ବ୍ୟୁରୋ ରିପୋର୍ଟ, ନିର୍ଭୀକ,୧୫ ଫେବୃଆରୀ ୨୦୨୬
ସ୍ଥାନ ହେଉଛି ଦିଲ୍ଲୀର ଅଶୋକା ହୋଟଲ । ଫେବ୍ରୁଆରୀ ୧୨ ତାରିଖ ରାତିର ଘଟଣା । ଓଡ଼ିଶାର ଜଣେ ବାବୁଙ୍କ କାରନାମା ନେଇ ସୋସିଆଲ ମିଡ଼ିଆରେ ହଇଚଇ । ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଥିବା ଖବର ଅନୁଯାୟୀ, ସରକାରୀ କାର୍ଯ୍ୟରେ ଦିଲ୍ଲୀ ଯାଇଥିବା ବାବୁ ଜଣକ ଅଶୋକା ହୋଟେଲର ୬୩୮ ନଂ ରୁମ୍ ରେ ଜଣେ ବନ୍ଧୁଙ୍କ ସହ କାଳେ ରହୁଛନ୍ତି। ଗତ ୧୨ ତାରିଖ ହଠାତ ହୋଟେଲ ଲବିରେ ଜୋର ପାଟିତୁଣ୍ଡ ଶୁଭିଲା। ଦେଖୁ ଦେଖୁ ଜଣା ପଡ଼ିଲା ଯେ, ଓଡ଼ିଶାର ଜଣେ ବାବୁଙ୍କ ରୁମ୍ କୁ ଆସିଥିବା ତାଙ୍କ ବନ୍ଧୁ ନିଶାଗ୍ରସ୍ତ ହୋଇ ହୋଟେଲ ଲବିରେ ବସିଥିବା ଅନ୍ୟ ମହିଳା ଅତିଥିମାନଙ୍କୁ ଅସଦାଚରଣ କରିବାର ଉଦ୍ୟମ କଲେ ଏହାକୁ ନେଇ ସେଠାରେ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ବାବୁଙ୍କ ବନ୍ଧୁଙ୍କ ଦୌରାତ୍ମ୍ୟରେ ଭୟଭୀତ ହୋଇ କେତେକ ଭଦ୍ର ମହିଳା ହୋଟେଲ ଛାଡ଼ି ପଳାଇବାକୁ ବସିଲେ । ପରିସ୍ଥିତି ଅସମ୍ଭାଳ ହେବାରୁ ହୋଟେଲ କର୍ତ୍ତୃପକ୍ଷଙ୍କୁ ଶେଷରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । ବୁଝୁ ବୁଝୁ ଜଣା ପଡ଼ିଲା ଯେ, ସରକାରୀ କାର୍ଯ୍ୟରେ ଯାଇ ହୋଟେଲରେ ରହୁଥିବା ଓଡ଼ିଶାର ବାବୁଙ୍କ ରୁମ୍ ରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆସର ଚାଲିଥିଲା। ଯେଉଁଥିରେ ବାବୁ ଜଣକ ନିଜର ବନ୍ଧୁ ମାନଙ୍କୁ ଡାକି ଖୁବ୍ ଆପ୍ୟାୟିତ କରିଥିଲେ । ଦିଲ୍ଲୀର ଅଶୋକା ହୋଟେଲରେ ଘଟିଥିବା ଏହି ଘଟଣା ବାବଦରେ ଜଣେ ଛାତ୍ର କଂଗ୍ରେସ ନେତା ବିଭୂତି ଭୂଷଣ ମହାପାତ୍ର ତାଙ୍କ ‘ଏକ୍ସ’ ହାଣ୍ଡଲରେ ଏହି ଘଟଣା ବାବଦରେ ଉଲ୍ଲେଖ କରିବା ସହ ମୁଖ୍ୟମନ୍ତ୍ରୀ,ମୁଖ୍ୟମନ୍ତ୍ରୀଙ୍କ ଅଫିସ,ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ସରକାରଙ୍କ ଗୃହ ବିଭାଗକୁ ମଧ୍ୟ ଟ୍ୟାଗ୍ କରିଛନ୍ତି । ଆହୁରି ମଧ୍ୟ କଂଗ୍ରେସର ଏହି ଛାତ୍ର ନେତା ଲେଖିଛନ୍ତି ଯେ,ଦିଲ୍ଲୀର ଏହି ହୋଟେଲ ଏବେ ପାଲଟିଛି ଓଡ଼ିଶା ସରକାରଙ୍କ ରଙ୍ଗଶାଳା । ଏପରିକି ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛନ୍ତି କେଉଁ ବାବୁ ଜଣକ ୬୩୮ ନଂ ରୁମ୍ ରେ ରହି ଓଡ଼ିଆଙ୍କ ଟିକସ ଅର୍ଥରେ ମଦ ମାଂସର ଆସର କରୁଥିଲେ ? ଖାଲି ସେତିକି ନୁହେଁ ସେହି ବାବୁ ଜଣକ ମଧ୍ୟ ନିଜର ବନ୍ଧୁ ମାନଙ୍କୁ ଡକାଇ ନିଶା ସେବନ କରାଇ ଅଶୋକା ହୋଟେଲ ଲବିରେ ଅନ୍ୟ ଅତିଥିଙ୍କୁ ଅସଦାଚରଣ କରିବା ଘଟଣା ଓଡ଼ିଶାର ସରକାରଙ୍କ ନଜରରେ ଅଛି ତ ବୋଲି ମଧ୍ୟ ପଚାରିବାକୁ ଭୁଲି ନାହାଁନ୍ତି । ସିସିଟିଭି ଦେଖି , ତଦନ୍ତ କରି ତୁରନ୍ତ ଏହି ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ଏହି ଛାତ୍ର କଂଗ୍ରେସ ନେତା ।

ତେବେ ଯାହା ଶୁଣିବାକୁ ମିଳିଛି ତାହା ହେଉଛି, ଅଶୋକା ହୋଟେଲର ଗୋଟେ ଏକଜ୍ୟୁଟିଭ୍ ସୁଇଟ୍ ରାଜ୍ୟ ସରକାରଙ୍କ ଜଣେ ସ୍ୱତନ୍ତ୍ର ସଚିବଙ୍କ ନାମରେ ତା.୧୨.୦୨.୨୦୨୬ରୁ ତା.୧୬.୦୨ ୨୦୨୬ ଯାଏ ବୁକ୍ ହୋଇଛି । ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଗତ ୧୦ ତାରିଖରେ ଏକ ଅଫିସ୍ ଅର୍ଡର ବାହାରିଥିଲା । ୧୫ ହଜାର ଟଙ୍କାର ଏହି ବିଳାସପୂର୍ଣ୍ଣ ସୁଇଟ୍ ରେ ରହିବା ପାଇଁ ବାବୁଙ୍କ ଦେବାକୁ ପଡୁଛି ମାତ୍ର ୧୨୦ ଟଙ୍କା । ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଥିବା ଗତ ୧୨ ତାରିଖ ରାତିର ଏହି ଘଟଣାଟି ଯଦି ସତ ହୋଇଥାଏ ତେବେ ସାଙ୍ଘାତିକ। ସୋସିଆଲ ମିଡ଼ିଆରେ ଏହି ଖବର ବ୍ୟାପିବା ପରେ “ଲୋକଙ୍କ ସରକାର”ର ଏହା କ’ଣ ଅସଲ ସ୍ୱରୂପ ବୋଲି ମଧ୍ୟ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି। ତେବେ ବାବୁ ଜଣକ କିଏ ?କେଉଁ ବିଭାଗର ? ସେହି ବିଭାଗ ଦାୟିତ୍ୱରେ ଥିବା ସଚିବ ଏବଂ ବିଭାଗୀୟ ମନ୍ତ୍ରୀ ଏହି ଘଟଣା ବାବଦରେ ଜାଣିଛନ୍ତି ନା ନାହିଁ ? ଏପରିକି ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ, ଅଶୋକା ହୋଟେଲରେ ଏଭଳି କାଣ୍ଡ ଭିଆଇ ଥିବା ଏହି ବାବୁ ଜଣଙ୍କର ଆହୁରି ଭିନ୍ନ ପରିଚୟ ମଧ୍ୟ ରହିଛି । ସେ ହେଉଛନ୍ତି ଭୁବନେଶ୍ୱର ସାଇକେଲିଂ ଓ ଆଡ଼ଭେଞ୍ଚର କ୍ଲବ୍ ର ଜଣେ ସଦସ୍ୟ, ଯିଏ ନିକଟରେ ଆଇପିଏସ ଅଫିସର ସଂଜୀବ ପଣ୍ଡାଙ୍କ ନେତୃତ୍ୱରେ ଟାଟା ମୁମ୍ବାଇ ମାରାଥନରେ ଅଂଶଗ୍ରହଣ କରି ଫେରିଛନ୍ତି । ଏତେ ସବୁ ପରିଚୟ ଜାଣିବା ପରେ ଯଦି ରାଜ୍ୟ ସରକାର ଚୁପ୍ ରହିବାକୁ ଚାହୁଁଥିବେ ତେବେ ସାଧାରଣ ଲୋକଙ୍କ ସାମ୍ନାରେ “ଲୋକଙ୍କ ସରକାର” ଏବଂ “ଲୋକଙ୍କ ମୁଖ୍ୟମନ୍ତ୍ରୀ”ଙ୍କ ଚେହେରାକୁ ନେଇ ସନ୍ଦେହ ସୃଷ୍ଟି ହେବ ନା ନାହିଁ ? ଏବେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ଏହି ଘଟଣାର ତଦନ୍ତ କରି ସମ୍ପୃକ୍ତ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ତ ?






