରଗତି ଅଛି, ତଥାପି ଅପାର ମାନସିକ କଷ୍ଟ ମଧ୍ୟ ଅଛି। ଏହି ପରିଦୃଶ୍ୟରେ ତାଙ୍କର ଚାରିଟି ଧାରଣା ଇତିହାସ ଭାବେ ନୁହେଁ, ବରଂ ଜୀବନ୍ତ ମାର୍ଗଦର୍ଶନ ଭାବେ ଆମ ସାମ୍ନାକୁ ଫେରିଆସେ।

ପ୍ରଥମଟି ହେଉଛି ତତ୍ତ୍ଜାବଧାରକତ୍ଜ। ଗାନ୍ଧୀଜୀ କହୁଥିଲେ, ଧନ ତୁମର ନୁହେଁ। ପ୍ରତିଭା ତୁମର ନୁହେଁ। ଏପରିକି ତୁମର ଶରୀର ମଧ୍ୟ ପୂର୍ଣ୍ଣ ଅର୍ଥରେ ତୁମର ନୁହେଁ। ତୁମେ ଜଣେ ତତ୍ତ୍ଜାବଧାରକ। ତୁମ ପାଖରେ ଯେଉଁ ଶକ୍ତି, ସମ୍ପତ୍ତି କିମ୍ବା ବିଶେଷାଧିକାର ଅଛି, ସେଗୁଡ଼ିକୁ ସମସ୍ତଙ୍କ ମଙ୍ଗଳ ପାଇଁ ଏକ ଧରୋହର ଭାବେ ଧାରଣ କରିଛ।

ଆଜିର ପ୍ରମୁଖ ଧାରଣା ହେଉଛି ମାଲିକାନା। ମୋର ନମ୍ବର, ମୋର ଚାକିରି, ମୋର ସଫଳତା—ସବୁ ମୋର। ତେଣୁ ମୁଁ ବିଫଳ ହେଲେ, ମୁଁ ନିଜେ ବିଫଳ ବୋଲି ଭାବେ। ନ୍ୟାସୀତ୍ୱର ଧାରଣା ଏହାକୁ ଓଲଟାଇ ଦେଇଥାଏ। ଏହା କହେ: ମୋର କ୍ଷମତାଗୁଡ଼ିକ ମୋତେ ଦିଆଯାଇଛି। ସେଗୁଡ଼ିକର ଯତ୍ନ ନେବା, ସେଗୁଡ଼ିକୁ ବିକଶିତ କରିବା ଏବଂ ସତ୍‌ଉପଯୋଗ କରିବା ମୋର କର୍ତ୍ତବ୍ୟ। ମୁଁ ଯଦି ଏହା କରେ, ତେବେ ମୁଁ ମୋର କର୍ତ୍ତବ୍ୟ ପାଳନ କରିଛି। ଫଳାଫଳ ମୋର ପରିଚୟ ନୁହେଁ। ଏହି ଗୋଟିଏ ପରିବର୍ତ୍ତନ ଆମ ଛାତ୍ରଛାତ୍ରୀଙ୍କ କାନ୍ଧରୁ ଅସହ୍ୟ ଚାପକୁ ହଟାଇପାରେ। ତୁମେ ଏମିତି ଜଣେ ମାଲିକ ନୁହଁ ଯାହାକୁ ଅବଶ୍ୟ ଜିତିବାକୁ ପଡ଼ିବ; ତୁମେ ଜଣେ ନ୍ୟାସୀ, ଯାହାକୁ ସତ୍ୟନିଷ୍ଠ ଭାବେ ସେବା କରିବାକୁ ହେବ।

