ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୬ ଅକ୍ଟୋବର ୨୦୨୨
ଚୀନ୍ ର ସର୍ବଶକ୍ତିମାନ “କମ୍ୟୁନିଷ୍ଟ ପାର୍ଟି ଅଫ୍-ଚାଇନା” ମହା ଅଧିବେଶନରେ ସମ୍ବିଧାନ ସଂଶୋଧନ କରାଯାଇ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଙ୍କୁ ଅଧିକ କ୍ଷମତାଶାଳୀ କରାଗଲା । ଗତ ଅକ୍ଟୋବର ୨୩ ତାରିଖରେ ବସିଥିବା ସେଣ୍ଟ୍ରାଲ୍ କମିଟି ବୈଠକରେ ୨୫ ଜଣିଆ ଷ୍ଟାଣ୍ଡିଂ କମିଟି ଗଠନ କରାଯାଇ ସି ଜିନପିଙ୍ଗ୍ ଙ୍କୁ ଦଳର ମୁଖ୍ୟ ତଥା ସାଧାରଣ ସଂପାଦକ କରାଯିବା ସହ ୩ୟ ଥର ରାଷ୍ଟ୍ରପତି କରିବାପାଇଁ ନିଷ୍ପତ୍ତି ନିଆଗଲା । ଜିନପିଙ୍ଗ୍ ବହୁ ବରିଷ୍ଠ ନେତାଙ୍କୁ ସେଣ୍ଟ୍ରାଲ୍ କମିଟିରୁ ହଟାଇଦେଲେ । ଏପରିକି ଦୀର୍ଘ ୧୦ ବର୍ଷ ଧରି ରାଷ୍ଟ୍ରପତି ଥିବା ୭୯ ବର୍ଷୀୟ ହୁ ଜିନ୍ତାଓ ଙ୍କୁ ସୁରକ୍ଷାକର୍ମୀ ମାନେ ବଳ ପୂର୍ବକ ଉକ୍ତ ବୈଠକରୁ ବାହାରକୁ ନେଇଗଲେ । ଏହି ଘଟଣାର ଚିତ୍ର ଦେଖାଇ ଭାରତର ପ୍ରମୁଖ ଗଣମାଧ୍ୟମ ଗୁଡ଼ିକ ସି ଜିନପିଙ୍ଗ୍ ଙ୍କୁ କ୍ଷମତା ଲୋଭୀ, ଏକ ଛତ୍ରବାଦୀ ଶାସକ ଭାବେ ଅଭିହିତ କରିଛନ୍ତି ।
ଭାରତୀୟ ଗଣମାଧ୍ୟମ ଚୀନର ଏହି ରାଜନୈତିକ ଖବରକୁ ଏତେ ଗୁରୁତ୍ୱ ଦେଲେ କାହିଁକି ? ଚୀନ ବ୍ୟତୀତ ଅନ୍ୟ ଦେଶର ଏପରିକି ଆମ ଦେଶରେ କ’ଣ କ୍ଷମତା ଲୋଭୀ ଓ ଶକ୍ତିଶାଳୀ ନେତା ନାହାଁନ୍ତି କି ? ଆମ ଦେଶରେ କ’ଣ ଏଭଳି ଘଟଣା ଦେଖିବାକୁ ମିଳୁନାହିଁ କି ?
