ବ୍ୟୁରୋ ରିପୋର୍ଟ,ନିର୍ଭୀକ, ୨୨ ଅଗଷ୍ଟ ୨୦୨୨
ଗତ ୮ବର୍ଷ ମଧ୍ୟରେ ED ଚଢ଼ାଉ ର ପରିମାଣରେ ୨୭ଗୁଣ ବୃଦ୍ଧି ହୋଇଛି । ଅର୍ଥାତ୍ କେନ୍ଦ୍ରରେ NDAର ସରକାର ଆସିବା ପରଠାରୁ (୨୦୧୪-୨୦୨୨) ମଧ୍ୟରେ କେବଳ ED ରେଡ୍ କରିଛି ୩୦୧୦ଟି । ଯଦି ଏହାକୁ ଆମେ (୨୦୦୪-୨୦୧୪) ପର୍ଯ୍ୟନ୍ତ କ୍ଷମତାରେ ଥିବା UPA ସରକାର ସମୟ ସହ ତୁଳନା କରିବା ତେବେ ଏହି ରେଡ୍ ର ସଂଖ୍ୟା ଥିଲା ୧୧୨ । ଏଭଳି ତଥ୍ୟ ସଂସଦରେ ରଖିଛନ୍ତି NDA ସରକାରଙ୍କ ମନ୍ତ୍ରୀ ଗତ ଅଧିବେଶନରେ । ED ୮୮୮ଟି ମାମଲାରେ ଚାର୍ଜସିଟ୍ ଦେଇଥିବା ବେଳେ ୨୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିପାରିଛି । ୨୦୧୯ ପୂର୍ବର ଅନ୍ୟ ଏକ ତଥ୍ୟ ଅନୁଯାୟୀ ପ୍ରାୟ ୨୪୦୦ ମାମଲା ବିଚାର ନହୋଇ ପଡିରହିଛି । ଏପରିକି PMLA ଆସିବା ପରଠାରୁ ୨୫୦୦ ମାମଲା ରୁଜୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ମାମଲାର ତଦନ୍ତ ପଡ଼ିରହିଛି । ଇଏ ହେଉଛି ଆମର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା EDର ସଫଳତା ।
ଯଦି ED, CBI ଏବଂ Income Tax ବିଭାଗର କାର୍ଯ୍ୟକୁ ଗତ ୮ବର୍ଷ ମଧ୍ୟରେ ସମୀକ୍ଷା କରାଯାଏ, ତେବେ ଏହି ମାମଲା ଗୁଡିକର ସଂଖ୍ୟା ଅଣବିଜେପି ଶାସିତ ରାଜ୍ୟରେ କ୍ଷମତାସୀନ ସରକାର ବା ବିଜେପି ବିରୋଧୀ ନେତୃତ୍ୱ ବିରୋଧରେ ଅଧିକ ରହିଛି । ସର୍ବାଧିକ ଭାବେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଏହାର ଶିକାର ହୋଇଛି । ଦଳର ଶୀର୍ଷ ନେତୃତ୍ୱ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପି. ଚିଦାମ୍ବରମ୍, କେ. ଶିବକୁମାର ଆଦିଙ୍କ ତାଲିକା ବେଶ୍ ଲମ୍ବା । ସେହିପରି ରାଜ୍ୟ ହିସାବରେ ମହାରାଷ୍ଟ୍ରରେ କ୍ଷମତାସୀନ ଥିବା ଶିବସେନା, କଂଗ୍ରେସ, ଏନ୍ସିପିର ୧୪ରୁ ଅଧିକ ନେତାଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ED, CBI ଏବଂ Income Tax ବିଭାଗ ପକ୍ଷରୁ ତ୍ୱରିତ ଚଢ଼ାଉ କରାଯିବା ସହ ମାମଲା ରୁଜୁ କରାଯାଇଛି । ସେମାନଙ୍କ ମଧ୍ୟରେ ଶରଦ ପୱାର, ପ୍ରଫୁଲ୍ଲ ପଟେଲ, ଅଜିତ୍ ପୱାର, ସଞ୍ଜୟ ରାୱତ, ସଞ୍ଜୟଙ୍କ ପତ୍ନୀ ବର୍ଷା ରାୱତ ଆଦି ସାମିଲ । ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଅନିଲ ଦେଶମୁଖ୍, ନୱାବ ମଲିକ୍, ଅନିଲ ପରବ ଏବଂ ସାଂସଦ ସଂଜୟ ରାୱତ ଆଦିଙ୍କୁ ଜେଲ ଯିବାକୁ ପଡିଛି ।