ଦ୍ୱିତୀୟଟି ହେଉଛି ସରଳ ଜୀବନ ଓ ଉଚ୍ଚ ଚିନ୍ତା। ଆମେ ପ୍ରାୟତଃ ଏହି ବାକ୍ୟଟି ଉଚ୍ଚାରଣ କରୁ, କିନ୍ତୁ କ୍ୱଚିତ୍ ତାହାକୁ ଅଭ୍ୟାସ କରୁ। ଗାନ୍ଧୀଜୀଙ୍କ ପାଇଁ ସରଳତା ଦାରିଦ୍ର୍ୟ ନଥିଲା; ଏହା ଥିଲା ସ୍ପଷ୍ଟତା। ସେ ଜାଣିଶୁଣି ନିଜ ଇଚ୍ଛାଗୁଡ଼ିକୁ କମାଇଥିଲେ, ଯାହାଦ୍ୱାରା ସେଗୁଡ଼ିକ ତାଙ୍କୁ ନିୟନ୍ତ୍ରଣ କରିପାରିବ ନାହିଁ। ସେ ନିଜେ ସୂତା କାଟି କପଡ଼ା ତିଆରି କରୁଥିଲେ, ନିଜ ଶୌଚାଳୟ ନିଜେ ପରିଷ୍କାର କରୁଥିଲେ, ଯେଉଁଠାରେ ଯାନରେ ଯାଇପାରୁଥିଲେ ସେଠାରେ ମଧ୍ୟ ହାଟୁଥିଲେ; କାରଣ ସେ ବିଶ୍ୱାସ କରୁଥିଲେ ଯେ ବସ୍ତୁରେ ଠସାଠସି ଭରିଥିବା ଜୀବନ ବିବେକର ସ୍ୱରକୁ ଶୁଣିପାରେ ନାହିଁ।

ଆମ ଯୁଗ ଏହାର ପୂରା ବିପରୀତ କଥାରେ ବିଶ୍ୱାସ କରେ—ଅଧିକ ଭୋଗ ଆମକୁ ଅଧିକ ସୁଖ ଦେବ। କିନ୍ତୁ ଆମ ଚାରିପାଖର ପ୍ରମାଣ ଅନ୍ୟ କଥା କହେ। ଅବସାଦ, ଉଦ୍ବେଗ ଓ ନିଶାଗ୍ରସ୍ତତା ସେହି ସ୍ଥାନଗୁଡ଼ିକରେ ଅଧିକ ବଢ଼ୁଛି, ଯେଉଁଠାରେ ଭୌତିକ ସମୃଦ୍ଧି ସର୍ବାଧିକ। ତେଣୁ ଗାନ୍ଧୀଜୀଙ୍କ ସରଳତାର ଆହ୍ୱାନ କୌଣସି ନୈତିକ ଉପଦେଶ ନୁହେଁ; ଏହା ଏକ ମନୋବୈଜ୍ଞାନିକ ଉପଚାର। ଆପଣ ଯେତେବେଳେ ସ୍ୱଇଚ୍ଛାରେ କମ୍‌ରେ ଜୀବନଯାପନ କରିବା ଶିଖନ୍ତି, ସେତେବେଳେ ବୁଝିପାରନ୍ତି ଯେ ଆନନ୍ଦିତ ରହିବା ପାଇଁ ଆପଣଙ୍କୁ ଅତି କମ୍ ଜିନିଷ ଦରକାର। ବିଜ୍ଞାପନ, ସହପାଠୀ କିମ୍ବା ସମାଜର ଚାପ ଏବଂ ସଦା ଦେଖାଭଳି କରିବାର ଚାହିଦା ଆପଣଙ୍କୁ କମ୍ ପ୍ରଭାବିତ କରିପାରିବ।

ତୃତୀୟଟି ହେଉଛି ଆମର ସମନ୍ୱିତ ଐତିହ୍ୟର ସୌନ୍ଦର୍ଯ୍ୟ। ଗାନ୍ଧୀଜୀ ଜଣେ ସନାତନୀ ହିନ୍ଦୁ ଥିଲେ, ଯିଏ ଗୀତାକୁ ନିଜ ହୃଦୟର ଅତ୍ୟନ୍ତ ନିକଟରେ ରଖୁଥିଲେ। ତଥାପି ସେ “ରଘୁପତି ରାଘବ ରାଜା ରାମ” ଏବଂ “ଇଶ୍ୱର ଅଲ୍ଲାହ ତେରୋ ନାମ”କୁ ନିଜ ଆଶ୍ରମର ପ୍ରାର୍ଥନା କରିଥିଲେ। ସେ ଏହା କୌଣସି ରାଜନୈତିକ ସମଝୌତା ଭାବେ କରିନଥିଲେ। ସେ ଏହା କରିଥିଲେ କାରଣ ସେ ଭିନ୍ନ ଭିନ୍ନ ପରମ୍ପରାରେ ସେହି ଏକେଇ ଦିବ୍ୟ ଆଲୋକକୁ ସତ୍ୟରୂପେ ଦେଖୁଥିଲେ।