ଏହି ପ୍ରଶ୍ନ ଗୁଡିକର ଉତ୍ତର ଯଦି ଖୋଜାଯାଏ, ତେବେ ଆମ ଦେଶର ପ୍ରତିଷ୍ଠିତ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶାସନ କ୍ଷମତାରେ ଥିବା ରାଜନୈତିକ ଦଳ ଗୁଡ଼ିକରେ ମଧ୍ୟ ଏକାଧିକ ଘଟଣା ଦେଖିବାକୁ ମିଳିବ । ଯଦି ପ୍ରଥମେ ଆମ ଦେଶର କ୍ଷମତାସୀନ ରାଜନୈତିକ ଦଳ ବିଜେପିର ଆଭ୍ୟନ୍ତରୀଣ ଗଣତନ୍ତ୍ର ବାବଦରେ ଆଲୋଚନା କରାଯାଏ ତେବେ ଏଭଳି ଅନେକ ଉଦାହରଣ ଆମକୁ ମିଳିଯିବ । ବିଜେପି ଗଠନ ହେବା ପରଠାରୁ ଦଳର ସର୍ବୋଚ୍ଚ ନେତା ପଦରେ ବସିବା ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ହୁଏ କି ? ବିଜେପିର ଅଗଣିତ କର୍ମୀମାନେ ସିଧାସଳଖ ମତଦାନ ମାଧ୍ୟମରେ ନିଜର ନେତାଙ୍କୁ ନିର୍ବାଚିତ କରିଛନ୍ତି କି ? ବରଂ ଏହା ଦେଖିବାକୁ ମିଳିଛି ଯେ, ବିଜେପିର ସଂସଦୀୟ ବୋର୍ଡ ର ନିଷ୍ପତ୍ତି କ୍ରମେ ସଭାପତି ବଛାଯାଏ, ଜଣେ ବ୍ୟକ୍ତି ଙ୍କ ନାଁ ଉପରେ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତି ବିଶେଷ ମୋହର ମାରନ୍ତି ଓ ସେ ଦଳର ସଭାପତି ହୁଅନ୍ତି । ସେହିପରି ବିଜେପିକୁ କ୍ଷମତାକୁ ଆଣିବା ପଛରେ ଯେଉଁ ବରିଷ୍ଠ ନେତା ମାନଙ୍କ ଭୂମିକାକୁ ଅସ୍ବୀକାର କରାଯାଇ ପାରିବ ନାହିଁ , ସେମାନଙ୍କୁ ଦଳରେ ସମ୍ମାନ ମିଳେ କି ? ଲାଲକୃଷ୍ଣ ଆଡ଼ଭାନୀ, ମୁରଲୀ ମନୋହର ଯୋଶୀ, ଯଶୋବନ୍ତ ସିଂହ, ଯଶୋବନ୍ତ ସିହ୍ନା ଆଦି ନେତାଙ୍କ ରାଜନୈତିକ କ୍ୟାରିୟର କିଭଳି ଶେଷ ହୋଇଛି ? ଆଜିର ବିଜେପିର କ୍ଷମତାଶାଳୀ ନେତାମାନେ ବରିଷ୍ଠ ନେତା ମାନଙ୍କୁ ଅସମ୍ମାନିତ କରି ନାହାନ୍ତି କି ? ଶକ୍ତିଶାଳୀ ଦଳ ହୋଇଥିବା ବିଜେପିରେ ମଧ୍ୟ ସଭାପତି ଆସନରେ ଏକାଧିକ ବାର ରହିବା ପାଇଁ ବ୍ୟବସ୍ଥା କରି ଦଳର ସମ୍ବିଧାନ କୁ ବଦଳା ଯାଇନି କି ? ଯଦି ଏସବୁ ଘଟଣା ଘଟିଛି ତେବେ କେଉଁ ଭଳି ଭାବେ ବିଜେପି କମ୍ୟୁନିଷ୍ଟ ପାର୍ଟି ଅଫ୍-ଚାଇନା ଠାରୁ ଭିନ୍ନ ବୋଲି କୁହାଯିବ ?
