ବ୍ୟୁରୋ ରିପୋର୍ଟ, ନିର୍ଭୀକ ୧୦ ନଭେମ୍ବର ୨୦୨୬
ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ତଥା ଓଡ଼ିଶାର ପ୍ରାକ୍ତନ ଶିକ୍ଷା ଓ ସ୍ଵାସ୍ଥ୍ୟ ମନ୍ତ୍ରୀ ସ୍ୱର୍ଗତଃ ପ୍ରଦୀପ୍ତ କିଶୋର ଦାସଙ୍କ ୧୦୭ ତମ ଜୟନ୍ତୀ ତାଙ୍କ ଜନ୍ମ ମାଟି କୁଣ୍ଡି ପଞ୍ଚାୟତ ହାଇ ସ୍କୁଲ ପ୍ରାଙ୍ଗଣ ରେ ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ପାଳିତ ହୋଇଯାଇଛି ।
ନିର୍ଭୀକ ପତ୍ରିକାର ସମ୍ପାଦକ ତଥା ବିଶିଷ୍ଟ ସ୍ତମ୍ଭ ଲେଖକ ଶ୍ରୀ ଅବନୀ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ ଶିକ୍ଷାବିତ୍ ଶ୍ରୀ କ୍ଷିରୋଦ ଚନ୍ଦ୍ର ପତି ଅତିଥି ଭାବେ ଯୋଗ ଦେଇ ସ୍ବର୍ଗତ ପ୍ରଦୀପ୍ତ କିଶୋର ଦାସ ଜଣେ ସାଲିସ୍ ବିହୀନ ରାଜନେତା ଥିଲେ ବୋଲି କହିଥିଲେ । ପ୍ରଥମେ ସ୍ବର୍ଗତ ପ୍ରଦୀପ୍ତ ବାବୁଙ୍କ ପ୍ରତିମୂର୍ତ୍ତିରେ ଫାଉଣ୍ଡେସନ ପକ୍ଷରୁ ପୁଷ୍ପମାଲ୍ୟ, ଧୂପ, ଦୀପାର୍ଘ୍ୟ ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।
ଜଣେ ସାଚ୍ଚୋଟ ରାଜନୀତିଜ୍ଞ ଭାବେ ସମସ୍ତ ଦଳୀୟ ସଂକୀର୍ଣ୍ଣ ରାଜନୀତି ରୁ ଉର୍ଦ୍ଧ୍ବରେ ରହି ସେବା ଓ ସମର୍ପଣ ଭାବ ସ୍ବର୍ଗତ ପ୍ରଦୀପ୍ତ କିଶୋର ଦାସଙ୍କ ଜୀବନର ଆଦର୍ଶ ଥିଲା ବୋଲି ଉତ୍ସବର ସଭାପତି ଅବନୀ ଚନ୍ଦ୍ର ଦାସ ନିଜ ଅଭିଭାଷଣ ରେ ଉଲ୍ଲେଖ କରିଥିଲେ । ଫାଉଣ୍ଡେସନ କୃଷି ଉତ୍କର୍ଷ କେନ୍ଦ୍ରର ସଂଯୋଜକ ଶ୍ରୀ ଶୁଭେନ୍ଦୁ କୁମାର ସାମଲ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଦୀପ୍ତ ବାବୁ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ବାନ ଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ ମୂରବୀ ରାମ ଚନ୍ଦ୍ର ମହାପାତ୍ର, ପ୍ରାକ୍ତନ ସମିତି ସଭ୍ୟ ରୁଦ୍ର ନାରାୟଣ ସିଂହ, ପ୍ରାକ୍ତନ ଶିକ୍ଷକ ଧନେଶ୍ଵର ପ୍ରଧାନ, କବି ଡମ୍ବରୁଧର ପରିଡା, ସୁନ୍ଦର ରାମ ସାହୁ, ଜ୍ଞାନ ରଞ୍ଜନ ମହାନ୍ତି, ତ୍ରିଲୋଚନ ସ୍ବାଇଁ, ହେମନ୍ତ କୁମାର ମହାନ୍ତି, ମଥୁରାମ ଜେନା, ବିଜୟ ରଞ୍ଜନ ପରିଡ଼ା, ଶେଖ୍ ରିଆଯୁଲ୍ ହକ୍, ସମ୍ ଶେର ଅଲ୍ଲି ଓ ଅଶୋକ ଜେନା ପ୍ରମୁଖଙ୍କ ସମେତ ବିରୂପା ଗେଙ୍ଗୁଟି ଦ୍ଵୀପାଞ୍ଚଳ ର ବିଭିନ୍ନ ପଞ୍ଚାୟତ ର ବିଶିଷ୍ଟ ବ୍ୟକ୍ତି ବିଶେଷବୃନ୍ଦ ଏବଂ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ବୃନ୍ଦ ଯୋଗଦେଇ ଅହଙ୍କାର ଶୂନ୍ୟ ଯଶସ୍ୱୀ ଦିବଂଗତ ନେତା ପ୍ରଦୀପ୍ତ କିଶୋର ଦାସଙ୍କ ଅମ୍ଳାନ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।