ସେ ହିନ୍ଦ୍ ସ୍ୱରାଜରେ ଲେଖିଥିଲେ ଯେ ଭାରତ କେବଳ ଏକ ଭୂଖଣ୍ଡ ନୁହେଁ; ଏହା ଏକ ସଭ୍ୟତା—ଏମିତି ଏକ ସଭ୍ୟତା, ଯାହା ଭିନ୍ନତାକୁ ସାଙ୍ଗେ ସାଙ୍ଗେ ଧାରଣ କରିବା ଶିଖିଛି। ଆଜି, ଯେତେବେଳେ ପରିଚୟକୁ ବିଭାଜନ ପାଇଁ ବ୍ୟବହାର କରାଯାଉଛି, ସେତେବେଳେ ଐତିହ୍ୟ ସମ୍ପର୍କରେ ତାଙ୍କର ବୁଝାମଣା ଅତ୍ୟାବଶ୍ୟକ। ସେ ଆମକୁ କେବଳ ପରସ୍ପରକୁ ସହିବାକୁ କହିନଥିଲେ। ସହିବାର ଅର୍ଥ—ଆପଣ କୌଣସି କିଛିକୁ ପସନ୍ଦ କରୁନାହାନ୍ତି, କିନ୍ତୁ ତାହାକୁ ବରଦାସ୍ତ କରୁଛନ୍ତି। ସେ ଆମକୁ ପରସ୍ପରଙ୍କୁ ସମ୍ମାନ କରିବାକୁ ଏବଂ ପରସ୍ପରର ପଥରେ ସୌନ୍ଦର୍ଯ୍ୟ ଖୋଜିବାକୁ କହିଥିଲେ। ସେହି ସମ୍ମାନ ସେତେବେଳେ ହିଁ ଆସିପାରେ, ଯେତେବେଳେ ଆମେ ପରସ୍ପରର ସଙ୍ଗୀତ, କବିତା, ଭକ୍ତି ଓ ଶିଳ୍ପକୁ ପ୍ରକୃତରେ ଅନୁଭବ କରିବା; କେବଳ ପାଠ୍ୟପୁସ୍ତକରେ ସେଗୁଡ଼ିକ ବିଷୟରେ ପଢ଼ିବା ନୁହେଁ।

ଚତୁର୍ଥଟି, ଏବଂ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ, ହେଉଛି ଅହିଂସାର ଶକ୍ତି। ଆମେ ଅହିଂସାକୁ ଏକ ରାଜନୈତିକ କୌଶଳରେ ସୀମିତ କରିଦେଇଛୁ—ଅହିଂସାତ୍ମକ ପ୍ରତିବାଦ, ଅହିଂସାତ୍ମକ ଅସହଯୋଗ। କିନ୍ତୁ ଗାନ୍ଧୀଜୀଙ୍କ ପାଇଁ ଅହିଂସା ଏହାଠାରୁ ଅଧିକ ମୌଳିକ ଥିଲା। ଏହା ଥିଲା ମାନବ ହୃଦୟର ନିୟମ।

ସେ ବିଶ୍ୱାସ କରୁଥିଲେ ଯେ ହିଂସା ହାତ ଆଘାତ କଲେ ଆରମ୍ଭ ହୁଏନାହିଁ। ଏହା ସେତେବେଳେ ଆରମ୍ଭ ହୁଏ, ଯେତେବେଳେ ମନ ଘୃଣା କରେ; ଯେତେବେଳେ ମନ ଅଧୈର୍ଯ୍ୟ ହୁଏ; ଯେତେବେଳେ ସେ ତୁରନ୍ତ ପ୍ରତିଶୋଧ ଚାହେଁ। ତେଣୁ ଅହିଂସାର ଅଭ୍ୟାସ ମନରୁ ଆରମ୍ଭ ହୁଏ। ମୁଁ କି କାମ କରିବା ପୂର୍ବରୁ ମୋର କ୍ରୋଧକୁ ଗୋଟିଏ ମିନିଟ୍ ପାଇଁ ଧରି ରଖିପାରିବି? ସବୁ କିଛି ଶେଷ ହୋଇଗଲା ବୋଲି ନିଷ୍କର୍ଷ କାଢ଼ିବା ପୂର୍ବରୁ, ମୁଁ କି ମୋର ନିରାଶାକୁ ଗୋଟିଏ ଘଣ୍ଟା ପାଇଁ ସମ୍ଭାଳି ରଖିପାରିବି? ମୁଁ କଣ ତୁରନ୍ତ ପ୍ରତିକ୍ରିୟା କରିବା ପରିବର୍ତ୍ତେ ଭାବିଚିନ୍ତି ଉତ୍ତର ଦେଇପାରିବି?