ସେହିପରି ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟିର ନେତାଙ୍କ ନାଁରେ ୨୦୧୫ରୁ ପାଖାପାଖି ୧୦୦ରୁ ଅଧିକ ମାମଲା ରୁଜୁ ହୋଇଥିବା କଥା ଆପ୍ ମଧ୍ୟ କହିଛି । କେଜ୍ରିୱାଲ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନ ଏବେ ଜେଲରେ ଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଘରେ ମଧ୍ୟ CBI ରେଡ୍ କରିଛି ଓ ତାଙ୍କୁ ଅବକାରୀ ବିଭାଗ ଦୁର୍ନିତୀରେ ପ୍ରମୁଖ ଅଭିଯୁକ୍ତ କରିଛି । ସେହିପରି ପଶ୍ଚିମବଙ୍ଗରେ TMCର ବହୁ ନେତାଙ୍କ ନାମରେ ED ଓ CBI ମଧ୍ୟ ମାମଲା ରୁଜୁ କରିଛି । TMC ସୁପ୍ରିମୋ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ, ତାଙ୍କ ପତ୍ନୀ ରୁଜିରା ବାନାର୍ଜୀ, TMC ନେତା ଅନୁବ୍ରତ ମଣ୍ଡଳ ଓ ଏବେ ଜେଲ୍ ଯାଇଥିବା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମେତ ଏକାଧିକ ନେତା ଏବେ ଏହି କେନ୍ଦ୍ରୀୟ ଯାଞ୍ଚ ସଂସ୍ଥା ଗୁଡିକର ନଜରରେ ରହିଛନ୍ତି । ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀଙ୍କ ଉପରେ ମଧ୍ୟ ଚଢ଼ାଉ ହେବା ସହ ଖଣି ଦୁର୍ନୀତି ମାମଲା ରୁଜୁ ହୋଇଛି । ଗତ ସାଧାରଣ ନିର୍ବାଚନ ପୂର୍ବରୁ କେରଳ, କର୍ଣ୍ଣାଟକ, ତାମିଲନାଡୁ ଓ ଉତ୍ତରପ୍ରଦେଶର ବିଜେପି ବିରୋଧି ନେତା ଓ ଦଳର ପ୍ରମୁଖ ସଦସ୍ୟ ମାନଙ୍କ ବିରୋଧରେ ଏହି ଯାଞ୍ଚ ସଂସ୍ଥା ଗୁଡିକ ନିଜର ସକ୍ରିୟତା ଦେଖାଇଛନ୍ତି । ଏପରିକି ଓଡ଼ିଶାରେ ମଧ୍ୟ ଚିଟ୍ଫଣ୍ଡ ଦୁର୍ନୀତିରେ ଶାସକ ବିଜେଡିର ବହୁ ନେତା CBI ଓ ED ଦ୍ୱାରା ମାମଲାର ସମ୍ମୁଖୀନ ହୋଇଛନ୍ତି ।
ଥରେ ଭାବନ୍ତୁ ତ, ED, CBI ଓ Income Tax ଭଳି ତଦନ୍ତକାରୀ ସଂସ୍ଥା ଗୁଡିକ କେଉଁ ଉଦ୍ଦେଶ୍ୟରେ ଗଠନ କରାଯାଇଥିଲା? ଏହି ସଂସ୍ଥାଗୁଡ଼ିକର ତଦନ୍ତ ପରିସର, ମାମଲା ସଂଖ୍ୟା, କାର୍ଯ୍ୟାନୁଷ୍ଠାନର ହାର କ’ଣ ବାର୍ତ୍ତା ଦେଉଛି? ସତରେ କ’ଣ ED, CBI ଓ Income Tax ଭଳି ତଦନ୍ତକାରୀ ସଂସ୍ଥା ନଥିଲେ ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାରଟିଏ ଚାଲି ପାରିବ ନାହିଁ କି? ନା ଲମ୍ବା ସମୟ କ୍ଷମତାରେ ରହିବା, ଯେଉଁଠି ନିଜ ଦଳର ସରକାର ନାହିଁ ସେଠି ନିଜର ସରକାର ଗଢ଼ିବା ଓ ବିରୋଧୀ ଦଳ ଗୁଡିକୁ କ୍ଷମତା ଠାରୁ ଦୂରେଇ ରଖିବା ପାଇଁ ED, CBI ଭଳି ସଂସ୍ଥାର ବ୍ୟବହାର ଜରୁରୀ ହୋଇ ପଡିଛି କି?