ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୦୯ ସେପ୍ଟେମ୍ବର ୨୦୨୨
କୋଭିଡ୍ ମହାମାରୀ ପରେ ଭାରତ ବର୍ଷର ସବୁଠାରୁ ଉତ୍କଟ ସମସ୍ୟା ଭାବେ ବେରୋଜଗାରୀକୁ ଗଣାଯାଉଛି । କେନ୍ଦ୍ରସରକାର ଓ ବିଭିନ୍ନ ରାଜ୍ୟର କ୍ଷମତାସୀନ ସରକାର ମାନେ ଏ ପର୍ଯ୍ୟନ୍ତ ବେକାରୀ ହାର ବାବଦରେ ନୀରବତା ଅବଲମ୍ବନ କରିଚାଲିଛନ୍ତି । ଅନ୍ୟପକ୍ଷରେ ଦେଶରେ କୋଟି କୋଟି ଶିକ୍ଷିତ ବେକାର ନିଜର ଜୀବନ ଓ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି । ଗତ ସଂସଦ ଅଧିବେଶନରେ ମିଳିଥିବା ତଥ୍ୟ ଉପରେ ଯଦି ନଜର ପକାଇବା ତେବେ ବୁଝିପାରିବା ବେକାରୀ ମଧ୍ୟ କୌଣସି ମହାମାରୀ ଠାରୁ କମ୍ ଭୟଙ୍କର ନୁହେଁ ବୋଲି ।
କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ସଂସଦରେ ରଖିଥିବା ଉତ୍ତର କୁ ଯଦି ଦେଖିବା ତେବେ ଗତ ୮ ବର୍ଷ ମଧ୍ୟରେ ୨୨ କୋଟି ଯୁବକ/ଯୁବତୀ କେନ୍ଦ୍ରସରକାର ଙ୍କ ଅଧୀନରେ ଚାକିରୀ ପାଇବା ପାଇଁ ଆବେଦନ କରିଥିବାବେଳେ ମାତ୍ର ୭ ଲକ୍ଷ ଙ୍କୁ ଚାକିରୀ ମିଳିଛି । ପାଖାପାଖି ଦେଶର ୧ କୋଟିରୁ ଅଧିକ ପଦବୀ ଖାଲି ପଡିଥିବାବେଳେ ଯଦି ନିଯୁକ୍ତି ନମିଳେ ତେବେ ଏଥିପାଇଁ କିଏ ଦାୟୀ ? ଏହି ତଥ୍ୟ ଅନୁଯାୟୀ କେନ୍ଦ୍ରସରକାରଙ୍କର ବିଭିନ୍ନ ବିଭାଗରେ ଚାକିରୀ ପାଇବା ପାଇଁ ୨୦୧୪ ମସିହାରେ ଆବେଦନ କରିଥିଲେ ୨ କୋଟି ୩୨ ଲକ୍ଷରୁ ଅଧିକ ଯୁବ ବର୍ଗ ମାତ୍ର ଚାକିରୀ ପାଇଥିଲେ ୧ ଲକ୍ଷ ୩୦ ହଜାର ୪୨୩, ୨୦୧୫ ମସିହାରେ ଆବେଦନ କରିଥିଲେ ୨ କୋଟି ୯୫ ଲକ୍ଷରୁ ଅଧିକ ଓ ଚାକିରୀ ପାଇଥିଲେ ୧ ଲକ୍ଷ ୧୧ ହଜାର ୮୦୭ ଜଣ, ୨୦୧୬ ମସିହାରେ ଆବେଦନକାରୀଙ୍କ ସଂଖ୍ୟା ୨ କୋଟି ୨୮ ଲକ୍ଷରୁ ଅଧିକ ଥିବାବେଳେ ଚାକିରୀ ପାଇଥିବା ସଂଖ୍ୟା ୧ ଲକ୍ଷ ୧ ହଜାର ୩୩୩ । ସେହିପରି ୨୦୧୭ ମସିହାରେ ଆବେଦନକାରୀଙ୍କ ସଂଖ୍ୟା ୩ କୋଟି ୯୪ ଲକ୍ଷରୁ ଅଧିକ ଥିବାବେଳେ ଚାକିରୀ ପାଇଥିଲେ ୭୬ ହଜାର ୧୪୭ ଜଣ, ୨୦୧୮ ମସିହାରେ ଆବେଦନକାରୀଙ୍କ ସଂଖ୍ୟା ୫ କୋଟି ୯ ଲକ୍ଷରୁ ଅଧିକ ଥିବାବେଳେ ଚାକିରୀ ପାଇଥିଲେ ୩୮ ହଜାର ୧୦୦ ଜଣ । ୨୦୧୯ ମସିହାରେ ଆବେଦନକାରୀଙ୍କ ସଂଖ୍ୟା ୧ କୋଟି ୭୮ ଲକ୍ଷରୁ ଅଧିକ ଥିବାବେଳେ ଚାକିରୀ ପାଇଥିଲେ ୧ଲକ୍ଷ ୪୭ ହଜାର ୯୬ ଜଣ, ସେହିପରି ୨୦୨୦ ମସିହାରେ ଆବେଦନକାରୀଙ୍କ ସଂଖ୍ୟା ୧ କୋଟି ୮୦ ଲକ୍ଷରୁ ଅଧିକ ଥିବାବେଳେ ଚାକିରୀ ପାଇଥିଲେ ୭୮ ହଜାର ୫୫୫ ଜଣ । ୨୦୨୧ ମସିହାରେ ଆବେଦନକାରୀଙ୍କ ସଂଖ୍ୟା ୧ କୋଟି ୮୬ ଲକ୍ଷରୁ ଅଧିକ ଥିବାବେଳେ ଚାକିରୀ ପାଇଥିବା ସଂଖ୍ୟା ଥିଲା ୩୮ ହଜାର ୮୫୦ । ତେବେ ୨୦୧୪-୧୫ ରୁ ୨୦୨୧-୨୨ ପର୍ଯ୍ୟନ୍ତ ଅର୍ଥାତ୍ ୮ ବର୍ଷ ମଧ୍ୟରେ କେନ୍ଦ୍ରସରକାରଙ୍କର ଖାଲିଥିବା ପଦବୀ ଗୁଡିକ ପାଇଁ ଆବେଦନକାରୀଙ୍କ ସଂଖ୍ୟା ଆକଳନ ହୁଏ, ଏମାନଙ୍କ ସଂଖ୍ୟା ହେଉଛି ୨୨ କୋଟି ୫ ଲକ୍ଷ ୯୯ ହଜାର ୨୩୮ ଓ ସେହି ଅନୁପାତରେ କେନ୍ଦ୍ରସରକାରଙ୍କ ବିଭିନ୍ନ ଖାଲି ପଡିଥିବା ପଦବୀରେ ନିଯୁକ୍ତି ପାଇଥିବା ଯୁବକ/ଯୁବତୀ ଙ୍କ ସଂଖ୍ୟା ହେଉଛି ୭ ଲକ୍ଷ ୨୨ହଜାର ୩୧୧ । ତେବେ ୨୦୧୪ ସାଧାରଣ ନିର୍ବାଚନ ବେଳେ ବିଜେପି ପକ୍ଷରୁ ଦିଆଯାଇଥିବା ପ୍ରତିଶୃତି ଅନୁଯାୟୀ ଯଦି ବିଜେପି କ୍ଷମତାକୁ ଆସେ ତେବେ ୧୦ ବର୍ଷ ଭିତରେ ୨୫ କୋଟି ଚାକିରୀ ର ସୁଯୋଗ ତିଆରି କରାଯିବ, ଏବେ ଭାବନ୍ତୁ ତ..