ଏହା ଆମ ଯୁବପିଢ଼ି ପାଇଁ ସବୁଠାରୁ ଅଧିକ ପ୍ରସଙ୍ଗିକ। ଆମେ ଏକ ତୁରନ୍ତ ପ୍ରତିକ୍ରିୟାର ସଂସ୍କୃତିରେ ବଞ୍ଚୁଛୁ। ଗୋଟିଏ ଚିନ୍ତା ଆସେ ଏବଂ ଆମେ ତୁରନ୍ତ ତାହାକୁ ପୋଷ୍ଟ କରିଦେଉ। କେହି ସାମାନ୍ୟ ଅପମାନ କଲେ ଆମେ ତୁରନ୍ତ ପ୍ରତିଶୋଧ ନେଉ। ଗୋଟିଏ ବିଫଳତା ଆସିଲେ ଆମେ ତୁରନ୍ତ ଠିକ କରିଦେଉ ଯେ ଆମ ଜୀବନ ଶେଷ ହୋଇଗଲା। ଅନୁଭବ ଓ କାର୍ଯ୍ୟ ମଧ୍ୟର ଅନ୍ତରାଳ ଅଦୃଶ୍ୟ ହୋଇଯାଇଛି। ଗାନ୍ଧୀଜୀଙ୍କ ସମଗ୍ର ଶୃଙ୍ଖଳାର ଉଦ୍ଦେଶ୍ୟ ଥିଲା ସେହି ଅନ୍ତରାଳକୁ ବଢ଼ାଇବା। ପ୍ରାର୍ଥନା ମାଧ୍ୟମରେ, ନୀରବତା ମାଧ୍ୟମରେ, ଶାରୀରିକ ଶ୍ରମ ମାଧ୍ୟମରେ, ଉପବାସ ମାଧ୍ୟମରେ ସେ ନିଜକୁ କିଛିକ୍ଷଣ ଥମ୍କିବା ପାଇଁ ପ୍ରଶିକ୍ଷିତ କରିଥିଲେ। ସେହି ବିରାମ ହିଁ ସେହି ସ୍ଥାନ, ଯେଉଁଠି ମାନବତା ବାସ କରେ।

ମୁଁ ଏହି ଚାରିଟି ବିଷୟକୁ ଏକ ସମ୍ପ୍ରତିକ 14,000 କିଲୋମିଟରର ଯାତ୍ରା ସମୟରେ ବ୍ୟକ୍ତିଗତ ଭାବରେ ସତ୍ୟାପିତ କରିପାରିଥିଲି। 73 ବର୍ଷ ବୟସରେ, 7,000 ଟଙ୍କାର ଏକ ସାଧାରଣ ସାଇକେଲରେ, ଅତ୍ୟଳ୍ପ ସାମଗ୍ରୀ ସହିତ, ମୁଁ ଦେଶର ଦୈର୍ଘ୍ୟ ଓ ପ୍ରସ୍ଥ ସାଇକେଲ ଯାତ୍ରା କରିଥିଲି— ଦିଲ୍ଲି ଠାରୁ ଅହମଦାବାଦ୍ ପର୍ଯ୍ୟନ୍ତ, ପରେ ଶ୍ରୀନଗରରୁ କନ୍ୟାକୁମାରୀ ହୋଇ ଗୁୱାହାଟୀ ପର୍ଯ୍ୟନ୍ତ; ଏବଂ 2 ଅକ୍ଟୋବର 2024ରେ ଦିଲ୍ଲୀର ରାଜଘାଟରେ ଏହି ଯାତ୍ରା ସମାପ୍ତ କରିଥିଲି। ଏହି ଯାତ୍ରାରେ ମୁଁ ଦୁର୍ଗମ ଗାଁ, ଛୋଟ ସହର ଏବଂ ନଗରଗୁଡ଼ିକର ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଯାଇ ସ୍ପିକ୍ ମାକେର ସନ୍ଦେଶ ପ୍ରଚାର କରିଥିଲି।

ବିଦ୍ୟୁତ୍‌ହୀନ ଏକ ଦୁର୍ଗମ ଶ୍ରେଣୀକକ୍ଷରେ, ନିଯୁକ୍ତିକୁ ନେଇ ଉଦ୍ବେଗରେ ଭରିଥିବା ଏକ ସହରୀ ମହାବିଦ୍ୟାଳୟରେ, ଏବଂ ସେହି ଗାଁଗୁଡ଼ିକରେ ଯେଉଁଠି ହିନ୍ଦୁ ଓ ମୁସଲମାନମାନେ ଏକାସାଙ୍ଗେ ମୋତେ ସ୍ୱାଗତ କରିଥିଲେ—ମୁଁ ସେହି ଏକେଇ ସତ୍ୟକୁ ଦେଖିଲି: ନ୍ୟାସୀତ୍ୱ, ସରଳତା, ସମନ୍ୱିତ ଐତିହ୍ୟ ଏବଂ ଆନ୍ତରିକ ଅହିଂସା କେବଳ ଅମୂର୍ତ୍ତ ଆଦର୍ଶ ନୁହେଁ। ସେଗୁଡ଼ିକ ଜୀବନ୍ତ ସମ୍ଭାବନା—ଯାହା ଆଜି ମଧ୍ୟ ଭାରତରେ ବଞ୍ଚି ରହିଛି।

ଜାତିର ପିତା ଆମକୁ ରାଜନୈତିକ ସ୍ୱାଧୀନତା ଦେଇଥିଲେ। ମହାତ୍ମା ଆମକୁ ଆହୁରି ଅଧିକ ସ୍ଥାୟୀ କିଛି ପ୍ରଦାନ କରିଛନ୍ତି —ନିଜର ଭୟ, ଲୋଭ ଓ ଘୃଣାରୁ ମୁକ୍ତ ହେବାର ଏକ ପଦ୍ଧତି। ସେହି ଅର୍ଥରେ, ତାଙ୍କର ପ୍ରୟୋଗ ସମାପ୍ତ ହୋଇନାହିଁ। ସେଗୁଡ଼ିକୁ ଆଗକୁ ନେବା ପାଇଁ ସେମାନେ ଆମର ଅପେକ୍ଷା କରୁଛନ୍ତି।

Kiran Seth

Kiran Seth

Professor Emeritus, IIT Delhi Padma Shri Awardee Founder, SPIC MACAY

Related Posts

ରାଜନେତା ହେବ ତ ଲାଲ ବାହାଦୁରଙ୍କ ପରି, ଅଦ୍ଧାର୍ଙ୍ଗିନୀ ହେବ ତ ଲଲିତାଙ୍କ ପରି
Opinion

ରାଜନେତା ହେବ ତ ଲାଲ ବାହାଦୁରଙ୍କ ପରି, ଅଦ୍ଧାର୍ଙ୍ଗିନୀ ହେବ ତ ଲଲିତାଙ୍କ ପରି

by ଡ଼ଃ. ଗିରିଜା ଶଙ୍କର ମିଶ୍ର
October 2, 2026

ଡଃ. ଗିରିଜା ଶଙ୍କର ମିଶ୍ର, ମାହାଙ୍ଗା, ୨ ଅକ୍ଟୋବର ୨୦୨୬ ଲାଲ ବାହାଦୁର ଶାସ୍ତ୍ରୀ ହେଉଛନ୍ତି ଆମ ଦେଶର ପୂର୍ବତନ ପ୍ରଧାନ ମନ୍ତ୍ରୀ ଯାହାଙ୍କ ନାମକୁ ସମସ୍ତେ...

Read more
The Mahatma

The Mahatma

October 2, 2026
The Many Faces of Ageing: Why Empathy Must Lead Our Response

The Many Faces of Ageing: Why Empathy Must Lead Our Response

October 1, 2026
Pariksha Pe Charcha: One Leak, Millions Betrayed—How India Must Re-engineer Its Public Examinations

Pariksha Pe Charcha: One Leak, Millions Betrayed—How India Must Re-engineer Its Public Examinations

September 12, 2026
Third EyeWhen the Referee becomes part of the Game!

Third Eye
When the Referee becomes part of the Game!

September 5, 2026
Why Frequent Use of the Term “Civilisational History” Needs Regular Unpacking?

Why Frequent Use of the Term “Civilisational History” Needs Regular Unpacking?

September 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.