ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୬ ଅପ୍ରେଲ ୨୦୨୩
ଆସନ୍ତା ମେ ମାସ ୨୯ ତାରିଖରେ ବିଜେଡି ସରକାରର ୫ମ ପାଳିକୁ ୪ ବର୍ଷ ପୂରିବ। ଏହା ପୂର୍ବରୁ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ଜଣାଇଛନ୍ତି ଯେ, ସେମାନେ ସେମାନଙ୍କର ବିଭାଗ ବାବଦରେ ବିସ୍ତୃତ ତଥ୍ୟ ପ୍ରଦାନ କରିବେ । ମନ୍ତ୍ରୀ ମାନଙ୍କ ଠାରୁ ବିଭିନ୍ନ ବିଭାଗର ରିପୋର୍ଟ ପାଇବା ପରେ ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରିବେ । ଏପରିକି ପ୍ରତି ବିଭାଗର ପ୍ରମୁଖ ୫ଟି କାର୍ଯ୍ୟକ୍ରମର ସଫଳତା ବାବଦରେ ତଥ୍ୟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବିଭାଗ ଗୁଡ଼ିକର ସମୀକ୍ଷା ପରେ ସରକାରଙ୍କ ସଫଳତାକୁ ଜନସାଧାରଣଙ୍କ ସାମ୍ନାରେ ଉପସ୍ଥାପନ କରିବେ ସରକାର ।
ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରୀ ମାନଙ୍କୁ ଏଭଳି ଚିଠି ନୂଆ ନୁହେଁ । ବିଗତ କିଛି ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହିଭଳି ଭାବେ ମନ୍ତ୍ରୀମଣ୍ଡଳର ସଦସ୍ୟ ମାନଙ୍କୁ ରିପୋର୍ଟ କାର୍ଡ଼ ମାଗୁଛନ୍ତି । ଏହାର ସମୀକ୍ଷା ମଧ୍ୟ କରୁଛନ୍ତି । ତେବେ ସମୀକ୍ଷା ବେଳେ ବିଭାଗୀୟ ସଚିବ ମାନେ ମଧ୍ୟ ଉପସ୍ଥିତ ରହିବେ । ମନ୍ତ୍ରୀ ମଣ୍ଡଳର ମୁଖ୍ୟ ଭାବେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷାର ଆବଶ୍ୟକତା ରହିଛି । ମନ୍ତ୍ରୀଭାବେ ଯେଉଁ ମାନେ କାର୍ଯ୍ୟ କରୁଛନ୍ତି ସେମାନେ ମଧ୍ୟ ନିଜ ଦାୟିତ୍ୱ କିପରି ତୁଲାଉଛନ୍ତି ତାହା ନିଜେ ଜାଣିବା ସହ ସାଧାରଣ ଲୋକ ଜାଣିପାରିଲେ ଏହା ସରକାରଙ୍କ ସଫଳତା ଓ ବିଫଳତା ବାବଦରେ ଏକ ବାର୍ତ୍ତା ଦେବ । ମାତ୍ର କିଛି ବର୍ଷ ଧରି ଚାଲି ଆସୁଥିବା “ରିପୋର୍ଟ କାର୍ଡ଼” ବ୍ୟବସ୍ଥା ବାବଦରେ ରାଜ୍ୟର ସାଧାରଣ ଲୋକ ଅବଗତ ନୁହନ୍ତି । ମୁଖ୍ୟମନ୍ତ୍ରୀ ଚିଠି ଲେଖନ୍ତି ମନ୍ତ୍ରୀ ମାନଙ୍କୁ ନିଜ ନିଜର ରିପୋର୍ଟ କାର୍ଡ଼ ଦେବାପାଇଁ । ମନ୍ତ୍ରୀମାନେ ନିର୍ଦ୍ଦେଶ ଦିଅନ୍ତି ସଚିବ ମାନଙ୍କୁ ରିପୋର୍ଟ କାର୍ଡ଼ ପ୍ରସ୍ତୁତ କରିବାପାଇଁ । ପରିଶେଷରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ମନ୍ତ୍ରୀ ଓ ସଚିବ ମାନେ ନିଜେ ଉପସ୍ଥିତ ରହି ନିଜ ନିଜର ରିପୋର୍ଟ କାର୍ଡ଼ ପଢ଼ନ୍ତି । ଏଭଳି ଏକ ବ୍ୟବସ୍ଥା ଭିତରେ ରିପୋର୍ଟ କାର୍ଡ଼ ରହିଯାଏ । ଗଣମାଧ୍ୟମରେ ରିପୋର୍ଟ କାର୍ଡ଼ ମଗାଯିବାକୁ ନେଇ ଯେତେ ଅଧିକ ଚର୍ଚ୍ଚା ହୁଏ, ରିପୋର୍ଟ କାର୍ଡ଼ରେ କିଏ କ’ଣ ଦେଲେ ଓ କାହାର ରିପୋର୍ଟ କାର୍ଡ଼ର ସଫଳତା ଓ ବିଫଳତା ଦିଗ ବାବଦରେ ଗଣମାଧ୍ୟମ ଗୁଡ଼ିକ ଜାଣିପାରନ୍ତି ନାହିଁ । ମନ୍ତ୍ରୀ ମାନଙ୍କ ରିପୋର୍ଟ କାର୍ଡ଼ ମଧ୍ୟ ସାର୍ବଜନୀନ ହୁଏ ନାହିଁ । ସାଧାରଣ ଲୋକ ହୁଅନ୍ତୁ ଅବା ଗଣମାଧ୍ୟମ କେହି ବି ରିପୋର୍ଟ କାର୍ଡ଼ ବାବଦରେ ଜାଣିବାର ସୁଯୋଗ ନଥାଏ ।
ଯଦି ମନ୍ତ୍ରୀଙ୍କ ସଫଳତା ଓ ବିଫଳତାକୁ ତୁଳନା କରାଯିବ ନାହିଁ, ବିଭାଗର କାର୍ଯ୍ୟ କରୁଥିବା ସଚିବ ଓ ମନ୍ତ୍ରୀଙ୍କ ଦକ୍ଷତା ଏହି ରିପୋର୍ଟ କାର୍ଡରୁ ମପାଯିବ ନାହିଁ ତେବେ ରିପୋର୍ଟ କାର୍ଡ଼ର ଆବଶ୍ୟକତା କ’ଣ ? ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ମନ୍ତ୍ରୀ ଓ ସଚିବ ମାନଙ୍କୁ ସେମାନଙ୍କ କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନ କରାନଗଲେ ଲୋକଙ୍କ ନିକଟରେ କିଏ ଉତ୍ତରଦାୟୀ ହେବ ? ଦକ୍ଷତାର ମାନଦଣ୍ଡ ଆଧାରରେ ମନ୍ତ୍ରୀ ଓ ସଚିବ ମାନଙ୍କର ଏକ ତାଲିକା ସରକାର ପ୍ରକାଶ କରିବେ କି ? ମନ୍ତ୍ରୀ ଓ ସଚିବ ମାନଙ୍କୁ ସେମାନଙ୍କ କାର୍ଯ୍ୟ ଦକ୍ଷତା ଅନୁଯାୟୀ କୁଶଳୀ, ଅର୍ଦ୍ଧ କୁଶଳୀ ଓ ଅଣ କୁଶଳୀ ଭାବେ ସରକାର ଉପସ୍ଥାପିତ କରିବେ କି ? ପରିଶେଷରେ ଯଦି ମନ୍ତ୍ରୀ ଓ ସଚିବ ମାନଙ୍କର ରିପୋର୍ଟ କାର୍ଡ଼ ଆଧାରରେ ଦକ୍ଷତା ଅନୁଯାୟୀ ସେମାନଙ୍କ ପ୍ରଦର୍ଶନ ଉପରେ ସରକାର କୌଣସି ନିର୍ଦ୍ଦିଷ୍ଟ ଏକ ନିଷ୍ପତ୍ତିରେ ଉପନୀତ ନହୁଅନ୍ତି, ତେବେ ରିପୋର୍ଟ କାର୍ଡ ମାଗିବାର ଅର୍ଥ କ’ଣ ହୋଇପାରେ ? ଯଦି ଜନସାଧାରଣ ନିର୍ବାଚିତ କରିଥିବା ଲୋକ ପ୍ରତିନିଧି ଓ ଲୋକଙ୍କ ସେବକ ବୋଲି କହୁଥିବା ଅଫିସର ମାନଙ୍କର କାର୍ଯ୍ୟଦକ୍ଷତାର ରିପୋର୍ଟଟି ଜାଣିପାରନ୍ତେ ତେବେ ହୁଏତ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମଗାଯାଉଥିବା ଏହି ରିପୋର୍ଟ କାର୍ଡ଼ ବ୍ୟବସ୍ଥା ବେଶ୍ ଆଦୃତ ହୁଅନ୍ତା ନହେଲେ ଏହା କେବଳ ନିଜେ ନିଜର ପିଠି ଥାପୁଡ଼େଇବା ସହ ସମାନ।






