ବ୍ୟୁରୋ ରିପୋର୍ଟ, ନିର୍ଭୀକ, ମାହାଙ୍ଗା, ୫ ଜାନୁୟାରୀ ୨୦୨୬
ମଧୁପୁର ପଞ୍ଚାୟତ ଅଧିନସ୍ଥ ମେରିପୁର ବଟ ମହାପୁରୁଷଙ୍କ ପୀଠରେ ଗତ କାଲି ଶ୍ରୀ ସରୋଜ ସାମଲ ଙ୍କ ରଚିତ ଏକ ଶିଶୁ ସାହିତ୍ୟ ପୁସ୍ତକ- “ଶ୍ରୀ ରାମ କୁଟୀର” ଅତିଥି ମାନଙ୍କ କର କମଳ ରେ ଉନ୍ମୋଚିତ ହୋଇଯାଇଛି ।
ଏହି ଉପଲକ୍ଷେ ଶ୍ରୀରାମ କୁଟୀର ପରିବାର ପକ୍ଷରୁ ଏକ ଭବ୍ୟ ସାହିତ୍ୟ ଉତ୍ସବ ପ୍ରାକ୍ତନ ଶିକ୍ଷକ ଅଲେଖ ଚନ୍ଦ୍ର ଦାସ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରାକ୍ତନ ସଦସ୍ୟ ତଥା ଆକାଶବାଣୀ ଗୀତିକାର ବିଶ୍ୱେଶ୍ୱର ମହାନ୍ତି ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ମାହାଙ୍ଗା ମୈତ୍ରୀ ମଞ୍ଚ ର ସାଧାରଣ ସମ୍ପାଦକ, ସ୍ତମ୍ଭକାର ତଥା “ନିର୍ଭୀକ” ପତ୍ରିକାର ସମ୍ପାଦକ ଅବନୀ ଚନ୍ଦ୍ର ଦାସ ଯୋଗ ଦେଇ ସାଂପ୍ରତିକ ସମାଜରେ ଓଡ଼ିଆ ଶିଶୁ ସାହିତ୍ୟ ପ୍ରତି ପାଠକୀୟ ଶ୍ରଦ୍ଧା ଅତୁଟ ରଖିବାକୁ ଆହ୍ବାନ ଦେଇଥିଲେ । ଏଥିପାଇଁ ଲେଖକ, ପାଠକ, ଛାତ୍ର ଓ ତାଙ୍କ ଅଭିଭାବକ ମାନଙ୍କ ଭାବ ବିନିମୟ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି ହେବା ଆବଶ୍ୟକ ବୋଲି ଶ୍ରୀ ଦାସ ଉଲ୍ଲେଖ କରିଥିଲେ । ଏଥି ସହିତ ମାହାଙ୍ଗାର ସମୃଦ୍ଧ ସାହିତ୍ୟ, ସଂସ୍କୃତି ଓ ପରମ୍ପରା କୁ ଆଧାର କରି ବିରୂପା ଗେଙ୍ଗୁଟି ଦ୍ଵୀପାଞ୍ଚଳରେ ଏକ ଅଣ ରାଜନୈତିକ ବୁଦ୍ଧିଜୀବି ସଂଗଠନର ଆବଶ୍ୟକତା ରହିଛି ବୋଲି ମତ ବ୍ୟକ୍ତ କରିଥିଲେ । ଶିକ୍ଷକ ତଥା ସଂଗଠକ ଶ୍ରୀ ତରୁଣ କୁମାର ମହାନ୍ତି ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଶୁକବି ଡମ୍ବରୁଧର ପରିଡା ସ୍ବାଗତ ବକ୍ତବ୍ୟ ପ୍ରଦାନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ଅଧ୍ୟାପକ ପ୍ରଦୀପ କୁମାର ବରାଳ, ବୟୋଜ୍ୟେଷ୍ଠ ମୂରବୀ ସୁରେନ୍ଦ୍ର କୁମାର ସାମଲ ଯୋଗଦେଇ କୁଣ୍ଡି, ମଧୁପୁର, ବାସୁଦେବପୁର, କୁହୂଣ୍ଡା, ସାହାପୁର,, ମୂଳବସନ୍ତ, କୋଲିଅଠା, ସମସରପୁର, କଇଥା ଆଦି ବିଭିନ୍ନ ପଞ୍ଚାୟତ ର ସାହିତ୍ୟ ସଂସ୍କୃତି ଅନୁରାଗୀ, ବୁଦ୍ଧିଜୀବି, ମୂରବୀ, ଯୁବା ଛାତ୍ର, ମହିଳା ଙ୍କ ସମାବେଶ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ । ଆସନ୍ତା ଓଡ଼ିଆ ନବର୍ଷ ଅବସର ରେ ଏଭଳି ଏକ ଭବ୍ୟ ସମାବେଶର ଆୟୋଜନ କରିବାକୁ ଆହ୍ବାନ ଦିଆଯାଇଥିଲା ।
ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ରାମଚନ୍ଦ୍ର ମହାପାତ୍ର, ଶାଶ୍ଵତ ରଞ୍ଜନ ଦାସ, ସତ୍ୟ ନାରାୟଣ ମହାନ୍ତି, ରିତେଶ ମହାନ୍ତି, ନରେଶ କୁମାର ମହାନ୍ତି, ନରେନ୍ଦ୍ର କୁମାର ବେହେରା, ପ୍ରଭାକର ଗୋଛୟତ, ସୁଜ୍ଞାନ ବଳସମନ୍ତ, ସରୋଜ ପଣ୍ଡା, ରଣଜିତ୍ କୁମାର ନାୟକ, ମାନସ ରଞ୍ଜନ ସାହୁ, ଲକ୍ଷ୍ମୀ ନାରାୟଣ ମହାନ୍ତି, କେଶବ ଚନ୍ଦ୍ର ମହାନ୍ତି, ବିକାଶ ରଞ୍ଜନ ସୁବୁଦ୍ଧି, ସୁଶିଲ ମହାନ୍ତି, କୈଳାଶ ଚନ୍ଦ୍ର ରାଉତ, ଦୀନବନ୍ଧୁ ସାହୁ ଓ ମନ ମୋହନ ନାୟକ ପ୍ରମୁଖ ବହୁ ବିଶିଷ୍ଟ ଗଣ୍ୟମାନ୍ୟ ବୁଦ୍ଧିଜୀବି, କବି, ସାହିତ୍ୟିକ, ଶିକ୍ଷକ, ଉପସ୍ଥିତ ରହି ଶ୍ରୀରାମ କୁଟୀର ପୁସ୍ତକ ରଚୟିତା ସରୋଜ ସାମଲ ଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଶେଷରେ ତରୁଣ କୁମାର ମହାନ୍ତି ଧନ୍ୟବାଦ୍ ଦେଇଥିଲେ ।