ବିଜେପି ଭଳି କଂଗ୍ରେସରେ ମଧ୍ୟ ବରିଷ୍ଠ ନେତାମାନଙ୍କୁ ଦଳ ଅଣଦେଖା କରିବା ଘଟଣା ଏକାଧିକବାର ଦେଖିବାକୁ ମିଳିଛି । ପି.ଭି. ନରସିଂହ ରାଓ ଙ୍କ ଠାରୁ ଆରମ୍ଭ କରି ପ୍ରଣବ ମୁଖାର୍ଜୀ, ଶରଦ ପୱାର ଆଦି ନେତାମାନେ ମଧ୍ୟ କଂଗ୍ରେସ ର ଗାନ୍ଧୀ ପରିବାର ଆଗରେ ତୁଛ ହୋଇପଡିଛନ୍ତି ଓ ଦଳ ମଧ୍ୟ ସେମାନଙ୍କୁ ସେମାନେ ଚାଁହୁଥିବା ପଦପଦବୀ ଓ ମର୍ଯ୍ୟାଦାରୁ ବଂଚିତ କରିଛି । ତଥାପି କିଛି ମାତ୍ରାରେ କଂଗ୍ରେସ ବିଜେପି ଠାରୁ ଭିନ୍ନ । ଅଣ ଗାନ୍ଧୀ ନେହେରୁ ପରିବାର ଲୋକ ମଧ୍ୟ କଂଗ୍ରେସର ଆଭ୍ୟନ୍ତରୀଣ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହୋଇ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି ଓ ଦଳର ସର୍ବୋଚ୍ଚ ପଦବୀ ହାସଲ କରିଛନ୍ତି । ନିକଟରେ ଶେଷ ହୋଇଥିବା କଂଗ୍ରେସର ସଭାପତି ନିର୍ବାଚନରେ ମଧ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଓ ଶଶି ଥରୁର୍ ଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ମିଳିଥିଲା କଂଗ୍ରେସରେ ।
ସେହିପରି ଭାରତରେ ଶକ୍ତିଶାଳୀ ହୋଇଉଠିଥିବା ଆଞ୍ଚଳିକ ରାଜନୈତିକ ଦଳ ଗୁଡିକର ଅବସ୍ଥା କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା ଠାରୁ ଭିନ୍ନ ନୁହେଁ । ଡିଏମକେ, ଏଆଇଏଡିଏମକେ, ବିଜେଡି, ଟିଆରଏସ, ଟିଏମସି, ଶିବସେନା, ଏନସିପି ଆଦି ଦଳ ମଧ୍ୟ ଦଳର ସୁପ୍ରିମୋଙ୍କ ନିଷ୍ପତ୍ତି ବିରୋଧରେ ଯାଇପାରେ ନାହିଁ । ଦଳ ଭିତରେ ଭିନ୍ନମତ ଓ ଭିନ୍ନ ସ୍ବରକୁ ଚାପି ଦିଆଯାଏ । କ୍ଷମତାରେ ଥିବା ଦଳୀୟ ନେତୃତ୍ୱକୁ ଯଦି କେହି ଚାଲେଞ୍ଜ କରେ, ତେବେ ଦଳରୁ ତାକୁ ବହିଷ୍କାର କରିବା ସହ ତାର ରାଜନୈତିକ କ୍ୟାରିଅରକୁ ଶେଷ କରିଦିଆଯାଏ ।