୨୦୧୪ ପରଠାରୁ କେନ୍ଦ୍ରରେ ବିଜେପି ନେତୃତ୍ଵାଧୀନ ସରକାର ଥିବା ବେଳେ ୮ ବର୍ଷରେ କେବଳ ସରକାରୀ ଚାକିରୀ ମିଳିଛି ମାତ୍ର ୭ ଲକ୍ଷ ଯୁବକ / ଯୁବତୀଙ୍କୁ । ଇଏ ହେଉଛି ବେରୋଜଗାରୀକୁ ନେଇ କେନ୍ଦ୍ର ସରକାରର କଥା ଓ କାମ ମଧ୍ୟରେ ଥିବା ଫରକ । ଖାଲି ସେତିକି ନୁହେଁ CMIE ର ଆଉ ଏକ ତଥ୍ୟ କହୁଛି ମାର୍ଚ୍ଚ ୨୦୧୭ ରେ ଯୁବ ନିଯୁକ୍ତି ହାର ୨୦.୯ ପ୍ରତିଶତ ଥିବାବେଳେ ମାର୍ଚ୍ଚ ୨୦୨୨ରେ ଏହି ନିଯୁକ୍ତି ହାର ୧୦.୪ପ୍ରତିଶତ କୁ ହ୍ରାସ ପାଇଛି।
ସେହିଭଳି ଅନ୍ୟ ରାଜ୍ୟ ଗୁଡିକର ଅବସ୍ଥା ମଧ୍ୟ ଉଣା ଅଧିକେ ସମାନ । CMIE ର ତଥ୍ୟ ଅନୁଯାଇ ସେପ୍ଟେମ୍ବର ୮, ୨୦୨୨ ସୁଦ୍ଧା ଭାରତରେ ବେକାରୀ ହାର ୭.୬ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ଏହି ହାର ୯ ପ୍ରତିଶତରୁ ଅଧିକ ରହିଛି । ବିଜେପି ଶାସିତ ରାଜ୍ୟ ହରିୟାଣାରେ ବେକାରୀ ହାର ସର୍ବାଧିକ ୩୭.୩ ଥିବାବେଳେ ଓଡ଼ିଶା, ଗୁଜୁରାଟ ଓ ମଧ୍ୟପ୍ରଦେଶରେ ଏହି ହାର ସମାନ ଭାବେ ୨.୬ ପ୍ରତିଶତ ରହିଛି । ପୂର୍ବରୁ ମଧ୍ୟ CMIE ଓ ଓଡ଼ିଶା ସରକାରଙ୍କ ନିଜସ୍ୱ “Economic Survey ” ର ବେକାରୀ ହାର ନେଇ ଦ୍ୱନ୍ଦ ରହିଛି ।
ସାରା ଦେଶରେ ବେକାରୀ ମାନଙ୍କ ବଢୁଥିବା ହାର ଓ ତଥ୍ୟକୁ ନେଇ ଉଦ୍ ବେଗ ପ୍ରକାଶ ପାଉଥିବା ବେଳେ ଉଭୟ କେନ୍ଦ୍ରର ବିଜେପି ସରକାର ଓ ଓଡ଼ିଶାର ବିଜେଡ଼ି ସରକାର ଏ ନେଇ ଯଥା ସମ୍ଭବ ନିରବତା ଅବଲମ୍ବନ କରିଚାଲିଥିବା ଭଳି ମନେ ହୁଏ । କେବଳ ନିର୍ବାଚନ ସମୟରେ ବେକାର ଯୁବକ ଓ ଯୁବତୀଙ୍କୁ ପ୍ରଲୋଭିତ କରିବାପାଇଁ ରାଜନୈତିକ ଦଳ ଗୁଡ଼ିକ ଏହାକୁ ପ୍ରମୁଖ ପ୍ରସଙ୍ଗ କରୁଥିବା ବେଳେ ନିର୍ବାଚନ ପରେ ନିଯୁକ୍ତି ପ୍ରକ୍ରିୟା ନେଇ ଚୁପ୍ ରହିଯାଆନ୍ତି । ବିଗତ ବର୍ଷ ମାନଙ୍କରେ କାହିଁକି କେନ୍ଦ୍ର ସରକାର କୋଟି କୋଟି ଯୁବକ / ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଅସମର୍ଥ ହୋଇଛନ୍ତି ଏହାର ଉତ୍ତର ଦେବା ଉଚିତ୍ ନୁହେଁକି ? ସେହିପରି ଓଡ଼ିଶା ସରକାର CMIE ର ତଥ୍ୟକୁ ନେଇ ଶ୍ରେୟ ନେଉଥିବା ବେଳେ ପ୍ରକୃତରେ ୨୨ବର୍ଷର ଶାସନ କାଳରେ କେତେ ବେକାର ଯୁବକ / ଯୁବତୀଙ୍କୁ ନିଯୁକ୍ତି ଦେଇଛନ୍ତି ସରକାରୀ ସ୍ତରରେ ତାର ଏକ ହିସାବ ଓଡ଼ିଶାର ଜନସାଧାରଣ ଙ୍କୁ ଦେବାର ଆବଶ୍ୟକତା ନାହିଁ କି ?