ଭାରତରେ ଯଦି ଜାତୀୟ ରାଜନୈତିକ ଦଳ ଓ ଆଞ୍ଚଳିକ ରାଜନୈତିକ ଦଳ ଭିତରେ ତୁଳନା କରାଯାଏ, ତେବେ ଯେ କେହି ବି ଏକଥା ସ୍ୱୀକାର କରିବେ, ଆଞ୍ଚଳିକ ରାଜନୈତିକ ଦଳ ଗୁଡ଼ିକରେ କ୍ଷମତା ଲୋଭୀ ଓ ଏକ ଛତ୍ରବାଦୀ ନେତାଙ୍କ ସଂଖ୍ୟା ଅଧିକ । ଦଳର ସୁପ୍ରିମୋଙ୍କ ବ୍ୟତୀତ ଅନ୍ୟ କାହାରି କୌଣସି ସାମ୍ବିଧାନିକ ଅଧିକାରକୁ ଦଳ ସମ୍ମାନ ଦିଏ ନାହିଁ । ସୁପ୍ରିମୋଙ୍କ ବିରୋଧରେ ଗଲେ, ପରିସ୍ଥିତି ଭଲ ହୁଏ ନାହିଁ । ଏପରିକି ଦଳରୁ ବିଦା ହେବା ସହ ରାଜନୈତିକ ଆକ୍ରୋଶର ଶିକାର ହେବା ଘଟଣାର ଅନେକ ଉଦାହରଣ ରହିଛି । ଆଞ୍ଚଳିକ ଦଳଗୁଡିକ ଦଳୀୟ ସୁପ୍ରିମୋଙ୍କୁ ସମସ୍ତ କ୍ଷମତା ସମର୍ପି ଦେବା ସହ ସୁପ୍ରିମୋଙ୍କ ଇଚ୍ଛାମୁତାବକ ଦଳ ପରିଚାଳନା କରିଥା’ନ୍ତି ଓ ଦରକାର ପଡ଼ିଲେ ବାରମ୍ବାର ଦଳର ସମ୍ବିଧାନକୁ ମଧ୍ୟ ବଦଳାଇ ଥାଆନ୍ତି । ଏମ.କେ.ଷ୍ଟାଲିନ୍, ମମତା ବାନାର୍ଜୀ, ନବୀନ ପଟ୍ଟନାୟକ, ଚନ୍ଦ୍ର ଶେଖର ରାଓ, ଶରଦ ପୱାର ଆଦି ପ୍ରଭାବଶାଳୀ ଆଞ୍ଚଳିକ ଦଳର ନେତାଙ୍କୁ ଦଳ ଭିତରେ ଏବଂ ବାହାରେ କୋୖଣସି ଦଳୀୟ ନେତା ଚାଲେଞ୍ଜ କରିବାରେ ସକ୍ଷମ ହୋଇଛନ୍ତି କି ? ଏମାନଙ୍କ ବିରୋଧରେ ଉଠିଥିବା ସ୍ୱର ବା ମତ କୁ ସେମାନଙ୍କର ଦଳ ସମ୍ମାନ ଦେଇଛି କି ? ଯଦି ଏହାର ଉତ୍ତର “ନା” ହୁଏ, ତେବେ ଆପଣ ମାନେ ଭାବନ୍ତୁ ତ ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ର ଚାଇନା ଠାରୁ କିଭଳି ଭିନ୍ନ ବୋଲି ବିଚାର କରାଯିବ ? ଯଦି ଜିନପିଙ୍ଗ୍ ଙ୍କୁ ଗଣମାଧ୍ୟମ କ୍ଷମତାଶାଳୀ ଓ ଏକଛତ୍ରବାଦୀ ବୋଲି କହିବ ତେବେ ଭାରତର ଶକ୍ତିଶାଳୀ ରାଜନୈତିକ ଦଳର ସୁପ୍ରିମୋ ମାନେ ଜିନପିଙ୍ଗ୍ ଙ୍କ ଠାରୁ ଭିନ୍ନ କିପରି ହେବେ ? ଚୀନ୍ ରେ ଶାସନ କ୍ଷମତାରେ ଥିବା ଜିନପିଙ୍ଗ୍ ଙ୍କୁ ଯଦି ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଶ୍ୱାସ ରଖୁଥିବା ରାଜନୈତିକ ଦଳ ଗୁଡ଼ିକ ଆଦର୍ଶ ଭାବିବେ ଓ ତାଙ୍କ ଶାସନ ପଦ୍ଧତିକୁ ଅନୁପାଳନ କରିବେ ତେବେ ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ମଧ୍ୟ ଜିନପିଙ୍ଗ୍ ଏକ ମଡେଲ ହେବାକୁ ଯାଉନାହାଁନ୍ତି ତ ?